ଅତୀତକୁ ମନେ ପକାଇଦିଏ ସ୍ମାରକୀ

0
106
Spread the love

ଭୁବନେଶ୍ବର: ଯେଉଁମାନେ ବହୁତ ଭଲ କାମ କରନ୍ତି, ତାଙ୍କୁ ଅନ୍ୟମାନେ ମନେରଖନ୍ତି। ସେହିପରି ଭଲ ମୁହୂର୍ତ୍ତ ଓ ଖରାପ ସମୟ ମଧ୍ୟ ମନେ ରହିଥାଏ। କିନ୍ତୁ ସବୁଜିନିଷକୁ ହୃଦୟରେ ରଖାଯାଇପାରେ ନାହିଁ। ଯାହା ରହିବାଯୋଗ୍ୟ, ତାକୁ ହିଁ ହୃଦୟ ଭିତରେ ସାଇତି ରଖାଯାଇପାରେ। ବେଳେ ବେଳେ ଅନେକ ଜିନିଷକୁ ଆମେ ମନ ଭିତରେ ରଖିବା ସହିତ ଏବାବଦରେ ଅନ୍ୟକୁ ମଧ୍ୟ ମନରେ ରଖିବା ପାଇଁ ଉଦ୍ୟମ କରିଥାଉ। ଆଉ ସେହି ଜିନିଷକୁ ହିଁ ସ୍ମାରକୀ କୁହାଯାଇଥାଏ। ଓଡ଼ିଶା ସମତେ ଭାରତରେ ଅନେକଗୁଡ଼ିଏ ସ୍ମାରକୀ ରହିଛି, ଯାହାକି ଆମର ଇତିହାସ ସହିତ ସଂପୃକ୍ତି। ତାହା ଧର୍ମାନୁଷ୍ଠାନ ହୋଇପାରେ ଅଥବା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୁତିପୀଠ ହୋଇପାରେ। ଅଥବା ଆଦର୍ଶ ବ୍ୟକ୍ତିତ୍ବ ହୋଇପାରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟ ଗସ୍ତରେ ରବିବାର କଚ୍ଛ ଜିଲ୍ଲାର ଅଂଜାର ସହରରେ ‘ବୀର ବାଳକ ସ୍ମାରକୀ’ଉଦ୍ଘାଟନ କରିଛନ୍ତି। ୨୦୨୧ ଜାନୁଆରୀ ୨୬ ତାରିଖରେ ଗୁଜରାଟରେ ବଡ଼ଧରଣର ଭୂମିକମ୍ପ ହୋଇଥିଲା। ଏହି ସମୟରେ ୧୮୫ଟି ସ୍କୁଲର ଛାତ୍ରଛାତ୍ରୀ ଓ ୨୦ ଜଣ ଶିକ୍ଷକ ସହରର ଏକ ରାଲିରେ ଭାଗ ନେଇଥିଲେ ଏବଂ ସେମାନେ ଭୂମିକମ୍ପ ଯୋଗୁଁ ଚାପି ହୋଇଯାଇଥିଲେ । ଏହି ଘଟଣାକୁ ପୂରା ବିଶ୍ୱ ବିପର୍ଯ୍ୟୟ ଭାବେ ଦେଖିଥିଲା । ସେହି ସମୟରେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଏହି ପିଲାମାନଙ୍କ ସ୍ମୁତିରେ ସ୍ମାରକ ସ୍ଥଳୀ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ଉଦ୍ଘାଟନରେ ସାମିଲ ହେବା ପାଇଁ ମୃତକଙ୍କ ପରିବାରର ୧୦୦ ଜଣ ସଦସ୍ୟଙ୍କୁ ଆମନ୍ତ୍ରିତ କରାଯାଇଛି । ଶିଶୁ ସଂଗ୍ରହାଳୟକୁ ୫ଟି ବିଭାଗରେ ବଣ୍ଟା ଯାଇଛି । ପ୍ରଥମ ବିଭାଗରେ ମୃତ ଶିଶୁଙ୍କ ଫଟୋ ରହିଛି । ସଂଗ୍ରାମୀ ମନୋଭାବକୁ ପାଳନ କରିବା ଲାଗି ପ୍ରାୟ ୪୭୦ ଏକର ପରିମିତ ଜମିରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି।  

ବରୁଣେଇ ପାହାଡ଼ ତଳେ ପାଇକ ସ୍ମାରକୀ

ଖୋର୍ଦ୍ଧାର ଐତିହାସିକ ତଥା ପୌରାଣିକ ବରୁଣେଇ ପାହାଡ଼ ତଳେ ପାଇକ ସ୍ମାରକୀ ନିର୍ମାଣ  କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନଇେଛନ୍ତି। ଏଥି ପାଇଁ ୯.୬୮୫ ଡେସିମଲ ଜମି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ବିନା ପ୍ରିମିୟମ, ମୂଲ୍ୟରେ ପ୍ରଦାନ କରିବାକୁ ଗତ ଜୁଲାଇ ମାସ ୧୯ ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ବରୁଣେଇ ଠାରେ ପାଇକ ସ୍ମାରକୀ ସ୍ଥାପନ ପାଇଁ ୨୦୧୯ ଡିସେମ୍ବର ୮ ତାରିଖରେ ପୂର୍ବତନ ରାଷ୍ଟ୍ରପତି ରାମାନାଥ କୋବିନ୍ଦ ଶୁଭ ଦେଇଥିଲେ। ପ୍ରାୟ ୨ଶହ କୋଟି ଟଙ୍କାର ସ୍ମାରକୀ ନିର୍ମାଣ ପାଇଁ ଆଇଓସିଏଲ୍ ପକ୍ଷରୁ ୯୦ କୋଟି ଓ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ବଳକା ଟଙ୍କା ଅନୁଦାନ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ।  

ଦିଲ୍ଲୀର ଜାତୀୟ ସ୍ମାରକୀ

୨୦୧୯ ଫେବ୍ରୁଆରୀ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ନିକଟରେ ସହିଦମାନଙ୍କ ସ୍ମୃତିରେ ନିର୍ମିତ ଜାତୀୟ ଯୁଦ୍ଧ ସ୍ମାରକୀର ଉଦଘାଟନ କରିଥିଲେ। ସ୍ବାଧୀନ ଭାରତରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦମାନଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକୀ। ଇଣ୍ଡିଆ ଗେଟ୍ ଏବଂ ଅମର ଯବାନ ଜ୍ୟୋତି ରହିଥିବା ସ୍ଥାନର ଠିକ୍ ସମ୍ମୁଖରେ ୪୦ ଏକର ପରିମିତ ଜାଗାରେ ନିର୍ମିତ ଏହି ଜାତୀୟ ସ୍ମାରକୀରେ ସ୍ଥାନୀତ ୧୬ଟି କାନ୍ଥରେ ୨୫,୯୪୨ ଜଣ ସହିଦ ସୈନିକଙ୍କ ନାମ ଲିପିବଦ୍ଧ ହୋଇଛି। ଏହି ଯବାନମାନେ ବିଶେଷ କରି ୧୯୬୨ ମସିହାର ଚୀନ୍ ସହ ଯୁଦ୍ଧ ସମେତ ୧୯୪୭, ୧୯୬୫ ଓ ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧ, ୧୯୯୯ର କାର୍ଗିଲ ଯୁଦ୍ଧ, ଶ୍ରୀଲଙ୍କାରେ ଶାନ୍ତିସେନା କାର୍ଯ୍ୟାନୁଷ୍ଠାନ ଏବଂ ଜାତିସଂଘର ବିଭିନ୍ନ ଶାନ୍ତିସେନା ଅଭିଯାନରେ ବୀରଗତି ପ୍ରାପ୍ତ ହୋଇଛନ୍ତି। ସ୍ମାରକୀର କେନ୍ଦ୍ରସ୍ଥଳରେ ଏକ ବିଶାଳ ସ୍ତମ୍ଭ ସମେତ ଚିର ପ୍ରଜ୍ବଳିତ ଜ୍ୟୋତି ଏବଂ ଭାରତୀୟ ସେନା ଦ୍ବାରା ସଂଘଟିତ ପ୍ରସିଦ୍ଧ ଯୁଦ୍ଧର ପ୍ରତୀକାତ୍ମକ ୬ଟି ବ୍ରୋଞ୍ଜ୍ ଖୋଦେଇ ରହିଛି। ସେହିପରି ଅମର ଚକ୍ର, ବୀରତା ଚକ୍ର, ତ୍ୟାଗ ଚକ୍ର ଏବଂ ରକ୍ଷକ ଚକ୍ର ନାମରେ ଚାରିଟି ସମକେନ୍ଦ୍ରିକ ବୃତ୍ତ ମଧ୍ୟ ସ୍ଥାନ ପାଇଛି।

୯ ମାସରେ କଲାମ ସ୍ମାରକୀ ସଂପୂର୍ଣ୍ଣ

ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମକୁ ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଭଲ ପାଉଥିଲେ। ମିସାଇଲ ମ୍ୟାନ ଭାବେ ଭଲଭାବେ ଜଣାଶୁଣା ସ୍ବର୍ଗତ କଲାମଙ୍କ ସ୍ମୁତି ପାଇଁ ଦକ୍ଷିଣ ଭାରତର ଅନ୍ୟତମ ମନ୍ଦିରମାଳିନୀ ସହର ରାମେଶ୍ବରରେ ଡ. ଏପିଜେ ଅବଦୁଲ କଲାମ ସ୍ମାରକୀ ନିର୍ମାଣ ହୋଇଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୭ ଜୁଲାଇ ୨୭ ତାରିଖରେ ଲୋକାର୍ପଣ କରିଥିଲେ। କଲାମ ସ୍ମାରକୀ ଏତେ ସୁନ୍ଦର ଭାବେ ନିର୍ମାଣ କରାଯାଇଛି ଯେ, ଯିଏ ଥରେ ଏହାକୁ ଦେଖିଛି କେବେ ଭୁଲିପାରିବ ନାହିଁ। ଏଠାରେ ଥିବା କଳାକୃତି ଜୀବନ୍ତ ଭାବେ ଗଢ଼ାଯାଇଛି। ୨.୧୧ ଏକର ଜମିରେ ଏହି ସ୍ମାରକୀ ବିସ୍ତିର୍ଣ୍ଣ ହୋଇଛି। ୧୨୦ କୋଟି ଟଙ୍କା ବିନିଯୋଗରେ ମାତ୍ର ୯ ମାସ ମଧ୍ୟରେ ଏହାକୁ ନିର୍ମାଣ କରାଯାଇଥିଲା।  

LEAVE A REPLY