ବିମାନ ଦୁର୍ଘଟଣାର କାରଣ ଯନ୍ତ୍ର ନା ମଣିଷ

0
36
Spread the love

ଭୁବନେଶ୍ବର: ଭାରତର ପଡ଼ୋଶୀ ନେପାଳରେ ରବିବାର ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ନେପାଳର ବିମାନ ଦୁର୍ଘଟଣା ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଛି। ନେପାଳରେ ୧୯୬୯ ଜୁଲାଇରୁ ଆରମ୍ଭ କରି ୨୦୨୩ ଜାନୁଆରି ୧୫ ଭିତରେ ଅନେକ ଥର ବିମାନ ଦୁର୍ଘଟଣା ଦେଖିବାକୁ ମିଳିଛି। ଏହି ୫୩ ବର୍ଷର ସମୟ ମଧ୍ୟରେ ୫୮୪ ଜଣ ବିମାନ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୪ ଜଣ ଭାରତୀୟ ନାଗରିକ ଥିଲେ।

ନେପାଳର ପୋଖରାରେ ୟେତି ଏୟାରଲାଇନ୍ସର ATR-72 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି କାଠମାଣ୍ଡୁରୁ ପୋଖରା ପାଇଁ ଉଡ଼ିଥିଲା। ଏଥିରେ ମୋଟ ୪ ଜଣ କ୍ରୁ ସଦସ୍ୟ ଓ ୫ ଭାରତୀୟଙ୍କ ସମେତ ୬୮ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପୁଣି ଚର୍ଚ୍ଚା ହେଉଛି ଯେ, ଏହି ଦୁର୍ଘଟଣା ଟେକ୍ନିକାଲ ସମସ୍ୟା ନାଁ ମନୁଷ୍ୟକୃତ ଭୁଲ? ଘଟଣାର ପୂରା ତଦନ୍ତ ପରେ ଏହା ଜଣାପଡ଼ିବ।

ଦୁର୍ଘଟଣାର କାରଣ ଭୁଲ ପରିଚାଳନା କି?

ନେପାଳରେ ବିମାନ ଦୁର୍ଘଟଣା ନୂଆ କଥା ନୁହେଁ। ଅତୀତରେ ମଧ୍ୟ ଏହିଭଳି ଅନେକ ଦୁର୍ଘଟଣା ଘଟିଥିବା ଉଦାହରଣ ରହିଛି। ବିଗତ କିଛି ବର୍ଷ ମଧ୍ୟରେ ବଡ଼ବଡ଼ ବିମାନ ଦୁର୍ଘଟଣା ଘଟୁଛି। ବିମାନଗୁଡ଼ିକର ଫିଟନେସ ହେଉ ଅଥବା ଚାଳକଙ୍କ ଅବହେଳା କାରଣରୁ ବାରମ୍ବାର ଏହିପରି ଅଘଟଣ ଘଟୁଥିବା ସନ୍ଦେହ ରହୁଛି। ବିମାନ ଦୁର୍ଘଟଣା ନେଇ ତଦନ୍ତକାରୀ ଟିମ୍‌ର କହିଛି ଯେ, ବିମାନର କିଛି ଅଂଶ ସାମାନ୍ୟ ଉପରକୁ ଉଠୁଥିଲା ଏବଂ ପୁଣି ଏହାର ପଙ୍ଖା ତଳକୁ ହୋଇଯାଇଥିଲା। ତେଣୁ ସନ୍ଦେହ ହେଉଛି ଯେ, ଭୁଲ ପରିଚାଳନା, ବିମାନ ପ୍ରଣାଳୀର ଖରାପ ତଥା ପାଇଲଟ ଥକିପଡ଼ିବା କାରଣରୁ ଦୁର୍ଘଟଣା ହୋଇଥାଇପାରେ।

ପୂର୍ବରୁ ୨ଟି ବଡ଼ଧରଣର ଦୁର୍ଘଟଣା

୨୦୨୩ ଜାନୁଆରି ୧୫ ପୂର୍ବରୁ ନେପାଳରେ ୨ଟି ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଏଥିରେ ୨୮୦ ଜଣଙ୍କର ମୃତ୍ୟୁ ଘଟିଛି। ୧୯୯୨ ମସିହା ସେପ୍ଟେମ୍ବର ମାସରେ ଏୟାରବସ ଏ୩୦୦ ପାକିସ୍ତାନରୁ ବାହାରିଥିଲା। କରାଚିରୁ ଉଡ଼ିଥିବା ବିମାନ କାଠମାଣ୍ଡୁରେ ଅବତରଣ କରିବାର ୧୧କିମି ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳସ୍ବରୂପ ୧୬୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଥାଇ ଏୟାରୱେଜ୍‌ ଦ୍ବାରା ପରିଚାଳିତ ଏୟାରବସ ୧୯୯୨ ମସିହା ଜୁଲାଇ ମାସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି କାଠମାଣ୍ଡୁଠାରୁ ୩୭ କିମି ଦୂରରେ ଥିବା ଏକ ପାହାଡ଼ରେ ବିମାନଟି ଶକ୍ତ ଧକ୍କା ଦେବାରୁ ୯୯ ଜଣ ଯାତ୍ରୀଙ୍କ ସମେତ ୧୧୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।

୧୬ ଥର ବିମାନ ଦୁର୍ଘଟଣା

ନେପାଳ ଇତିହାସରେ ବିଗତ ୫୨ ବର୍ଷ ମଧ୍ୟରେ ଛୋଟ ଓ ବଡ଼ଧରଣର ୧୬ ଥର ବିମାନ ଦୁର୍ଘଟଣା ଘଟିଛି। ୟେତି ଏୟାରଲାଇନ୍ସ ୨ ଥର ଓ ଏୟାରବସ୍‌ ଏ୩୦୦ ଦୁଇ ଥର ଲେଖାଏଁ ଦୁର୍ଘଟଣାର ସାମ୍ନା କରିଛି। ବିମାନ ଦୁର୍ଘଟଣାରେ ହେଲିକପ୍ଟର ମଧ୍ୟ ସାମିଲ ରହିଛି। ନେପାଳର ଭୌଗଳିକ ଅବସ୍ଥିତି ହେଲା ପାହାଡ଼ିଆ। ଅନ୍ୟପଟରେ ହିମାଳୟର ନିକଟତର ହୋଇଥିବାରୁ ପାଗ ମଧ୍ୟ ମେଘୁଆର ରହିଥାଏ। ଅତୀତରେ ଯେତେସବୁ ବିମାନ ଦୁର୍ଘଟଣା ଘଟିଛି ପାହାଡ଼କୁ ଧକ୍କା ଦେଇ ହୋଇଛି।

LEAVE A REPLY