ଏହି ମାଟିରେ ପ୍ରଥମ ଥର ଉଡ଼ିବ ତ୍ରିରଙ୍ଗା

0
71

ଭୁବନେଶ୍ବର: ୨୦୨୨ ଅଗଷ୍ଟ ୧୫ ତାରିଖକୁ ଭାରତର ସ୍ବାଧୀନତାକୁ ୭୫ ବର୍ଷ ପୂରିବ। ଏଥର ସ୍ବାଧୀନତା ଦିବସକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଥିବା ବେଳେ ପୂର୍ବ ତୁଳନାରେ ଅଧିକ ଉତ୍ସାହ ମଧ୍ୟ ଦେଖାଯାଉଛି। ସତେ ଅବା ଲାଗୁଛି ଆମେ ଏବେ ଏବେ ସ୍ବାଧୀନ ହୋଇଛେ। ଦେଶର ଜନତାଙ୍କର ସ୍ବାଧୀନତା ପ୍ରୀତି ଢେର ଗୁଣରେ ବଢ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାର ମଧ୍ୟ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛନ୍ତି। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସରକାର ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚଳାଇଛନ୍ତି। ଏହାରି ମାଧ୍ୟମରେ ସରକାର ଲୋକଙ୍କୁ ଅପିଲ କରିଛନ୍ତି ଯେ, ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ନିଜ ଘରେ ତ୍ରିରଙ୍ଗା ଉଡାନ୍ତୁ। ପ୍ରତ୍ୟେକ ସ୍ବାଧୀନ ଦେଶର ନିଜର ଜାତୀୟ ପତାକା ହୋଇଥାଏ। ଭାରତର ରାଷ୍ଟ୍ରୀୟ ପତାକାକୁ ତ୍ରିରଙ୍ଗା କୁହାଯାଇଥାଏ।

ତ୍ରିରଙ୍ଗା ଅଭିଯାନ ମାଧ୍ୟମରେ ସରକାର ଯୋଜନା କରିଛନ୍ତି ଯେ, ଭାରତର ପ୍ରତ୍ୟେକ ଘରରେ ତ୍ରିରଙ୍ଗା ଉଡୁ। ଏଥି ପାଇଁ ସରକାର ୨୦ କୋଟି ଘରକୁ ଲକ୍ଷ୍ୟ ରଖିଛନ୍ତି। ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ଜନ ଭାରତ ସହିତ ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବା ସରକାରଙ୍କ ଯୋଜନା ରହିଛି। ଦେଶରେ ତ୍ରିରଙ୍ଗା ଅଭିଯାନ ଚାଲିଛି। କିନ୍ତୁ ଏକଦା ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ସେମିତି ବ୍ୟବସ୍ଥା ନ ଥିଲା। ତେବେ ଏହାରି ମଧ୍ୟରେ ଦେଶରେ ଅନେକ ପରିବର୍ତ୍ତନ ଆସିଛି। ଫଳରେ ସାଧାରଣ ଜନତା, ସ୍କୁଲ, କଲେଜରେ ତ୍ରିରଙ୍ଗା ଉଡିବାରେ କୌଣସି ଅସୁବିଧା ନାହିଁ। ୨୦୦୨ରେ ଫ୍ଲାଗ କୋର୍ଡରେ ପରିବର୍ତ୍ତନ ଆସିବା ପରେ ସାଧାରଣ ଜନତାଙ୍କୁ ଜାତୀୟ ପତାକା ଉଡାଇବାର ଅଧିକାର ମିଳିଛି।

୭୫ବର୍ଷରେ ଏଠି ଉଡ଼ିନାହିଁ ତ୍ରିରଙ୍ଗା

୭୫ତମ ସ୍ବାଧୀନତା ଦିବସ ନେଇ ଦେଶ ଉତ୍ସାହିତ ଅଛି। ଅମୃତ ମହୋତ୍ସବର ଧୂମ ଦେଖାଯାଇଛି। ଦେଶ ସ୍ବାଧୀନତା ଦିବସ ପାଳନ କରିବା ପୁରୁଣା ପ୍ରଥା ପାଲଟିଥିବା ବେଳେ ଛତିଶଗଡ଼ରେ ଏଭଳି ସ୍ଥାନ ରହିଛି, ଯେଉଁଠାରେ ଲୋକ ଜାତୀୟ ପତାକା ‘ତ୍ରିରଙ୍ଗା’ ଦେଖି ନାହାନ୍ତି। ନକ୍ସଲ ପ୍ରଭାବିତ ବସ୍ତରର କିଛି ଅଞ୍ଚଳରେ ଜାତୀୟ ପତାକା ଉଡାଇବା ମନା। ନକ୍ସଲମାନେ ଏହି ଭଳି ଅଞ୍ଚଳରେ କଟକଣା ଲଗାଇଛନ୍ତି। ସ୍ବାଧୀନତା ଦିବ, ସାଧାରଣତନ୍ତ୍ର ଦିବସ ଓ ଜାତୀୟ ପର୍ବରେ ଏଠାରେ କଳାପତାକା ଉଡାଯାଏ। ଏହି ଅଂଚଳରେ ସିଆରପିଏଫ ଯବାନ ‘ହର ଘର ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ପ୍ରବେଶ କରିଛନ୍ତି। ପ୍ରଥମ ଥର ଗାଁଲୋକଙ୍କୁ ତ୍ରିରଙ୍ଗା ଦେଇ ଏହାର, ସ୍ବାଧୀନତା ଓ ସହିଦମାନଙ୍କର ଗୁରୁତ୍ବ ସଂପର୍କରେ ବୁଝାଇଛନ୍ତି।  

ନକ୍ସଲଗଡ଼ରେ ଦେଶ ଭକ୍ତି

ବୋଧେ ଏଥର ପ୍ରଥମ ଥର ପାଇଁ ନକ୍ସଲ ପ୍ରଭାବିତ ଗାଁର ଲୋକଙ୍କ ହାତରେ ଜାତୀୟ ପତାକା ଦେଖାଯିବ। ସିଆରପିଏଫ୍ର ୨୩୦ ବାଟାଲିଅନର କମାଣ୍ଡେଣ୍ଟ ଦିନେଶ ସିଂହ ଚନ୍ଦେଲ, ଡେପୁଟି କମାଣ୍ଡେଣ୍ଟ ବଳରାମ ଓ ଏହି ବାଟାଲିଅନର ଯବାନମାନେ ଏହି ଅଞ୍ଚଳରେ ପହଂଚି ଥିଲେ, ଯେଉଁଠାରେ କି ଲୋକେ ଜାତୀୟ ପତାକା ଦେଖି ନ ଥିଲେ। ସିଆରପିଏଫ ଯବାନମାନେ ଗାଁ ଲୋକଙ୍କୁ ଜାତୀୟ ପତାକା ଦେଇଛନ୍ତି। ସ୍ବାଧୀନତାର ମହତ୍ବ ବୁଝାଇଛନ୍ତି। ବିକାଶର କଥା କହିଛନ୍ତି। ସରକାର ଓ ସାଧାରଣ ମଣିଷଙ୍କ ବାବଦରେ ବୁଝାଇଛନ୍ତି। ଏବେ ନକ୍ସଲଗଡ଼ରେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଶୁଭୁଛି। ଦେଶଭକ୍ତି ଭାବନା ଜାଗ୍ରତ ହୋଇଛି। ଗାଁର ଲୋକେ କହିଛନ୍ତି ଯେ, ଆମ ପାଇଁ ଏହା ବହୁତ ଖୁସିର ମୁହୂର୍ତ୍ତ। ଆମେ ନିଜ ନଜ ଘରେ ପ୍ରଥମ ଥର ତ୍ରିରଙ୍ଗା ଉଡାଇବୁ ବୋଲି କହିଛନ୍ତି।  

କଟକଣାରେ ସ୍ବାଧୀନତା ଦିବସ

ବିଗତ ୨ ବର୍ଷ ଭଳି ଚଳିତ ଥର ମଧ୍ୟ ଓଡ଼ିଶା ସରକାର କୋଭିଡ କଟକଣା ଭିତରେ ସ୍ବାଧୀନତା ଦିବସ ପାଳିନ କରିବାକୁ ନିଷ୍ପତ୍ତି ନଇେଛନ୍ତି। କୋଭିଡ ପାଇଁ ସ୍ବାଧୀନତା ଦିବସରେ କଟକଣା ଲଗାଇଛନ୍ତି। ରାଜ୍ୟସ୍ତରୀୟ ପରେଡ୍ରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଭାଗ ନେବେନି। କେବଳ ୩ଟି କଣ୍ଟିଜେଣ୍ଟ ଏହି ପରେଡରେ ସାମିଲ ହେବେ। ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ। କଣ୍ଟିଜେଣ୍ଟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ ଲାଗି କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ। ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଏଥର ସ୍ବାଧୀନତା ଦିବସ ସମାରୋହରେ ଜନ ସମାଗମକୁ ବି ବାରଣ କରାଯାଇଛି।

Share the article

LEAVE A REPLY