ଲୋକାର୍ପଣ-ଉଦ୍‌ଘାଟନକୁ ବିଶ୍ବାସ କରିବେ କି ପଦ୍ମପୁରବାସୀ! 

0
25

ଭୁବନେଶ୍ବର: ପୂର୍ବତନ ଅନୁସୂଚିତ ଜନଜାତି ମନ୍ତ୍ରୀ ବିଜୟ ରଂଜନ ସିଂହ ବରିହାଙ୍କ ପରଲୋକ ହେବାକୁ ମାସେ ପୁରି ନଥିବା ବେଳେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପୁଣି ଥରେ ଅକ୍ତିଆର କରିବା ପାଇଁ ସରକାରୀ ଦଳ ନଜର ପକାଇଛି। ପଦ୍ମପୁରର ବିଧାୟକ ସ୍ବର୍ଗତ ବରିହାଙ୍କ ପରଲୋକ ହେବା ପରେ ଏଠାରେ ଆଗାମୀ ଦିନରେ ଉପନିର୍ବାଚନ ହେବା ସୁନିଶ୍ଚିତ। କିନ୍ତୁ ଭାରତୀୟ ନିର୍ବାଚନ କମିସନ ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଦେଇଛନ୍ତି। ସାଧାରଣ ଜନତାଙ୍କ ହୃଦୟ ଜିତିବା ପାଇଁ ଏଠାରେ ଶନିବାର ୪୮୮ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପିତ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ନବୀନ କହିଛନ୍ତି ଯେ, ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି। ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି। ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ। କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ୫-ଟି ସ୍କୁଲ ରୂପାନ୍ତର, ସ୍ବାସ୍ଥ୍ୟସେବା–ସବୁ କ୍ଷେତ୍ରରେ ଓଡିଶା ଆଜି ବିକାଶର ଏକ ନୂଆସ୍ତରରେ ଅଗ୍ରସର ହେଉଛି।

ମୋଦୀଙ୍କୁ ଦୋଷ ଦେଲେ ନବୀନ

ପଦ୍ମପୁରବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ଼, ପଦ୍ମପୁର ଅଞ୍ଚଳର ଅନେକ ଚାଷୀ ଏ ପର୍ଯ୍ୟନ୍ତ ଫସଲ ବୀମା ଟଙ୍କା ପାଇନାହାନ୍ତି। ଆପଣମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭରତ ସରକାରଙ୍କ ଯୋଜନା। ତେଣୁ ଭରତ ସରକାରଙ୍କ ସହ ଆପଣ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ପାଇଁ ମୁଁ ବାରମ୍ବାର ଚେଷ୍ଟା ଜାରି ରଖିଛି। ଏହା ସହିତ ପଦ୍ମପୁରରେ ଯୋଗାଯୋଗର ବିକାଶ ପାଇଁ ୨୬୦ କୋଟି ଟଙ୍କାରେ ୩୮ଟି ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ଟି ରାସ୍ତା କାମର ଶୁଭାରମ୍ଭ କରାଯିବା ସହିତ ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ଟି ଗ୍ରାମୀଣ ବଜାର ଓ ୪ କୋଟି ୨୨ ଲକ୍ଷ ଟଙ୍କାରେ ୧୬ଟି ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ମଧ୍ୟ ଆରମ୍ଭ କରାଯାଇଛି ।

ବିକାଶକୁ ଅପେକ୍ଷା କରିଛି ପଦ୍ମପୁର?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିବା ଅନୁସାରେ ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସମସ୍ତଙ୍କ ସହଯୋଗରେ ପଦ୍ମପୁର ଅଞ୍ଚଳ ବିକାଶର ଏକ ମଡେଲ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି। ଅର୍ଥାତ ଏହା ପୂର୍ବରୁ ପଦ୍ମପୁର ଅଞ୍ଚଳର ବିକାଶର ନୂଆ ଅଧ୍ୟାୟ ଦେଖିବା ପାଇଁ ଅପେକ୍ଷା କରି ରହିଥିଲା କହିଲେ କିଛି ଭୁଲ ହେବ ନାହିଁ। ଏହି ଅଞ୍ଚଳର ଟାଣୁଆ ନେତା ପଦ୍ମପୁରରେ ୧୯୯୯ରୁ ୨୦୧୯ ମସିହା ମଧ୍ୟରେ ୫ଥର ବିଧାୟକ ହୋଇଛନ୍ତି। ଏହି ନିର୍ମାଚନ ମଣ୍ଡଳୀ ୨୦୦୪ରେ କଂଗ୍ରେସ ଓ ୨୦୧୪ରେ ବିଜେପି ହାତକୁ ଚାଲିଯାଇଥିଲା।  

କାହାର ହେବ ପଦ୍ମପୁର

ବିଗତ ୫ ବର୍ଷ ମଧ୍ୟରେ ହୋଇଥିବା ଉପନିର୍ବାଚନ ତୁଳନାରେ ପଦ୍ମପୁର ଉପନିର୍ବାଚନର ଗଣିତ ହେବ ବୋଲି ରାଜନୈତିକ ପଣ୍ଡିତମାନେ ବିଶ୍ବାସ କରୁଛନ୍ତି। କାରଣ ବର୍ତ୍ତମାନ ପରୀପ୍ରେକ୍ଷିରେ ଏଠାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପତିଆରା ରହିଛି। ପୂର୍ବତନ ବଧାୟକ ପ୍ରଦୀପ ପୁରୋହିତ ଗତ ନିର୍ବାଚନରେ କମ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ଏହା ପୂର୍ବରୁ ସେ ୨୦୧୪ ନିର୍ବାଚନରେ ଭଲ ଭୋଟ ପାଇ ବିଜୟୀ ହୋଇଥିଲେ। ସେ ଚାଷୀ ଓ ସ୍ଥାନୀୟ ଲୋକଙ୍କ ପାଇଁ କାମ କରିଛନ୍ତି। ଅନ୍ୟପଟରେ ବିଜୟ ରଂଜନ ବରିହାଙ୍କ ବିକଳ୍ପ ଖୋଜିବା ପାଇଁ ବିଜେଡିକୁ କଷ୍ଟ ହୋଇପାରେ ବୋଲି ଅନୁମାନ କରାଯାଉଛି। କଂଗ୍ରେସର ସ୍ଥିତି ସେତେଟା ଉତ୍ସାହ ଜନକ ନୁହେଁ। ତେଣୁ ପଦ୍ମପୁରବାସୀ କାହାକୁ ବିଶ୍ବାସ କରିବେ ତାହା ସମୟ କହିବ।

Share the article

LEAVE A REPLY