ଦୁଇ ଭଉଣୀଙ୍କ ଏମିତି କାମ

0
17

ଭୁବନେଶ୍ବର: କୁହାଯାଏ ଦୁହିତା, ଦୁଇ କୂଳକୁ ହିତା। ଝିଅମାନେ ବିବାହ ପୂର୍ବରୁ ଜନ୍ମଦାତା ବାପା-ମା’ଙ୍କ ପାଇଁ ଯେତିକି କାମ କରନ୍ତି, ବିବାହ ପରେ ଶାଶୂଘର ଲୋକଙ୍କପାଇଁ ମଧ୍ୟ ସମାନ ପରିମାଣରେ ନିୟୋଜିତ ହୋଇଥାନ୍ତି। ସରକାର ମହିଳା ଶିକ୍ଷାର ବିକାଶ ପାଇଁ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି। ମହିଳା ସଶକ୍ତିକରଣ ଦିଗରେ କାମ କରୁଛନ୍ତି। ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଭାବେ ସଂରକ୍ଷଣ ବ୍ୟବସ୍ଥା ରହିଛି। ଦେଶର କିଛି କାର୍ଯ୍ୟାଳୟ କାମ କରୁଛି, ଯେଉଁଠାରେ କେବଳ ମହିଳା କର୍ମଚାରୀ ହିଁ ସବୁକିଛି କରନ୍ତି। ମାତ୍ର କ୍ଷୋଭର ବିଷୟ ଯେ, ଦେଶ ୭୫ ବର୍ଷର ସ୍ବାଧୀନତା ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିଥିଲେ ବ୍ୟକ୍ତିଗତ ଭାବେ ମହିଳାଙ୍କୁ ନେଇ ମାନସିକତାରେ ପରିବର୍ତ୍ତନ ଆସି ନଥିବା ଦୃଷ୍ଟିଗୋଚର ହେଉଛି।
ସମୟରେ ଅନେକ ପରିବର୍ତ୍ତନ ଆସିଛି। ତଥାପି ସମାଜରୁ ଅନେକ କୁସଂସ୍କାର ଯାଇପାରି ନାହିଁ। ଏବେବି ମହିଳାଙ୍କୁ ପୂର୍ଣ୍ଣ ସ୍ବାଧୀନତା ମିଳିପାରି ନାହିଁ, ଯେଉଁଥି ପାଇଁ ମହିଳାମାନେ ଘରୁ ବାହାରକୁ ଏକାକୀ ଯାଇପାରୁ ନାହାନ୍ତି। ପୁରୁଷପ୍ରାଧାନ୍ୟ ସମାଜରେ ମହିଳାଙ୍କର ବ୍ୟକ୍ତିଗତ ସ୍ବାଧୀନତା ଚାପଗ୍ରସ୍ତରେ ରହିଛି। କିଛି ସ୍ଥାନରେ ମହିଳାଙ୍କୁ ସ୍ବାଧୀନତା ମିଳୁଛି ସତ, ତାହା ଉଚ୍ଚଶିକ୍ଷିତ ପରିବାରରେ ହିଁ ସମ୍ଭବ ହୋଇଥାଏ। ସେହିପରି ମହିଳାଙ୍କ ଜୀବନ ନେଇ ପୁରୁଷ ସମାଜ ଖେଳ ଖେଳୁଥିବାର ମଧ୍ୟ ଅନେକ ଉଦାହରଣ ଦେଖିବାକୁ ମିଳୁଛି। ଏହି ଭଳି କ୍ଷେତ୍ରରେ ମହିଳାମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।

୨ ଭଉଣୀଙ୍କ ମୃତଦେହ ଉଦ୍ଧାର

ପୁଅଙ୍କ ତୁଳନାରେ ଝିଅମାନେ ପରିବାରର ଅଧିକ ମଙ୍ଗଳ ଚିନ୍ତା କରିଥାନ୍ତି। ପରିବାରର ସମ୍ମାନକୁ ସବୁବେଳେ ଉପରେ ରଖିବାକୁ ଉଦ୍ୟମ କରନ୍ତି। କିନ୍ତୁ କୌଣସି କାରଣରୁ ସେମାନଙ୍କୁ ମୃତ୍ୟୁର ଶିକାର ହେବାକୁ ପଡ଼ିଥାଏ। ଉତ୍ତର ପ୍ରଦେଶର ଲଖୀମପୁର ଖୀରୀ ଅଞ୍ଚଳରେ ୨ ଜଣ ଦଳିତ ଭଉଣୀଙ୍କ ମୃତଦେହ ବୁଧବାର ସନ୍ଧ୍ୟାରେ ଏକ ଗଛରୁ ଉଦ୍ଧାର ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି। ନିଘାସନ ଥାନା ଅଂଚଳର ତମୋଲିନ ପୁର୍ବା ଗାଁରେ ବୁଧବାର ଅପରାହ୍ଣ ସମୟରେ ଦୁର୍ବତ୍ତମାନେ ୨ ଭଉଣୀଙ୍କୁ ଅପହରଣ କରି ନେଇଥିଲେ।  ଅପହରଣର କିଛି ସମୟ ପରେ ୨ ଭଉଣୀଙ୍କର ମୃତଦେହ ଗଛରୁ ଉଦ୍ଧାର କରାଯାଇଥିଲା। ତେବେ ଉତ୍ତର ପ୍ରଦେଶ ପାଇଁ ଏହା ପ୍ରଥମ ଘଟଣା ନ ଥିଲା। ୨୦୧୪ ମେ’ ମାସ ୨୭ ତାରିଖରେ ବଦାୟୁର ସଦାତଗଂଜ ଗାଁରେ ୧୨ ଓ ୧୪ ବର୍ଷର ୨ ଭଉଣୀ, ବହରାଇଚ ଜିଲ୍ଲା ଚନ୍ଦନରପୁର ଗାଁରେ ୨୧ ଓ ୧୯ ବର୍ଷର ୨ ଭଉଣୀ, ସମ୍ଭଲ ଜିଲ୍ଲା ପୀପପୁର ଗାଁରେ ୨୧ ଓ ୧୯ ବର୍ଷର ୨ ଭଉଣୀ ଓ ଅମରୋହା ଜିଲ୍ଲା ଝୁଣ୍ଡି ଗାଁରେ ୧୨ ଓ ୯ ବର୍ଷ ବୟସର ୨ ଭଉଣୀଙ୍କ ମୃତଦେହ ଗଛରୁ ଉଦ୍ଧାର ହୋଇଥିଲା। ଏମାନେ  ପାରିବାରିକ ବିବାଦ କାରଣରୁ ଆତ୍ମହତ୍ୟା କରିଥିଲେ।  

ଛୁରୀ ଭୁସିଦେଲେ ୨ ଭଉଣୀ

କରୋନା କାଳରେ ୨୦୨୦ ଅକ୍ଟୋବର ମାସରେ ମାସ୍କ ପିନ୍ଧିବାକୁ ନେଇଆମେରିକାର ଚିକାଗୋରେ ଦୁଇ ଭଉଣୀ ୨୭ ଥର ଛୁରୀ ସାହାଯ୍ୟରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ। ଜେସିକା ହିଲ(୨୧) ଓ ତାଙ୍କ ଭଉଣୀ ଜୟଲା(୧୮) ଏକ ଜୋତା ଦୋକାନକୁ ଯାଇଥିଲେ। ଦୋକାନକୁ ଯିବା ପୂର୍ବରୁ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ମାସ୍କ ପିନ୍ଧି ଦୋକାନ ମଧ୍ୟକୁ ପ୍ରବେଶ କରିବାକୁ କହିଥିଲେ। ଏହା ସହ ସାନିଟାଇଜର ବ୍ୟବହାର କରିବାକୁ ସିକ୍ୟୁରିଟି ଗାର୍ଡ ତାଗିଦ କରି କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ଜଣ ଭଉଣୀ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ।ଆଉ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଭଉଣୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ।

ନଦୀକୁ ଡେଇଁଲେ ୨ ଭଉଣୀ

୨୦୨୦ ଅକ୍ଟୋବର ମାସର ଘଟଣା। ବଲାଙ୍ଗୀର ଜିଲ୍ଲା ତୁଷୁରା ଦେଇ ପ୍ରବାହିତ ତେଲ ନଦୀରୁ ନିଖୋଜ ଥିବା ଦୁଇ ଭଉଣୀଙ୍କ ମୃତଦେହ ମିଳିଥିଲା। ସେମାନେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ସେହି ସମୟରେ ପୁଲିସ ଓ ଅଗ୍ନିଶମ ବାହିନୀର ନିଦ ହଜାଇ ଦେଇଥିଲା। ସୋନପୁର ଜିଲ୍ଲା ତରଭା ଥାନା ସିଂଘାରୀ ପଞ୍ଚାୟତ ଅର୍ନ୍ତଗତ ବଡତେଣ୍ଡା ଗାଁ ନଦୀ କୂଳରେ ଆଞ୍ଚଲ ଅଗ୍ରଓ୍ବାଲଙ୍କ ମୃତଦେହ ମିଳିଥିଲା। ଏଣେ ବୌଦ୍ଧ ଜିଲ୍ଲା ଜୁହ୍ନାପଙ୍କ ନିକଟସ୍ଥ ମହାନଦୀର କାଉଡିଆତୋଳା ଘାଟରୁ ଅନମୋଲ ଅଗ୍ରଓ୍ବାଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା।  ଦୁଇ ଭଉଣୀ ଗୁଡ଼ଭେଲା ଗାଁର ରାମତାର ଅଗ୍ରୱାଲଙ୍କ ଝିଅ। ଉଭୟ ଉଚ୍ଚ ଶିକ୍ଷିତ ହୋଇଥିଲେ ବି ଆତ୍ମହତ୍ୟା ପାଇଁ ବାହାନା କରି ତୁଷୁରା ବୁଲିବାକୁ ଯାଉଛୁ କହି ସ୍କୁଟି ନେଇ ଘରୁ ବାହାରିଥିଲେ ଏବଂ ତେଲ ନଦୀ ପୋଲ ଉପରକୁ ଆସି ପାଣିକୁ ଡେଇଁଥିଲେ।  

୧୦ ହଜାର ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ୨ ଭଉଣୀ

ଚଳିତ ବର୍ଷ ରଥଯାତ୍ରାରେ କଟକର ୨ ଭଉଣୀ ଏକ ନିଆରା କାର୍ଯ୍ୟ କରିଥିଲେ। ସିଡ଼ିଏ ସେକ୍ଟର-୯ରେ ବାସ କରୁଥିବା ବିଜୟ ମହାରଣା ଓ ପୁଷ୍ପଲତା ମହାରଣାଙ୍କ ଝିଅ ବିଜୟଲକ୍ଷ୍ମୀ ମହାରଣା(ଚିଙ୍କି) ଓ ବିଦ୍ୟାଲକ୍ଷ୍ମୀ ମହାରଣା(ଲିଙ୍କି) ୧୦ ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମାଗଣାରେ ଖାଦ୍ୟା ବାଣ୍ଟିଥିଲେ। ଦୁଇ ବର୍ଷ ପରେ ରଥଯାତ୍ରା ପୂର୍ବ ପରି ହୋଇଥିବାରୁ ଭକ୍ତଙ୍କ ସମାଗମକୁ ନଜରରେ ରଖି ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଦୁଇ ଭଉଣୀ ଚିନ୍ତା କରିଥିଲେ।  ତେବେ କୋଭିଡ଼ ସମୟରେ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇ ବେଶ ଚର୍ଚ୍ଚାରେ ରହିଥିଲେ ଏହି ଦୁଇ ଭଉଣୀ।

Share the article

LEAVE A REPLY