ନେତାଙ୍କୁ ଦୋଷ ନ ଦେଇ ନିଜକୁ ସୁଧାରିଲେ ଭଲ

0
27

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ଝିଅ ଅର୍ଚ୍ଚନା ନାଗକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି। ଖବରକାଗଜ ପୃଷ୍ଠା ଓଲଟାଇଲେ ଅର୍ଚ୍ଚନାଙ୍କର ଏକାଧିକ ଫଟୋ ଦେଖିବାକୁ ମିୁଳୁଛି। ଚା’ ଦୋକାନ, ଜଳଖିଆ ଦୋକାନ, ହୋଟେଲ, ରେସ୍ତୁରାଁରେ ଏହି ନାଗୁଣୀ କନ୍ୟାର ନାଁ। ସେହିଭଳି ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ମଧ୍ୟ ଚର୍ଚ୍ଚା ଧରିଛି। ମୋବାଇଲ ଖୋଲିଲେ ସାମାଜିକ ଗଣମାଧ୍ୟମରେ ଘୁରିବୁଲିଛି ଅଚ୍ଚର୍ନାର ଫଟୋ ଓ ତା’ର କାହାଣୀର ସ୍ବର। କିଛି ୟୁଟ୍ୟୁବ୍ ଚ୍ୟାନେଲ ଅର୍ଚ୍ଚନାକୁ ନେଇ ଖବର ପ୍ରସାରଣ କରି ଅଧିକ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ୨୦୧୮ ମସିହାରେ ଭୁବନେଶ୍ବରକୁ ଚାକିରି ସନ୍ଧାନରେ ଆସିବା ଏବଂ ଏତିକି କମ ସମୟ ମଧ୍ୟରେ ଅର୍ଚ୍ଚନା ନାଗ କୋଟିପତି ହୋଇପାରିଥିବାରୁ ସମାଜର ପ୍ରତିଟି ବର୍ଗଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।

ଅର୍ଚ୍ଚନା ନାଗଙ୍କ ସହିତ ବଡ଼ବଡ଼ ନେତାଙ୍କ ସଂପର୍କ ରହିଥିବା ନେଇ ଚର୍ଚ୍ଚା ହେଉଛି। ଉଭୟ ବିଜେପି ଓ ବିଜେଡିର ବଡ଼ ବଡ଼ ନେତାଙ୍କ ସହିତ ନେତାମାନେ ଥିବା ଫଟୋ ମଧ୍ୟ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସୁଛି। ଏତଦ୍ ବ୍ୟତୀତ ପୁଲିସ ଅଧିକାରୀ, ବ୍ୟବସାୟୀ, ମନୋରଂଜନ ଦୁନିଆ ସହିତ ଜଡ଼ିତ ଜଣାଶୁଣା ଲୋକ ମଧ୍ୟ ଅର୍ଚ୍ଚନାଙ୍କ ସହିତ ସଂପର୍କ ରଖିଥିବା ନେଇ ଚର୍ଚ୍ଚା ହେଉଛି। ଅର୍ଚ୍ଚନାଙ୍କ ଫେସ୍ବୁକ୍ରେ ମଧ୍ୟ ଅନେକଗୁଡ଼ିଏ ଜଣାଶୁଣା ଚେହେରା ରହିଛନ୍ତି। ତେବେ ସାମାଜିକ ଗଣମାଧ୍ୟମରେ ଜଣେ ଲୋକଙ୍କ ସହିତ ଅନ୍ୟମାନେ ମଧ୍ୟ ଜଡ଼ିତ ରହିବାର ଅର୍ଥ ନୁହେଁ ଯେ, ସେମାନେ ଖରାପ କାମ କରୁଥିବେ। ମାତ୍ର ଏତିକି କୁହାଯାଇ ପାରିବ ଯେ, ଖୁବ କମ ସମୟ ମଧ୍ୟରେ ସାଧୁ ଉପାୟରେ କୋଟିପତି ହେବା ସହଜ ନୁହେଁ। କାରଣ ଅର୍ଚ୍ଚନାଙ୍କର ଅତୀତ ଜୀବନ ଓ ବର୍ତ୍ତମାନର ବିଳାସମୟ ଜୀବନ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।

କେବେ ଯାଏଁ ଚାଲିବ ତଦନ୍ତ

ଅର୍ଚ୍ଚନା ନାଗ  ଚଳିତ ମାସ ୨ ତାରଖ ଗିରଫ ହୋଇଥିବା ବେଳେ ତା’ର କଳା ସାମ୍ରାଜ୍ୟ ବିଷୟରେ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି। ଅର୍ଚ୍ଚନା ଜେଲ ଭିତରକୁ ଯିବା ପରଠାରୁ ଆଉ ବାହାରକୁ ଆସିପାରି ନାହିଁ। ଗତ ୧୧ ତାରିଖରେ ଭିଡିଓ କନଫରେନସିଂ ଜରିଆରେ ଭୁବନେଶ୍ବର ଜେଏମ୍ଏଫ୍ସିରେ ସେ ହାଜର ହୋଇଥିଲା। ଚର୍ଚ୍ଚା ହେଉଛି ଯେ, ନେତା, ବ୍ୟବସାୟୀ ଓ ଫିଲ୍ମ ସହିତ ଜଡ଼ିତ ବଡ଼ବଡ଼ିଆଙ୍କୁ ବ୍ଲାକମେଲିଂ କରି ଅର୍ଚ୍ଚନା କୋଟିପତି ହୋଇଛି ବୋଲି ଚର୍ଚ୍ଚା ହେଉଛି। ଜନସାଧାରଣ ପରୋକ୍ଷା ଭାବରେ ଦାବି କରୁଛନ୍ତି ଯେ, ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସହିତ ଯେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି, ସେମାନେ ସାମ୍ନାକୁ ଆସିବା ଦରକାର। ଏଥି ସହିତ ଜନସାଧାରଣ ସଂଦେହରେ କିଛି ନେତାଙ୍କୁ ଆଉ ଭରସା କରୁ ନାହାନ୍ତି।

ମତଦାତାଙ୍କୁ ଭୁଲିଯାଆନ୍ତି ନେତା

ଆମର ନେତାମାନେ ନିର୍ବାଚିତ ହୋଇ ପଦବି ପାଇଲା ପରେ ଜନତା ତଥା ମତଦାତାଙ୍କୁ ଭୁଲି ଯାଆନ୍ତି। ଏକଥା ସମସ୍ତେ ଜାଣିଥାନ୍ତି। କିନ୍ତୁ ନିର୍ବାଚନ ଆସିଲେ ପୁଣି ଥରେ ମତଦାତା ସେହି ନେତାଙ୍କୁ ହିଁ ଭୋଟ ଦେଇଥାନ୍ତି। ନେତାଙ୍କ ପୂର୍ବ ପ୍ରତିଶ୍ରୁତି ଲୋକେ ଭୁଲିଯାଆନ୍ତି। ଏକଦା ଯେଉଁ ନେତାଙ୍କ ପାଖରେ ଏକ ବାଇକ୍ ଥିଲା, ୫ ବର୍ଷ ପରେ ଚାରିଚକିଆ ଗାଡ଼ି, ବିଳାସମୟ ଗାଡ଼ି, ଜମି, ଲକ୍ଷ ଲକ୍ଷ ବ୍ୟାଙ୍କ ସଂଚୟ ରହିଥାଏ। ଏହି ସବୁ ଦେଖିଲା ପରେ ମଧ୍ୟ ମତଦାତା ସମୀକ୍ଷା ନ କରି ଅଯୋଗ୍ୟ ଲୋକଙ୍କୁ ଭୋଟ ଦେଇଥାନ୍ତି। ଫଳରେ ନେତାମାନେ ଜନତାଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ଭଲିଯାଆନ୍ତି। କିଛି ନେତା ଅନୈତିକ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ନିରିହ ଜନତାଙ୍କୁ ଭୁଲି ଯାଇଥାନ୍ତି।

ନେତାଙ୍କ ପ୍ରତି ତୁଟୁଛି ଭରଷା

ଅର୍ଚ୍ଚନା ମାମଲାରେ ଖୋଲାଖୋଲି ନ ହେଲେ ବି ରାଜ୍ୟର ଜଣାଶୁଣା ନେତା ଓ ଅଧିକାରୀଙ୍କ ନାଁ ଯୋଡ଼ି ହୋଇଥିବା ଚର୍ଚ୍ଚା ହେଉଛି, ଯେଉଁଥି ପାଇଁ କି ତଦନ୍ତ ଆଗକୁ ବଢ଼ିପାରୁ ନାହିଁ। ଯାହା ଆଶା କରାଯାଉଛି ଏହି ମାମଲାକୁ ଆଗାମୀ ଦିନରେ ଚପାଇ ଦିଆଯିବା ମଧ୍ୟ ବଡ଼ କଥା ନୁହେଁ। ସଂହେଦ ହେଉଛି ଯେ, ଏହି ମାମଲାର ଯଦି ନିଷ୍ଠାପର ଭାବେ ତଦନ୍ତ ହୁଏ, ତା’ ହେଲେ ପ୍ରଶାସନ ଓ ସରକାରଙ୍କ ଉପରେ ଲୋକଙ୍କର ଭରସା ମଧ୍ୟ ତୁଟି ଯାଇପାରେ। ଅତୀତରେ ରାଜ୍ୟରେ ଅନେକଗୁଡ଼ିଏ ମାମଲା ଘଟିଛି, ଯେଉଁଥିରେ କି ରାଜ୍ୟର ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ନାଁ ଚର୍ଚ୍ଚା ହୋଇଛି। କିନ୍ତୁ ସବୁ ମାମଲାକୁ ଚପାଇ ଦିଆଯାଇଛି। ତେଣୁ ନେତାଙ୍କୁ ଦୋଷ ନ ଦେଇ ଜନତା ନିଜେ ପରିବର୍ତ୍ତନ ହେବା ଦରକାର। ଦାଗୀ ନେତାଙ୍କ ଉପରେ ଭରସା ନ କରି ଉପଯୁକ୍ତ ଲୋକପ୍ରତିନିଧିଙ୍କୁ ଚୟନ କରିବା ଦରକାର।

Share the article

LEAVE A REPLY