୪୫୦ ଟଙ୍କାରେ ନିଲାମ ହୋଇଥିଲା ଗଣେଶଙ୍କ ଲଡୁ, ଏବେ ୨୪.୬୦ ଲକ୍ଷ

0
20

ଭୁବନେଶ୍ବର: ଭଗବାନ ଗଣେଶଙ୍କୁ ଚଳିତ ବର୍ଷ ଭକ୍ତି ଓ ହର୍ଷୋଲ୍ଲାସର ସହିତ ପୂଜାର୍ଚ୍ଚନା କରାଯାଇଛି। ୧୦ ଦିନିଆ ପୂଜାର୍ଚ୍ଚନା ପରେ ବିଭିନ୍ନ ପର୍ଯ୍ୟାୟରେ ମୂର୍ତ୍ତି ଭସାଣୀ କାମ ମଧ୍ୟ ଶେଷ ହୋଇଯାଇଛି। ବିଗତ ୨ ବର୍ଷ ହେଲା ଗଣେଶ ପୂଜା କରୋନା କଟକଣା ମଧ୍ୟରେ ପାଳିତ ହୋଇଥିବାରୁ ଚଳିତ ବର୍ଷ ସବୁ ସ୍ଥାନରେ ନିଆରା ଢଙ୍ଗରେ ପାଳିତ ହୋଇଛି। ଗଣେଶଙ୍କୁ ସୁସଜ୍ଜିତ ପ୍ୟାଣ୍ଡେଲରେ ବିରାଜମାନ କରାଇ ଭକ୍ତମାନେ ପୂଜା କରିଥିଲେ। ଗଣେଶ ପୂଜା ପାଇଁ ଶ୍ରଦ୍ଧାଳୁମାନେ ଶ୍ରଦ୍ଧା ଓ ଭକ୍ତିଭାବ ଦେଖାଇଥିଲେ।

ହିନ୍ଦୁ ଧର୍ମର ଅଗ୍ର ଦେବତା ହେଉଛନ୍ତି ପ୍ରଭୁ ଗଣେଶ। ଯେକୌଣି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ଆବାହନ କରାଯାଇଥାଏ। ଏହି ଦୃଷ୍ଟିରୁ ଗଣେଶଙ୍କ ପୂଜାର ଯଥାର୍ଥତା ସ୍ବତନ୍ତ୍ର। ଗଣେଶ ପୂଜାର ଭୋଗ ଆକାରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଲଡୁକୁ ପ୍ରସାଦ ରୂପେ ପାଇବା ପାଇଁ ଅନେକ ବ୍ୟସ୍ତ ହୋଇପଡ଼ନ୍ତି। ଦେଶର ଅନେକ ସ୍ଥାନରେ ଗଣେଶଙ୍କ ଭୋଗ ପାଇଁ ଲଡୁ ପ୍ରସ୍ତୁତ ହୋଇଥାଏ ଏବଂ ପରେ ଏହାକୁ ନିଲାମ କରାଯାଇଥାଏ। ଏହି ନିଲାମ ଟଙ୍କାକୁ ପୂଜା କମିଟିର ବିକାଶ କାମରେ ଲଗାଯାଇଥାଏ।

୨୪.୬୦ ଲକ୍ଷରେ ଲଡୁ ନିଲାମ କଲେ ନେତା

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଭଗବାନ ଗଣେଶଙ୍କର ଏକ ଲଡୁ ନିଲାମ ଚଳିତ ବର୍ଷ ବଡ଼ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବାଲାପୁରରେ ଆୟୋଜିତ ଗଣେଶଙ୍କର ଏହି ଲଡୁ ୨୪ ଲକ୍ଷ ୬୦ ହଜାର ଟଙ୍କାରେ ନିଲାମ ହୋଇଥିଲା। ଏହି ଲଡୁର ଓଜନ ୨୨ କିଲେ ଥିଲା ଲକ୍ଷ୍ମଣ ରେଡ୍ଡୀ ନାମରେ ଜଣେ ବ୍ୟକ୍ତି ଏହି ଲଡୁକୁ ନିଲାମ କରିଥିଲେ। ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍)ର ଜଣେ ଆଗଧାଡିର ନେତା ହୋଇଥିବାରୁ ଏତେ ଟଙ୍କା ଦେଇ ଲଡୁ କିଣିବାରେ ତାଙ୍କର କୌଣସି ଅସୁବିଧା ହୋଇ ନଥିଲା। ୨୦୨୧ ଓ ୨୦୧୯ ମସିହାରେ ଏହି ଲଡୁ ଯଥାକ୍ରମେ ୧୮.୯୦ ଲକ୍ଷ ଓ ୧୭.୬୦ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା । ତେଲେଙ୍ଗାନାରେ ଗଣେଶଙ୍କ ଲଡୁ ନିଲାମ ୧୯୯୪ ମସିହାରୁ ଆରମ୍ଭ ହୋଇଥିଲା । ସେହି ସମୟରେ ଏହାର ମୂଲ୍ୟ ୪୫୦ ଟଙ୍କା ଥିଲା।

୮.୭୦ ଲକ୍ଷରେ ତାଲଚେର ଲଡୁ ନିଲାମ

ଭଗବାନ ଗଣେଶ ଲଡୁକୁ ବହୁତ ଭଲ ପାଆନ୍ତି ବୋଲି ବିଶ୍ବାସ ରହିଛି। ଏହି କାରଣରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ତାଙ୍କୁ ଲଡୁ ଅର୍ପଣ କରିଥାନ୍ତି। ଗଣେଶଙ୍କୁ ରାଶି, ବୁନ୍ଦି, ବାଦାମ ଲଡୁ ଆଦି ଲଡୁ ଅର୍ପଣ କରାଯାଇଥାଏ। ଲଡୁ ନିଲାମ ପାଇଁ ତାଲଚେର ମଧ୍ୟ ପ୍ରସିଦ୍ଧିଲାଭ କରିଛି। ବହୁ ବର୍ଷ ହେଲା ତାଲଚେରରେ ଭଗବାନ ଗଣେଶଙ୍କ ପୂଜା ପରେ ବିସର୍ଜନ ପୂର୍ବରୁ ଲଡୁ ନିଲାମ ହୋଇ ଆସୁଛି। ଚଳିତ ବର୍ଷ କଣିହାଁର ଲାଲବାଗ ରାଜା ସବୁଠାରୁ ଅଧିକ ୮ଲକ୍ଷ ୭୦ହଜାର ଟଙ୍କାରେ ଆଜ୍ଞା ଲଡ଼ୁ ନିଲାମୀ ନେଇଛନ୍ତି। ଏହି ନିଲାମୀ ପ୍ରକ୍ରିୟାରେ ମୋଟ ୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।  

ମୁମ୍ବାଇରେ ଭବ୍ୟ ଗଣେଶ ପୂଜା

ଭଗବାନ ଗଣେଶ ହେଉଛନ୍ତି ବିଦ୍ୟା ଓ ବୁଦ୍ଧିର ଠାକୁର। ଭକ୍ତମାନେ ଯେଉଁଭଳି ଆଦର, ଶ୍ରଦ୍ଧା ଓ ଭକ୍ତି ସହ ବପ୍ପାଙ୍କ ପୂଜା କରିଥିଲେ ଠିକ୍ ସେହିଭଳି ଧୁମଧାମ ଓ ଆଡମ୍ବର ସହ ବିଦାୟ ଦେଇଛନ୍ତି। ଭସାଣ ଯାତ୍ରାକୁ ନେଇ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ର ଦୁଲୁକିଥିଲା। ଗଣପତିଙ୍କ ବିଶାଳ ମୂର୍ତ୍ତିଗୁଡିକ ଅତି ଯତ୍ନ ସହକାରେ ଶ୍ରଦ୍ଧାର ସହ ବିସର୍ଜନ କରାଯାଇଥିଲା। ଗଣପତିଙ୍କୁ ବିସର୍ଜନ ସମୟରେ ଶ୍ରଦ୍ଧାଳମାନେ ଭାବବିହ୍ୱଳ ହୋଇପଡିଥିଲେ । ବିସର୍ଜନ ପାଇଁ  ପରିବେଶ ଉପରେ ମଧ୍ୟ ନଜର ରଖାଯାଇଛି। ପରିବେଶ ଯେପରି ଦୁଷିତ ନହୁଏ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯାଇଥିଲେ।

ବିସର୍ଜନ ବେଳେ ୩ ରାଜ୍ୟରେ ୩୩ ମୃତ

ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଜଳାଶୟରେ ଅଧିକ ଉତ୍ପାତ ହେବା ପିଲାମାନଙ୍କ ପାଇଁ କାଳ ହୋଇଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ହରିୟାଣାରେ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡ଼ି ୩୩ ଜଣ ବାଳକ ଓ ଯୁବକଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି।  ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଏଥିସହ ବୁଡ଼ ପକାଇବା ସମୟରେ ୧୧ ଜଣ ଲୋକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ଆହତ ହୋଇଥିଲେ। ଶୁକ୍ରବାର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ହରିୟାଣା ଓ ଉତ୍ତରପ୍ରଦେଶରେ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ହରିୟାଣା ମହେନ୍ଦ୍ରଗଡ଼ର ଝଗଡ଼ୋଲି କେନାଲରେ ଗଣେଶଙ୍କ ମୂର୍ତ୍ତି ସହିତ ୯ ଜଣ ଲୋକ ପାଣିରେ ଭାସି ଯାଇଥିଲେ। ବିଳମ୍ବିତ ରାତିରେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଖୋଜି ବାହାର କରାଯାଇଥିଲା। କିନ୍ତୁ ଉଦ୍ଧାର କାର୍ଯ୍ୟ ପୂର୍ବରୁ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

Share the article

LEAVE A REPLY