ଚାକିରି ବାଣ୍ଟିଲେ ମୋଦୀ-ନବୀନ

0
19

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତି ମିଶନରେ ଅଛନ୍ତି। ଆଗାମୀ ଦିନରେ ଲକ୍ଷ ଲକ୍ଷ ବେକାର ଯୁବକ-ଯୁବତୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦେବାକୁ ଯୋଜନା ଆରମ୍ଭ କରିଦେଇଛନ୍ତି। କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ଆଗାମୀ ଦିନରେ ୧୦ ଲକ୍ଷ ପ୍ରାର୍ଥୀଙ୍କୁ ଚାକିରି ଦେବେ। ଏହି ପର୍ବ ଗତ ୨୨ ତାରିଖରେ ଆରମ୍ଭ ହୋଇଯାଇଛି। ସରକାରଙ୍କ ରୋଜଗାର ମେଳା ମାଧ୍ୟମରେ ୩୮ଟି ମନ୍ତ୍ରାଳୟରେ ୭୫୦୦୦ ନବନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଏହି ଭଳି ଭାବେ ଲକ୍ଷ ଲକ୍ଷ ବେକାର ଯୁବକ-ଯୁବତୀଙ୍କୁ କର୍ମ ନିଯୁକ୍ତି ମିଳିବ।
ଗତ ୨୨ ତାରିଖରେ ସରକାର ଚାକିରି ଦେବା ପାଇଁ ଦେଶବ୍ୟାପୀ ରୋଜଗାର ମେଳା କରିଥିଲେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ମେଳାରେ ଜଡ଼ିତ ଥିଲା ବେଳେ ତାଙ୍କର ମନ୍ତ୍ରୀ ଓ ସାଂସଦମାନେ ଭିନ୍ନ ଭିନ୍ନ ରାଜ୍ୟରୁ ପ୍ରତକ୍ଷ୍ୟ ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟି ଥିଲେ। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହିଭଳି ଏକ ବଡ଼ଧରଣର କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ପତ୍ର ବଣ୍ଟା ଯାଇ ନଥିବାରୁ ଏହା ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଥିଲା। କିନ୍ତୁ ଓଡ଼ିଶାର ଲୋକମାନେ ଏହିଭଳି କାର୍ଯ୍ୟକ୍ରମ ସହିତ ପୂର୍ବରୁ ଅବଗତ ଅଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଶାୟୀ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବା ସହିତ ପରାମର୍ଶ ଦେଇଥିଲେ।

ଦିନକରେ ୭୫ ହଜାର ପ୍ରାର୍ଥୀଙ୍କୁ ଚାକିରି

ନିଯୁକ୍ତି ପତ୍ର ହସ୍ତାନ୍ତର କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୮ ବର୍ଷ ଧରି ଦେଶରେ ରୋଜଗାର ଏବଂ ଆତ୍ମନିର୍ଭର ଭାରତ ପାଇଁ ଚାଲିଥିବା ଅଭିଯାନ ଗୁଡିକରେ ଏହା ଏକ ନୂତନ ଅଧ୍ୟାୟ। ସ୍ୱାଧୀନତାର ୭୫ ବର୍ଷପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ପ୍ରଥମ ଦଫାରେ ୭୫,୦୦୦ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏକ ବିକଶିତ ରାଷ୍ଟ୍ର ନିର୍ମାଣ ପାଇଁ ଆମେ ଏକ ଆତ୍ମନିର୍ଭରଶୀଳ ଭାରତ ରାସ୍ତାରେ ଅଗ୍ରସର ହେଉଛୁ। ଏହି ଯାତ୍ରାରେ ସମସ୍ତଙ୍କ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ସମସ୍ତ ଅତ୍ୟାବଶ୍ୟକ ସୁବିଧା ସମସ୍ତଙ୍କ ନିକଟରେ ପହଂଚିବା ହିଁ ଆମ ପାଇଁ ପ୍ରକୃତ ସଫଳତା ହେବ। ଦେଶର ଯୁବଗୋଷ୍ଠୀର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି ଉପରେ ସର୍ବାଧିକ ଫୋକସ୍ କରାଯିବ। କୌଶଳ ବିକାଶ ଯୋଜନା ଅଧୀନରେ ଦେଶର ବିଭିନ୍ନ ଶିଳ୍ପ ସଂସ୍ଥାର ଆବଶ୍ୟକତା ଅନୁଯାୟୀ ଯୁବକମାନଙ୍କୁ ତାଲିମ୍ ଦେବା ପାଇଁ ଏକ ବିଶାଳ ଅଭିଯାନ ଚାଲିଛି।

୫୭ ହଜାର କର୍ମଚାରୀ ନିୟମିତ

ରୋଜଗାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୫ ତାରିଖରେ ବଡ଼ ଘୋଷଣା କରିଥିଲେ। ସେ କହିଥିଲେ ଯେ, ରାଜ୍ୟରୁ ଠିକା ନିଯୁକ୍ତିର ଯୁଗ ଶେଷ ହୋଇଛି। ଏଣିକି ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିତ୍ତିକ କର୍ମଚାରୀଙ୍କ ନିଯୁକ୍ତି ନିୟମିତ ହେବ। ନବୀନଙ୍କ ଘୋଷଣା ଦ୍ବାରା ୫୭ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ଉପକୃତ ହୋଇଛନ୍ତି। ରାଜ୍ୟ ସରକାର ଏଥି ପାଇଁ ୧୩ ଶହ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ନବୀନଙ୍କ ଘୋଷଣା ଦ୍ବାରା ଯଦିଓ ୫୭ ହଜାର କର୍ମଚାରୀ ଉପକୃତ ହୋଇଛନ୍ତି ଏବଂ ଆଗାମୀ ଦିନରେ ଲକ୍ଷ ଲକ୍ଷ କର୍ମଚାରୀ ଲାଭବାନ ହେବେ। କିନ୍ତୁ ବ୍ଲକ ଗ୍ରାଣ୍ଟରେ କାର୍ଯ୍ୟରତ ଶିକ୍ଷକମାନେ ଅବସର ନେବାର ସମୟ ପାଖେଇ ଆସୁଥିବା ବେଳେ କେବେ ନିୟମିତ ହେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଆୟୁଷ ଡାକ୍ତରଙ୍କ ଅବସ୍ଥା ମଧ୍ୟ ସମାନ।  

ଦାଦନ ପ୍ରମୁଖ୍ୟ ସମସ୍ୟା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଓଡ଼ିଶାକୁ ଶାସନ କରି ଆସୁଛନ୍ତି। ସବୁବେଳେ କହି ଆସୁଛନ୍ତି ରାଜ୍ୟର ସାଢ଼େ ୪ କୋଟି ମୋ ପରିବାରର ସଦସ୍ୟ। ଚାଷୀମାନେ କିନ୍ତୁ ବର୍ଷା ଜଳ ଉପରେ ନିର୍ଭର କରନ୍ତି। ରାଜ୍ୟରେ ଖଣିଜ ଦ୍ରବ୍ୟ ପ୍ରଚୁର ମାତ୍ରାରେ ଥିଲେ ବି ଯୁବଗୋଷ୍ଠୀଙ୍କୁ ରୋଜଗାର ମିଳିପାରୁ ନାହିଁ। ଓଡ଼ିଶାରୁ ଲକ୍ଷ ଲକ୍ଷ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଆଳୁ, ପିଆଜ, ତେଲ, ଡାଲି, ଅଣ୍ଡା, ମାଛ ଆଦି ପାଇଁ ଆମେ ବାହାର ରାଜ୍ୟ ଉପରେ ସବୁବେଳେ ନିର୍ଭର କରିଆସୁଛି। ରାଜ୍ୟରେ ଚାଉଳ ବ୍ୟତୀତ ଅନ୍ୟ ଖାଦ୍ୟପଦାର୍ଥ ସେହିଭଳି ମାତ୍ରାରେ ଉତ୍ପାଦନ ହୋଇପାରୁ ନାହିଁ, ଯାହା ଦ୍ବାରା କି ଆମେ ରପ୍ତାନୀ କରିପାରିବା। ଗମନାଗମନ ଓ ଯୋଗାଯୋଗ ଅଭାବରୁ ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୁହା ହେଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଓଡ଼ିଶାକୁ ସମୃଦ୍ଧ କରିପାରି ନାହାନ୍ତି।

ଦରବୃଦ୍ଧି ମୁଖ୍ୟ ଚିନ୍ତା

ସେହିପରି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଲୋକେ ତାଙ୍କ ଠାରୁ ଯେମିତି ଆଶା କରିଥିଲେ, ତାହା ପାଇପାରି ନାହାନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଦରବୃଦ୍ଧି। ଡାଲି, ଏଲପିଜି ଗ୍ୟାସ, ଉଭୟ ଖାଇବା ତେଲ ଓ ଇନ୍ଧନ। ଗାଡ଼ି, ସୁନା, ବୀମା କିଣିବା, ଜିଏସଟି ଲାଗୁ କରିବା ଦ୍ବାରା ଲୋକଙ୍କୁ ଅତିରିକ୍ତ ଖର୍ଚ୍ଚର ସାମ୍ନା କରିବାକୁ ପଡୁଛି। ଦରଦାମ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଗରିବ ଲୋକ ମୁଣ୍ଡ ଟେକିପାରୁ ନାହାନ୍ତି।

Share the article

LEAVE A REPLY