ପୂଣ୍ୟ ଅର୍ଜନର ମାସ ‘କାର୍ତ୍ତିକ’  

0
24

ଭୁବନେଶ୍ବର: ସନାତନ ପରଂପରାରେ କାର୍ତ୍ତିକ ମାସର ଗୁରୁତ୍ବ ରହିଛି। ଏହି ମାସରେ ଅନେକ ପ୍ରମୁଖ ପର୍ବ ପାଳିତ ହୋଇଥାଏ। ଏଥି ସହିତ ସ୍ନାନ, ଦାନ, ପୂଣ୍ୟକର୍ମ, ଧାର୍ମିକ ଅନୁଷ୍ଠାନ ପାଇଁ କାର୍ତ୍ତିକ ମାସକୁ ପବିତ୍ର କୁହାଯାଇଥାଏ। ଶ୍ରୀହରି ବିଷ୍ଣୁଙ୍କୁ କାର୍ତ୍ତିକ ମାସ ଅଧିକ ପସନ୍ଦ ଲାଗିଥାଏ। ଏହା ଚତୁଃମାସର ଶେଷ ମାସ। ଏହି ମାସରେ ହିଁ ଦେବଉଠାନୀ ଏକାଦଶୀ ଅବସରରେ ଭଗବାନ ବିଷ୍ଣୁ ନିଜର ଶୟନ ସ୍ଥାନରୁ ଉଠିଥାନ୍ତି। ଏହା ପରେ ପୁଣି ଶୁଭ କାର୍ଯ୍ୟ  ଆରମ୍ଭ ହୋଇଯାଇଥାଏ। ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଯାଇଛି। ଏହା ଆଗାମୀ ନଭେମ୍ବର ମାସ ୮ ତାରିଖରେ ଶେଷ ହେବ।

ଶାସ୍ତ୍ର ଅନୁସାରେ ଏହି ମାସ ମହିଳାମାନଙ୍କ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। ବ୍ରତ ପାଇଁ ଏହି ମାସକୁ ଉତ୍ତମ ବୋଲି ମଧ୍ୟ କୁହାଯାଇଥାଏ। ଏହା ଦ୍ବାରା ନକ୍ଷତ୍ର-ଗ୍ରହ ଯୋଗ, ତିଥି ପର୍ବର କ୍ରମ ଧନ, ଐଶ୍ବର୍ଯ୍ୟ, ଉତ୍ତମ ସ୍ବାସ୍ଥ୍ୟ ମିଳିଥାଏ। ଭଗବାନଙ୍କ ସେବାରେ ନିଜକୁ ନିୟୋଜିତ କଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ମଧ୍ୟ ଦୃଢ଼ ବିଶ୍ବାସ ରହିଥାଏ।

କାର୍ତ୍ତିକରେ ଅନେକ ପର୍ବ

କାର୍ତ୍ତିକ ମାସରେ କରବା ଚୌଥ ବ୍ରତ ପଡ଼ିଥାଏ। ବିବାହିତା ମହିଳା ସେମାନଙ୍କର ପତିଙ୍କ ଦୀର୍ଘାୟୁ କାମନା କରି ନିର୍ଜଳା ବ୍ରତ ରଖିଥାନ୍ତି। ତୁଳା ସଂକ୍ରାନ୍ତିରେ ସନ୍ତାନର ଦୀର୍ଘାୟୁ କାମନା କରିଥାନ୍ତି। ସୂର୍ଯ୍ୟଦେବତାଙ୍କୁ ପୂଜା କରାଯାଏ। ରମା ଏକାଦଶୀରେ ଭଗବାନ ବିଷ୍ଣୁଙ୍କ ସହିତ ମା’ଲକ୍ଷ୍ମୀଙ୍କ ପୂଜା ହୋଇଥାଏ। ଗୋବତ୍ସ ଦ୍ବାଦଶୀ ବ୍ରତ ମଧ୍ୟ ପାଳନ କରାଯାଇଥାଏ। ଏହା ପରେ ଧନତେରସ ପର୍ବ ପାଳନ ହୋଇଥାଏ, ଯେଉଁଦିନ ମା’ ଲକ୍ଷ୍ମୀଙ୍କ ସହିତ ଧନୱନ୍ତରୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଲୋକେ ସୁନା କିଣିଥାନ୍ତି। ଅମାବାସ୍ୟା ଅବସରରେ କାଳୀପୂଜା ଓ ଗୋବର୍ଦ୍ଧନ ପୂଜା ହୋଇଥାଏ। ଏହା ପରେ ଛଠ୍ ପୂଜା ପାଳନ କରାଯାଏ। ଛଠ ପୂଜା ଉତ୍ତରପ୍ରଙଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଅଧିକ ଲୋକପ୍ରିୟ। ଓଡ଼ିଶାରେ ପଞ୍ଚୁକ ହେଉଛି କାର୍ତ୍ତିକ ମାସର ଏକ ବଡ଼ ଅଂଶବିଶେଷ। ଏହା ଶୁକ୍ଲପକ୍ଷ ନବମୀ ତିଥି ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମାରେ ଶେଷ ହୁଏ। ଏହି ସମୟରେ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ରହିଥାଏ।

ମନ୍ଦିର ଓ ମଠରେ ଶ୍ରଦ୍ଧାଳୁ

କାର୍ତ୍ତିକ ବ୍ରତ ଆରମ୍ଭ ହୋଇଯାଇଥିବା ବେଳେ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ଅଧିକ ଭିଡ଼ ହୋଇଥିବା ପରିଲକ୍ଷିତ ହୋଇଛି। ରାଜ୍ୟର ପ୍ରସିଦ୍ଧ ମନ୍ଦିର ଓ ମଠ ଗୁଡ଼ିକରେ ଶ୍ରଦ୍ଧାଳୁମାନେ ଅଧିକ ଭିଡ଼ ଲଗାଇଛନ୍ତି। ଅନେକ ଶ୍ରଦ୍ଧାଳୁ ମାସବ୍ୟାପୀ ଦେବାଳୟର ଆଶ୍ରୟ ନେଇଛନ୍ତି। ହବିଷ୍ୟାଳୀମାନେ ମଧ୍ୟ ମନ୍ଦିର ଓ ମଠଗୁଡ଼ିକରେ ଆସ୍ଥାନ ଲଗାଇଛନ୍ତି। ଅନ୍ୟପଟରେ ହବିଷ୍ୟାଳୀଙ୍କ ସେବାରେ ସରକାର, ସ୍ବେ‌ଚ୍ଛାସେବୀ ସଂଗଠନ ମଧ୍ୟ ନିୟୋଜିତ ହୋଇଛନ୍ତି। ବିଗତ ୨ ବର୍ଷ ହେବ କରୋନା କଟକଣା ଯୋଗୁଁ କାର୍ତ୍ତିକ ବ୍ରତ ମନ୍ଦିର ଓ ମଠରେ ଫିକା ପଡ଼ିଥିଲା କିନ୍ତୁ ଚଳିତ ବର୍ଷ କରୋନାର ପ୍ରଭାବ ନ ଥିବାରୁ ଆଉ କଟକଣା ନାହିଁ।

ହବିଷ୍ୟାଳୀ ଯୋଜନା ଶୁଭାରମ୍ଭ

ଶ୍ରୀକ୍ଷେତ୍ରକୁ ଛୁଟିଛି ହବିଷ୍ୟାଳୀଙ୍କ ସୁଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଜରିଆରେ ପୁରୀରେ ବୃନ୍ଦାବତୀ ନିବାସ ଓ ହବିଷ୍ୟାଳୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ୧୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ, ମୋଚିସାହି କଲ୍ୟାଣ ମଣ୍ଡପରେ ଅବଶିଷ୍ଟ ଜିଲ୍ଲାର ୬୦୧ ଜଣ ହବିଷ୍ୟାଳୀମାନଙ୍କର ରହଣିର ବ୍ୟବସ୍ଥା ହୋଇଛି। ତେବେ ଆଜି ବୃନ୍ଦାବତୀ ନିବାସରେ ୨ହଜାରରୁ ଅଧିକହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା।    

Share the article

LEAVE A REPLY