ସଭିଙ୍କ ପାଇଁ ନାହିଁ ଆଲୋକର ଦୀପାବଳି

0
22

ଭୁବନେଶ୍ବର: ଆଲୋକର ପର୍ବ ‘ଦୀପାବଳି’ ପାଇଁ ସମଗ୍ର ଦେଶ ଉତ୍ସବମୁଖର ଦେଖାଯାଇଛି। ଦୁଇ ବର୍ଷର ବ୍ୟବଧାନ ପରେ ଆଡମ୍ବର ସହିତ ଦୀପାବଳି ପାଳନ ହେଉଥିବାରୁ ଲୋକେ ଖୁସି ପାଳନ କରିବା ସ୍ବାଭାବିକ। କୋଭିଡ-୧୯ କାରଣରୁ ୨୦୨୦ ଓ ୨୦୨୧ରେ ଦୀପାବଳି ପର୍ବ ନିରାଡାମ୍ବର ସହିତ ପାଳନ ହୋଇଥିଲା। ଏଥର କୋଭିଡ-୧୯ର ପ୍ରଭାବ ନ ଥିବାରୁ ଧମ୍ଧାମ୍ରେ ପାଳନ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ମଙ୍ଗଳବାର ଅମାବାସ୍ୟା ଅବସରରେ ଏଥର ଦୀପାବଳି ସୋମବାର ପାଳନ ହେବ। ଏହି ଦିନ ସରକାରୀ ଛୁଟି ହୋଇଛି। ଏହା ପୂର୍ବରୁ ରବିବାର ଥିବାରୁ ଚାକିରିଆଙ୍କୁ ୨ ଦିନ ଛୁଟି ମିଳିଛି।

ଭାରତର ଅନ୍ୟତମ ବଡ଼ ପର୍ବ ହେଉଛି ‘ଦୀପାବଳି’। ପରିବାର ଲୋକଙ୍କ ସହିତ ଏହି ପର୍ବ ପାଳନ କରିବାରେ ଯେଉଁ ଆନନ୍ଦ ଥାଏ, ସେହି ଅନୁଭୂତି ନିଆରା। ସେହି କାରଣରୁ ଲୋକେ ବହୁଦୂରରେ ରହୁଥିଲେ ବି ପରିବାର ଲୋକଙ୍କ ସହିତ ଦୀପାବଳି ପାଳନ କରିବା ପାଇଁ ଆସିଥାନ୍ତି। ସରକାରୀ ଓ ଘରୋଇ କଂପାନିରେ କାର୍ଯ୍ୟରତ କର୍ମଚାରୀଙ୍କୁ ବୋନସ ମଧ୍ୟ ମିଳିଥାଏ। ଦୀପାବଳି ଅବସରରେ ଲୋକେ କିଣାକିଣି କରିବାକୁ ହାତଛଡ଼ା କରି ନଥାନ୍ତି। ମାତ୍ର ଅନେକ ସମୟରେ ଲୋକେ ଖୁସିରେ ଘରକୁ ଆସୁଥିବା ବେଳେ ଦୁର୍ଘଟଣାର ସାମ୍ନା କରି ଜୀବନ ହରାଇଥାନ୍ତି। ଫଳରେ ଆଲୋକର ପର୍ବରେ ସାମିଲ ହେବା ପୂର୍ବରୁ ତାଙ୍କ ପରିବାର ପାଇଁ ଅନ୍ଧାର ଘୋଟି ଆସିଥାଏ।

ପାହାଡ଼ରେ ବସ୍‌ ଦୁର୍ଘଟଣା, ୧୫ ମୃତ

ମଧ୍ୟପ୍ରଦେଶର ରିୱାରେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ବସ୍ ମର୍ମନ୍ତୁତ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୋହାଗୀ ପାହାଡ଼ ଉପରେ ଓଲଟି ପଡ଼ିବାରୁ ଏଥିରେ ଥିବା ୧୫ ଜଣ ଯାତ୍ରୀଙ୍କର ଘଟିଛି। ସେହିପରି ଅନ୍ୟ ୨୭ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମଧ୍ୟପ୍ରଦେଶର ଜବଲପୁରରୁ ରିୱା ରାସ୍ତାରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଅଭିମୁଖେ ଯାଉଥିବା ବେଳେ ମଧ୍ୟ ରାତିରେ ୩୦ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏହି ଘଟଣାର ଶିକାର ହୋଇଥିବା ପୀଡ଼ିତଙ୍କ ପରିବାର ପାଇଁ ଅନ୍ଧାରର ଦୀପାବଳି ଆସିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଦୀପାବଳି ପାଳନ କରିବା ପାଇଁ ନିଜ ନିଜର ଗୃହ ରାଜ୍ୟ ଉତ୍ତର-ପ୍ରଦେଶ ଓ ବିହାର ଯାଉଥିଲେ।

ବାଣ ବିସ୍ଫୋରଣରେ ୯ ମୃତ

ଦୁଇ ବର୍ଷ ପୂର୍ବରୁ ଅକ୍ଟୋବର ୧୯ ତାରିଖରେ ଦୀପାବଳିର ମାତ୍ର ଦିନକ ପୂର୍ବରୁ ବାଲେଶ୍ୱରର ବାହାବଳପୁର, ରାଉରକେଲା ଓ ପିପିଲିରେ ଭୟଙ୍କର ବାଣ ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଥିଲା। କିଛି ଲୋକ ଆହତ ମଧ୍ୟ ହୋଇଥିଲେ। ଦୀପାବଳି ପାଇଁ ସବୁଆଡ଼େ ଉଲ୍ଲାସ ଓ ଉତ୍ସାହ ଥିବା ବେଳେ ଏହି ମୃତକ ଓ ଆହତଙ୍କ ପରିବାରକୁ ଯେମିତି ଢାଙ୍କି ଦେଇଛି ଶୋକ ଓ ଦୁଃଖର ଅମା ଅନ୍ଧକାର। ଗୋଟିଏ ପଟେ ଦୀପାବଳିରେ ବାଣ ଫୁଟାକୁ ବନ୍ଦ କରିବା ପାଇଁ ପରିବେଶପ୍ରେମୀ ଓ ବୁଦ୍ଧିଜୀବୀ ଦାବି କରି ଆସୁଥିବା ବେଳେ ସଂସ୍କୃତି ଓ ପରମ୍ପରା ନାଁରେ ଲୋକମାନେ କୋଟି କୋଟି ଟଙ୍କାର ବାଣ ଫୁଟାଇ ମଉଜ କରୁଛନ୍ତି। କିନ୍ତୁ ଏହି ମଉଜ କିଛି ଲୋକଙ୍କ ପାଇଁ କେତେ କରୁଣ ପରିସ୍ଥିତି ସୃଷ୍ଟି କରୁଛି ତାହାର ଦୃଷ୍ଟାନ୍ତ ସମସ୍ତେ ଜାଣୁଛନ୍ତି।

ଦୀପାବଳିରେ ସଡ଼କ ଦୁର୍ଘଟଣାରେ ୬ ମୃତ

ସେହିପରି ଗତ ବର୍ଷ ନଭେମ୍ବର ୬ ତାରିଖରେ ଦୀପାବଳି ପାଇଁ ଝିଅକୁ ମିଠା ଦେଇ ଫେରୁଥିବା ବେଳେ ଜାତୀୟ ରାଜପଥରେ ଏକ ଟ୍ରକ୍ ଧକ୍କାଦେବାରୁ ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ତେଲେନପାଲି ପଞ୍ଚାୟତ ସାପାଲି ଗ୍ରାମର ରାମକୃଷ୍ଣ ସା(୪୫) ଓ ସବିତା ସା (୪୦)ଙ୍କ ମୃତ୍ୟୁ ଘଟିଥିଲା। ସେହିଦିନ ସନ୍ଧ୍ୟା ସମୟରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଓ କତରବଗା ଥାନା ଅଞ୍ଚଳରେ ସଂଘଟିତ ଦୁଇଟି ପୃଥକ୍ ପୃଥକ୍ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ରେଙ୍ଗାଲିରୁ ରାମଚନ୍ଦ୍ର ନଗର ରାସ୍ତାର ରେଙ୍ଗାଲି ଥାନା ଅନ୍ତର୍ଗତ ଗଣେଶନଗର ପେଟ୍ରୋଲ ପମ୍ପ ସମ୍ମୁଖରେ ବାଇକ ଓ ହାଇୱା ମାଧ୍ୟରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟ ହୋଇଥିଲା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବରିଡ଼ିପଲ୍ଲୀ ସ୍କୁଲ ନିକଟରେ ରହୁଥିବା କାଳିଆ ନାୟକ ଟ୍ରକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।  

Share the article

LEAVE A REPLY