ଲଘୁଚାପ ବର୍ଷା: ବଢ଼ାଉଛି ଦୁର୍ଦ୍ଦଶା

0
33

ଭୁବନେଶ୍ବର: ଓଡ଼ିଶାରେ ଲଗାତାର ଲଘୁଚାପ ଜନିତ ବର୍ଷା ୨ ଲକ୍ଷରୁ ଅଧିକ ଲୋକଙ୍କର ଦୁର୍ଦ୍ଦଶା ବଢ଼ାଉଛି। ପ୍ରାୟ ୧୫ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଅଳ୍ପ କେତେ ଜିଲ୍ଲାକୁ ଛାଡ଼ିଦେଲେ ଅଧିକାଂଶ ଜିଲ୍ଲାରେ ବର୍ଷା ଓ ବନ୍ୟାରେ ଲୋକେ ହନ୍ତସନ୍ତ ହୋଇସାରିଛନ୍ତି। ବିଗତ ଦିନରେ କ୍ରମାଗତ ଭାବେ ୨ଟି ଲଘୁଚାପ ହୋଇସାରିଥିବା ବେଳେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି, ଅଗଷ୍ଟ ୧୮ ତାରିଖରେ ପୁଣି ଥରେ ଲଘୁଚାପ ହେବାର ଆଶଙ୍କା ଥିବା ବେଳେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦଶା ଦ୍ବିଗୁଣ ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଉଛି। ଏହାରି ମଧ୍ୟରେ ଗତିରାଉତପାଟଣା ନିକଟରେ ଥିବା ଏକ ଆବାସିକ ସ୍କୁଲର ପ୍ରାୟ ୭୦୦ ପିଲା ଜଳବନ୍ଦୀ ହୋଇ ରହିଥିଲେ । ସେମାନଙ୍କୁ ଆଜି ଜିଲ୍ଲା ପ୍ରଶାସନ ସହଯୋଗରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ୧୦ଟି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି।  

ସବୁଠାରୁ ଅଧିକ ଅସୁବିଧାର ସାମ୍ନା କରୁଛନ୍ତି ମହାନଦୀର ଉପକୂଳରେ ବସବାସ କରୁଥିବା ଗ୍ରାମବାସୀ। ହୀରାକୁଦ ଜଳଭଣ୍ଡାରରୁ ମଙ୍ଗଳବାର ସନ୍ଧ୍ୟାରେ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀର ଆଖପାଖ ଗାଁଗୁଡ଼ିକରେ ପାଣି ପ୍ରବେଶ କରିଛି। ଲୋକଙ୍କର ଘରେ ପାଣି ଜମା ହେଉଛି। ଚାଷଜମି ଉଡୁଡ଼ି ଯାଉଛି। ରବିବାର ଦିନ ଠାରୁ ଏହି ବନ୍ୟା ବିତ୍ପାତ ଦେଖାଯାଇଥିବା ବେଳେ ଅଗଷ୍ଟ ୧୮ରେ ଲଘୁଚାପ ବର୍ଷା ଜାରି ରହିଲେ ମହାନଦୀରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବନ୍ୟାଜଳ ପ୍ରବାହିତ ହୋଇପାରେ। ଫଳରେ ଚାଷୀମାନେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହୁଛି। ମହାନଦୀର ବନ୍ୟାଜଳ ପାଇଁ ଏଥିରୁ ବାହାରିଥିବା ଉପନଦୀଗୁଡ଼ିକ ଦ୍ବାରା ସଂକଟ ବଢ଼ିବାରେ ଲାଗିଛି।

ପାଣି ଘେରରେ ଗାଁ ଲୋକେ

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ କାଠଯୋଡି-ସିଡୁଆ ନଦୀର ସଙ୍ଗମ ସ୍ଥଳ ଦଳେଇଘାଇ ନିକଟରେ ବନ୍ୟାଜଳ ବୃଦ୍ଧି ପାଇଛି। ଏଠାର ବିପଦ ସଂକେତ ୫୭ଫୁଟ୍। କିନ୍ତୁ ୫୯ ଫୁଟ୍ ଉପରେ ଜଳ ପ୍ରବାହିତ ହୋଇଛି। ଏହି ବ୍ଲକ ଉକୁନ୍ଦରା ପଞ୍ଚାୟତ ଅଲିପଡା-ସାନ ଖରମଙ୍ଗା ଦେବୀ ନଦୀ ଘେରି ବନ୍ଧ ଡେଇଁ ପାଣି ପଶିବାରୁ ୪୦ ପରିବାର ଲୋକେ ଜଳବନ୍ଦି ହୋଇଛନ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବିଭିନ୍ନ ଗାଁରେ ଲୋକେ ଜଳବନ୍ଦି ଅବସ୍ଥାରେ ରହୁଥିବା ଖବର ମିଳିଛି। ବନ୍ୟା ପାଣି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବୁଡ଼ିଲା ଶିବ ମନ୍ଦିର

ଲଗାଣ ବର୍ଷା କେବଳ ପୂର୍ବ ଓଡ଼ିଶା ନୁହେଁ। ବରଂ ପଶ୍ଚିମରେ ମଧ୍ୟ ଦୁର୍ଦ୍ଦଶା ବଢ଼ାଇଛି। ସମ୍ବଲପୁର ସହରର ବହୁ ସ୍ଥାନରେ ଜଳଭର୍ତ୍ତି ହୋଇଛି। ମହାନଦୀରେ ହୀରାକୁଦର ୪୦ ଗେଟରୁ ନିର୍ଗତ ହେଉଥିବା ବନ୍ୟାଜଳ ଯୋଗୁଁ ସହରର ଆବର୍ଜନା ପାଣି ଆଗକୁ ବଢ଼ିପାରୁ ନାହିଁ। ଫଳରେ ବର୍ଷା ଜଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିନିକା, ଉଲୁଣ୍ଡା ଓ ବୀରମହାରାଜପୁରରେ ବନ୍ୟା ବିତ୍ପାତ ଦେଖାଯାଇଛି। ବୀରମହାରାଜପୁର ବାଇପାସ ରାସ୍ତାରେ ସୋନପୁର ସହରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ବୀରମହାରାଜପୁରରୁ ସୁବଳୟା ଦେଇ ରେଢ଼ାଖୋଲ ଓ ବୌଦ୍ଧକୁ ଯୋଗାଯୋଗ ଠପ ହୋଇଯାଇଛି।  ଝାରସୁଗୁଡା ଜିଲ୍ଲାର ଲଖନପୁର ସମରଗବା ପଂଚାୟତଠାରେ ଥିବା ପ୍ରସିଦ୍ଧ କୋଇଲି ଘୋଘର ଶୈବପୀଠ ବନ୍ୟା ଜଳରେ ବୁଡ଼ିଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ବିପଦସଂକୁଳ ଅବସ୍ଥାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଯେପରି କୌଣସି ଜୀବନ ହାନି ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦିଆଯିବା ଉପରେ ବି ସେ ଗୁରୁତ୍ବାରୋପ କରିଛନ୍ତି। ଏହାଛଡ଼ା ଏନଡିଆରଏଫ୍, ଓଡ୍ରାଫ୍ ଓ ଫାୟାର ଟିମକୁ ଉଦ୍ଧାର କାମରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱାସ୍ଥ୍ୟ, ଜଳଯୋଗାଣ ଓ ପଞ୍ଚାୟତିରାଜ ବିଭାଗକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯେପରି ଗୋଟିଏ ଜୀବନ ହାନି ନ ହୁଏ, ଯୋଗାଯୋଗରେ ଯେପରି ଗୁରୁତର ବିଭ୍ରାଟ ନ ହୁଏ, ତାହା ସୁନିଶ୍ଚିତ କର। ବନ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହେଉଥିବାରୁ ସେସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।  

Share the article

LEAVE A REPLY