ଥାନା ପାଲଟିଲା ବିବାହ ସ୍ଥଳ

0
73

ଭୁବନେଶ୍ବର: ବିବାହ ଏକ ପବିତ୍ର ଶବ୍ଦ ଓ କାମ। ଏହା ମନୁଷ୍ୟ ସମାଜ ଓ ପ୍ରତି ପରିବାରର ଆବଶ୍ୟକତାକୁ ପୂରଣ କରିଥାଏ। ସାମାଜିକ ଦୃଷ୍ଟିକୋଣରୁ ବିବାହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଷେଶ। ବିବାହ ନହେଲେ ସାମାଜିକ ଚାହିଦା ପୂରଣ ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି। ତେବେ ଆଜିକାଲି ବିବାହ ଭଳି କାର୍ଯ୍ୟରେ ଜଟିଳ ପରିସ୍ଥିତ ଦେଖିବାକୁ ମିଳୁଛି।

ଜାତି, ବର୍ଣ୍ଣ, ଅର୍ଥ, ସାମାଜିକ ସ୍ଥିତି ଆଦି ପାଇଁ ବର ଓ କନ୍ୟା ମିଳିବା ଅସୁବିଧା ହେଉଛି। ପରିବାର ଲୋକଙ୍କର ବିନା ସ୍ବୀକୃତିରେ ଯୁବକ-ଯୁବତୀମାନେ ବିବାହ କରିବାକୁ ଚାହୁଁଛନ୍ତି। ପରିବାର ଲୋକେ ବିରୋଧ କଲେ ଆତ୍ମହତ୍ୟା ଘଟଣା ଘଟୁଛି। ଆଉ କିଛି ଯୁବକ-ଯୁବତୀ ଆତ୍ମହତ୍ୟା ଚିନ୍ତା ନକରି ବରଂ ସୁରକ୍ଷା ପାଇଁ ଥାନାରେ ଯାଇ ବିବାହ କରୁଛନ୍ତି। ବିଗତ ଦିନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୁଲିସର ଉପସ୍ଥିତିରେ ଥାନା ପରିସରରେ ବିବାହ କାର୍ଯ୍ୟକ୍ରମ ହୋଇଛି।

ଧାରଣା ପରେ ବିବାହ

କଥାରେ ଅଛି ପ୍ରେମ ଯେତେବେଳେ ସୀମା ଅତିକ୍ରମ କରେ, ସେତେବେଳେ ଆଉ ନୀୟମ କି କୌଣସି ବାଧାକୁ ମାନେ ନାହିଁ। କେନ୍ଦ୍ରାପଡ଼ା ସଦର ଥାନା ପରିସରରେ କିଛିଦିନ ପୂର୍ବରୁ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରେମିକ ଲୁଚିବାରୁ କେନ୍ଦ୍ରାପଡ଼ା କପାଳେଶ୍ୱର ଗାଁରେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିରହିଥିଲେ ପ୍ରେମିକା । ଏନେଇ ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ପ୍ରେମି ଯୁଗଳଙ୍କୁ ସଦର ଥାନାକୁ ଆଣିଥିଲେ। ପୁଲିସ ଉପସ୍ଥିତିରେ ଉଭୟ ଫୁଳମାଳ ଅଦଳବଦଳ କରି ପରସ୍ପରକୁ ସାତ ଜନମର ସାଥୀ କରିଛନ୍ତି ।

ଫେରାର ପରେ ବିବାହ

ସେହିଭଳି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ପରିସରରେ ଫେବ୍ରୁଆରି ଶେଷ ସପ୍ତାହରେ ପ୍ରେମିକ-ପ୍ରେମିକା ନିଜର ୫ ବର୍ଷର ପ୍ରେମକୁ ସାକାର କରିଥିଲେ।  ଉଭୟ ବର ଓ କନ୍ୟା ହାତରେ ବରମାଳା ଜଣେ ଅନ୍ୟଙ୍କୁ ପିନ୍ଧାଥିଲେ। ବିନା ବେଦୀ ଓ ହୋମ କୁଣ୍ଡରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ମିଳନ ହୋଇଥିଲା ଦୁଇଟି ମନ। ପୁଲିସ ଉପସ୍ଥିତରେ ଗୌଡଗାଡ ଗାଁର ଶୁଶୀଳ ସାହୁ ସହିତ ମୁର୍ଷୁଣ୍ଢି ଗାଁର ଲିପସା ସାହୁ ବାହା ହୋଇଥିଲେ। ବିବାହ ପୂର୍ବରୁ ଶୁଶୀଳ ଦୁଇ ଦିନ ଆଗରୁ ଲିପ୍‌ସାକୁ ଧରି ଫେରାର ମାରିଥିଲେ।

ବିନା ବରଯାତ୍ରୀରେ ବାହାଘର

ଗତବର୍ଷ ଅକ୍ଟୋବର ମାସରେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ପରିସରରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ପାଇଁ ବରଯାତ୍ରୀ ଅଥବା ବ୍ୟାଣ୍ଡ ବାଜା ନଥିଲା। କିନ୍ତୁ ବିବାହ ପାଇଁ ଲଭ ବାର୍ଡସ ପ୍ରସ୍ତୁତ ଥିଲେ। କନ୍ୟା ହାତରେ ନା ଲାଗିଥିଲା ମେହେନ୍ଦୀ ନା ବଧୁ ବେଶରେ ସଜେଇ ହୋଇଥିଲେ ବର। କିନ୍ତୁ ଫୁଲମାଲ ଦେଇ ଉଭୟ ପରସ୍ପରକୁ ବିବାହ କରିଥିଲେ। ଲୋଇସିଂହା ଥାନା ଅନ୍ତର୍ଗତ ନଗାଁ(ଖ)ର ଜୈନିକ ଯୁବକଙ୍କୁ ପ୍ରେମ କରୁଥିଲେ ଦେଓଗାଁ ଥାନା ଜରା ସିଂହା ପଞ୍ଚାୟତ ବରକାନି ଗାଁର ଜୈନିକ ଯୁବତୀ। ହେଲେ ଉଭୟ ପ୍ରେମୀ ଯୁଗଳ କିଛିଦିନ ତଳେ ଘରୁ ଫେରାର ହୋଇ ଅନ୍ୟତ୍ର ରହୁଥିଲେ। ପରେ ସେମାନଙ୍କର ପ୍ରେମ ବିବାହର ରୂପ ନେଇଥିଲା।

ପୁଲିସ ସାଜିଲେ ମଧ୍ୟସ୍ଥି

ଦୀର୍ଘ ୨ବର୍ଷ ହେଲା ପ୍ରେମ ସଂପର୍କ ରହିଲା ପରେ ୨୦୧୮ ଜୁନ୍‌ ମାସରେ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ହିକିମପୁଟ ଗ୍ରାମର ଅର୍ଜୁନ ମୁଦୁଲିଙ୍କ ଝିଅ ଡଲି(୨୫) ଓ ରବି ପାଙ୍ଗିଙ୍କ ପୁଅ ସନ୍ତୋଷ(୨୮)। ବିବାହ ପାଇଁ ପ୍ରେମିକ ଜଣକ ମନା କରିବାରୁ ପ୍ରେମିକା ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ପ୍ରେମିକ ରାଜି ହେବାରୁ ସିନ୍ଦୂର ଓ ମଙ୍ଗଳସୂତ୍ର ପିନ୍ଧାଇ ପ୍ରେମିକାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ପ୍ରେମିକ। ଥାନା ଅଧିକାରୀ ଚନ୍ଦ୍ରଶେଖର ଶବରଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିବା ନବଦଂପତିଙ୍କୁ ଆଶୀର୍ବାଦ ଦେଇ ଦୀର୍ଘାୟୁ ଜୀବନ କାମନା କରିଥିଲେ। ଥାନା ପରିସରରେ ପ୍ରେମୀ ଯୁଗଳଙ୍କ ବାହାଘର ଘଟଣା ସମଗ୍ର ନନ୍ଦପୁର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here