ନିଶ୍ଚିହ୍ନ କରିଛି ନିଆଁ

0
80
Spread the love

ଭୁବନେଶ୍ବର: ମନୁଷ୍ୟ ହେଉ ଅଥବା ଅନ୍ୟ କୌଣସି ପ୍ରାଣୀ ହୁଅନ୍ତୁ, ଜନ୍ମହେବାର ବହୁ ପୂର୍ବରୁ ଜଣା ପଡ଼ିଥାଏ। କିନ୍ତୁ ମୃତ୍ୟୁ ପକ୍ଷେ ଓଲଟା। ମୃତ୍ୟୁ ଅଚାନକ ଆସିଥାଏ। କିଏ କେତେବେଳେ ଓ କେମିତି ମୃତ୍ୟୁର ଶିକାର ହେବ, ତାହା ସୃଷ୍ଟିକର୍ତ୍ତାଙ୍କୁ ହିଁ ଜଣା। ଜନ୍ମ ହେଲେ, ମୃତ୍ୟୁ ନିଶ୍ଚିତ। କିନ୍ତୁ ସ୍ବାଭାବିକ ମୃତ୍ୟୁ ଯେତିକି ଯନ୍ତ୍ରଣା ଦେଇ ନଥାଏ, ଅସ୍ବାଭାବିକ ମୃତ୍ୟୁ ହେଲେ ତା’ଠାରୁ ଶହେ ଗୁଣରେ ପୀଡ଼ା ହୋଇଥାଏ। ଆମେ ଦେଖିବାରେ ବିପର୍ଯ୍ୟୟ ଯୋଗୁଁ ଅନେକ ସମୟରେ ବହୁ ଲୋକଙ୍କର ମୃତ୍ୟୁ ହୋଇଯାଉଛି। ତାହା ପ୍ରାକୃତିକ ହେଉ ଅଥବା ମନୁଷ୍ୟ କୃତ ହେଉ। ଭୂମିକମ୍ପ, ବାତ୍ୟା ଓ ବନ୍ୟା ଭଳି ଅନେକ ସମୟରେ ଲୋକେ ଅଗ୍ନିକାଣ୍ଡ କାରଣରୁ ମଧ୍ୟ ମୃତ୍ୟୁର ଶିକାର ହେଉଛନ୍ତି। ଏପରିକି ଗୋଟା ପରିବାରକୁ ନିଆଁ ଗିଳି ଦେଉଛି।

ମନୁଷ୍ୟଙ୍କ କ୍ଷେତ୍ରରେ ଜଣେ ବ୍ୟକ୍ତି ଯେତେବେଳେ ତା’ର ସମସ୍ତ କର୍ତ୍ତବ୍ୟ ଶେଷ କରି ମୃତ୍ୟୁ ହୋଇଥାଏ, ଅନ୍ୟମାନେ କହିଥାନ୍ତି, ଯାହାବି ସବୁ କର୍ତ୍ତବ୍ୟ ଓ ଦାୟିତ୍ବ ଶେଷ କରି ନିଜେ ଶେଷ ହୋଇଗଲା। ଯଦି ଜଣେ ମଣିଷ ନିଜର ବହୁ କାମ ଶେଷ କରିବା ପୂର୍ବରୁ ପରଲୋକ ଗମନ କରୁଛି, ତା’ହେଲେ ସେହି ପରିବାର ଜୀବନବ୍ୟାପୀ କଷ୍ଟ ପାଇଥାନ୍ତି। ଦୁଃଖ ଓ ଶୋକରେ ବୁଡ଼ି ରହିଥାନ୍ତି। ସମାଜରେ ନିଜକୁ ବହୁତ ଛୋଟ ମନେ କରିଥାନ୍ତି।

ବାହାଘର ଆସିଥିଲେ, ଜଳିଗଲେ ୫ ଜଣ

ଗୁରୁବାର (୨୦୨୨ ଅଗଷ୍ଟ ୨୫-୨୬) କାଳରାତ୍ରୀ ଥିଲା। ଉତ୍ତର ପ୍ରଦେଶର ମୁରାଦାବାଦରେ ତିନି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ଏହି ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୭ ଜଣ ଆହତ ହୋଇଥିଲେ।  ୩ ମହଲା କୋଠାରେ ଏକ ପରିବାର ରହୁଥିଲେ ।  ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ ।  ନିଆଁରେ ଶମା ପରବୀନ ଓ ତାଙ୍କର ୩ ଶିଶୁ ଓ ମା’ଙ୍କର ମୃତ୍ୟୁ ହୋଇଛି । ଶମା ପରବୀନ ସରକାର ସ୍କୁଲରେ ଶିକ୍ଷକ ଥିଲେ । ସେ ଉତ୍ତରାଖଣ୍ଡର ରାନୀଖେତରୁ ୨ ଭାଣଜୀଙ୍କ ବିବାହରେ ସାମିଲ ହେବାକୁ ଆସିଥିଲେ।  

୧୮ ଦିନରେ ୧୧ ଜଣ ଜଳିଗଲେ

୨୦୨୧ ମାର୍ଚ୍ଚ ମାସ ୧୫ ତାରିଖର ଘଟଣା। ବିହାରର କିଶନଗଂଜରେ ଘର ଭିତରେ ଶୋଇଥିବା ବେଳେ  ନିଆଁ ଲାଗି ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୪ ଜଣ ଶିଶୁ ମଧ୍ୟ ସାମିଲ ଥିଲେ। ସାଲମ କଲୋନିରେ ରାତି ୩ଟାରେ ଯେତେବେଳେ ନିଆଁ ଲାଗିଥିଲା ୫ ଜଣ ଯାକ ନିଘୋଡ଼ ନିଦ୍ରାରେ ଶୋଇଥିଲେ। ଅଗ୍ନିକାଣ୍ଡ ନେଇ ଦମକଳବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେତେବେଳକୁ ୫ ଜଣଙ୍କର ଜୀବନ ଦୀପ ଲିଭିଯାଇଥିଲା। ଗତବର୍ଷ ଏପ୍ରିଲ ୩ ତାରିଖରେ କର୍ଣ୍ଣାଟକର ପୋନାମପେଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ୪ ଜଣ ଶିଶୁଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୪ ଜଣ ଆହତ ହୋଇଥିଲେ। ରାତି ୨ଟାରେ ଏହି ଅଘଟଣ ଘଟିଥିଲା।

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡ ଯୋଗୁଁ ଦେଶରେ ଅଗ୍ନିକାଣ୍ଡ ଘଟଣାରେ ପ୍ରତିବର୍ଷ ଶହ ଶହ ଲୋକଙ୍କର ମୃତ୍ୟୁ ହେଉଛି। ଗାଁ ଗଣ୍ଡାରେ ଗରିବ ଲୋକ ଚାଳଛପର ଘରେ ରହୁଥିବା ବେଳେ ଅଗ୍ନିକାଣ୍ଡର ଶିକାର ହେଉଛନ୍ତି। କିନ୍ତୁ ସହରାଞ୍ଚଳରେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଅଘଟଣ ଘଟୁଛି। ବିଗତ ଦିନରେ ଦେଶରେ ଡାକ୍ତରଖାନାରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି। ୨୦୧୬ ମସିହା ଅକ୍ଟୋବର ମାସରେ ଭୁବନେଶ୍ବରସ୍ଥିତ ସମ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଆଇସିୟୁରେ ନିଆଁ ଲାଗିବାରୁ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା। କେବଳ ସମ୍ ହସ୍ପିଟାଲ ନୁହେଁ, ବରଂ ବିଭିନ୍ନ ସମୟରେ ଆପୋଲୋ, ଆମ୍ରି ଓ ଏସ୍ସିବିରେ ମଧ୍ୟ ନିଆଁ ଲାଗିଥିଲା। କିନ୍ତୁ ବଡ଼ଧରଣର କ୍ଷୟକ୍ଷତି ହୋଇ ନଥିଲା। ନିକଟରେ ମଧ୍ୟପ୍ରଦେଶର ଜବଲପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା, ଯେଉଁଥିରେ କି ୮ ଜଣଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY