ଆତ୍ମହତ୍ୟା: ଜାତୀୟ ହାରଠୁ ଓଡ଼ିଶା ଆଗରେ

0
17

ଭୁବନେଶ୍ବର: ପ୍ରତିବର୍ଷ ସେପ୍ଟେମ୍ବର ମାସ ୧୦ ତାରିଖକୁ ‘ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ’ ଭାବେ ପାଳନ କରାଯାଉଛି। କିନ୍ତୁ ଏହି ଦିବସର ଯଥାର୍ଥତା ପ୍ରତି କେହି ଗୁରୁତ୍ବ ଦେଉ ନଥିବା ପରିଲକ୍ଷିତ ହେଉଛି। ଫଳସ୍ବରୂପ ପ୍ରତିବର୍ଷ ବିଶ୍ବବ୍ୟାପୀ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଆତ୍ମହତ୍ୟା କରୁଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। କ୍ଷୋଭର ବିଷୟ ହେଲା ଯେ, ଯେତେ ଲୋକ ଆତ୍ମହତ୍ୟାରେ ପ୍ରାଣ ହରାଉଛନ୍ତି, ତାହାର ୨୦ ଗୁଣରୁ ଅଧିକ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍ସିଆରବି) ରିପୋର୍ଟ ଅନୁସାରେ ୨୦୨୧ରେ ଭାରତରେ ୧ ଲକ୍ଷ ୬୪ ହଜାର ଲୋକ ଆତ୍ମହତ୍ୟା କରିଛନ୍ତି।

ଆତ୍ମହତ୍ୟା ମାମଲା କଥା ଯଦି ବିଚାର କରିବା ଓଡ଼ିଶା ଏହି ପ୍ରସଙ୍ଗରେ ବହୁତ ଆଗରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଓଡ଼ିଶାରେ ଆତ୍ମହତ୍ୟାର ସ୍ଥିତି ଏବେ ଜାତୀୟ ହାରଠାରୁ ବି ଅଧିକ। ଦେଶରେ ଆତ୍ମହତ୍ୟା ହାର ୧୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୨.୩ ପ୍ରତିଶତ। ଆତ୍ମହତ୍ୟା ଘଟଣା କ୍ଷେତ୍ରରେ ରାଜ୍ୟର ରାଜଧାନୀ ଭୁବନେଶ୍ବର ବହୁ ଆଗରେ। ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ, ୨୦୨୨ ମସହିା ଜାନୁଆରି ଠାରୁ ଅଗଷ୍ଟ ମାସ ମଧ୍ୟରେ ଭୁବନେଶ୍ବରରେ ୮୦ରୁ ଊର୍ଦ୍ଧ୍ବ ଲୋକ ଆତ୍ମହତ୍ୟା କରିଛନ୍ତି। ଜୁଲାଇ ଓ ଅଗଷ୍ଟ ମାସରେ ଅନେକ ଶିକ୍ଷିତ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଓ ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ।

ଓଡ଼ିଶାରେ ୨% ଆତ୍ମହତ୍ୟା ବୃଦ୍ଧି

ବର୍ଷ ୨୦୨୦ ତୁଳନାରେ ୨୦୨୧ରେ ଆତ୍ମହତ୍ୟାଜନିତ ଘଟଣା ବଢ଼ିଛି। ଓଡ଼ିଶାରେ ୨୦୨୧ ମସିହାରେ ୫୬୫୧ ଜଣ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ଏଥିରେ ୪୪୧୨ଜଣ ପୁରୁଷ ଓ ୧୨୩୯ ଜଣ ମହିଳା ଅଛନ୍ତି। ଗୋଟିଏ ବର୍ଷରେ ରାଜ୍ୟରେ ମସିହାରେ ଓଡ଼ିଶାରେ ଆତ୍ମହତ୍ୟା ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ରାଜ୍ୟରେ ଯେତିକି ଲୋକ ଆତ୍ମହତ୍ୟା କରୁଛନ୍ତି, ସେଥିରୁ ୭୧ ପ୍ରତିଶତ ଲୋକ ଏଥିରେ ପାରିବାରିକ ସମସ୍ୟା ଅଧିକ ରହୁଛି। ପାରିବାରିକ କଳହ ଯୋଗୁଁ ୪୦୩୩ ଜଣ ଆତ୍ମହତ୍ୟା କରିଥିବା ବେଳେ ବୈବାହିକ ସମ୍ପର୍କରେ ମନୋମାଳିନ୍ୟ କାରଣରୁ ୧୩୪ ଜଣ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷାରେ ଖରାପ ପ୍ରଦର୍ଶନ ଯୋଗୁଁ ୧୩୫ ଜଣ ଓ ପ୍ରେମ ସମ୍ପର୍କରେ ବିଫଳତା ଯୋଗୁଁ ୧୩୨ ଜଣ ଆତ୍ମହତ୍ୟା କରିଛନ୍ତି। ଅନ୍ୟପଟରେ ବିଭିନ୍ନ ରୋଗ ଯୋଗୁଁ ୯୧ ଜଣ ଆତ୍ମହତ୍ୟା କରିଛନ୍ତି।  

ମ୍ୟାଲେରିଆ ତୁଳନାରେ ଆତ୍ମହତ୍ୟା ବଢ଼ିଛି

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସଡ଼କ ଦୁର୍ଘଟଣା, ଯକ୍ଷ୍ମା ପରେ ଆତ୍ମହତ୍ୟାରେ ବହୁତ ଲୋକଙ୍କର ମୃତ୍ୟୁ ହେଉଛି। ପ୍ରତିବର୍ଷ ୧୦ ଲକ୍ଷ ଲୋକ ଆତ୍ମହତ୍ୟାରେ ପ୍ରାଣ ହରାଉଛନ୍ତି। ଆତ୍ମହତ୍ୟାରେ ଯେତିକି ଲୋକ ପ୍ରାଣ ହରାଉଛନ୍ତି, ଏହାର ୨୦ ଗୁଣ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ବଡ଼ କଷ୍ଟରେ ମେଡିକାଲ ଚିକିତ୍ସା ମାଧ୍ୟମରେ ୧୯ ପ୍ରତିଶତ ଲୋକଙ୍କୁ ବଞ୍ଚାଇ ଦିଆଯାଇପାରୁଛି। ସେହିପରି ମ୍ୟାଲେରିଆ ଓ ସ୍ତନ କର୍କଟ ରୋଗ ତୁଳନାରେ ଆତ୍ମହତ୍ୟା କାରଣରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି। ଅନ୍ୟଏକ ତଥ୍ୟ ଅନୁସାରେ ପ୍ରତି ୪୦ ମିନିଟରେ ଜଣେ ଛାତ୍ର ଆତ୍ମହତ୍ୟା କରୁଛି। ସେହିପରି ପ୍ରତଦିନ ୩୬ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି। ଛାତ୍ରଛାତ୍ରୀ ଆତ୍ମହତ୍ୟା କାରଣ ହେଉଛି ଦେଶର ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା।  

ସଚେତନତା ଅନ୍ୟ ଏକ ମାଧ୍ୟମ

ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଉଛି। କୌଣସି ପ୍ରକାରର ଚାପ କାରଣରୁ ଯୁବବର୍ଗ ଆତ୍ମହତ୍ୟା କରୁଛନ୍ତି। ପାଠପଢ଼ିବା ପାଇବାର ପ୍ରମୁଖ କାରଣ ହେଲା ପାଠପଢ଼ାର ଚାପ। ଅଭିଭାବକଙ୍କ ଆଶାନୁଯାୟୀ ପରୀକ୍ଷାରେ ଅଧିକ ନମ୍ବର ରଖିବାର ଚାପ, ପ୍ରେମ ସମ୍ପର୍କରେ ବିଫଳ, ଭଲ ଚାକିରି ନ ପାଇବା, ଚାକିରି କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ଆଦି କାରଣ ଯୋଗୁଁ ମୁଖ୍ୟତଃ ଯୁବବର୍ଗ ଆତ୍ମହତ୍ୟା କରୁଛନ୍ତି। ଯୁବବର୍ଗ ଯେଭଳି ଅଧିକ ସକାରାତ୍ମକ ମନୋଭାବ ରଖିବେ ସେନେଇ ପରିବେଶ ସୃଷ୍ଟି କରାଯାଇ ପାରିଲେ ଆତ୍ମହତ୍ୟାଜନିତ ଘଟଣା ହ୍ରାସ ପାଇପାରିବ। ଏତଦ୍ ବ୍ୟତୀତ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ଦରକାର ଅଛି।

Share the article

LEAVE A REPLY