ଡୁଲେଙ୍କ ରାପ୍‌ରେ ଭୋକ, ଦାଦନର ଯାତନା

0
435

ସର୍‌କାର୍‌…

ଜବାବ ଦେ ସର୍‌କାର୍‌

ଜବାବ୍‌ ଦେ ଜବାବ୍‌ ଦେ

ଗର୍ଭବତୀ ମା’ ଗୁଟେ

ପେଟେ ଛୁଆ ଧରିକିନା

ହଜାର ହଜାର କିଲୋମିଟର ଚାଲିକିନା

ଫିରୁଛେ ସେ ଗାଁକେ

ସର୍‌କାର୍‌ ତୁଇ ନାଁ କେ….

ଏହା‌ ହେଉଛି ରାପର୍‌ ଡୁଲେଙ୍କ ରାପ୍‌ ସଙ୍ଗ୍‌। ତାଁକ ରାପ୍‌ରେ ଦାଦନର ଦୁଃଖ, ପେଟର ଜ୍ବାଳା ଜଳ ଜଳ ହୋଇ ଦିଶୁଛି। ସରକାରର ଅପାରଗତା ଆଡ଼କୁ ସେ ବେଶ ସାହାସର ସହ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଡୁଲେ ରାପର୍‌ ଭାବେ ପରିଚିତ ଡୁଲେଶ୍ବର ତାଣ୍ଡିଙ୍କ ଘର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ର ବୋର୍ଡା ଗ୍ରାମରେ। ଡୁଲେଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସରକାର ପ୍ରତି ତାଙ୍କ ଶାଣିତ ବିଦ୍ରୋହ ଯୋଗୁଁ ସେ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚାରେ ରହିଛନ୍ତି। ଡୁଲେଶ୍ବର କହନ୍ତି- ‘ରାପ୍‌ରୁ କ’ଣ ପେଟ ପୁରୁଛି? କିନ୍ତୁ ନିଜ ଖଟିଖିଆ ଲୋକଙ୍କ ସ୍ବରକୁ ଗୀତ ମାଧ୍ୟମରେ ପ୍ରକାଶ କରି ଅନ୍ୟ ମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ମନ ବୋଝ ଯାହା ହାଲୁକା ହେଉଛି, ଆତ୍ମସନ୍ତୋଷ ମିଳୁଛି।’ ଡୁଲେଶ୍ବରଙ୍କ ସଂଘର୍ଷମୟ ଜୀବନକୁ ନେଇ ‘ସମାଚାର ଜଷ୍ଟକ୍ଲିକ୍‌’ର ସ୍ବତନ୍ତ ପ୍ରସ୍ତୁତି……….

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଜିଲ୍ଲା ସଦର ମହକୁମା ଠାରୁ ୪୦ କିଲୋମିଟର ଦୂର ବୋର୍ଡ଼ା ଗାଁର ହରିଜନପଡ଼ାରେ ୧୯୯୩ ମସିହା ଫେବୃୟାରୀ ୭ ତାରିଖରେ ଡୁଲେଶ୍ୱରଙ୍କ ଜନ୍ମ। ନୀଳାଞ୍ଚଳ ତାଣ୍ଡି ଓ ପ୍ରମିଳା ତାଣ୍ଡିଙ୍କ ସେ ଏକମାତ୍ର ସନ୍ତାନ। ସେ ବୋର୍ଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଜନତା ହାଇସ୍କୁଲରେ ପାଠ ପଢ଼ିଥିଲେ। ୨୦୦୮ ମସିହାରେ ପ୍ରାୟ ୬୩ ପ୍ରତିଶତ ନମ୍ବର ରଖି ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ। ଏହା ପରେ ସେ କୌଣସି ବୈଷୟିକ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ଘରର ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ ଆଗକୁ ବଢ଼ି ପାରିଲେ ନାହିଁ। ବାପାମା’ଙ୍କ କୁଲିମଜୁରି ଟଙ୍କାରେ ସେ ରସାୟନ ବିଜ୍ଞାନ ସମ୍ମାନ ରଖି ସେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି।

ପିଲାଦିନେ ଡୁଲେଶ୍ବର ଉଦନ୍ତୀ ନଦୀରେ ଗାଧେଇବା ଓ କାଜୁ ବଗିଚାରେ ବୁଲିବାର ନିଆରା ଅନୁଭୂତି ତାଙ୍କୁ ସୃଜନ ମନସ୍କ କରିଥିଲା। ସ୍କୁଲରେ ପଢ଼ିବା ସମୟରେ ବୋର୍ଡ଼ା ଗ୍ରାମରେ ଏକ ନାଟକ ‘ଶକୁନିର ପଶାକାଠି’ ମଂଚସ୍ଥ ହୋଇଥିଲା। ଏଥିରେ ସେ ଅଭିନୟ କରିବା ସହିତ ଗୀତ ବି ଗାଇଥିଲେ। ଗାଁ ପରିବେଶ ତାଙ୍କୁ କଳା ଓ ସଙ୍ଗୀତ ପାଇଁ ପ୍ରେରଣା ଯୋଗାଇଥିଲା।

ସଂଘର୍ଷମୟ ଜୀବନ ଓ ଆଶାର ଆକାଶ 

ଡୁଲେଶ୍ୱର କହନ୍ତି, ପରିବାରର ସମ୍ପତ୍ତି କହିଲେ ଦୁଇ ଏକର ଚାଷ ଜମି ଥିଲା। ବାପାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ଚିକିତ୍ସା ଖର୍ଚ୍ଚ ଓ ତାଙ୍କ ନିଜର ପାଠ  ପଢିବା ଖର୍ଚ୍ଚ ତୁଲାଇବାକୁ ଏହି ଜମିକୁ ବିକ୍ରି କରିବାକୁ ପଡ଼ିଲା। ଫଳରେ ସ୍ନାତକ ସରିବା ପରେ ଡୁଲେଶ୍ୱରଙ୍କୁ ଘର ବୋଝ ବୋହିବାକୁ ପଡ଼ିଲା। ତିନି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ଼ କରିବାର ଚିନ୍ତା ଘାରିଲା। ବାଧ୍ୟ ହୋଇ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡ଼ିଲା। ରସାୟନ ବିଜ୍ଞାନ ଡିଗ୍ରି ସାର୍ଟି‌ଫିକେଟ୍‌ ମୂଲ୍ୟହୀନ ହୋଇଗଲା। ଦିନରେ ହାଡ଼ଭଙ୍ଗା ପରିଶ୍ରମ ପରେ ସଂଧ୍ୟାରେ ରାପ୍‌ ସଙ୍ଗ ମନକୁ ଶାନ୍ତ କରୁଥିଲା। ଏହି ରାପ୍‌ରେ ନିଜ ଦୁଃଖ ବି ଉକୁଟି ଆସୁଥିଲା। ହଠାତ୍‌ ୨୦୧୬ ମସିହାରେ ବାପାଙ୍କ ପକ୍ଷାଘାତରେ ଦେହାନ୍ତ ହୋଇଗଲା। ଯେମିତି ମୁଣ୍ଡ ଉପରୁ ହାତ ଉଠିଗଲା। ଏବେ ପୁଣି ବିଧବା ମା’ର ଚିନ୍ତା ଘାରିଲା। ଏହା ପରେ ଛତିଶଗଡ଼ ରାଜ୍ୟର ରାୟପୁର ସହରକୁ ଗଲି। ପଣ୍ଡ୍ରିରେ ଥିବା ଏକ ରେଷ୍ଟୁରେଣ୍ଟରେ ହୋଟେଲ ବୟ ଭାବରେ କାମ କଲି। ମାସକୁ ଚାରି ହଜାର ଟଙ୍କା ଦରମା ମିଳୁଥିଲା। ଯାହା ବି କାମଟିଏ ତ ମିଳିଗଲା। ଏବେ କିନ୍ତୁ ଚାକିରି କରିବା ନିଶା ମନରୁ ଉତୁରି ସାରିଥିଲା। ରାପ୍‌ସଙ୍ଗରେ ନିଜର ପରିଚୟ ସୃଷ୍ଟି କରିବାକୁ ଆଗ୍ରହ ହେଲା। ଜୀବନରେ ଘଟିଥିବା ଦୁଃଖ, ଦୁର୍ଦ୍ଦଶା, କୋହକୁ କାଗଜରେ ଉତାରୁ ଥିଲି, ଗାଉଥିଲି। ପାଖରୁ ଦେଖିଥିବା ନିଜ ଲୋକଙ୍କ ଦୁଃଖ ବି କଲମରେ ଝରି ଆସୁଥିଲା। ଏବେ ଲକ୍‌ଡାଉନ୍‌ରେ ଗାଁକୁ ଫେରି ଆସିଛି। ରାପ୍‌ ସଂଗୀତରେ ଧ୍ୟାନ ଦେଉଛି। ଏଥିରେ ପେଟ ପୁରୁନି ସତ, କିନ୍ତୁ ନିଜ ଲୋକଙ୍କ ସ୍ବରକୁ ଗୀତରେ ପ୍ରକାଶ କରି ମନକୁ ଶାନ୍ତି ମିଳୁଛି।

ଦାଦନ ଶ୍ରମିକରୁ ଡୁଲେ ରାପର୍ 

ନିଜର ରାପ୍‌ସଙ୍ଗ୍‌କୁ ଡୁଲେଶ୍ବର ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ବହୁତ ଲୋକ ତାକୁ ପସନ୍ଦ କରିଥିଲେ। ଭିଡିଓ ଭାଇରାଲ ହେବାରେ ଲାଗିଲା। ପରେ ଏହା ଜାତୀୟ ଗଣମାଧ୍ୟମକୁ ବି ପହଞ୍ଚିଗଲା। ବହୁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଲେ ଡୁଲେଶ୍ବର। ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ରେଖା ଭରଦ୍ବାଜ ବାହୁବଳୀ ଫିଲ୍ମର ଅଭିନେତା ରାଣା ଦଗୁବତ୍ତି, ରାପର୍ ଡିଭାଇନ, ରାପର୍ ରଫତାର, ରାପର୍ ଦେବରାଜ ସାନିଆଲ ସମେତ ବହୁ ନାମିଦାମୀ କଳାକାର ଓ ସଙ୍ଗୀତଜ୍ଞମାନେ ତାଙ୍କ ପ୍ରଶଂସା କରିଛନ୍ତି। ସେହିଭଳି ବଲିଉଡର ବିଶାଳ ଦଦଲାନି ବଲିଉଡରେ ସୁଯୋଗ ଦେବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି। ବିଦେଶରେ ବି ତାଙ୍କ ରାପ୍‌ର ଯାଦୁ ଛାଇଯାଇଛି।

ଗରିବର ଝୁଲା

ନିଜର ରାପ୍‌ସଙ୍ଗରେ ଝଡ଼ ସୃଷ୍ଟି କରି ପାରିଥିବା ଡୁଲେଶ୍ବରଙ୍କ ଝୁଲା କିନ୍ତୁ ଖାଲି ପଡ଼ିଛି। ଏବେ ବି ଘର ଚଳାଇବା ପାଇଁ ସଂଘର୍ଷ କରୁଛନ୍ତି ଏହି ୨୭ ବର୍ଷୀୟ ଯୁବ କଳାକାର। ତେବେ ତାଙ୍କ ରାପ୍‌ ସଙ୍ଗ୍‌ରେ ଅଭିଭୂତ ହୋଇ ଓଲିଉଡ୍‌ର ମହାନ୍‌ ଗାୟକ ହ୍ୟୁମାନ ସାଗର ତାଙ୍କୁ ତିରିଶ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଆମେରିକାରୁ ଜଣେ ପ୍ରଶଂସକ ପାଞ୍ଚ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏହି କଳାର ପୂଜାରୀଙ୍କୁ ଏ ପର୍ଯ୍ୟନ୍ତ ଆଉ କେହି ସହଯୋଗର ହାତ ବଢ଼ାଇ ନାହାନ୍ତି। ବର୍ତ୍ତମାନ ଡୁଲେ ନିଜ ବିଧବା ମା’ଙ୍କ ସହ ଆର୍ଥିକ ଅନାଟନ ରେ ନିଜ ଝାଟିମାଟି ଘରେ ରହୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି। କିନ୍ତୁ ତାହା ଅଧପନ୍ତରିଆ ହେଇ ପଡ଼ିରହିଛି। ରାସନ କାର୍ଡରେ ମାସକୁ ଦଶ କେଜି ଚାଉଳ ଓ ମା’ଙ୍କ ବିଧବା ଭତ୍ତା ପାଞ୍ଚ ଶହ ଟଙ୍କା ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ଆୟୁଧ ସାଜିଛି। ରାୟପୁର ରୁ ଫେରିବା ପରେ କାମ ଧନ୍ଦା ନପାଇ ଲକ୍‌ଡାଉନ୍‌ ଯୋଗୁଁ ନିଜ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଦୁଃଖ ଯନ୍ତ୍ରଣାରେ ପଡ଼ିଥିଲେ ବି ରାତିରେ ଭଙ୍ଗା ଘରକୁ ଦିଶୁଥିବା ଜହ୍ନ ତାଙ୍କୁ ମସଗୁଲ କରୁଛି। ଆକାଶ ଛୁଇଁବାକୁ ପ୍ରେରଣା ଦେଉଛି। ରାପ୍‌ସଙ୍ଗରେ ନିଜ ଲୋକଙ୍କ ସ୍ବର ପହଞ୍ଚାଇବାକୁ ସେ ବେଶ ଆଶାବାଦୀ। ଦେଶ ବିଦେଶରୁ ପ୍ରଶଂସା ସାଉଁଟି ସାରିଥିବା ଏହି କଳାର ପୂଜାରୀ ପାଖରୁ ଏଯାଏଁ ସାଂସଦ କି ବିଧାୟକ ପହଞ୍ଚି ନାହାନ୍ତି। କଳାହାଣ୍ଡିର ଗର୍ବ ଓ ଗୌରବ ଏହି କଳାକାରଙ୍କୁ ଶୁଭେଚ୍ଛାଟିଏ ବି ଜଣାଇ ନାହାନ୍ତି। ଦାଦନଙ୍କ ଭୋକ ଓ ଯାତନତାର ନିଚ୍ଛକ ଚିତ୍ରକୁ ନେଇ ରାପ୍‌ସଙ୍ଗ ପରିବେଷଣ କରୁଥିବା ତାଙ୍କୁ ନେତା, ମନ୍ତ୍ରୀମାନେ ତାଙ୍କୁ ଅଣଦେଖା କରୁଥିବା କଳାହାଣ୍ଡିର ସାହିତ୍ୟ, ସଂଗୀତ, ସଂସ୍କୃତିକ ପ୍ରେମୀ ଅଭିଯୋଗ କରନ୍ତି।

Share the article

LEAVE A REPLY