ସୁଖୀ ଓଡ଼ିଶାର ସଚିବ-ନେତାଙ୍କୁ କାହିଁକି ବିରୋଧ 

0
16

ଭୁବନେଶ୍ବର: ୧୯୯୯ ମହାବାତ୍ୟା ପରେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଆଥିର୍କ ଅବସ୍ଥା ସୁଧାରିବା ପାଇଁ ୧୦ ବର୍ଷ ଲାଗିଥିଲା। ପରବର୍ତ୍ତୀ ସମୟ ଠାରୁ ଓଡ଼ିଶାର ବିକାଶ ହୋଇଛି। ଓଡ଼ିଶାକୁ ଅନ୍ୟ ରାଜ୍ୟମାନେ ଅନୁସରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କୁ ଅତୀତରେ ଅନେକ ଥର ଏଭଳି ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥାନ୍ତି ଯେ, ଓଡ଼ିଶାର ଲୋକେ ଶାନ୍ତିପ୍ରିୟ। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଦିଗରେ ତାଙ୍କ ସରକାର କାମ କରୁଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବାର୍ତ୍ତା ଯଦି ଠିକ୍ ତେରବେ ତାଙ୍କ ସରକାରରେ ପ୍ରଶାସକ ଓ ନେତାଙ୍କୁ କାହିଁକି ଅଣ୍ଡାମାଡ଼, କାଳିମାଡ଼, କଳାପତାକା ପ୍ରଦର୍ଶନ କରାଯାଉଛି। ରାଜ୍ୟରେ ଅଣ୍ଡାମାଡ଼, କାଳିମାଡ଼ ଓ କଳାପତାକା ପ୍ରଦର୍ଶନ ଅନେକ ଥର ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବାବଦରେ କେବେ ମୁହଁ ଖୋଲି ନାହାନ୍ତି।

ବିଗତ କିଛି ବର୍ଷ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଅଣ୍ଡାମାଡ଼, କାଳିମାଡ଼ ଓ କଳାପତାକା ପ୍ରଦର୍ଶନ ହୋଇଥିବା ଦେଖାଯାଇଛି। ୨୦୧୫ ମସିହା ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟର ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ଅଣ୍ଡାମାଡ଼ ହୋଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହ ଓ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ହୋଇଥିଲା। ତାଙ୍କର ଅନ୍ୟମନ୍ତ୍ରୀଙ୍କୁ ବିରୋଧୀ ବିଜେପି ଓ କଂଗ୍ରେସର କର୍ମକର୍ତ୍ତାମାନେ ବିଭିନ୍ନ ମାମଲାକୁ କେନ୍ଦ୍ର କରି ଅଣ୍ଡାମାଡ଼ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ କାଳିମାଡ଼ ହୋଇଛି। ସେହିପରି ଅଣ୍ଡାମାଡ଼ ଘଟଣାରେ ବିଜେଡିର କର୍ମକର୍ତ୍ତାମାନେ ମଧ୍ୟ ଜଡ଼ିତ ରହିଛନ୍ତି। ଗତମାସ ୨୫ ତାରିଖରେ ବିଜେଡି କର୍ମକର୍ତ୍ତାଙ୍କ ଦ୍ବାରା ଅଣ୍ଡାମାଡ଼ର ଶିକାର ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ଆମେ ବିକଶିତ କି?

ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କହିବା ଅନୁସାରେ ସୁଖୀ ଓଡ଼ିଶାରେ ହିଂସାତ୍ମକ ଗତିବିଧି କାହିଁକି ଦେଖାଯାଉଛି, ତାହା ବୁଦ୍ଧିଜୀବୀମାନଙ୍କୁ ବ୍ୟଥିତ କରୁଛି। ପ୍ରକୃତରେ ଓଡ଼ିଶାର ଲେକେ ସୁଖୀ ଅଛନ୍ତି, ନାଁ ଶାସକ ଦଳର ନେତାମାନେ ସୁଖୀରେ ଜୀବନ ବିତାଉଛନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିରୋଧୀମାନେ କିଛି ଘଟଣାକୁ ପ୍ରସଙ୍ଗ କରି ସରକାରଙ୍କୁ ବିରୋଧ କରୁଛନ୍ତି, ଏହା ଚରମ ସତ୍ୟ। ଲଗାତାର ୨୩ ବର୍ଷର ସରକାରରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ରୋଜଗାର ଯେଉଁଭଳି ବିକାଶ ହେବାର କଥା ହେବା କଥା, ତାହା ହୋଇପାରି ନାହିଁ। ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚି ସାରିଥିବା ବେଳେ ମହିଳାମାନଙ୍କୁ ଉଚିତ ନ୍ୟାୟ ମିଳିପାରୁ ନାହିଁ। ରାଜ୍ୟର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଖୋଲନ୍ତି ନାହିଁ।

ରାଜ୍ୟରେ ଅଭାବ ଅନେକ

ରୂପାନ୍ତରିତଣ ନାଁରେ ବ୍ୟାପକ ଦୁର୍ନୀତି, ଜାଲ ସାର୍ଟିଫିକେଟରେ ସରକାରୀ ଚାକିରି, ରାସ୍ତାଘାଟ ଅଭାବରୁ ଦୁର୍ଗମ ଗାଁକୁ ଆମ୍ବୁଲାନ୍ସ ଯାଇ ନପାରି ଗର୍ଭବତୀଙ୍କ ମୃତ୍ୟୁ, ଲାଞ୍ଚ ନଦେଲେ କୌଣସି କାମ ହୋଇନପାରିବା, ଡାକ୍ତରଖାନାରେ ରୋଗୀଙ୍କୁ ସର୍ମନିମ୍ନ ସୁବିଧା ନମିଳିପାରିବା, ଶିକ୍ଷିତ ବେକାରୀ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବା, ବର୍ଷା ଭରସାରେ ଚାଷୀମାନେ ଚାଷ କାମ କରିବା ଇତ୍ୟାଦି କ’ଣ ସୁଖୀ ଓଡ଼ିଶାର ପରିଭାଷା କି? ଏସବୁ କାରଣରୁ ନେତା ଓ ସଚିବଙ୍କୁ ବିରୋଧୀମାନେ ଅଣ୍ଡାମାଡ଼  ଓ କଳାପତାକା ପ୍ରଦର୍ଶନ କରୁଛନ୍ତି। ଗତ ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ସୁବର୍ଣ୍ଣପୁର, ବୌଦ୍ଧ, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଅଣ୍ଡାମାଡ଼, କାଳିମାଡ଼ ସହିତ କଳାପତାକା ପ୍ରଦର୍ଶନ କରାଯାଇଛି। ଯଦିଓ ଏହା ରାଜନୀତି ସହିତ ସଂପୃକ୍ତ ତଥାପି ସୁଖୀ ଓଡ଼ିଶାର ଏଭଳି ଅପ୍ରୀତିକର ଘଟଣା ରୁଚିକର ନୁହେଁ।

ନିଜ ଜିଲ୍ଲାରେ କ୍ୟାପଟେନ୍‌ଙ୍କୁ ପୁଣି ବିରୋଧ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍‌ରେ ବିଚାରଧୀନ କଏଦୀ ଭାବେ ଥିବା ବେଳେ ମୃତ୍ୟୁ ପରେ ଏହି ଘଟଣାକୁ ଲୋକେ ପ୍ରାୟତଃ ଭୁଲି ଯାଇଥିବା ବେଳେ ନର୍ଲାରେ ଛାତ୍ରକଂଗ୍ରେସ ଓ ଯୁବକଂଗ୍ରେସ କର୍ମକର୍ତ୍ତାମାନେ ଆଜିବି ମନେ ରଖିଛନ୍ତି। କଂଗ୍ରେସର ଯୁବ ସଦସ୍ୟମାନେ ମଙ୍ଗଳବାର କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରି ଅଣ୍ଡାମାଡ଼ କରିଛନ୍ତି। ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ନର୍ଲାରେ ଆୟୋଜିତ ଗୁରୁଦିବସ କାର୍ଯ୍ୟରେ ସାମିଲ ହେବା ପାଇଁ ଆସିଥିବା ବିଧାୟକ ଭୁପିନ୍ଦର ସିଂହଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ଯୁବକଂଗ୍ରେସ କର୍ମକର୍ତ୍ତାମାନେ କଳାପତାକା ପ୍ରଦର୍ଶନ ମଧ୍ୟ କରିଛନ୍ତି। ମମିତା ମେହେରଙ୍କ ପରିବାରକୁ ଉଚିତ ନ୍ୟାୟ ମିଳି ନଥିବା ସେମାନେ ଦାବି କରିଛନ୍ତି। ଏକ ସୁଖୀ ରାଜ୍ୟର ପରିବାରକୁ ଉଚିତ ନ୍ୟାୟ ମିଳି ନମିଳିବା ପରିତାପର ବିଷୟ ନୁହେଁ କି?

LEAVE A REPLY

Please enter your comment!
Please enter your name here