ପଡ଼ୋଶୀରେ ବିକିଲେ ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ

0
19
Spread the love

ଭୁବନେଶ୍ବର: ସମୟ ବଦଳି ଯାଇଛି। ଏହି ପରିବର୍ତ୍ତନ ଭିତରେ ଲୋକେ ଶରୀରରୁ ଝାଳ ନବୁହାଇ ବଡ଼ ଲୋକ ହେବାକୁ ଚାହାନ୍ତି। କମ୍‌ ପରିଶ୍ରମ ଏବଂ ରାତାରାତି ଅଜସ୍ର ଧନସଂପତ୍ତିର ମାଲିକ ହେବା ପାଇଁ ଅଭନବ ଉପାୟ ଚିନ୍ତା କରନ୍ତି। ତେବେ କମ ସମୟ ଭିତରେ ବିତ୍ତଶାଳୀ ହେବା ପାଇଁ କିଛି ଲୋକ ଅସାଧୁ ଉପାୟ ଅବଲମ୍ବନ କରନ୍ତି, ଯେଉଁଥିରେ ସାମିଲ ରହିଛି ଚୋରି, ଡକାୟତି, ରାହାଜାନୀ, ଲୁଟ୍‌, ହତ୍ୟା, ମିଥ୍ୟା ଆଦି। ମୋଟାମୋଟି ଭାବେ କହିବାକୁ ଗଲେ କମ ସମୟ ମଧ୍ୟରେ ଲକ୍ଷପତି ହେବାକୁ ହେଲେ ବିନା ଅସାଧୁ ଉପୟରେ ସମ୍ଭାବନା କମ୍‌।

ଦୋକାନ ତାଡ଼ିବା, ବାଇକ ଡିକି ଭାଙ୍ଗିବା, ରାସ୍ତାରେ ଯାଉଥିବା ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିବା ତଥା ବ୍ୟାଙ୍କରୁ ଟଙ୍କା ଲୁଟ୍‌ କରିବା ଘଟଣା ସାଧାରଣ ଘଟଣା ହୋଇଗଲାଣି। ହେଲେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରଖାଯାଇଥିବା ପାଇପ୍‌ଗୁଡ଼ିକ ଚୋରି ହୋଇଯିବା, ନିଶ୍ଚିତ ରୂପେ ବିରଳ। ବିଗତ କିଛି ମାସ ମଧ୍ୟରେ ରାଜ୍ୟରେ ୨ଟି ଏହି ଭଳି ଘଟଣା ଦେଖିବାକୁ ମିଳିଛି। ଗୋଟିଏ ରାୟଗଡ଼ା ଜିଲ୍ଲା ବିଷମକଟକରେ ହୋଇଥିବା ବେଳେ ଅନ୍ୟ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ। ଚୋରମାନେ ଓଡ଼ିଶାର ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରଖାଯାଇଥିବା ପାଇପକୁ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ବିକି ଦେଇଥିଲେ। ମାତ୍ର ପୁଲିସ ଘଟଣାକୁ ବାହାରକୁ ଆଣିଥିଲା।

୩୮ ଲକ୍ଷ ପାଇପ୍‌ ଚୋରି

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର କୁମ୍ଭାରଢ଼ାମୁଣି ପଞ୍ଚାୟତରେ ମେଗା ପାନୀୟ ଜଳ ପକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ମେଗା ପାନୀୟ ଜଳ ପକଳ୍ପ ନିର୍ମାଣ କାର୍ଯ୍ୟରେ ବିଛାଯାଇଥିବା  ୩୫୪ଟି କାଷ୍ଟ ଆଇରନ୍ ପାଇପ ସେଠାରୁ ଚୋରି ହୋଇଥିଲା। ଚୋରି ପାଇପ୍‌ର ମୂଲ୍ୟ ୩୮ ଲକ୍ଷ ଟଙ୍କା। ଏ ନେଇ ମେଗା ପ୍ରକଳ୍ପର ଠିକାଦାର ଗତ ଡିସେମ୍ବର ମାସ ୨୪ତାରିଖରେ ଏବଂ ଜାନୁୟାରି ମାସ ୪ତାରିଖରେ ୨ଟି ଏତଲା  ଥାନାରେ ଦିଆ ଯାଇଥିଲା। ମାମାଲ ରୁଜୁ ହେବା ପରେ ପୁଲିସ ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ସନ୍ଦିଗ୍ଧମାନଙ୍କ କଲ ରେକର୍ଡକୁ ଟ୍ରାକ୍ କରି ଗତ ୨୩ତାରିଖ ଦିନ ବିଷମ କଟକ ପୁଲିସର ଏକ ଟିମ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍କୁ ଯାଇ ସେଠାକାର ପୁଲିସ ସହାୟତାରେ ଶ୍ରୀଗଣେଶ ପ୍ରାଇଭେଟ୍ ଲିମିଟେଡ କଂମ୍ପାନି ଉପରେ ଚଢ଼ାଉ କରି ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରି ବିଷମ କଟକ ଆଣିଥିଲା। ଏହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

୩୫ ଲକ୍ଷ ପାଇପ୍‌ ନେଇଗଲେ

ସେହିପରି ଗତବର୍ଷ ଜୁଲାଇ ୧୬ ତାରିଖ ରାତିରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଆମଲିପାଣି ଛକ ନିକଟ ଏକ ଅନ୍ଧାରୁଆ ସ୍ଥାନରୁ ୨୬ ଜଣ ଦୁର୍ବୃତ୍ତ ୫୫୦ ଖଣ୍ଡ ପାଣି ପାଇପ୍ କୋରି କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା। ରେଢ଼ାଖୋଲ ଉପଖଣ୍ଡର ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମେଗା ପାନୀୟ ଜଳ ପ୍ରକଳ୍ପ ଅଧୀନରେ ଠିକା ସଂସ୍ଥା ପକ୍ଷରୁ ଏହି ଛକ ନିକଟରେ ଶିବିର କରାଯାଇଥିଲା। କିନ୍ତୁ ଦୁର୍ବୃତ୍ତମାନେ ୧୦୦ ଏମ୍ଏମ୍‌ ପାଇପ୍ ଚୋରି କରି ନେଇଯାଇଥିଲେ। ଚୋରି ପାଇଁ ଟ୍ରକ୍ଗୁଡ଼ିକ ବ୍ୟବହାର କରାଯାଇଥିଲା। ତେବେ ଚୋରି ନେଇ ଘଟଣାର ପରଦିନ ଜୁଲାଇ ୧୭ ତାରିଖରେ ଠିକା ସଂସ୍ଥା(କେଇସି ଇଣ୍ଟରନ୍ୟାସନାଲ ଲିମିଟେଡ) ର ପରିଚାଳକ ଏମ୍ ସିଦ୍ଧେଶ୍ବରନ ଯୁଯୁମୁରା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ପୁଲିସ ଚୋରି ହୋଇଥିବା ପ୍ରାୟ ୩୫ ଲକ୍ଷ ଟଙ୍କାର ପାଣି ପାଇପ୍ ପଶ୍ଚିମବଙ୍ଗରୁ ଜବତ କରିଥିଲା।

LEAVE A REPLY