ଆତଙ୍କବାଦୀଙ୍କ ନିଜ ହଜାଇ ଦେଲା ଆମେରିକା!

0
40

ନୂଆଦିଲ୍ଲୀ: ଅଲକାଏଦା ନେତା ଆୟମାନ ଅଲ ଜୱାହିରୀ ନିହତ ହୋଇଛି। ଦୀର୍ଘ ବର୍ଷ ହେଲା ଆଫଗାନିସ୍ତାନରେ ଚଳପ୍ରଚଳ କରୁଥିବା ଜୱାହିରୀକୁ ଡ୍ରୋନ ଆକ୍ରମଣରେ ନିପାତ କରାଯାଇଛି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। ତେବେ ବିଶ୍ବରେ ଆତଙ୍କ ଖେଳାଇ ଆସିଥିବା ଓସାମା ବିନ ଲାଦେନ ୨୦୧୧ରେ ଆମେରିକାର ଆକ୍ରମଣରେ ନିହତ ହେବା ପରେ ଅଲକାଏଦା ସଂଗଠନ ପାଇଁ ଏହା ଏକ ବଡ଼ ଝଟକା ବୋଲି ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି। କାରଣ ଅଲ ଜୱାହିରୀକୁ ନିହତ କରିବା ପାଇଁ ଆମେରିକା ଦୀର୍ଘ ଦିନରୁ ସୁଯୋଗ ଖୋଜୁଥିଲା। ଅନ୍ୟପକ୍ଷରେ ଅଲକାଏଦା ସଂଗଠନକୁ ମଜବୁତ କରିବା ପାଇଁ ଜୱାହିରୀ ଅଣ୍ଟା ଭିଡିଥିଲା।

ଆତଙ୍କବାଦୀମାନେ ବିଶ୍ବକୁ କ୍ଷତି ପହଞ୍ଚାଉଛନ୍ତି। ଆତଙ୍କବାଦୀମାନେ ପୂରା ବିଶ୍ବକୁ ଗ୍ରାସ କରୁଛନ୍ତି। ଏମାନେ କେବଳ ଭାରତ ଅଥବା ଭାରତ ସୀମାରେ କେବଳ ସୀମିତ ନୁହଁନ୍ତି। ବରଂ ପୂରା ବିଶ୍ବରେ ବ୍ୟପି ରହିଛନ୍ତି। ଆଫଗାନିସ୍ତାନ, ତାଲିବାନ, ପାକିସ୍ତାନରେ ଏମାନେ ଅଧିକ ସକ୍ରିୟ। ବିକାଶର ଚରମ ସୀମାରେ ପହଞ୍ଚି ସାରିଥିବା ଆମେରିକାକୁ ବି ଆତଙ୍କବାଦୀମାନେ ଛାଡୁ ନାହାନ୍ତି। ଆତଙ୍କବାଦୀଙ୍କର ଚେରା ସାରା ବିଶ୍ବକୁ ବ୍ୟାପିଛି। ନୂଆ ନୂଆ ଆତଙ୍କବାଦୀ ସଂଗଠନ ଗଢ଼ିଉଠିଛି। ଏମାନଙ୍କର ମୁଖ୍ୟ କାମ ହେଲା ବିଶ୍ବର ବିକାଶରେ ବାଧା ପହଞ୍ଚାଇବା। ନୀରିହ ଲୋକଙ୍କର ଜୀବନ ନେବା।

ଯୋଜନାକୁ ମିଳିଲା ସଫଳ ରୂପ

ଆୟମାନକୁ ନିପାତ କରିବା ପାଇଁ ଆମେରିକାର ବଡ଼ ଯୋଜନା କରିଥିଲା। କୁଖ୍ୟାତ ଆତଙ୍କବାଦୀ ଧରାଇଦେଲେ ଅଥବା ତା’ବିଷୟରେ ସୂଚନା ଦେଲେ ୨୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା ମଧ୍ୟ କରିଥିଲା। ଆଫଗାନିସ୍ତାନରେ ଥିବା ତଥା ସେଠାରେ ରହି ଅଲକାଏଦା ସଂଗଠନକୁ ମଜବୁତ କରୁଥିବା ଜଣାପଡିବା ପରେ ଆମେରିକା ପକ୍ଷରୁ ଅଲକାଏଦାର ଆତଙ୍କବାଦୀମାନଙ୍କୁ ଦମନ ପାଇଁ ରବିବାରଠାରୁ ଆଫଗାନିସ୍ତାନର ରାଜଧାନୀ କାବୁଲର ସେରପୁର ଅଞ୍ଚଳରେ ଡ୍ରୋନ ଷ୍ଟ୍ରାଇକ ଅଭିଯାନ ଆରମ୍ଭ କରାଯାଇଥିଲା। ପୂର୍ବ ଯୋଜନା ଅନୁସାରେ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ଡ୍ରୋନ୍ ଆକ୍ରମଣ କରିଥିଲା।

ସମୟକୁ ଅପେକ୍ଷା କରିଥିଲା ଆମେରିକା

ଅୟମାନ ଅଲ-ଜୱାହିରୀ ୧୯୫୭ ମସିହା ଜୁନ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲା। ଜୱାହିରୀ ପେଶାରେ ସେ ଜଣେ ଡାକ୍ତର ଥିଲେ ବି ଆତଙ୍କବାଦୀଙ୍କର ସ୍କୁଲର ହେଡମାଷ୍ଟର ଥିଲା। ସେ ଉଭୟ ଆରବୀ ଓ ଫ୍ରାଞ୍ଚ ଭାଷାରେ କଥା ହୋଇପାରୁଥିଲା। ୧୯୭୦ ଦଶକରେ ଇଜିପ୍ଟ ଇସଲାମିକ ଜିହାଦ ଅର୍ଥାତ ଇଆଇଜେ ଗଠନ କରିଥିଲା। ସେ ଏଠାରେ ଇସଲାମିକ ପ୍ରଭାବ ଜାରି ରଖିବାକୁ ଚାହୁଁଥିଲା । ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆକ୍ରମଣରେ ୪ ବିମାନକୁ ହାଇଜାକ କରିବାରେ ସହଯୋଗ କରିଥିଲା। ଏଥିରେ ୨ଟି ବିମାନ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି)ର ଉଭୟ ଟାୱାରରେ ଧକ୍କା ହୋଇଥିଲା। ତୃତୀୟ ବିମାନ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅର୍ଥାତ ପେଣ୍ଟାଗନ ସହିତ ମାଡ଼ ହୋଇଥିଲା । ୪ର୍ଥ ବିମାନ ଶେକଭିଲେରେ ଏକ ଜମିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ମୋଟ ୩୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ସ୍ବାଗତ ଜଣାଇଲା ସାଉଦୀ ଆରବ

ଓସାମା ବିନ୍ ଲାଦେନ ପରେ ୭୧ ବର୍ଷୀୟ ଅଲ ଜୱାହିରୀ ଅଲ କାଏଦାକୁ ନିୟନ୍ତ୍ରଣ କରୁଥିଲା। ଅଲ ଜୱାହିରୀ ନିହତ ହେବା ପରେ ଆମେରିକାର ଘୋଷଣାକୁ ସାଉଦୀ ଆରବ ସ୍ୱାଗତ କରିଛି। ଅନ୍ୟପଟରେ ତାଲିବାନର ମୁଖପାତ୍ର ଜବୀଉଲ୍ଲାହ ମୁଜାହିଦ କହିଛନ୍ତି ଆମେରିକା ଅନ୍ତର୍ଜାତୀୟ ବୁଝାମଣାକୁ ଉଲ୍ଲଂଘନ କରିଛି। କାବୁଲର ଏକ ଘର ଉପରେ ଆମେରିକା ଡ୍ରୋନ୍ ଆକ୍ରମଣ କରି ବଡ଼ ଭୁଲ କରିଛି। ଗୋଟିଏ ପଟେ ଜୱାହିରୀକୁ ନିହତ କରାଯିବା ପରେ ଆମେରିକା ଉପରେ ତାଲିବାନ ନିନ୍ଦା କରୁଥିବା ବେଳେ ଆମେରିକାର କାର୍ଯ୍ୟନୁଷ୍ଠାନ ନେଇ ସାଉଦୀ ଆରବ ସ୍ୱାଗତ ଜଣାଉଛି। ସାଉଦୀ ଆରବ କହିଛି ଯେ, ଜୱାହିରୀ ଆତଙ୍କବାଦୀଙ୍କ ନେତା ଭାବେ ଜଣାଶୁଣା ଥିଲା।

ଭାରତରେ ଆତଙ୍କବାଦୀ

ଭାରତରେ ଆତଙ୍କବାଦୀମାନେ ସକ୍ରିୟ ରହୁଛନ୍ତି। ୧୯୪୭ ମସିହାରେ ଭାରତ ବିଭାଜନ ହେବା ଠାରୁ ଏହି ଦୁର୍ଦିନ ଆସିଛି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଘଟଣା ସାଧାରଣ କଥା। ତେବେ ୨୦୦୮ ମସିହା ନଭେମ୍ବର ୨୬କୁ ଭାରତୀୟମାନେ ଭୁଲିପାରିବେ ନାହିଁ। ମୁମ୍ବାଇରେ ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ତଇବା’ର ୧୦ ଜଣ ସଦସ୍ୟ ହୋଟେଲ ତାଜ୍, ଛତ୍ରପତି ଶିବାଜୀ ଟର୍ମିନସ, ନାରିମନ ହାଉସ ସମେତ ଅନ୍ୟ ସ୍ଥାନରେ ଯେଭଳି ଭାବେ ଅତର୍କିତ ଭାବେ ଗୁଳି କରିଥିଲେ, ତାକୁ ମୁମ୍ବାଇବାସୀ ଭୁଲିବା ସହଜ ନୁହେଁ। ଏହି ଆକ୍ରମଣରେ କିଛି ବିଦେଶୀ ନାଗରିକଙ୍କ ସହିତ ୧୭୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ୩୦୦ ଲୋକ ଆହତ ହୋଇଥିଲେ।  ୨୦୧୯ ଫେବ୍ରୁଆରୀ ୧୪ରେ ପୁଲୱାମା ଜିଲ୍ଲାର ଜମ୍ମୁ କଶ୍ମୀରରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ର ସଦସ୍ୟମାନେ ବିସ୍ଫୋରଣ କରି ୪୦ ସିଆରପିଏଫ ଯବାନଙ୍କ ଜୀବନ ନେଇଥିଲେ।

Share the article

LEAVE A REPLY