ଫିକା ପଡ଼ିବ କି ଦୀପାବଳି?

0
28

ଭୁବନେଶ୍ୱର: କୋଭିଡ-୧୯ର ପ୍ରଥମ ଓ ଦ୍ୱିତୀୟ ଲହରକୁ ଭାରତ ସମେତ ସମଗ୍ର ବିଶ୍ୱବାସୀ ଭୁଲି ନାହାନ୍ତି । ୨୦୨୦ ମାର୍ଚ୍ଚ ୨୫ରୁ ଜୁନ ଯାଏ ଏବଂ ୨୦୨୧ ମେ’ ମାସ ଠାରୁ ଜୁନ ଶେଷ ଯାଏଁ ଦେଶରେ ବଡ଼ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ପୋକମାଛି ଭଳି ଜୀବନ ହରାଇଥିଲେ । ହଜାର ହଜାର ପରିବାର ଉଜୁଡି ଯାଇଥିଲା । ପ୍ରଥମ ଲହରରେ ଯେଉଁଭଳି ଭାବେ ଜନତାଙ୍କ ପାଇଁ କଟକଣା ଲାଗୁ ହୋଇଥିଲା, ବିଶ୍ୱ ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିଥିଲା ।  ଦୀର୍ଘ ଦିନ ପାଇଁ ଟ୍ରେନ୍ ଚଳାଚଳ ବନ୍ଦ  ହୋଇଯାଇଥିଲା । ସଂପୂର୍ଣ୍ଣ ଭାବେ ପୂର୍ବ ଅବସ୍ଥାକୁ ଫେରିବା ପାଇଁ ୨ ବର୍ଷ ଲାଗିଥିଲା । ଏବେ ପୁଣି ଥରେ ସେହି କରୋନାର ନୂଆ ଲହର ସୃଷ୍ଟି ହେବା ପରେ ଲୋକେ ଭୟଭୀତ ହେବା ସ୍ୱାଭାବିକ ।

ଦେଶରେ କରୋନା ଭାଇରସ ମାମଲାରେ ଲଗାତାର ହ୍ରାସ ପାଇଲା ପରେ ଅଧିକାଂଶ କଟକଣା ହଟାଯାଇଥିଲା । କିନ୍ତୁ ନିକଟରେ କରୋନାର ଏକ ନୂଆ ଭାରିଆଣ୍ଟ ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ସବ୍‌-ଭାରିଆଣ୍ଟ । ଏହାର ନାମ ବିଏ.୫.୧୭ ଏବଂ ଏହି ଭାଇରସ ଖୁବ ଶୀଘ୍ର ବ୍ୟାପିପାରେ । ଭାରତରେ ବିଏଫ୍‌.୭ ସବ୍ ଭ୍ୟାରିଆଣ୍ଟ ପ୍ରଥମ ମାମଲା ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରେ ଚିହ୍ନଟ ହୋଇଛି ।

ଫିକା ପଡ଼ିବ କି ଦୀପାବଳି

ଲକ୍‌ଡାଉନ୍ ଓ କଟକଣା କୋହଳ ହେବା ପରେ ଭାରତରେ ଲୋକେ ଉତ୍ସାହପୂର୍ବକ ଦେଶର ସବୁଠୁ ବଡ଼ ପର୍ବ ମଧ୍ୟରେ ଅନ୍ୟତମ ‘ଦୀପାବଳି’ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । କିନ୍ତୁ ବିଶେଷଜ୍ଞମାନେ ଦୀପାବଳି, ଧନତେରସ, ଗୋବର୍ଦ୍ଧନ ପୂଜ. ଛଠ୍ ଓ ଭାଇଧୂଜ ପୂର୍ବରୁ ଉଚିତ୍ ସାବଧାନର ସହିତ ପାଳନ କରିବାକୁ ଚେତାବନୀ ଦେଇଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ଏଭଳି ସମୟରେ ସମସ୍ତେ ମାସ୍କ ଲଗାଇବା ଦରକାର । କୋଭିଡ ଲକ୍ଷଣ ଦେଖାଗଲେ ତୁରନ୍ତ ସଂଗରୋଧରେ ରହିଲେ ଭଲ । ଦୁଇଟି ଗବେଷଣା କହୁଛି ଯେ, ବିଏଫ୍‌୭ ଭ୍ୟାରିଆଣ୍ଟ ଅନ୍ୟ ଓମିକ୍ରନ୍ ସବ୍ ଭ୍ୟାରିଆଣ୍ଟ ତୁଳନାରେ ସଂକ୍ରାମକ ହୋଇପାରେ ।

ଦୀପାବଳିରେ ଭିଡ଼ ଭିତରକୁ ନଗଲେ ଭଲ

ତେଣୁ ଅସଲ କଥା ହେଲା ଦୀପାବଳି ସମୟରେ ଭିଡ଼ ଭିତରକୁ ନଗଲେ ଭଲ । କାରଣ ଭିଡ଼ ସମୟରେ ଭାଇରସ ବ୍ୟାପିଲେ, ସମଗ୍ର ଭାରତରେ ସଂକ୍ରମଣ ବ୍ୟାପିବାକୁ ୩ରୁ ୪ ସପ୍ତାହ ସମୟ ଲାଗିବ । ଶୀତଋତୁ ଆରମ୍ଭ ହେବାକୁ ଯାଉଥିବାରୁ ଥଣ୍ଡା ହେବା ସମସ୍ୟା ବଢ଼ିପାରେ । କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଯେଉଁ ସବୁ ସତର୍କତା ପାଳନ କରୁଥିଲେ, ତାକୁ ପୁଣି ଥରେ ଦୋହରାଇବାକୁ ପଡ଼ିବ । ସାବୁନ ଓ ପାଣିରେ ଭଲ ଭାବରେ ହାତ ଧୋଇବାକୁ ପଡ଼ିବ । ମାସ୍କ ପିନ୍ଧିବାକୁ ଏକ ଅଭ୍ୟାସରେ ପରିଣତ କରିବାକୁ ପଡ଼ିବ । ସେହିଭଳି ପ୍ରଦୂଷଣରୁ ବର୍ତ୍ତିବା ଦରକାର ଅଛି ।

ଶରୀରକୁ ଯନ୍ତ୍ରଣା ଲାଗିବ

ଏସୀୟ ହସ୍‌ପିଟାଲ ଫରୀଦାବାଦର କନସଲଟେଣ୍ଟ ଫିଜିଶିଆନ୍ ଏବଂ ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଚାରୁଦତ୍ତ ଅରୋରାଙ୍କ କହିବା ଅନୁସାରେ ‘ଓମିକ୍ରନ୍ ସ୍ପାନ’ର ନୂଆ ନାମ ଭଳି ଟେକନିକାଲ ଭାବେ ବିଏ ୫.୧.୭ ଓ ବିଏଫ୍ ୭ ନାମ ଦିଆଯାଇଛି । ଏହି ପ୍ରାରୁପକୁ ମଙ୍ଗୋଲିଆରେ ଚିହ୍ନଟ କରାଯାଇଥିଲା । ବ୍ରିଟେନ୍‌, ଜର୍ମାନୀ ଓ ଫ୍ରାନ୍ସ ଭଳି ୟୁରୋପୀୟ ଦେଶରେ ଏହି ଭାରିଆଣ୍ଟର ପାଖାପାଖି ୧୫-୨୫ ପ୍ରତିଶତ ମାମଲା ଚିହ୍ନଟ ହୋଇଛି । ସେ କହିଛନ୍ତି ଯେ, ବିଗତ କିଛି ମାସ ହେଲା ବିଶ୍ୱବ୍ୟାପୀ କରୋନାର ନୂଆ ମାମଲା ଲଗାତାର ହ୍ରାସ ପାଇଛି । କିନ୍ତୁ ଲଗାତାର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି । ଶରୀର ପୀଡ଼ା ହେବା ଏହାର ମୂଳ ଲକ୍ଷଣ ।

ଓଡ଼ିଶାରେ କରୋନା ସ୍ଥିତି

କରୋନା ମୁକାବିଲା ପାଇଁ ଦେଶରେ ୨,୧୯,୪୪,୪୩,୬୫୧ ଡୋଜ୍ କୋଭିଡ ଟିକା ଦିଆଯାଇଛି । ୨୦୨୨ ଅକ୍ଟୋବର ୧୭ ତାରିଖରେ ୨୬,୮୪୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କୋଭିଡରୁ ସୁସ୍ଥ ହୋଇଥିବା ୪ କୋଟି, ୪୦ ଲକ୍ଷ ୭୫ ହଜାର ୧୪୯ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ୫ ଲକ୍ଷ ୨୮ ହଜାର ୯୦୫ ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ କରୋନାର ସ୍ଥିତି ଏକ ପ୍ରକାର ଭଲ ଅଛି । ଅକ୍ଟୋବର ୧୭ରେ ୪୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଅକ୍ଟୋବର ୧୬ରେ ୮୪ ଜଣ ସୁସ୍ଥ ହୋଇଥିଲେ । ଏହାରି ମଧ୍ୟରେ ରାଜ୍ୟରେ ୯ହଜାର ୨୦୨ ଜଣ ଲୋକ କରୋନା କାରଣରୁ ମୃତ୍ୟୁ ହୋଇଛି ।  

Share the article

LEAVE A REPLY