ପ୍ରେମ ନାଁ ପାଗଳାମୀ: ଶବ ସହ ଜୀବନ୍ତ ମଣିଷ

0
41

ଭୁବନେଶ୍ବର: ଈଶ୍ବରଙ୍କ ସୃଷ୍ଟିରେ ସବୁଠାରୁ ମୂଲ୍ୟବାନ ତଥା ଦୁର୍ଲଭ ହେଉଛି ମାନବ ସମ୍ବଳ। ଏହାର କାରଣ ହେଲା ଯେ, ମନୁଷ୍ୟ ସମଗ୍ର ବିଶ୍ବରେ ଥିବା ଜିନିଷକୁ ପରିଚାଳନା କରୁଛି। ତେବେ ମନୁଷ୍ୟ ଏତେ ବିଚକ୍ଷଣ ଅଧିକାରୀ ହୋଇଥିଲେ ବି ଖରାପ କାମ କରୁଛି, ଯାହାକି ବୁଦ୍ଧିଜୀବୀ ଅଥବା ଶିକ୍ଷିତ ସମାଜରେ ଗ୍ରହଣୀୟ ହୋଇପାରୁ ନାହିଁ। ଅନ୍ୟକୁ ଭଲ ପାଇବା ଠିକ୍। ଏହାର ଅର୍ଥ ନୁହେଁ ଯେ, ଏହି ଭଲ ପାଇବା ଆଳରେ ବ୍ୟକ୍ତିର ମୃତଦେହ ସହିତ ମଧ୍ୟ ଜୀବନ ଅତିବାହିତ କରିବା। କାରଣ ଜୀବ ଯେତେବେଳେ ଶବ ପାଲଟି ଯାଏ, ଏହାକୁ ସମ୍ମାନର ସହିତ ଧର୍ମ ଅନୁସାରେ ଅନ୍ତିମ ସଂସ୍କାର କରାଯିବାର ନିୟବ ରହିଛି। କିନ୍ତୁ ବିଗତ ଦିନରେ ଏହି ଭଳି ଅଭାବନୀୟ ଘଟଣା ଆମ ସଭ୍ୟତା ଭିତରେ ଘଟିଯାଇଛି।
ଉତ୍ତର ପ୍ରଦେଶର କାନପୁର ସହରରେ ନିକଟରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜାତୀୟ ଗଣମାଧ୍ୟମରୁ ଜଣାଯାଇଛି। ଜଣେ ଆୟକର ବିଭାଗର ଅଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଶବ ସହିତ ଦେଢ଼ ବର୍ଷ ପର୍ଯ୍ୟନ୍ତ ବିତାଇଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ଜାଣିବା ପରେ ଅତର୍କିତ ଚଢ଼ଉ କରାଯାଇ ଶବ ଜବତ କରାଯାଇ ପରୀକ୍ଷା ପାଇଁ ମେଡିକାଲ କଲେଜ ପଠାଇ ଦିଆଯାଇଥିଲା। ରୋଶନ ନଗର ନିବାସୀ ବିମଳେଶ କୁମାର ଆୟକର ବିଭାଗରେ ଅଧିକାରୀ ଥିଲେ। ତାଙ୍କୁ ୨୦୨୧ ଏପ୍ରିଲରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥି ପାଇଁ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ଦିଆଯାଇଥିଲା। କିନ୍ତୁ ପରିବାର ଲୋକେ ଅନ୍ତିମ ସଂସ୍କାର କରିବା ପରିବର୍ତ୍ତେ ଶବକୁ ଘରେ ଲୁଚାଇ ରଖିଥିଲେ।  

ମା’ର ଶବ ସହ ୩ଦିନ

ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ବଲାଙ୍ଗୀର ସହର ସାଗରପଡ଼ା ଶିବମନ୍ଦିର ନିକଟରେ ଶୁଭେନ୍ଦୁ ହୋତାଙ୍କ ଘରେ ଭଡ଼ାରେ ରହି ପର ଘରେ ବାସନ ମାଜୁଥିବା କୁନି ନାଏକ (୩୫)ଙ୍କ ଘରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ରାଜ୍ୟସାରା ଚର୍ଚ୍ଚା ହୋଇଥିଲା। ମା’ଶୋଇଛି ବୋଲି ୫ ବର୍ଷର କୁନି ଝିଅ ଭାବୁଥିଲା। ଦୁଇ ତିନିଦିନ ହେଲା। ଉଠୁନାହିଁ, ଖାଇବାକୁ ବି ଦେଉନାହିଁ। ତେଣୁ ପଡ଼ୋଶୀ ଲୋକେ ଖାଇବାକୁ ଦେଉଥିଲେ। କୁନି ଝିଅଟି ଭାବୁଥିଲା ଯେ ତା ମା’ ଘର ଭିତରେ ଶୋଇଛି। କିନ୍ତୁ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇପଡ଼ିଥିଲେ ତାର ମା’। ଶବରୁ ପୋକ ବାହାରିବା ପରେ ଜାଣିବାକୁ ପାଇଥିଲା କୁନି ଝିଅ।  

ସ୍ବାମୀଙ୍କ ଶବ ସହ ୬ ଘଣ୍ଟା

କରୋନା କାଳରେ ୨୦୨୦ ମସିହା ମେ’ ମାସ ୧୫ ତାରିଖରେ ମୁମ୍ବାଇରୁ ଉତ୍ତରପ୍ରଦେଶର ବସ୍ତିକୁ ଯାଉଥିବା ଶ୍ରମିକ ସ୍ପେସାଲ୍ ଟ୍ରେନ୍ରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ମୃତଦେହ ସହ ୬ ଘଣ୍ଟା  ଯାତ୍ରା କରିଥିଲେ। ତାଙ୍କର ସ୍ବାମୀ ମରିଯାଇଛନ୍ତି ବୋଲି ସେ ଜାଣି ନ ଥିଲେ। ଲକ୍ଷ୍ନୌରେ ପହଞ୍ଚିଲା ପରେ ଡାକ୍ତରୀଦଳ ତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ୪୪ ବର୍ଷୀୟ ବିନୋଦ କୁମାର ଉପାଧ୍ୟାୟଙ୍କ ଘର ଅଯୋଧ୍ୟାରେ। ମୁମ୍ବାଇର ଗେଟ୍ୱେ ଅଫ୍ ଇଣ୍ଡିଆରେ ସେ ଜଣେ ଫଟୋଗ୍ରାଫର ଭାବେ କାମ କରୁଥିଲେ। ଲକ୍ଡାଉନ ଯୋଗୁ ସେ ସେ ଶ୍ରମିକ ସ୍ପେସାଲ୍ ଟ୍ରେନ୍ରେ ତାଙ୍କ ପତ୍ନୀ ଏବଂ ଅନ୍ୟ ଜଣେ ପୁରୁଷ ସମ୍ପର୍କୀୟଙ୍କ ସହ ଅଯୋଧ୍ୟାକୁ ଫେରୁଥିଲେ।

ମହିଳାଙ୍କ ଶବକୁ ଦୁଷ୍କର୍ମ

ତେଲେଙ୍ଗାନାର ହାଇଦ୍ରାବାଦ୍ରେ ୨୦୧୯ ମସିହା ଡିସେମ୍ବର ମାସରେ ମହିଳା ଭେଟରନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ପୁଲିସ୍କୁ ରିମାଣ୍ଡରେ ଥିବା ୪ ଦୁଷ୍କର୍ମକାରୀ ଜଘନ୍ୟ ଘଟଣା ସଂପର୍କରେ ଯେଉଁ ବୟାନ ଦେଇଥିଲେ, ତାହା ଶୁଣିବା ପରେ ଖୋଦ୍ ତଦନ୍ତକାରୀ ପୁଲିସ୍ର ଲୋମ ମଧ୍ୟ ଟାଙ୍କୁରି ଉଠିଥିଲା। ଅଭିଯୁକ୍ତମାନେ ମହିଳା ଭେଟରନାରି ଡାକ୍ତରଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଶବକୁ ବି ଛାଡ଼ି ନଥିଲେ। ଏକ ଚଳନ୍ତା ଲରିର କ୍ୟାବିନ୍ ମଧ୍ୟରେ ତାଙ୍କ ଶବକୁ ରଖି ଜଣଙ୍କ ପରେ ଜଣେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ମା’ର ଶବ ସହ ପୁଅ

୨୦୧୮ ମାର୍ଚ୍ଚ ମାସରେ କୋଲକାତା ପୁଲିସ ବହୂବଜାର ଅଞ୍ଚଳରୁ ଅଭିଶେକ ଦାସଙ୍କ ଘରୁ ତାଙ୍କ ୭୦ ବର୍ଷିୟ ମାଙ୍କ ଗଳିତ ଶବ ଉଦ୍ଧାର କରିଥିଲା। ବେଶ୍ କିଛି ଦିନ ହେବ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲେ ହେଁ ତାଙ୍କ ପୁଅ ଅନ୍ତିମ ସଂସ୍କାର ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ । ଭୀଷଣ ଦୁର୍ଗନ୍ଧ ଆସିଲା ବେଳେ ପାଖପଡ଼ୋଶୀ ପୁଲିସକୁ ସୂଚନା ଦେଇଥିଲେ ଏବଂ ଘଟଣାଟି ସର୍ବସମ୍ମୁଖକୁ ଆସିଥିଲା।ଏହା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ରବିବାର ଗଳିତ ଶରୀରକୁ ଉଦ୍ଧାର କରିବା ସହ ଯୁବକଙ୍କୁ ଗିରଫ କରିଥିଲା।

Share the article

LEAVE A REPLY