ପ୍ରତ୍ୟେକ ମାସର ପ୍ରଥମ ଗୁରୁବାର ଦିନ ଏମ୍‌ଏସ୍‌ଏମ୍‌ଇ ବିଭାଗର ସମୀକ୍ଷା

0
515
Spread the love

ଭୁବନେଶ୍ୱର:  ଏଣିକି ପ୍ରତ୍ୟେକ ମାସର ପ୍ରଥମ ଗୁରୁବାର ଦିନ ଭର୍ଚୁଆଲ୍‌ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅଗ୍ରଗତିର ସମୀକ୍ଷା ହେବ। ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି। ଆଜି ଲୋକସେବା ଭବନ କାର୍ଯ୍ୟାଳୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ, ଖଦୀ ଓ ଗ୍ରାମୋଦ୍ୟୋଗ କମିସନର ରାଜ୍ୟ ଶାଖା, ଏମ୍‌ଏସ୍‌ଏମ୍‌ଇଡିଆଇ, ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ, ଶିଳ୍ପ ନିର୍ଦ୍ଦେଶାଳୟ ଅଧିକାରୀମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ନିର୍ଦ୍ଦେଶକ ରେଘୁ ଜି. ପ୍ରମୁଖ ଏହି ଡିଜିଟାଲ୍‌ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ। କୋଭିଡ୍‌-୧୯ ପରିସ୍ଥିତିରେ ଜୀବିକା ଉପାର୍ଜନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ଅବଗତ ହୋଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକମାନେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଜୀବିକାନିର୍ବାହ ପାଇଁ ସୁଯୋଗ ସୃଷ୍ଟି କରୁଥିବାରୁ ଏଥିରେ ସେମାନେ ବିଶେଷ ଯନିବାନ ହେବାକୁ ପରାମର୍ଶ ଦେଇଥିଲେ।

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଜରୁରୀକାଳୀନ କ୍ରେଡିଟ୍‌ ଲାଇନ୍‌ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ ରାଜ୍ୟରେ ଅଦ୍ୟାବଧି ୧.୬୦ ଲକ୍ଷ ଆକାଉଣ୍ଟକୁ ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ୧ ଲକ୍ଷ ଆକାଉଣ୍ଟକୁ ୧୭୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଯୋଜନାରେ କୋଭିଡ୍‌ ମହାମାରୀ କବଳିତ ଗଞ୍ଜାମ ଜିଲ୍ଲାରେ ଶତପ୍ରତିଶତ ମଞ୍ଜୁରୀପ୍ରାପ୍ତ ଆକାଉଣ୍ଟକୁ ଋଣ ଆବଣ୍ଟନ ହୋଇଥିବାରୁ ଗଞ୍ଜାମ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା। ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଭାରତ ସରକାରଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ କମିଶନ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ମୃର୍ତ୍ତିକା ଶିଳ୍ପ, ମହୁମାଛି ପାଳନ, ଜୋତା କାରିଗରୀ ଇତ୍ୟାଦି ସଂପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନାକ୍‌ଟିକାନୀ ଗ୍ରାମରେ ଚଳିତ ବର୍ଷ ଆସନ୍ତା ୧୫ ତାରିଖ ସୁଦ୍ଧା ମହୁମାଛି ପାଳନ ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ମନ୍ତ୍ରୀ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟର ପିଏମ୍‌ଏଫ୍‌ଏମ୍‌ଇ ଯୋଜନାରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଅଗ୍ରାଧିକାର ଦେବାପାଇଁ ମନ୍ତ୍ରୀ ଏହି ସମୀକ୍ଷାରେ ଗୁରୁତ୍ୱ ଆରୋପ କରିଥିଲେ।

LEAVE A REPLY