ମହିଳାଙ୍କ ଶତ୍ରୁ ଧାର୍ମିକ ରୁଢିବାଦୀ

0
335


୨୦୧୭ ମସିହାରେ ମହିଳା କେନ୍ଦ୍ରୀକ ଦୁଇଟି ମାମଲାରେ ରୁଢୀବାଦୀ ଗୋଷ୍ଠୀଙ୍କ ଚରିତ୍ର ପଦାରେ ପକାଇଛି । ଗୋଟିଏ ହେଲା ଡେରା ସଚ୍ଚା ସୌଦା ରାମ ରହିମଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଏବଂ ଅନ୍ୟଟି ତ୍ରିପଲ ତଲାକ । ଉଭୟ ମାମଲାରେ ରୁଢିବାଦ ବିଚାର ଆଧାରିତ ଗୋଷ୍ଠୀ ଏବଂ ରାଜନୈତିକ ଦଳଙ୍କ ଭୂମିକାର ଘୁଣ୍ୟତାକୁ ଯେତିକି ସମାଲୋଚନା କରାଯାଇପାରେ ସେତିକି କମ ହେବ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ବିଶେଷ ଆଲୋଚନା ଯୋଗ୍ୟ । ତ୍ରିପଲ ତଲାକର ରାୟକୁ ପ୍ରଧାନମନ୍ତ୍ରୀ ଯେଉଁଭଳି ହର୍ଷ ଉଲ୍ଲାସରେ ଗ୍ରହଣ କଲେ, ଏହାକୁ ବିତର୍କ ଆଣିବାରେ ଯେଉଁ ଭୂମିକା ନେଲେ ଡେରା ସଚା ସୌଦା ରାମରହିମଙ୍କ ଦୁଷ୍କର୍ମ ମାମଲାକୁ ସେହିଭଳି ଗୁରୁତ୍ୱହୀନ କରି ଦେଲେ । ରାୟ ଘୋଷଣା ପରେ ରାମ ରହିମ ଯେଉଁଭଳି ହିଂସ୍ରତା ପ୍ରଦର୍ଶନ କଲେ, ଏହା ପରେ ତାଙ୍କ ବିରୋଧରେ ମାମଲା ଦାୟର କରିଥିବା ଉଭୟ ମହିଳାଙ୍କ ସାହସିକତାକୁ ନିଶ୍ଚିତ ଭାବରେ ଶହେ ଥର ସଲାମ କରାଯାଇ ପାରେ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରୀ ଏହା କରି ନାହାନ୍ତି । ବରଂ ବିଜେପି ସାଂସଦ ସାକ୍ଷୀ ମହାରାଜ ରାମ ରହିମ ଦୁଷ୍କର୍ମ ମାମଲାରେ କୋର୍ଟର ରାୟ ନେଇ ପରୋକ୍ଷରେ କୋର୍ଟକୁ ଧମକ ଦେଇଛନ୍ତି ।

Women Standing Near River

ଅନ୍ୟଦିଗରେ ତ୍ରିପଲ ତଲାକରେ ସରକାରଙ୍କ ଠାରୁ ବାହା ବାହା ନେଇଥିବା ଆବେଦନକାରୀ ମହିଳା ଧାର୍ମିକ ଗୋଷ୍ଠୀ ଠାରୁ ରୋଷର ଶିକାର ହୋଇଛନ୍ତି । ଏପରିକି ତାଙ୍କ ବିରୋଧରେ ‘ତୱା ଜାରି କରାଯାଇଛି । ଏହି ଦୁଇ ମାମଲା କେବଳ ସାଧାରଣ ମାମଲା ନୁହେଁ ଭାରତର ମୁସଲମାନ ଏବଂ ଦଳିତମହିଳାଙ୍କ ସ୍ଥିତି ଏବଂ ଧାର୍ମିକ ରୁଢିବାଦୀଙ୍କ ଚକ୍ଷୁରେ ମହିଳା ସ୍ଥିତିକୁ ବର୍ଣନା କରୁଛି ।

ଉଚ୍ଚତମ ନ୍ୟାୟାଳୟର ଏହି ରାୟ ଏବଂ ଲୋକସଭାରେ ବିଲ ପାରିତ ପରେ ଭାରତୀୟ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଦୀର୍ଘ ଦିନ ଧରି ଚାଲୁଥିବା ତିନି ତଲାକ ଅବସାନ ଘଟିବ ବୋଲି ଆଶା କରାଯାଉଛି । ଏହି ରାୟ ନେଇ ଅଣମୁସଲମାନ ଯେଉଁଭଳି ଉଲ୍ଲସିତ ଅଛନ୍ତି, ସାଧାରଣ ମୁସଲମାନ ସେଭଳି ଖୁସି ଥିବା ଜଣା ପଡୁ ନାହିଁ । ବରଂ ତିନି ତଲାକ ନେଇ ଭୁଲ ଚିତ୍ର ଦିଆଯାଉଥିବା କୁହାଯାଏ । ସରିୟାତ ଅନୁଯାୟୀ ଜଟିଳ ପ୍ରକ୍ରିୟା ଦେଇ ତଲାକ ଗତି ପରେ ନ୍ୟୁନତମ ଏକ ବର୍ଷ ଏଥିପାଇଁ ଲାଗେ । ଇସଲାମରେ ମଧ୍ୟ ବ୍ୟାପକ ସଚେତନତାର ଅଭାବ ଯୋଗୁଁ ମହିଳାଙ୍କୁ ତଲାକେ ବିଦଦତ ବା ତିନି ତଲାକର ମାଡ ସହିବାକୁ ପଡୁଛି । ଭଦ୍ରକରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଏହାର ଉଦାହରଣ ରହିଛି । ଇସଲାମ ବିବାହ ବିଚ୍ଛେଦ ଆଇନ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Lady in Beach Silhouette during Daytime Photography

ଏକାଥରକେ ତିନି ଥର ତଲାକ କହିବା ଅପେକ୍ଷା କୋର୍ଟରେ ବିବାହ ବିଚ୍ଛେଦ ସ୍ୱାଗତ ଯୋଗ୍ୟ ହେଲେ ମଧ୍ୟ ଏହା ସେମାନଙ୍କ ସମସ୍ୟା ସମାଧାନ କରିବ ନାହିଁ । ଯେଉଁ ହିନ୍ଦୁ ମହିଳାଙ୍କ ବିବାହ ବିଚ୍ଛେଦ କୋର୍ଟରେ ହେଉଛି, ସେମାନେ ଯେଉଁଭଳି ଭାବରେ ଥାନା ଏବଂ କୋର୍ଟର ଜଟିଳ ପ୍ରକ୍ରିୟା ଦେଇ ଯାଉଛନ୍ତି ସେମାନେ ତାର କଷ୍ଟ କଥା କହିପାରିବେ । ସେମାନଙ୍କ ମଧ୍ୟରୁ ଅଳ୍ପ ସଚେତନ ମହିଳାହିଁ ତାର ଲାଭ ଉଠାଇ ପାରୁଛନ୍ତି । ବିନା ବିଚ୍ଛେଦରେ ଅନେକ ବିବାହିତା ମହିଳା ସ୍ୱାମୀ ପରିତ୍ୟକ୍ତା ହେଉଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦା ବେନ ଜଣେ ଉଦାହରଣ । ଏପରିକି ସନ୍ତାନଥାଇ ମଧ୍ୟ ସ୍ୱାମୀମାନେ ଦାୟିତ୍ୱ ଗ୍ରହଣ ନକରିବା ଘଟଣା ମଧ୍ୟ କମ ନୁହେଁ । ତିନି ତଲାକର କଳଙ୍କିତ ପ୍ରଥାକୁ ଅବସାନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ମାତ୍ର ଏତିକିରେ ସେମାନଙ୍କ ଦୟନିୟତା ସମାପ୍ତ ହେବ ନାହିାଁ ମୁସଲମାନ ମହିଳାଙ୍କ ବିପର୍ଯୟ ସ୍ଥିତି ସମସ୍ତେ ଜାଣନ୍ତି । ସଚ୍ଚର କମିଟି ରିପୋର୍ଟରେ ଏହା ସ୍ପଷ୍ଟ ମଧ୍ୟ ହେଉଛି । ମାତ୍ର ଏ ନେଇ ଠୋସ ଆଲୋଚନା ଏବଂ ନିରାକରଣ ପାଇଁ ପଦକ୍ଷେପ ନିଆଯାଇ ନାହିଁ ।

ସଚ୍ଚର କମିଟି ରିପୋର୍ଟ ଅନୁସାରେ, ଭାରତରେ ମୁସଲମାନ ମହିଳାଙ୍କ ସ୍ଥିତି ଅତି ନିରାଶଜନକ ରହିଛି । ବିରାଟ ସଂଖ୍ୟାରେ ମହିଳା ବର୍ତ୍ତମାନ ମଧ୍ୟ ପାରମ୍ପରିକ ବିଚାରଧାରାରେ ବନ୍ଦୀ ଅଛନ୍ତି । ଦେଶର ୬୯.୭୫ ପ୍ରତିଶତ ମୁସଲିମ ମହିଳା ପ୍ରାଥମିକ ଶିକ୍ଷା ପରେ ତାଙ୍କ ଝିଅମାନଙ୍କୁ ପଢାଇବା ପାଇଁ ଚାହାନ୍ତି ନାହିଁ । ମଧ୍ୟବିତ୍ତ ପରିବାରରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ସେମାନଙ୍କୁ ଚାକିରି କରିବାର ଅନୁମତି ନାହିଁ । ଏଥିରେ ସମ୍ପ୍ରଦାୟର ସମ୍ମାନ ହାନୀ ହେବାର ସମ୍ଭାବନା ରହିଛି । ଏଠାରେ ଅଧିକାଂଶଙ୍କ ମତ, ଘରର ଚାରିକୋଣହିଁ ମହିଳାଙ୍କ ପାଇଁ ସର୍ବାଧିକ ସୁରକ୍ଷିତ ସ୍ଥାନ ଅଟେ । ଶିକ୍ଷା ଯାହାକି ଯେକୌଣସି ସମ୍ପ୍ରଦାୟର ସାମାଜିକ ମାନଦଣ୍ଡ ଅଟେ, ଭାରତରେ ମୁସଲମାନମାନଙ୍କ ଶିକ୍ଷା ସ୍ଥିତି ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଠାରୁ ମଧ୍ୟ ଦୟନୀୟ । ୨୦୦୧ ଜନଗଣନା ଅନୁସାରେ, ମୁସଲମାନମାନଙ୍କ ଶିକ୍ଷାଗତ ହାର ମାତ୍ର ୬୫ ପ୍ରତିଶତ । ଏଥିମଧ୍ୟରୁ ମହିଳା ଶିକ୍ଷାଗତ ହାର ମାତ୍ର୫୩.୭ ପ୍ରତିଶତ । ଆମ ଦେଶରେ ଲେଖିପଢି ନଜାଣି କେବଳ ନାମ ଲେଖିଦେଲେ ମଧ୍ୟ ସେମାନଙ୍କୁ ଶିକ୍ଷିତ ପର୍ଯ୍ୟାୟଭୁକ୍ତ କରାଯାଏ ।

Free Stock Photos of Women · Pexels · Free Stock Photos

ଏଭଳି ସ୍ଥିତିରେ କେତେ ମହିଳା ପ୍ରକୃତରେ ଶିକ୍ଷିତ ଥିବେ ଅନୁମାନ କରାଯାଇ ପାରେ । ଗ୍ରାମାଞ୍ଚଳରେ ଶିକ୍ଷାର ହାତ ୫୮.୭ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୭୯.୯ ପ୍ରତିଶତ । ସ୍କୁଲରେ ଏହି ଛାତ୍ର-ଛାତ୍ରୀଙ୍କ ଉପସ୍ଥାନ ୬୫ ପ୍ରତିଶତ । ଏଥିମଧ୍ୟରୁ ଛାତ୍ରୀ ଉପସ୍ଥାନ ଉଲ୍ଲେଖ କରାଯାଇ ନାହିଁ । ଉଚ୍ଚ ଶିକ୍ଷାରେ ମୁସଲମାନ ଛାତ୍ରୀଙ୍କ ଅଧାରୁ ପାଠ ଛାଡିବା ସଂଖ୍ୟା ସର୍ବାଧିକ ରହିଛି । ଅନେକ ମୁସଲମାନ ପରିବାର ମଧ୍ୟରେ ବିଚାରଧାରା ରହିଛି, ଝିଅମାନଙ୍କ ପାଇଁ ପାଠ ପଢା ଜରୁରି ନୁହେଁ । ଏଥିସହିତ ମହିଳା ଛାତ୍ରାବାସ ଅଭାବ, ଶିକ୍ଷୟତ୍ରୀଙ୍କ ଅଭାବ, ବୃତ୍ତି ନମିଳିବାରୁ ସେମାନେ ଉପରକୁ ଉଠି ପାରନ୍ତି ନାହିଁ । ଆର୍ଥିକ କାର୍ଯକ୍ଷେତ୍ରରେ ମୁସଲମାନ ମହିଳାଙ୍କ ଅଂଶିଦାର ମାତ୍ର ୨୫ ପ୍ରତିଶତ ଅଟେ । ଗ୍ରାମାଞ୍ଚଳରେ ଯେଉଁଠି ହିନ୍ଦୁ ମହିଳାଙ୍କ ଅଂଶିଦାର ୭୦ ପ୍ରତିଶତ ହେଉଥିବାବେଳେ ମୁସଲମାନ ମହିଳାଙ୍କ ଅଂଶିଦାର ମାତ୍ର ୨୯ ପ୍ରତିଶତ । ଗ୍ରାମାଞ୍ଚଳରେ ସର୍ବାଧିକ ରୁଢିବାଦ ରହିଥିବା ଉଚ୍ଚ ଜାତିରେ ୪୭ ପ୍ରତିଶତ ମହିଳା ବାହାରକୁ ଆସି କାମ କରନ୍ତି ।

ଅନ୍ୟ ଯେକୌଣସି ସମ୍ପ୍ରଦାୟ ଅପେକ୍ଷା ଆର୍ଥିକ କାର୍ଯ୍ୟ କ୍ଷେତ୍ରରେ ମୁସଲମାନ ମହିଳାଙ୍କ ଅଂଶିଦାର ସର୍ବନିମ୍ନ ଅଟେ । ୨୦୧୧ ଜନଗଣନା ଅନୁସାରେ ୧୫ ବର୍ଷ ହେବା ପୂର୍ବରୁ ୧୩.୫ ପ୍ରତିଶତ ଝିଅଙ୍କ ବିବାହ ହୋଇ ସାରିଥାଏ । କମ ବୟସରେ ବିବାହ ଅର୍ଥାତ ସେମାନେ ଶିକ୍ଷାରୁ ବଞ୍ଚିତ ହେବା ସହିତ ଆର୍ଥିକ ଭାବରେ ଆତ୍ମନିର୍ଭରଶୀଳ ହୋଇ ପାରନ୍ତି ନାହିଁ । ଶିଘ୍ର ବିବାହ ଯୋଗୁଁ କମ ବୟସରେ ମା ହୋଇ ଯାଆନ୍ତି । ଏହା ତାଙ୍କ ଜୀବନକୁ ପ୍ରଭାବିତ କରେ । ଇଣ୍ଡିଆ ଟୁଡେରେ ପ୍ରକାଶିତ ତଥ୍ୟ ଅନୁସାରେ, ୫୫ ପ୍ରତିଶତ ମହିଳା ୧୮ ବର୍ଷ ହେବା ପୂର୍ବରୁ ବିବାହ କରନ୍ତି । ୯୫ ପ୍ରତିଶତ ମହିଳା ଅଲଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ନାମ ଶୁଣି ନାହାନ୍ତି । ୮୮ ପ୍ରତିଶତ କାଜି ତାଙ୍କୁ ବିବାହ ବିଚ୍ଛେଦ ନୋଟିସ ଦେଉ ବୋଲି ଚାହାନ୍ତି । ୪୭ ପ୍ରତିଶତ ମହିଳାଙ୍କ ନିକାହନାମା ନାହିଁ, ୭୫ ପ୍ରତିଶତ ଏହାକୁ ପଢି ନାହାନ୍ତି । ୫୩ ପ୍ରତିଶତ ଘରୋଇ ହିଂସାର ଶିକାର ହୁଅନ୍ତି । ୭୫ ପ୍ରତିଶତ ଚାହାନ୍ତି ସେମାନଙ୍କ ବିବାହର ବୟସ ଅନ୍ୟୁନ ୨୧ ବର୍ଷରୁ ଅଧିକ ହେଉ । ୯୨ ପ୍ରତିଶତ ତାଙ୍କ ସ୍ୱାମୀ ଆଉ ଥରେ ବିବାହ କରୁ ଚାହାନ୍ତି ନାହିାଁ ୯୨ ପ୍ରତିଶତ ମୌଖିକ ତଲାକକୁ ବିରୋଧ କରନ୍ତି । ଭାରତୀୟ ମୁସଲମାନ ମହିଳା ଆନ୍ଦୋଳନ ଅନୁସାରେ, ଦେଶର ୯୫ ପ୍ରତିଶତ ମୁସଲମାନ ମହିଳା ଭରଣ ପୋଷଣରୁ ବଞ୍ଚିତ । ସର୍ବଭାରତୀୟ ମୁସଲମାନ ପର୍ସଲ ଲ ବୋର୍ଡ ସଦସ୍ୟା ଉଜମା ନାହିଦ କହନ୍ତି, ଭାରତରେ ମହିଳା ବିଚାର ତିଆରିକାରୀ ହୋଇ ପାରନ୍ତି ନାହିଁ । କିମ୍ବା ନିଜ ଅଧିକାର ଚିହ୍ନିବା ବା ଲଢେଇ କରିବା ସମ୍ଭବ ହୁଏ ନାହିଁ । ।

କେବଳ ୧୦ ପ୍ରତିଶତ ମହିଳା ସ୍ୱାଧୀନ ଭାବରେ ନିଜର ନିଷ୍ପତ୍ତି ନିଅନ୍ତି । ଦୁ୍‌ର୍ଭାଗ୍ୟଜନକ ହେଲା, ସେମାନେ ନିଜ ସମସ୍ୟାକୁ ଅନୁଭବ ମଧ୍ୟ କରି ପାରନ୍ତି ନାହିଁ । ଦକ୍ଷିଣ ଭାରତରେ ମୁସଲମାନ ମହିଳାଙ୍କ ସ୍ଥିତି ଅପେକ୍ଷାକୃତ ଭଲ ରହିଛି । ମୁସଲମାନ ମହିଳାଙ୍କ ସ୍ଥିତିକୁ ନେଇ ବିଭିନ୍ନ ସ୍ଥାନରୁ ସଂଗୃହିତ ତଥ୍ୟ ଅଟେ । ମହିଳାଙ୍କ ଏହି ସ୍ଥିତିରୁ ଧର୍ମନିରପେକ୍ଷତାର ମୁଖା ତଳେ ଲୁଚିଥିବା କଂଗ୍ରେସ ସରକାରଙ୍କ ଛଳନା ମଧ୍ୟ ଧରା ପଡୁଛି । ତ୍ରିପଲ ତଲାକ ଏବଂ ଭରଣାପୋଷଣ ନେଇ ସାହାବାନୋହିଁ ପ୍ରଥମେ ଅଦାଲତର ଆଶ୍ରୟ ନେଇଥିଲେ । ଅଦାଲତ ତାଙ୍କୁ ନ୍ୟାୟ ଦେଇ ବିବାହ ବିଚ୍ଛେଦ ପରେ ପ୍ରତ୍ୟେକ ମହିଳା ଭରଣପୋଷଣ ପାଇବାର ଯୋଗ୍ୟ ବୋଲି କହିଥିଲେ । ରୁଢିବାଦୀ ମୁସଲମାନମାନଙ୍କୁ ଖୁସି କରିବାକୁ ଯାଇ ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତ୍ରିପଲ ତଲାକ ବଳବତ୍ତର କରିଥିଲେ । ଭୋଟ ବ୍ୟାଙ୍କ ପାଇଁ ରୁଢିବାଦୀଙ୍କୁ ଖୁସି କରିବାକୁ ଯାଇ ମୁସଲମାନ ମହିଳାଙ୍କ ସ୍ଥିତିକୁ ଦୃଷ୍ଟି ଦେଇ ନାହାନ୍ତି । ସେମାନଙ୍କୁ ସେହିଭଳି ଦୟନୀୟ ସ୍ଥିତିରେ ଛାଡି ଦିଆଯାଇଛି ।

ଭାରତରେ ମୁସଲମାନ ମହିଳା ଆନ୍ଦୋଳନ ଜରିଆରେ ଯେଉଁଭଳି ମୁସଲମାନ ମହିଳାଙ୍କ ସମସ୍ୟା ଉଜାଗର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡିଶାରେ ସେଭଳି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ । ପ୍ରକୃତରେ ମୁସଲମାନ ମହିଳାଙ୍କ ସ୍ଥିତି ଉନ୍ନତି ପାଇଁ ନରେନ୍ଦ୍ର ମୋଦି ସରକାର ଯଦି ଇଚ୍ଛା ପ୍ରକାଶ କରୁଛନ୍ତି, ମହିଳାଙ୍କ ଏହି ସ୍ଥିତିକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଶିକ୍ଷା ଏବଂ ଚାକିରିରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିକି ଦେଖାନ୍ତୁ । ସେମାନେ କିଭଳି ଘରୁ ବାହାରି ସ୍କୁଲ, କଲେଜ କିମ୍ବା କାର୍ଯ୍ୟକ୍ଷେତ୍ରକୁ ଯିବେ ଏଥିପ୍ରତି ଦୃଷ୍ଟି ଦିଆଯାଉ । ବିଶେଷକରି ସଚ୍ଚର କମିଟି ରିପୋର୍ଟକୁ ମୋଦି ସରକାର ଅଣ୍ଡାଳନ୍ତୁ । ତ୍ରିପଲ ତଲାକରୁ ମୁକ୍ତି ସେମାନଙ୍କ ପ୍ରକୃତ ମୁକ୍ତି ନୁହେଁ । ଏଥିପ୍ରତି ଆହୁରି ଅନେକ କିଛି କରିବାର ଅଛି । ଅନ୍ୟଦିଗରେ ତଲାକ ପ୍ରସଙ୍ଗ ମୁସଲମାନ ମହିଳାଙ୍କୁ ମୁକ୍ତି ମିଳିଲା ବୋଲି ଯେଉଁ ସରକାର ଏବଂ ପ୍ରଧାନମନ୍ତ୍ରୀ ଚିଲ୍ଲାଉଥିଲେ, ଖୁସିରେ ଗଦଗଦ ହୋଇ ପଡିଥିଲେ, ରାମ ରହିମ ପ୍ରସଙ୍ଗରେ ସେ କାହିଁକି ନିରବ ରହିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

କୋର୍ଟ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ ପରେ ତାଙ୍କ ସମର୍ଥକ ଗୁଣ୍ଡାମାନେ ଯେଉଁଭଳି କାଣ୍ଡ ବିହାଇଲେ, ଏଥିରେ ଯେଉଁଭଳି ଭାବରେ ୩୦ଜଣଙ୍କ ମୃତ୍ୟୁ ହେଲା, ଏଥିରେ ରାମ ରହିମ ବିରୋଧରେ ଅଭିଯୋଗ କରିଥିବା ଦୁଇ ମହିଳାଙ୍କୁ କେତେ ଆତଙ୍କିତ କରାଯାଇଥିବ ଏହା ସ୍ପଷ୍ଟ । ସେଥିରୁ ପୁଣି ଜଣେ ମହିଳାଙ୍କ ଭାଇ ଏବଂ ଦୁଷ୍କର୍ମ ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ପ୍ରଥମ ପତ୍ର ପ୍ରକାଶିତ କରିଥିବା ସାମ୍ବାଦିକଙ୍କୁ ହତ୍ୟା କରାଗଲା । ଆହୁରି ମଧ୍ୟ ରାମ ରହିମ ଅଭିଯୁକ୍ତ ଥାଇ ମଧ୍ୟ ମନୋହର କଟ୍ଟର ମୁଖ୍ୟମନ୍ତ୍ରୀ ହେବା ପରେ କ୍ୟାବିନେଟ ସହିତ ତାଙ୍କ ଆଶିର୍ବାଦ ନେବା, ୧୫ ଦିନ ପୂର୍ବରୁ ହରିୟାଣା ମନ୍ତ୍ରୀଙ୍କ ତାଙ୍କୁ ଲକ୍ଷାଧିକ ଡୋନେସନ, ସ୍ୱଚ୍ଛ ଭାରତ ଅଭିଯାନ ସମେତ ବିଭିନ୍ନ ଆଳରେ ପ୍ରଧାନମନ୍ତ୍ରୀ ରାମ ରହିମଙ୍କୁ ପ୍ରଶଂସା କରିଛନ୍ତି । ଏତେ କ୍ଷମତାଶାଳୀ ଏବଂ ଶକ୍ତିଶାଳୀ ଯେଉଁ ବାବା ପଛରେ ଅଛନ୍ତି ତାକୁୁ ଭୟଭିତ ନହୋଇ ଲଢେଇ ଜାରି ରଖିଥିବା ଦୁଇ ମହିଳା କେତେ ହଜାର ଥର ସେଲ୍ୟୁଟର ପାତ୍ର ତାର ହିସାବ ନାହିଁ । ମହିଳା କ୍ରିକେଟରେ ଗୋଟିଏ ଉଇକେଟ ପଡିବା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଟ୍ୱିଟ କରାଯାଉଥିବାବେଳେ ଏତେ ବଡ ସାହାସୀ ମହିଳାଙ୍କୁ କାହିଁକି ସାବାସୀ ମିଳି ପାରୁ ନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ ।

ଡେରା ସଚ୍ଚା ସୌଦା ଏଭଳି ସ୍ଥାନ ଯେଉଁଠି ବର୍ଷାଧିକ ସମୟ ଧରି ସାମାଜିକ ବୈଷମ୍ୟର ଶିକାର ହେଉଥିବା ଦଳିତ ଗୋଷ୍ଠୀ ଏହାର ଅନୁଗାମୀ ହୋଇଛନ୍ତି । ସେହି ଗୋଷ୍ଠୀର ମହିଳାମାନେହିଁ ଏଠାରେ ରହନ୍ତିି । ଡେରା ସଚ୍ଚା ଭଳି ଦେଶରେ ଏଭଳି ଅନେକ ଆଶ୍ରମ ରହିଛି, ଯେଉଁଠି ସାମାଜିକ ସମାନତା ପ୍ରତିଷ୍ଠା ନାଁରେ ଦଳିତମାନଙ୍କୁ ଆକୃଷ୍ଟ କରାଯାଇ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ଜାଲରେ ‘ସାଯାଉଛି । ଏଥିରେ ମୁଖ୍ୟତଃ ମହିଳାମାନେ ମୁଖ୍ୟ ଭାବରେ ଶୋଷଣର ଶିକାର ହେଉଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ସରକାର ଏଭଳି ଧାର୍ମିକ ମାୟାଜାଲ ବୁଣୁଥିବା ଆଶ୍ରମ ଏବଂ ଧର୍ମଗୁରୁଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯିବାର ଦରକାରା ମାତ୍ର କାହିଁକି ବିଜେପି ସରକାର ଏ ନେଇ ରହସ୍ୟଜନକ ଭାବରେ ନିରବତା ଅବଲମ୍ବନ କରୁଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁଠି କଂଗ୍ରେସ ଆଜି ପର୍ଯ୍ୟନ୍ତ ଭୋଟ ବ୍ୟାଙ୍କ ପାଇଁ ମୁସଲମାନ ଧର୍ମଗୁରୁଙ୍କୁ ଖୁସି କରାଉଥିଲା, ଆଜି ବିଜେପି ହିନ୍ଦୁ ଭୋଟ ବ୍ୟାଙ୍କ ପାଇଁ ହିନ୍ଦୁ ଧର୍ମ ଗୁରୁଙ୍କୁ ଖୁସି କରାଉଛି । ଏହା ପ୍ରଥମ ଥର ପାଇଁ ଏଥିପୂର୍ବରୁ ଆଶାରାମ କ୍ଷେତ୍ରରେ ମଧ୍ୟ ବିଜେପି ସେହିଭଳି ଭୂମିକା ନେଇଥିଲା ।

ଭୋଟ ପାଇବା ପାଇଁ ବିଜେପିର ସବୁଠାରୁ ସମ୍ମାନସ୍ପଦ ନେତା ଅଟଳ ବିହାରୀ ବାଜପେୟୀ ଠାରୁ ସମସ୍ତେ ଆଶାରାମର ଗୋଡ ତଳେ ପଡୁଥିଲେ । ଦୁଷ୍କର୍ମ ମାମଲାରେ ଆଶାରାମ ଗିର‘ ହେବା ପରେ ବିଶ୍ୱ ହିନ୍ଦୁ ପରିଷଦ ଖୋଲାଖୋଲି ସମର୍ଥନ କରିଥିଲା । ପ୍ରକୃତରେ ମହିଳାଙ୍କ ପାଇଁ କୌଣସି ଗୋଷ୍ଠୀ, ଧର୍ମ ଏବଂ ରାଜନୈତିକ ଗୋଷ୍ଠୀ କାର୍ଯ୍ୟ କରନ୍ତି ନାହିଁ । ତେଣୁ ମହିଳାଙ୍କୁ ସେମାନଙ୍କ ଶତ୍ରୁଙ୍କୁ ଚିହ୍ନି ନିଜ ପାଇଁ ଲଢେଇ କରିବା ଆଜିର ଆହ୍ୱାନ । ପ୍ରତ୍ୟେକ ଧର୍ମରେ ମହିଳାଙ୍କ ସ୍ଥିତି ଅଳ୍ପ-ବହୁତ ସମାନା ଗୋଟିଏ ମହିଳାଙ୍କ ସ୍ଥିତିରେ ଉନ୍ନତି ମଧ୍ୟ ଅନ୍ୟମାନଙ୍କ ପାଇଁ ମୁକ୍ତିର ବାଟ କଢାଏ । ହିନ୍ଦୁ ଧର୍ମର ଉଚ୍ଚ ଜାତି ମଧ୍ୟରେ ମହିଳା ସମସ୍ୟା ଏବଂ ନିରାକରଣ ପ୍ରସଙ୍ଗ ସୀମିତ ନରହି ଜାତି ଏବଂ ଧର୍ମ ନିର୍ବିଶେଷରେ ସାଙ୍ଗ ହୋଇ ଆଗକୁ ନଗଲେ ପୁରୁଷତନ୍ତ୍ରକୁ ହଟାଇବା ସମ୍ଭବ ହେବ ନାହିଁ ।

(ଏହା ଲେଖିକାଙ୍କ ନିଜସ୍ୱ ମତ ଅଟେ )

ଗାର୍ଗୀ ଶତପଥୀ ଓଡ଼ିଆ ସାମ୍ବାଦିକତାର ଏକ ପରିଚିତ ନାମ । ତାଙ୍କର ବହୁ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ତାଙ୍କ ସହ [email protected] ରେ ଯୋଗାଯୋଗ କରାଯାଇ ପାରିବ ।

Share the article

LEAVE A REPLY