ଲକ୍ଷ୍ୟଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି

0
30

ଭୁବନେଶ୍ବର: କୁହାଯାଇଥାଏ ଆତ୍ମହତ୍ୟା ହେଉଛି ମହାପାପ। ପୂର୍ବ ପୁରୁଷଙ୍କ କହିବା ଅନୁସାରେ ବଳପୂର୍ବକ ଭାବେ ଜୀବନକୁ ମାରି ଦିଆଯାଉଥିବାରୁ ଶରୀରରୁ ଆତ୍ମା ବାହାରି ଯାଇ ନଥାଏ। ଏହା ଆତ୍ମହତ୍ୟାକାରୀ ବ୍ୟକ୍ତିର ପାଖାପାଖି ପରିବେଶରେ ଘୁରି ବୁଲୁଥାଏ। ତେବେ ଆତ୍ମହତ୍ୟା କରୁଥିବା ବ୍ୟକ୍ତିର ଆତ୍ମା ଘୁରି ବୁଲୁଥାଉ ଅଥବା ନ ବୁଲୁ ତାହା ଭିନ୍ନ କଥା। କିନ୍ତୁ ମନୁଷ୍ୟ ହେଉଛି ପ୍ରାଣୀ ଜଗତର ସବୁଠାରୁ ଦୁର୍ଲଭ ଜୀବନ। ଏହି କାରଣରୁ ଏହାକୁ ସରସ ସୁନ୍ଦର ଭାବେ ଗଢ଼ି ତୋଳିବା ବଦଳରେ ମାରି ଦେବା ବଡ଼ ଭୁଲ। ଏକଥା ଜାଣିଶୁଣି ମଧ୍ୟ ଆଜିକାଲି ଟିକିଏ କଥାରେ ଆତ୍ମହତ୍ୟା କରୁଛନ୍ତି। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ଯୁବପିଢ଼ିଙ୍କ କ୍ଷେତ୍ରରେ ଏହା ଅଧିକ।

ଗରିବ ଲୋକ ଆର୍ଥିକ ସମସ୍ୟା କାରୁଣରୁ ଭାଙ୍ଗିପଡ଼ି ଆତ୍ମହତ୍ୟା କରୁଛନ୍ତି। ଚାଷୀ ଋଣଭାର ସମ୍ଭାଳି ନ ପାରି ଜୀବନ ହରାଉଛି। ସେହିପରି ରୋଗୀରେ ପୀଡିତ ବ୍ୟକ୍ତି ଚିକିତ୍ସାରେ ଆରୋଗ୍ୟ ନ ମିଳିବାରୁ ଜୀବନ ରଖିବାକୁ ଚାହୁଁ ନାହାନ୍ତି। ଯୁବକ-ଯୁବତୀମାନେ ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ଅନେକ ଲୋକ ବିନା କୌଣସି ଅସୁବିଧାରେ ମଧ୍ୟ ଆତ୍ମହତ୍ୟା କରୁଥିବା ସମାଜରେ ଘଟଣା ଦେଖିବାକୁ ମିଳୁଛି। ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ। ପୂରା ଭାରତ ଓ ବିଶ୍ବ ପାଇଁ ବ୍ୟାଧି ପାଲଟିଛି। ରାଜଧାନୀ ଭୁବନେଶ୍ବରରେ ବିଗତ କିଛି ମାସ ମଧ୍ୟରେ ବହୁଗୁଡ଼ିଏ ଆତ୍ମହତ୍ୟା ଜନିତ ଖବର ଆସିଛି। ଯେଉଁଥିରେ କି ଚର୍ଚ୍ଚିତ ନାଁ ମଧ୍ୟ ସାମିଲ ରହିଛି। ମନୁଷ୍ୟକୁ ଚିନ୍ତା କରିବାର ଅଛି ଯେ, ଆତ୍ମହତ୍ୟା କରିଦେଲେ ସବୁ ସମସ୍ୟାର ସମାଧାନ ହେଉ ନାହିଁ ବରଂ ପରିବାର ପ୍ରତି ଦୁଃଖ ବଢୁଛି।

ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା

ଚନ୍ଦଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଞ୍ଚଳର ଏକ ଭଡା ଘରୁ ମହିଳା ସଫ୍ଟୱେୟାର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣା ପୁଲିସର ନିଦ ହଜାଇ ଦେଇଛି। ୨୬ ବର୍ଷୀୟା ଯୁବ ଇଞ୍ଜିନିୟର ଭୁବନେଶ୍ୱରର ଏକ ନାମୀ କମ୍ପାନିରେ କାମ କରୁଥିଲେ । ସେ ସାଙ୍ଗମାନଙ୍କ ସହିତ ଆପାର୍ଟମେଣ୍ଟରେ ରହୁଥିଲେ। ଜନ୍ମାଷ୍ଟମୀ ଅବସରରେ ସାଙ୍ଗମାନେ ଘରକୁ ଯାଇଥିବା ବେଳେ ଶ୍ୱେତା ରୁମରେ ଏକା ଥିଲେ । ସେ କେଉଁ କାରଣକୁ ନେଇ ଆତ୍ମହତ୍ୟା କଲେ ଯଦିଓ ପ୍ରକୃତ ଘଟଣା ଏପର୍ଯ୍ୟନ୍ତ ଆସିପାରି ନାହିଁ। ତଥାପି ପରିବାର ଲୋକଙ୍କ ଅଭିଯୋଗ ହେଲା ଯେ, ଶ୍ବେତାଙ୍କ ପୁରୁଷ ବନ୍ଧୁଙ୍କ ନିର୍ଯ୍ୟାତନା କାରଣରୁ ଏହି ଘଟଣା ଘଟିଛି। ପୁଲିସ ଘଟଣାର ତଦନ୍ତ କରୁଛି। ସମୟ କହିବ, ଆତ୍ମହତ୍ୟାର ପ୍ରକୃତ କାରଣ।  

ରାଜଧାନୀରେ ଚର୍ଚ୍ଚିତ ଆତ୍ମହତ୍ୟା

ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଗତ ଜୁନ୍ ମାସରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାର କାରଣ ୨ ମାସ ପରେ ମଧ୍ୟ ଜଣାପଡ଼ିଲା ନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସେହିପରି ଆଚାର୍ଯ୍ୟବିହାରସ୍ଥିତ ପାଣିଟାଙ୍କି ନିକଟରେ ଭଡ଼ା ଘରେ ରହୁଥିବା ଜଣେ ଏମ୍ସିଏ ଛାତ୍ରୀଙ୍କ ମୃତହେଦ ଉଦ୍ଧାର ହୋଇଥିଲା। ଏହି ଘଟଣା କାହିଁକି ଘଟିଥିଲା, ସେବିଷୟରେ କୌଣସି ପତ୍ତା ମିଳି ନଥିଲା। ସେହିପରି ରାଗିଂକୁ ନେଇ ଗତମାସ ପ୍ରଥମ ସପ୍ତାହରେ ବିଜେବି କଲେଜ ହଷ୍ଟେଲରେ ଯୁକ୍ତ ୩ କଳାଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ଆନ୍ଦୋଳନ ହେଲା। ହେଲେ ଏହି ଘଟଣାର ପର୍ଦ୍ଦାଫାସ ହୋଇପାରିଲା ନାହିଁ।

Share the article

LEAVE A REPLY