ମନ୍ତ୍ରୀଙ୍କୁ ବିରୋଧ, କଳାପତାକା ପ୍ରଦର୍ଶନ

0
25

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କୁ ପୁଣି ବିରୋଧର ଶିକାର ହେବାକୁ ପଡ଼ିଛି। ସରକାରଙ୍କ କାମକାର୍ଯ୍ୟରେ ଅସନ୍ତୁଷ୍ଟ ଦେଖାଯାଇଛନ୍ତି ବିରୋଧୀ ଦଳର ନେତା। ଯୁବ କଂଗ୍ରେସର କର୍ମୀମାନେ ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଓ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିରୋଧ କରିଛନ୍ତି। ଏହି ଦୁଇ ମନ୍ତ୍ରୀ କଟକ ଜିଲ୍ଲା ଆଠଗଡରେ ପ୍ରାୟ ସାଢ଼େ ୩ କୋଟି ଟଙ୍କାରେ ନିର୍ମିତ ବସ୍ଷ୍ଟାଣ୍ଡକୁ ଉଦ୍ଘାଟନ କରିବା ପାଇଁ ଯାଇଥିଲେ। ଆଠଗଡ଼ ଅଞ୍ଚଳର ଟାଣୁଆ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ନିଜ ଅଞ୍ଚଳରେ ବିରୋଧ ଶିକାର ହୋଇଛନ୍ତି।
ସେହିପରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ହଟହଟା ହେବାକୁ ପଡ଼ିଛି। ପୁଲିସର ନିଷ୍ଟ୍ରିୟତା ପାଇଁ ମହିଳାଙ୍କ ଦ୍ବାରା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁଘାଟ ନିକଟରେ ଗୁରୁବାର ସ୍ଥାନୀୟ ମହିଳାମାନେ ମନ୍ତ୍ରୀଙ୍କ ଗାଡ଼ି ଅଟକାଇଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳରେ ଦେଖାଯାଉଥିବା ସମସ୍ୟା ଉପରେ ଅବଗତ କରାଇବା ସହିତ ସମାଧାନର ଦାବି କରିଥିଲେ। ମହିଳାଙ୍କ ଦ୍ବାରା ଗାଡ଼ି ଅଟକାଇ ଦିଆଯିବା ଫଳରେ ମନ୍ତ୍ରୀଙ୍କୁ ଦୀର୍ଘ ସମୟ ଅଟକିବାକୁ ପଡ଼ିଥିଲା।


କଳାପତାକା ପ୍ରଦର୍ଶନ

ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଓ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ଆଠଗଡ଼ରେ ନବନିର୍ମିତ ବସ୍ଷ୍ଟାଣ୍ଡକୁ ଉଦ୍ଘାଟନ କରିଥିଲେ। କିନ୍ତୁ ବସ୍ଷ୍ଟାଣ୍ଡ ଉଦ୍ଘାଟନ ହେବା ପୂର୍ବରୁ ସେମାନେ ଦଳୀୟ କର୍ମୀମାନଙ୍କ ସହିତ ଏକ ଶୋଭାଯାତ୍ରାରେ ଯାଉଥିବା ସମୟରେ ଯୁବ କଂଗ୍ରେସକର୍ମୀଙ୍କ ଦ୍ବାରା ବିରୋଧର ଶିକାର ହୋଇଥିଲେ। ବସଷ୍ଟାଣ୍ଡରେ ପୂର୍ବରୁ କଂଗ୍ରେସ ପକ୍ଷରୁ କାଉନସିଲର ମନୋରଞ୍ଜନ ପଟ୍ଟନାୟକ ନେତୃତ୍ୱରେ ମନ୍ତ୍ରୀ ଦ୍ବୟଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା। ତେବେ ପୁଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କଂଗ୍ରେସର କଳାପତାକାଧାରୀମାନଙ୍କୁ ଥାନାକୁ ଅଣାଯାଇଥିଲା। ଅଭିଯୋଗ ହୋଇଥିଲା ଯେ, କଂଗ୍ରେସ କର୍ମୀଙ୍କୁ ପୁଲିସ ଆଣିବା ସମୟରେ ବିଜେଡିର କିଛି କର୍ମୀ ଆକ୍ରମଣ କରିଥିଲେ।  

ବିରୋଧୀଙ୍କ ବଡ଼ ଭୂମିକା

ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାସକ ଦଳ ବିରୋଧରେ ସ୍ବର ଉଠାଇବା ବିରୋଧୀ ଦଳର ବଡ଼ ଭୂମିକା ରହିଛି। କାରଣ ବିରୋଧୀଙ୍କ ବିରୋଧ ହେଲା ପରେ ଶାସକ ଦଳ ଠିକ୍ରେ କାମ କରିବ। ଏହା ଦ୍ବାରା ବିକାଶ ହୋଇପାରିବ। ମତଦାତା ଓ ଜନତା ଉପକୃତ ହେବେ। କିନ୍ତୁ ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ପୁଲିସ ଉପସ୍ଥିତରେ ବିଜେଡ଼ିର କର୍ମୀମାନେ ଯେଉଁଭଳି ଭାବରେ ଆକ୍ରମଣ କଲେ ତାହା ଅତ୍ୟନ୍ତ ଲଜ୍ଜା ଜନକ ଘଟଣା। ଏହି ଘଟଣା ନେଇ ଏହା ବିରୁଦ୍ଧରେ ଦଳୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବଗତ କରିବ ବୋଲି କଂଗ୍ରେସ କହିଛି।

ମନ୍ତ୍ରୀଙ୍କୁ ଅଣ୍ଡାମାଡ଼

ଅତୀତରେ ରାଜ୍ୟରେ ମନ୍ତ୍ରୀଙ୍କୁ ଯେତେବେଳେ ବିରୋଧ କରାଯାଇଛି, ଅନେକ ସମୟରେ ଅଣ୍ଡାମାଡ଼ ହୋଇଛି। ଗତବର୍ଷ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜ୍ୟବାପୀ ମନ୍ତ୍ରୀଙ୍କ ଗସ୍ତକୁ ବିଜେପି ତରଫରୁ ବିରୋଧ କରାଯାଇଥିଲା। ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ବିତରଣ ପାଇଁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାମ ସମୟରେ ମନ୍ତ୍ରୀମାନେ ଗସ୍ତ କରୁଥିଲେ। ଏବଂ ଗସ୍ତ ସମୟରେ ବିଭଜେପିର କର୍ମୀମାନେ ଅଣ୍ଡାମାଡ଼ କରୁଥିଲେ ଏବଂ କଳାପତାକା ପ୍ରଦର୍ଶନ କରୁଥିଲେ।

Share the article

LEAVE A REPLY