ଅଧିକାରୀ ଭୁଲିଯାଉଛନ୍ତି ହିତାହିତ ଜ୍ଞାନ!

0
12

ଭୁବନେଶ୍ବର: ଆମ ଦେଶରେ ଗଣତନ୍ତ୍ରର ବ୍ୟବସ୍ଥା ରହିଛି। ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଜନତାଙ୍କୁ ସେବା ଯୋଗାଇବାର ହେଲା ଏହାର ମୂଳ ଉଦ୍ଦେଶ୍ୟ। କିନ୍ତୁ ବାବୁମାନେ ଏହାକୁ ସମ୍ମାନ ଓ ଗୁରୁତ୍ବ ଦେଉ ନାହାନ୍ତି। ଦିନକୁ ଦିନ ରାଜ୍ୟର ଅଧିକାରୀମାନଙ୍କ ମୁହଁ ଟାଣ ହୋଇଯାଉଛି। ଗଣତନ୍ତ୍ରରେ ରାଜନୀତିର ପ୍ରଭାବ ରହୁ ନଥିବାରୁ ଏଭଳି ସମସ୍ୟା ଦେଖାଯାଉଛି ବୋଲି ଚର୍ଚ୍ଚା ହୋଇଥାଏ। ସରକାରୀ କାର୍ଯ୍ୟାଳୟରେ ନେତାଙ୍କର ମୂଲ୍ୟ ରହୁନି କହିଲେ ଚଳିବ। ବିଶେଷ କରି ଓଡ଼ିଶାରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ଦୀର୍ଘ ଦିନ ଧରି କ୍ଷମତାରେ ରହିବା ଦ୍ବାରା ବଡ଼ବାବୁମାନେ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି। ଏପରିକି ତଳସ୍ତରର କର୍ମଚାରୀଙ୍କୁ ମଧ୍ୟ କୁକୁର-ବିଲେଇ ପରି ବ୍ୟବହାର କରୁଛନ୍ତି। ସାଧାରଣ ଜନତା ସରକାରୀ କର୍ମଚାରୀଙ୍କ ଠାରୁ ସହଜରେ କାମ ହାସଲ କରିବା କଷ୍ଟକର କାମ ହେଉଛି।

ସରକାରୀ ବାବୁଙ୍କ ବ୍ୟବହାର ଅତି କଦର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ନଭେମ୍ବର ୨୪ ତାରିଖରେ ଖୋର୍ଦ୍ଧା, ଗଂଜାମ ଓ ନବରଂଗପୁରରେ ଏଭଳି ଅଭିଯୋଗ ଆସିଛି। ବାବୁମାନଙ୍କ ବ୍ୟବହାର ଜାଣିଲେ ସାଧାରଣ ଜନତା ତାଙ୍କ ପାଖକୁ ଯିବାକୁ ମଧ୍ୟ ସାହାସ କରିପାରିବେ ନାହିଁ। ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଗଂଜାମ ଜିଲ୍ଲା କନିଷି ତହସିଲଦାର ପ୍ରଳୟନାଥ ଶତପଥୀ ଓ ନବରଂଗପୁର ଜିଲ୍ଲା ଝରିଗାଁ ବିଡିଓ ସତ୍ୟ ନାରାୟଣ ମେହେରଙ୍କ ନାଁରେ ଅଭିଯୋଗ ଆସିଛି।

ଓଡ଼ିଆ ଜାତିଙ୍କୁ ଜିଲ୍ଲାପାଳଙ୍କ ସମାଲୋଚନା

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ ସବିତା ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ଜିଲ୍ଲାପାଳ ମାନସିକ ନିର୍ଯାତନା ଦେଉଛନ୍ତି। ସେ   ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ ଜିଲ୍ଲାପାଳ ତାଙ୍କ ସ୍ୱାମୀଙ୍କୁ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ଖଟାଉଛନ୍ତି। ଜିଲ୍ଲାପାଳଙ୍କ ବାସଗୃହ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି । ସେଠାରେ ନିୟୋଜିତ ରାନ୍ଧୁଣିଆ ଓ ମାଳୀଙ୍କୁ ପରିଚାଳନା କରିବାକୁ କହୁଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଆ ଜାତିକୁ ମଧ୍ୟ ସମାଲୋଚନା କରି ଗାଳିଗୁଲଜ କରୁଛନ୍ତି। ତାଙ୍କ ସ୍ବାମୀଙ୍କ ମାନସିକ ଚାପ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି । ରକ୍ତଚାପ ବୃଦ୍ଧି ପାଇଛି । ଯଦି ତାଙ୍କ ସ୍ୱାମୀଙ୍କ କିଛି ହୁଏ ତେବେ ଏଥିପାଇଁ ଜିଲ୍ଲାପାଳ ଦାୟୀ ରହିବେ। ନିଜେ ହେମନ୍ତ ଭୋଇ କହିଛନ୍ତି ଯେ ଗତ ଦୁଇ ମାସ ଧରି ଜିଲ୍ଲାପାଳ ତାଙ୍କୁ ଖରାପ ବ୍ୟବହାର ଦେଖାଉଛନ୍ତି।  

ତହସିଲଦାର-ବିଜେପି ସଭାପତିଙ୍କ ଏତଲା

କନିଷି ତହସିଲଦାର ପ୍ରଳୟନାଥ ଶତପଥୀ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ପ୍ରତି ଅପଶଦ୍ଦ ବ୍ୟବହାର ଓ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସଭାପତି ଶ୍ରୀ ଜେନାଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ତହସିଲ ଅଫିସ୍ ଆଗରେ ଗୁରୁବାର ଦୀର୍ଘ ୫ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କର୍ମୀମାନେ ଦୁଇଟି ଫାଟକରେ ତାଲା ଠୁଙ୍କି ଦେଇଥିଲେ। ଅଭିଯୋଗ ଅନୁସାରେ, ତହସିଲଦାରଙ୍କୁ ମୋବାଇଲ୍ ଯୋଗେ ଯୋଗାଯୋଗ କରିଥିଲେ। କନିଷି-ତୁଳୁ ରାସ୍ତାରେ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ଦିଆଯାଇଥିବା ନୋଟିସ୍ର ସମୟସୀମା ପୂରିଯାଇଥିବାରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ। ହେଲେ ତହସିଲଦାର ଉତ୍କ୍ଷିପ୍ତ ହୋଇ ‘ତୋ ରଙ୍ଗ ଛଡ଼େଇଦେବି’ କହିଥିଲେ।  ଅନ୍ୟପଟରେ ବିଭୂତି ତାଙ୍କୁ ଧମକଚମକ ଦେଇଥିବା ନେଇ ତହସିଲଦାର ଗୋଳନ୍ଥରା ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଥିଲା।  

ସରପଞ୍ଚଙ୍କ ସ୍ବାମୀ-ବିଡିଓ ଲଢ଼ିଲେ

ଅନ୍ୟପଟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ସତ୍ୟନାରାୟଣ ମେହେର ପାଲିଆ ପଞ୍ଚାୟତର ସରପଞ୍ଚ ରାଧା ସନ୍ତାଙ୍କ ସ୍ବାମୀ ପବିତ୍ର ସାନ୍ତାଙ୍କ ହାତରେ ମାଡ଼ଖାଇଛନ୍ତି। ସରପଞ୍ଚଙ୍କ ସ୍ବାମୀଙ୍କ ହାତରୁ ମାଡ଼ଖାଇଲା ପରେ ବିଡ଼ିଓ ସ୍ଥାନୀୟ ଥାନାରେ ଗୁରୁବାର ଅପରାହ୍ନରେ ଏତଲା ଦେଇଛନ୍ତି। ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁସାରେ ବିଡିଓ ପଞ୍ଚାୟତର ୪ଗୋଟି ଉନ୍ନୟନ ମୂଳକ କାର୍ଯ୍ୟର ଫାଇଲ ରେକର୍ଡ଼ରେ ଦସ୍ତଖତ କରିବା ପାଇଁ ଦୀର୍ଘ ଦିନ ଧରି ବୁଲାଉ ଥିଲେ ଆଜି ପୁଣିଥରେ ଭେଟି କହିବାରୁ ସେ ରାଗିଯାଇ ଜାତିଆଣ ଅଭିଯୋଗ କରିଥିଲେ। ଅପରପକ୍ଷେ ବିଡିଓ ଅଭିଯୋଗ କରିଛନ୍ତି ଯେ, ପବିତ୍ର ସନ୍ତା ହଠାତ କାଯ୍ୟାଳୟ ଭିତରକୁ ପସି ଆସି ସିସି ଟିଭିର ସୁଇଚ ବନ୍ଦ କରିଦେଇଥିଲେ। ଏହା ପରେ ୪ଗୋଟି ରେକର୍ଡରେ ଦସ୍ତଖତ କରି ଫାଇଲ ଦେବା ପାଇଁ ବାଧ୍ୟ କରିଥିଲେ। ରେକର୍ଡ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବୋଲି କହିବାରୁ ବିଭିନ୍ନ ଜାତିଆଣ ଗାଳି ଦେଇ ମାଡ଼ ମାରିଥିଲେ। ଅଭିଯୋଗ କରିଛନ୍ତି।  

Share the article

LEAVE A REPLY