ଆଧ୍ୟାତ୍ମିକ ନଗରୀରେ ଦେହ ବେପାର

0
22

ଭୁବନେଶ୍ବର: ସଦ୍ବୁଦ୍ଧି ସହିତ ରୋଜଗାର କରି ଧନୀ ହେବା କଠିନ ବ୍ୟାପାର ଥିବାରୁ ଆଜିକାଲିର ଲୋକେ ବେଆଇନ୍ ଓ ଅନୈତିକ କାର୍ଯ୍ୟକୁ ଆପଣାଉଛନ୍ତି। କମ୍ ସମୟ ମଧ୍ୟରେ ସଠିକ୍ ଉପାୟରେ ଲକ୍ଷପତି ଅଥବା କୋଟିପତି ହେବା ସହଜ ନୁହେଁ। କିନ୍ତୁ କୋଟିପତି ହେବା ପାଇଁ ବେଆଇନ୍ ଓ ଅସାଧୁ ଉପାୟକୁ ଅବଲମ୍ବନ କଲେ ଏହା ସମ୍ଭବ। ଆଉ ଏହି ଭଳି ବେଆଇନ୍ କାମରେ ସରକାରୀ ଚାକିରିଆ, ନେତା, ବ୍ୟବସାୟୀ ଓ ଶିକ୍ଷିତ ସମାଜ ମଧ୍ୟ ଜଡ଼ିତ ହେଉଛନ୍ତି। କମ ସମୟ ମଧ୍ୟରେ ଅଧିକ ଟଙ୍କା ରୋଜଗାର କରିବା ଦେହ ବେପାର ସହଜ ମାଧ୍ୟମ ପାଲଟିଛି।

କଳାହାଣ୍ଡିର ଝିଅ ଓ ମୟୂରଭଂଜର ବୋହୂ ଅର୍ଚ୍ଚନା ନାଗ ରାଜଧାନୀ ଭୁବନେଶ୍ବରରୁ ଗିରଫ ହେଲା ପରେ ଯିଦିଓ ତାଙ୍କର କାରନାମା ବିଷୟରେ ବିଧିବଦ୍ଧ ଭାବେ ପୁଲିସ ପାଖରୁ ତଥ୍ୟ ମିଳି ନାହିଁ, କିନ୍ତୁ ଗଣମାଧ୍ୟମରେ ଯେଉଁ ସବୁ ଖବର ଭାଇରାଲ ହେବାରେ ଲାଗିଛି, ସେ ବେଆଇନ୍ ଓ ଅସାଧୁ ଉପାୟ ଅବଲମ୍ବନ କରି ମାତ୍ର ୪ ବର୍ଷ ମଧ୍ୟରେ କୋଟିପତି ହୋଇପାରିଛନ୍ତି। ଯଦି ଗଣମାଧ୍ୟମର ଆକଳନ ଠିକ୍ ହୋଇଥାଏ, ଅର୍ଚ୍ଚନା ଦେହ ବେପାରରେ ଯୁବତୀମାନଙ୍କୁ ନିୟୋଜିତ କରାଇ କମ ସମୟ ମଧ୍ୟରେ କୋଟିପତି ହୋଇପାରିଛନ୍ତି। ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ସହରରେ ଦେହ ବେପାର କରି ଟଙ୍କା ରୋଜଗାର କରିବା ସାଧାରଣ କଥା ହୋଇଥିଲା ବେଳେ ପୁରୀ ଭଳି ଦେଶର ପବିତ୍ର ଓ ଆଧ୍ୟାତ୍ମିକ ସହରରେ ଏହିଭଳି ଘୃଣ୍ୟ କାମ କରାଯିବା ଘଟଣାକୁ  ଶ୍ରଦ୍ଧାଳୁ, ଭକ୍ତ, ବୁଦ୍ଧିଜୀବୀ ପସନ୍ଦ କରନ୍ତି ନାହିଁ।

ପୁରୀରେ ସେକ୍ସ ରାକେଟ

ଓଡ଼ିଶାର ଆଧ୍ୟାତ୍ମିକ ସହର ତଥା ବିଶ୍ବ ପ୍ରସିଦ୍ଧ ପୁରୀରେ ଦେହ ବେପାର ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ବାସେଳିସାହି ଥାନା ଅନ୍ତର୍ଗତ ପାଇକସାହିରୁ ପୁଲିସ ସେକ୍ସ ରାକେଟ୍ ଠାବ କରିଛି। ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଅତର୍କିତ ଚଢ଼ଉ କରିଥିଲା। ବୁଧବାର ରାତିରେ ହୋଇଥିବା ଚଢ଼ଉ ସମୟରେ ପୁଲିସ ସେକ୍ସ ରାକେଟ୍ ଚଳାଉଥିବା ଦମ୍ପତିଙ୍କ ସମେତ ଜଣେ ଯୁବତୀ ଓ ୪ ଜଣ ପୁରୁଷ ଗ୍ରାହକଙ୍କୁ ଧରିଥିଲା। ତେବେ ଏହି ଚଢ଼ଉ ସମୟରେ ଅନ୍ୟ ଦୁଇ ଜଣ ଯୁବତୀ ଓ ଘର ମାଲିକଙ୍କ ଜଣେ ସମ୍ପର୍କୀୟ ଯୁବକ ଘଟଣାସ୍ଥଳରୁ ଖସିଯାଇଥିଲେ। କିଛି ଅସାମାଜିକ ଲୋକ ଭଡାଘର ନେଇ ବେଆଇନ କାମ କରୁଛନ୍ତି। ପୁରୀକୁ ଦେଶ-ବିଦେଶରୁ ଲୋକ ଆସୁଥିବାରୁ ଉଭୟ ଗ୍ରାହକ ଓ ରୂପଜୀବୀଙ୍କର ସମସ୍ୟା ନାହିଁ। ସହଜରେ ଟଙ୍କା ରୋଜଗାର ପାଇ ଖରାପ ଧନ୍ଦା କରୁଥିବା ଦମ୍ପତିଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ ବିପଥଗାମୀ ହୋଇ ଏହିଭଳି କାମ କରୁଛନ୍ତି।  

ବାରାଣସୀରେ ଦେହ ବେପାର

କେବଳ ପୁରୀ ନୁହେଁ, ଦେଶର ଅନ୍ୟ ପବିତ୍ର ନଗରୀରେ ମଧ୍ୟ ଦେହ ବେପାର ଚାଲିଛି। ଗତ ଫେବ୍ରୁଆରୀ ୧୭ ତାରିଖରେ ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ଗ୍ଲୋବାଲ ପେଇଙ୍ଗ ଗେଷ୍ଟ ହାଉସ୍‌ରେ ଦେହ ବେପାର ଚାଲିଥିଲା। ପୁଲିସ ଏହାକୁ ଖୁଲାସା କରିଥିଲା। ଘଟଣା ଦିନ ଚଢ଼ଉ ସମୟରେ ମେଘାଳୟ ନିବାସୀ ୨ ମହିଳା, ଗେଷ୍ଟ ହାଉସ୍ର ମ୍ୟାନେଜର ସହିତ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ପୁଲିସ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିଲା। ଉଦ୍ଧାର ହୋଇଥିବା ୨ ମହିଳା ପୁଲିସକୁ କହିଥିଲେ ଯେ, ଗେଷ୍ଟ ହାଉସ୍‌ର ମ୍ୟାନେଜର ସେମାନଙ୍କୁ ଜଣ ଗ୍ରାହକଙ୍କ ପିଛା ୨୦୦୦ ଟଙ୍କା ଦେଉଥିଲା।  

ଉଜୈନ ସହରରେ ଦେହ ବେପାର

ସେହିପରି ମଧ୍ୟପ୍ରଦେଶର ଉଜୈନ ସହରରୁ ଗତ ସେପ୍ଟେମ୍ବର ୧୦ ତାରିଖରେ କ୍ରାଇମ୍ବ୍ରାଞ୍ଚ ଓ ମାଧବନଗର ଥାନା ପୁଲିସ ୭ଟି ସ୍ପା ସେଣ୍ଟରରେ ଚଢ଼ଉ କରି ସେକ୍ସରାକେଟ ଠାବ କରିଥିଲା। ଏଥିରୁ ୩ଟି ସ୍ପା ସେଣ୍ଟରରୁ ୨୧ ଜଣ ଯୁବକ-ଯୁବତୀଙ୍କୁ ଧରିଥିଲା। ଘଟଣା ଦିନ ବିପୁଳ ପରିମାଣରେ ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ଯୁବତୀମାନେ ଆସାମ, ମଣିପୁର ଓ ମିଜୋରାମ୍ରୁ ଆସିଥିଲେ। ପବିତ୍ର ଉଜୈନ ସହରରେ ଭଡ଼ା ଘରେ ରହି ସ୍ପା’ରେ କାମ କରୁଥିବା ଦର୍ଶାଇ ପ୍ରକୃତରେ ଦେହ ବ୍ୟବସାୟ କରୁଥିଲେ।

Share the article

LEAVE A REPLY