ରୋଗରେ ଛଟପଟ ବିଶ୍ବ

0
37

ଭୁବନେଶ୍ବର: ବିଗତ ଅଢ଼େଇ ବର୍ଷ ହେଲା ପୂରା ବିଶ୍ବକୁ ରୋଗ ଗ୍ରାସ କରିଛି। ବିଶ୍ବର କୌଣସି ରାଷ୍ଟ୍ରରେ ଲୋକେ ସଂପୂର୍ଣ୍ଣ ରୂପେ ସୁସ୍ଥ ନାହାନ୍ତି। ୨୦୧୯ ଡିସେମ୍ବର ମାସରେ ବିଶ୍ବକୁ ଏକପ୍ରକାର କାଳ ଗ୍ରାସିଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ଚୀନର ଉହାନ ସହରରେ କୋଭିଡ-୧୯ ଚିହ୍ନଟ ହେବା ଦିନଠାରୁ ଗୋଟିଏ ପରେ ଗୋଟିଏ ନୂଆ ରୋଗ ଚିହ୍ନଟ ହେଉଛି। କୋଭିଡ-୧୯ ବହୁ ପ୍ରକାରର ଭାରିଆଣ୍ଟ ମାଧ୍ୟମରେ ଚିହ୍ନଟ ହୋଇଛି। ଏବେ ବିଶ୍ବରେ କରୋନା ଏକ ପ୍ରକାର ନିୟନ୍ତ୍ରିତ ଥିବା ବେଳେ ମଙ୍କିପକ୍ସ ଡରାଉଛି। ଭାରତରେ ଯଦିଓ ମଙ୍କିପକ୍ସ ସେତେ ଭୟଙ୍କର ସ୍ଥିତି ଆସିନାହିଁ, ତଥାପି ସତର୍କ ରହିବାର ସମୟ ଆସିଛି। ମଙ୍କିପକ୍ସ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ଅଛନ୍ତି। ଓଡ଼ିଶାରେ ଡାଇରିଆର ପ୍ରଭାବ ଜାରିଥିବା ବେଳେ ଆସାମରେ ଜାପାନୀ ଏନସେଫେଲାଇଟିସ ଆତଙ୍କ ସୃଷ୍ଟି କରିଛି।

ଓଡ଼ିଶାରେ ଦିନକୁ ଦିନ ସ୍ବାସ୍ଥ୍ୟାବସ୍ଥା ଭୁଶୁଡ଼ିବାରେ ଲାଗିଛି। ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନାହିଁ। ରାଜ୍ୟର ନାଁକରା ମେଡିକାଲ କଲେଜଗୁଡ଼ିକରେ ଶଯ୍ୟା ଅଭାବରୁ ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସିତ ହେବାକୁ ପଡ଼ୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବଡ଼ମେଡିକାଲକୁ ବିଶ୍ବସ୍ତରୀୟ କରିବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ, ଏଠାରେ ରୋଗୀଙ୍କ ରିପୋର୍ଟ ଠିକ୍ରେ ନ ଦେଖି ଅଙ୍ଗ କାଟି ଦିଆଯାଉଛି। ସରକାରୀ ଡାକ୍ତରଖାନାରେ ମଧ୍ୟ ଅନେକ କ୍ଷେତ୍ରରେ ହାତଗୁଂଜା ଦେବାକୁ ପଡୁଛି। ଏନେଇ ବିଗତ ଦିନରେ ଅଭିଯୋଗ ଆସିଛି। ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତିରେ ୧୩ ଜଣ ପ୍ରାଣ ହରାଇସାରିଛନ୍ତି। ଡାଇରିଆ ରୋଗ ଏବେ କୋରାପୁଟ ଜିଲ୍ଲା ଦଶମନ୍ତପୁର, ନୂଆପଡ଼ା ଜିଲ୍ଲା କୋମନା, ସୁବର୍ଣ୍ଣପୁର ଜିଲ୍ଲା ତରଭା ଓ ଝାରସୁଗୁଡ଼ାକୁ ବ୍ୟାପିସାରିଛି।

ଓଡ଼ିଶାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ!

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜିଲ୍ଲାକୁ ଡାଇରିଆ ଛୁଇଁଛି।  ରାୟଗଡ଼ା ଜିଲ୍ଲା କାଶୀପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ଶିଳ୍ପନଗରୀ ଝାରସୁଗୁଡ଼ାରେ ବ୍ୟାପିଛି। ଏହି ରୋଗ ଏବେ ଉଗ୍ର ରୂପ ନେଇଛି, ଯେଉଁଥି ପାଇଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଝାଡ଼ାବାନ୍ତି କାରଣରୁ ଦୁଇ ଦିନରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି। ଗତ ଗୁରୁବାର ରାତିରେ ଲିଟିପଡ଼ାର ଅକୁର ପ୍ରଧାନ (୪୦)ଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ବେଳେ ପରଦିନ ଅର୍ଥାତ୍ ଶୁକ୍ରବାର ରାତିରେ ତାଙ୍କ ବାପା ଶ୍ରୀପ୍ରସାଦ ପ୍ରଧାନ (୬୫)ଙ୍କ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଝାରସୁଗୁଡ଼ା ପୌରାଞ୍ଚଳ ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ଦେବାଡିହିରେ ଝାଡ଼ାବାନ୍ତି ବ୍ୟାପି ଏହି ଅଞ୍ଚଳର ଲିଟିପଡ଼ା, ପାନ୍ନପଡା ଓ ବଇଦପଡ଼ାରେ ପ୍ରାୟ ୨୦ ଜଣ ଆକ୍ରାନ୍ତ ହୋଇ ସାରିଲେଣି।

ଆସାମରେ ଜାପାନୀ ଏନସେଫେଲାଇଟିସ

ଆସାମରେ ଜାପାନୀ ଏନସେଫେଲାଇଟିସ ବ୍ୟାପିଛି, ଯେଉଁଥି ପାଇଁ ରାଜ୍ୟବାସୀଙ୍କର ଚିନ୍ତା ବଢ଼ିଛି।  ଜାପାନୀ ଏନସେଫେଲାଇଟିସର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୨ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ୪୮ ହୋଇଛି। ନାଗାଓରେ ଜାପାନୀ ଇନସେଫେଲାଇଟିସ ଦ୍ୱାରା ସର୍ବାଧିକ ୪୪ ଜଣ ସଂକ୍ରମିତ ହୋଇଛନ୍ତି । ଏହା ପରେ ଜୋରହାଟରେ ୩୯, ଓ ଗୋଲାଘାଟରେ ୩୪ ଜଣ ସାମିଲ ଅଛନ୍ତି । ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟର ସମସ୍ତ ୯ଟି ମେଡିକାଲ କଲେଜ ଓ ୧୦ଟି ଜିଲ୍ଲା ହସ୍ପିଟାଲରେ ଏହି ରୋଗ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ମଙ୍କିପକ୍ସ ପାଇଁ କେରଳ ଚିନ୍ତିତ

ଦେଶରେ ଯେଉଁ ୪ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି, ଏଥିରେ ୩ ଜଣ ଅଛନ୍ତ କେରଳ ବାସିନ୍ଦା। ତେବେ ଜୁଲାଇ ୧୫ ତାରିଖ ଦିନ ମଙ୍କିପକ୍ସ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ତାଙ୍କର ନମୁନା ରିପୋର୍ଟ ନେଗେଟିଭ ଆସିସାରିଛି। ଅନ୍ୟ ୨ ଜଣ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ତେବେ କେରଳକୁ ପ୍ରତିଦିନ ହଜାର ହଜାର ଦେଶୀ-ବିଦେଶୀ ଲୋକ ଆସୁଥିବାରୁ ରାଜ୍ୟବାସୀଙ୍କୁ ମଙ୍କିପକ୍ସ ଚିନ୍ତା ଘାରିଛି। କାରଣ ବିଦେଶରେ ଏବେ ମଙ୍କିପକ୍ସ ଆତଙ୍କ ଦେଖାଯାଇଛି। କେରଳର ତ୍ରିଶୁର ଜିଲ୍ଲାରେ ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସଂପୃକ୍ତ ଯୁବକ ୧୦ ଦିନ ପୂର୍ବରୁ ୟୁଏଇରୁ ଫେରିଥିଲେ । ଏହା ପରେ ଯୁବକଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଥିଲା । ୩ ଦିନ ପୂର୍ବରୁ ଅବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯୁବକଙ୍କ ମୃତ୍ୟୁକୁ ନେଇ ମଙ୍କିପକ୍ସ ଆଶଙ୍କା କରାଯାଉଛି । ତେଣୁ ଡାକ୍ତର ନମୁନା ପରୀକ୍ଷା ପାଇଁ ପଠାଇଛନ୍ତି ।

Share the article

LEAVE A REPLY