ଭୁବନେଶ୍ବର: ରାଜ୍ୟ ସରକାର ଦୁର୍ନୀତକୁ ପ୍ରଶୟ ଦିଅନ୍ତି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହି ଆସୁଛନ୍ତି। କିନ୍ତୁ ଏସବୁ ପରେ ବି ରାଜ୍ୟରେ ଦୁର୍ନୀତିର ସୀମା ଟପିଛି। ୨୦୨୨ ମସିହାରେ ମୋଟ ୨୮୫ କ୍ରାଇମବ୍ରାଞ୍ଚ ମାମଲା ପଞ୍ଜିକୃତ ହୋଇଛି। ୨୦୦ ଜଣ ସରକାରୀ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮୪ଟି ମାମଲା ପଞ୍ଜିକୃତ ହୋଇଛି। ଏବାବଦରେ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସଂପତ୍ତି ଜବତ ହୋଇଛି।
ସରକାରୀବାବୁମାନେ ମୋଟା ଅଙ୍କର ଦରମା ପାଉଥିଲେ ବି ସେମାନେ ସେତିକିରେ ସନ୍ତୁଷ୍ଟ ନହୋଇ ପୁଣି ଜନସାଧାରଣଙ୍କ ଠାରୁ ବିଭିନ୍ନ ଉପାୟରେ ଲାଞ୍ଚ ନେଉଛନ୍ତି। ବାବୁମାନେ ନିଜକୁ ମନେ କରୁନାହାନ୍ତି ଯେ, ଜନସାଧାରଣଙ୍କୁ ସେବା ଯୋଗାଇବା ପାଇଁ ସରକାର ତାଙ୍କୁ ମୁତୟନ କରିଛନ୍ତି। ଅନ୍ୟପଟରେ ସାଧାରଣଜନତା ମଧ୍ୟ ନିଜର ଅଧିକାର ପାଇଁ ଲଢ଼େଇ ନକରି ବରଂ କାମ ହାସଲ କରିବା ପାଇଁ ଅସାଧୁ ଉପାୟକୁ ବିକଳ୍ପ ଭାବୁଛନ୍ତି।
ଦୁର୍ନୀତି କାମରେ ସଂଶ୍ଲିଷ୍ଟ ଥିବା କାରଣରୁ ବିଗତ ବର୍ଷଗୁଡ଼ିକରେ ଶହଶହ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଅନେକଙ୍କୁ ଚାକିରି ହରାଇବାକୁ ପଡ଼ିଛି। କିନ୍ତୁ ସରକାରଙ୍କ କାର୍ଯ୍ୟାନୁଷ୍ଠାନରୁ ଅନ୍ୟମାନେ ଶିକ୍ଷା ନନେଇ ଦୁର୍ନୀତି କାମରେ ବାରମ୍ବାର ସଂଶ୍ଲିଷ୍ଟ ହେଉଥିବା ନଜରକୁ ଆସୁଛି। ରାଜ୍ୟରେ ଅଧିକାରୀମାନେ ଗଣତନ୍ତ୍ର ବ୍ୟବସ୍ଥାକୁ ସମ୍ମାନ ଦେଉ ନଥିବାରୁ ସଠିକ ଭାବେ ପରିଚାଳିତ ହେଉ ନ ଥିବାରୁ ଚଳିତ ବର୍ଷ ମଧ୍ୟ ସେହିଭଳି ଦେଖିବାକୁ ମିଳୁଛି। ନୂଆବର୍ଷ-୨୦୨୩ର ପ୍ରଥମ ୮ ଦିନ ଭିତରେ ୩ ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିସାରିଛନ୍ତି। ଦେଶର ଅନ୍ୟ କୌଣସି ରାଜ୍ୟରେ ଏହିଭଳି ଦୁର୍ନୀତି ହେଉ ନଥାଇପାରେ।
କୁକୁଡ଼ା ଖିଆ ରାଜସ୍ବ ନିରୀକ୍ଷକ
ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ୫ ହଜାର ଟଙ୍କା ନଗଦ ସହ ୨କେଜିଆ କୁକୁଡ଼ା ଲାଞ୍ଚ ନେଉଥିବା ଅଭିଯୋଗରେ ସହକାରୀ ରାଜସ୍ବ ନିରୀକ୍ଷକ (ଏଆର୍ଆଇ)ଙ୍କୁ ଗତ ୭ ତାରିଖ ଦିନ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଗଦୀଶ ବେହେରା ନବରଙ୍ଗପୁର ଜିଲ୍ଲା ସାନମସିଗାଁ ରାଜସ୍ବ ସର୍କଲରେ କାର୍ଯ୍ୟରତ ଅଛନ୍ତି। ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଶ୍ରୀ ବେହେରା ସାନମସିଗାଁ ଗ୍ରାମର ବୈଜୟନ୍ତୀ ଭତ୍ରା ନାମକ ଜଣେ ମହିଳାଙ୍କଠାରୁ ଆଜି ୫ ହଜାର ଟଙ୍କା ସହିତ ଗୋଟିଏ କୁକୁଡ଼ା ନେଉଥିଲା ବେଳେ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଟିମ୍ ଅତର୍କିତ ଭାବେ ଚଢ଼ଉ କରିଥିଲେ।
୫ ଲକ୍ଷ ନେଇ ବୁଲେଟ୍ରେ ଫେରୁଥିଲେ
ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ବିଭାଗ ଧରିଛି। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଗତ ୮ ତାରିଖ ରାତିରେ ତାଙ୍କଠାରୁ ଅନୈତିକ ଉପାୟରେ ଆୟ କରିଥିବା ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଥିଲା। ଶ୍ରୀ ନାୟକ ନିଜ ବୁଲେଟରେ ନଗଦ ୫ ଲକ୍ଷ ୪,୫୬୦ ଟଙ୍କା ନେଇ ଭଡ଼ାଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ବାଟରେ ଅଟକାଇଥିଲା। କେଉଁ ସୂତ୍ରରୁ ସେ ଆୟ କରିଛନ୍ତି, ସେନେଇ ଶ୍ରୀ ନାୟକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।ଏହାପରେ ଭିଜିଲା୍ସ ଟିମ୍ ତାଙ୍କର ଭଡ଼ାଘରେ ଚଢ଼ଉ କରିଥିଲା।
କୋଟିପତି ଯନ୍ତ୍ରୀ
ଚଳିତ ବର୍ଷ ଏପର୍ଯ୍ୟନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଆର୍ଡବ୍ଲୁଏସ୍ଏସ୍ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ଦୁର୍ନୀତିର ପାହାଡ଼ରେ ଛିଡ଼ା ହୋଇଥିବା ଶ୍ରୀ ସାହୁ ରାଜଧାନୀ ଭୁବନେଶ୍ବରରେ ଆଲିସାନ ଘର ପାଇଁ ପ୍ଲାନ, ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କା, ସୁନା ଗହଣା। ପ୍ଲଟ ଉପରେ ପ୍ଲଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଚଢ଼ଉ ପାଇଁ ନିର୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦେଶ କ୍ରମେ କଟକର ୬ ଜଣିଆ ଭିଜିଲାନ୍ସ ଟିମ୍ ଶ୍ରୀ ସାହୁଙ୍କ ପର୍ଜଙ୍ଗ ବ୍ଲକ୍ ଡିହଡୋଳ ଗ୍ରାମସ୍ଥିତ ପୈତୃକ ବାସଭବନ ସମେତ ଖଣ୍ଡଗିରିସ୍ଥିତ ଆର୍ଡବ୍ଲୁଏସ୍ଏସ୍ ଡିଭିଜନ ଅଫିସ୍, ଆଇଗିଣିଆlରେ ଘର, ଶ୍ବଶୁର ଘର, ଅନୁଗୁଳ ଆଦି ୬ଟି ସ୍ଥାନରେ ଚଢ଼ଉ କରିଥିଲେ।