କଂଗ୍ରେସରେ ଅଣଗାନ୍ଧୀ ଅଧ୍ୟକ୍ଷ

0
31

ଭୁବନେଶ୍ବର: ଭାରତୀୟ ଜାତୀୟ କଂଗ୍ରେସକୁ ନୂତନ ନେତା ମିଳିଛି। ମଲ୍ଲିକାର୍ଜୁନ ଖଡଗେ ଏଆଇସିସିର ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ହେବା ସହିତ ଦଳର ବରିଷ୍ଠ କଗ୍ରେସ ନେତା ଶଶି ଥରୁରଙ୍କୁ ପରାସ୍ତ କରିଛନ୍ତି। ସେ ଅକ୍ଟୋବର ୨୬ରେ ଦାୟିତ୍ବ ଗ୍ରହଣ କରିବେ। ଦେଶରେ କଂଗ୍ରେସର ନେତୃତ୍ବ ମଜବୁତ ନ ଥିଲା ବେଳେ ଆଗାମୀ ଦିନରେ ସଂଗଠନ ମଜବୁତ ହେବ ବୋଲି ଆଶା କରାଯାଉଛି। ଛତିଶଗଡ଼ ଓ ରାଜସ୍ଥାନ ବ୍ୟତୀତ ଏବେ ଦେଶରେ ଅନ୍ୟ କୌଣସି ରାଜ୍ୟରେ କଂଗ୍ରେସ କ୍ଷମତାରେ ନାହିଁ। ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଓ କେରଳରେ କଂଗ୍ରେସର ସ୍ଥିତି ଏକପ୍ରକାର ଭଲ କହିଲେ ଚଳିବ।

ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଅଣ୍ଟା ସଳଖ କରି ଛିଡ଼ା ହେବା ପାଇଁ ଚାହୁଁଛି କଂଗ୍ରେସ। ଏଥି ପାଇଁ ଜାତୀୟ ସ୍ତରରେ ନେତୃତ୍ବ ପରିବର୍ତ୍ତନ କରୁଛି। ଓଡ଼ିଶାରେ କିଛି ମାସ ପୂର୍ବରୁ ପିସିସି ସଭାପତି ପରିବର୍ତ୍ତନ କରିଥିବା ବେଳେ କଂଗ୍ରେସ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ମଧ୍ୟ ନଜର ରଖିଛି। ଲୋକଙ୍କର ନିକଟତର ହେବା ପାଇଁ ଗତ ସେପ୍ଟେମ୍ବର ମାସ ୭ ତାରିଖରେ କଂଗ୍ରେସ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଯାତ୍ରା ୫ ମାସ ପରେ ଏହା କଶ୍ମୀରରେ ଶେଷ ହେବ। ଏହାରି ମଧ୍ୟରେ ଏହି ଯାତ୍ରା ୧୨ଟି ରାଜ୍ୟ ଦେଇ ୩୫୦୦ କିମି ଯିବ।

ନିର୍ବାଚନକୁ ନେତାଙ୍କ ନାପସନ୍ଦ

ଗତ ୨ଟି ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହେବା ପରେ ନେତୃତ୍ବ ପରିବର୍ତ୍ତନ ପାଇଁ ଚିନ୍ତା କରିଥିଲା। କାରଣ ଲୋକେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀଙ୍କୁ ପସନ୍ଦ କରୁ ନ ଥିବାରୁ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ବିଜୟ ହାସଲ କରିବା ପାଇଁ ଭୋଟ ଦେଇ ନ ଥିଲେ। ଏହାକୁ ଭଲ ଭାବରେ ଅଧ୍ୟୟନ କରି ଏବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିଥିଲା। ଦୀର୍ଘ ୨୪ ବର୍ଷ ପରେ ଗାନ୍ଧୀ ପରିବାର ହାତରୁ କଂଗ୍ରେସର ଅଧ୍ୟକ୍ଷ ପଦ ଚାଲିଯାଇଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାଜୁର୍ନ ଖଡ଼ଗେଙ୍କୁ ୭୮୯୭, ଶଶି ଥରୁରଙ୍କୁ ୧୦୭୨ ଖଣ୍ଡ ଭୋଟ ମିଳିଥିଲା ବେଳେ ୪୧୬ ଖଣ୍ଡ ଭୋଟ ନାକଚ ହୋଇଥିଲା। ଅର୍ଥାତ ୪୧୬ ଜଣ ନେତା ଏହି ନିର୍ବାଚନକୁ ପସନ୍ଦ କରି ନ ଥିଲେ କହିଲେ ଭୁଲ ହେବ ନାହିଁ।

ମଲ୍ଳିକାର୍ଜୁନଙ୍କୁ ସୋନିଆଙ୍କ ଶୁଭେଚ୍ଛା

ମତଗଣନା ଶେଷ ହେବା ପରେ ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷ ପଦବି ପାଇଁ ଘୋଷଣା ହେବା ପରେ ସୋନିଆ ଗାନ୍ଧୀଙ୍କୁ ତାଙ୍କ ୧୦, ଜନପଥ ବାସଭବନରେ ଯାଇ ଦେଖା କରିବେ ବୋଲି ଚିନ୍ତା କରିଥିଲେ। ମାତ୍ର ସେ ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ଅନୁମତି ପାଇ ନ ଥିଲେ। ସୋନିଆ ଗାନ୍ଧୀ ନିଜେ ମଲ୍ଲିକାର୍ଜୁନ ଖଡଗେଙ୍କ ୧୦ ଜନପଥସ୍ଥିତ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କାରଣକଂଗ୍ରେସ ନେତୃତ୍ୱ ଅର୍ଥାତ୍ ଗାନ୍ଧୀ ପରିବାର କ୍ୱଚିତ କୌଣସି ଦଳୀୟ ନେତାଙ୍କ ଘରକୁ ଯାଇଥାନ୍ତି। ୨୦୧୫ରେ କୋଇଲା ଘୋଟାଲା ମାମଲାରେ ଦୁଇ ଥର ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଡକାଯିବା ପରେ ଦୃଢ ପ୍ରଦର୍ଶନ କରି ସୋନିଆ ଗାନ୍ଧୀ ଦଳୀୟ କାର୍ଯ୍ୟାଳୟରୁ ମନମୋହନ ସିଂଙ୍କ ଘରକୁ କଂଗ୍ରେସ ପଦଯାତ୍ରାର ନେତୃତ୍ୱ ନେଇ ଯାଇଥିଲେ।  

୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ ଅଧ୍ୟକ୍ଷ

କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନରେ ଇତିହାସ ଦେଖିବାକୁ ମିଳିଛି। ଦୀର୍ଘ ୧୩୭ ବର୍ଷରେ ଷଷ୍ଠ ଥର ପାଇଁ ନିର୍ବାଚନ ହୋଇଛି। ଦୀର୍ଘ ୨୪ ବର୍ଷ ପରେ ଦଳକୁ ଜଣେ ଅଣଗାନ୍ଧି ସଭାପତି ମିଳିଛି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ୧୯୩୯, ୧୯୫୦, ୧୯୯୭, ୨୦୦୦ ଓ ୧୯୭୭ରେ ବି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହୋଇଛି। ଦେଶ ସ୍ବାଧୀନତା ପରଠାରୁ  ଏଯାବତ ମୋଟ୍ ୧୭ ଜଣ କଂଗ୍ରେସ ଦଳର ନେତୃତ୍ବ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ଗାନ୍ଧି ପରିବାରର ୫ ଜଣ କଂଗ୍ରେସ ସଭାପତି ହୋଇଛନ୍ତି। ଏଥିରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାଁ ସାମିଲ ଅଛି।  

ପୁଣି ଚର୍ଚ୍ଚାରେ ମହମ୍ମଦ ମୋକିମ

ଦଳୀୟ ନିର୍ବାଚନ ପ୍ରକ୍ରିୟାକୁ ନେଇ ଓଡ଼ିଶା କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ମହମ୍ମଦ ମୋକିମ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦବି ପାଇଁ ହୋଇଥିବା ନର୍ବାଚନରେ ମହମ୍ମଦ ମୋକିମଙ୍କ ସମେତ କିଛି ସଦସ୍ୟ ସାମିଲ ହୋଇ ନାହାନ୍ତି। ଏହି ନିର୍ବାଚନରେ ଓଡ଼ିଶାରେ ୯୬ ପ୍ରତିଶତ ମତଦାନ ହୋଇଛି। ବିଧାୟକ ମହମ୍ମଦ ମୋକିମଙ୍କ ସମେତ କିଛି ସଦସ୍ୟ ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ମହମ୍ମଦ ମୋକିମ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇ ନଥିଲେ। କଂଗ୍ରେସ ପାର୍ଟି ଆଗ, ମାଟି ପଛ କଥା ବୋଲି ନାରା ଦେଇଥିଲା। କିନ୍ତୁ ଶ୍ରୀ ମୋକିମ୍ ମାଟି ଆଗ ଓ ପାର୍ଟି ପରେ ବୋଲି ଯୁକ୍ତି ବାଢ଼ିଥିଲେ। ଏଥି ପାଇଁ କଂଗ୍ରେସ ତରଫରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା।  

Share the article

LEAVE A REPLY