ସୁରକ୍ଷାକର୍ମୀଙ୍କ ଆଗରୁ ଛୁ’ ମାରିଲେ ଅଭିଯୁକ୍ତ

0
23

ଭୁବନେଶ୍ବର: ଜେଲରେ ବିଚାରଧୀନ କଏଦୀଙ୍କ ଉପରେ କଡ଼ାନଜର ଓ ସୁରକ୍ଷିତ ଭାବେ ରହିବା, ଖାଇବା ପାଇଁ ସରକାର ସୁବନ୍ଦୋବସ୍ତ କରିଛନ୍ତି। କଏଦୀ ଯେପରି କୌଣସି ପ୍ରକାରରେ ଖସି ନ ପଳାଇବ, ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ସିସିଟିଭି କ୍ୟାମେରା ଲଗାଯାଇଛି। ମାତ୍ର କ୍ଷୋଭର ବିଷୟ ହେଲା ଯେ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ସୁରକ୍ଷାକର୍ମୀଙ୍କୁ ଚକମା ଦେଖାଇ ବିଚାରଧୀନ କଏଦୀ ଓ ଅଭିଯୁକ୍ତ ଖସିଯାଉଛନ୍ତି। ଏହା ପ୍ରଥମ ଥରର ଘଟଣା ନୁହେଁ, ବରଂ ପୂର୍ବରୁ ମଧ୍ୟ ଏହିଭଳି ଅପ୍ରୀତିକର ଘଟଣା ଘଟିଛି।

ରାଜ୍ୟରେ ଜେଲ ପରିସରରୁ ଓ ହସ୍ପିଟାଲ ପରିସରରୁ ବିଚାରଧୀନ କଏଦୀ ଓ ଅଭିଯୁକ୍ତ ଫେରାର ମାରିବା ଘଟଣା ନୂଆଁ ନୁହେଁ। ଏସବୁ ଜାଣିଲା ପରେ ବି ସୁରକ୍ଷାକର୍ମୀମାନେ ନିଜର ଦାୟିତ୍ବରେ ଢ଼ିଲା ମାରୁଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଯେଉଁ ଗୁରୁ ଦାୟିତ୍ବ ଦିଆଯାଇଛି, ଏହକୁ ସୂଚାରୁ ରୂପେ ପାଳନ କରୁନାହାନ୍ତି। ଫଳରେ ଅଭିଯୁକ୍ତ ଖସିଯିବାରେ ସଫଳ ହେଉଛି। ଅନ୍ୟପଟରେ ସଂପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ ହେବାକୁ ପଡ଼ିଛି।

ଜେଲରୁ ଫେରାର ମାରିଲା କଏଦୀ

ନୟାଗଡ ଜିଲ୍ଲା ଦଶପଲ୍ଲା ଉପକାରାଗାରରୁ ମଙ୍ଗଳବାର ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଛି। ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗତ ୨୦୨୦ ନଭେମ୍ବର ୨୮ ତାରିଖ ଦିନ ଗଣିଆ ଥାନା ପୁଲିସ ତାକୁ ଗିରଫ କରିଥିଲା କୋର୍ଟ ଚାଲାଣ ହେବା ପରେ ସେ ବିଚାରଧୀନ ରହିଥିଲା। ତେବେ ଦାୟିତ୍ବରେ ଥିବା ୱାର୍ଡର ସଂପୃକ୍ତ କଏଦୀଙ୍କୁ ବାହାରକୁ ଡକାଇ ଝାଡୁ କରାଉଥିବା ବେଳେ ଏହାର ସୁଯୋଗ ନେଇ ସେ ଚମ୍ପଟ ମାରିଥିଲା। ଫେରାର ମାରିବାର ୨ ଦିନ ପରେ ମଧ୍ୟ ପୁଲିସ ଅଭିଯୁକ୍ତ ତଥା କଟକ ଜିଲ୍ଲା ଜିଲିଣ୍ତା ଥାନା ଅଂଚଳର ହିମାଂଶୁ ଶେଖର ନାୟକ(୩୭)କୁ ଗିରଫ କରିପାରି ନାହିଁ। ତେବେ ଡିଆଇଜି ବୁଧବାର ଯାଇ ଘଟଣା ସଂପର୍କରେ ଅବଗତ ହୋଇଛନ୍ତି।  

ପୁଲିସ ଆଗରୁ ଖସିଗଲା ଅଭିଯୁକ୍ତ

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବନାଞ୍ଚଳ ପକ୍ଷରୁ ଆମଧର ଅଞ୍ଚଳରୁ ଗିରଫ ଜଣେ ଅଭିଯୁକ୍ତ ଜେଲ ଯିବା ପୂର୍ବରୁ ପୁଲିସ ମୁହଁରେ ଧୂଳି ଦେଇ ଫେରାର ମାରିଛି। କୋର୍ଟରେ ହାଜର କରାଯିବା ପୂର୍ବରୁ ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗତ ୨୨ ତାରିଖ ଦିନ ୧୧ଟା ବେଳେ ତାକୁ ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଅଭିଯୁକ୍ତ ଜଣକ ବନ କର୍ମଚାରୀଙ୍କୁ ଚକ୍ମା ଦେଇ ହସ୍ପିଟାଲରୁ ଫେରାର ହୋଇଯାଇଛି। ଏ ନେଇ ଫରେଷ୍ଟ ଗାର୍ଡ ସୂର୍ଯ୍ୟ କାନ୍ତ ପଟେଲଙ୍କ ଅଭିଯୋଗ କ୍ରମେ ବ୍ରଜରାଜନଗର ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ୍ ଅନୁସନ୍ଧାନ କରୁଛି। ଅଭିଯୁକ୍ତ କିଭଳି ଫେରାର ହେଲେ ସେ ନେଇ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନ ଉଠିଛି।  

କଟକ ବଡ଼ମେଡିକାଲରୁ କଏଦୀ ଫେରାର

କଟକ ବଡ଼ମେଡିକାଲରୁ ଗ୍ୟାଙ୍ଗଷ୍ଟର୍ ହାଇଦର୍ ଖସି ଯିବା ଘଟଣାକୁ ରାଜ୍ୟବାସୀ ସମସ୍ତେ ଜାଣିଛନ୍ତି। ଏହି ଘଟଣା ପୂରା ରାଜ୍ୟରେ ଆଲୋଡନ କରିଥିଲା। ସରକାରୀସ୍ତରରେ ପ୍ରବଳ ଘଣ୍ଟାଚକଟା ଚାଲିଲା। କିନ୍ତୁ ସେହି ଘଟଣାର ବର୍ଷେ ଦୁଇ ମାସ ପରେ ପୁଣି ଜଣେ ହତ୍ୟା ଅଭିଯୁକ୍ତ କଏଦୀ ବଡ଼ ମେଡିକାଲରୁ ଖସିଯିବା ଘଟଣା ଉଭୟ ଡାକ୍ତରଖାନା ଓ ଜେଲ୍ ବିଭାଗର ବେଫିକର ମନୋଭାବକୁ ଧରା ପକାଇ ଦେଇଥିଲା। କଟକ ବଡ଼ ଡାକ୍ତରଖାନାରୁ ଗଲା ୬ ବର୍ଷ ଭିତରେ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଖସିଯିବା ଘଟଣା ଉଦବେଗଜନକ ସ୍ଥିତି ସୃଷ୍ଟି କରିଥିଲା।

Share the article

LEAVE A REPLY