କବି ସମାଜରେ ବଂଚୁଥିବା ଜଣେ ଚାଷୀ ଭଳି ଦାୟିତ୍ୱବାନ ବ୍ୟକ୍ତି

0
630

ବରଗଡ଼ ଜିଲ୍ଲା ବାଟଚେରମା ଭଳି ଏକ ଛୋଟ ଗାଁରେ ଜନ୍ମିତ କବି ହୃଷୀକେଶ ମେହେର ଆମ ସମୟର ଜଣେ ପ୍ରତିଭା। କଲେଜ ଜୀବନରୁ ଲେଖାଲେଖି କରି ଆସୁଛନ୍ତି। ଘେଁସ କଲେଜରୁ ସ୍ନାତକ ଓ ଜ୍ୟୋତିବିହାରରୁ ସମାଜତତ୍ତ୍ବରେ ସ୍ନାତକୋତ୍ତର ପରେ ସେ ବର୍ତ୍ତମାନ ଓଡ଼ିଶା ପୋଲିସରେ କାର୍ଯ୍ୟରତ। କବି ହୃଷୀକେଶ କବିତା ବ୍ୟତୀତ, କିଛି କିଛି ଗପ ମଧ୍ୟ ଲେଖନ୍ତି। ‘ଝଡ଼ର ଆକାଶ’ ଓ ‘ଭିଜାମାଟି’ ତାଙ୍କର ଦୁଇଟି ପୁସ୍ତକ ପ୍ରକାଶିତ ।

ଆପଣ କବିତା କହିଲେ କ’ଣ ବୁଝନ୍ତି?

କବିତା ମୋ ପାଇଁ ଏକ ଜୀବନ ବଂଚିବାର କଳା । ଯାହା ମତେ ରାହାଦିଏ, ସାହାହୁଏ ଏବଂ ଶୃଙ୍ଖଳିତ କରାଏ । କବିତାଟିଏ ଲେଖି ସାରିବା ପରେ ମତେ ଜୀବେମ ଶରଦଶତଂ କଥା ମନେ ପଡେ । ଶହେ ବର୍ଷ ବଂଚିବାର ସ୍ୱପ୍ନ ଦେଖେ । କବିତାର ପ୍ରେମରେ ନିକାଂଚନ ହେଉଥାଏ, କବିତା କହିଲେ ମୁଁ ବୁଝେ ମୋ ମନ ମନ୍ଦିରରେ ଗୁମୁୁରୁ ଥିବା ପାରା, ଯଜ୍ଞପ୍ରହରିର ନାମକୀର୍ତନ, ମରୁଭୂମିରେ ଜଳର ସନ୍ଧାନ, ବିପଥଗାମୀ ଆତ୍ମାର ସତ୍ୟ ଅନ୍ୱେଷଣ ।ଏଇ ଅନ୍ୱେଷଣ, ଅନୁସନ୍ଧାନ ଭିତରେକବିତାମତେ ଦୋଳାୟମାନ ସ୍ଥିତକୁ ଆଣେ ।କବିତାକିଏ ମୁଁ ଧରିପାରେନି, କିପରିରୂପକୁବୁଝିପାରେନି ।କେବଳ ପ୍ରୟାସ ବାରି ରଖିଥାଏ ।

ସାହିତ୍ୟରେ ଏତେ ବିଭାଗ ଥିବା ସତ୍ୱେ ଆପଣ କବିତାକୁ କାହିଁକି ବାଛିଲେ?

ସାହିତ୍ୟର ବିଭାଗମାନଙ୍କୁ ବାଛିବା ଲାଗି ମୁଁ ଦୁଃସାହାସ କରିନାହିଁ। ମୋ ପାଖରେ କେଉଁ ସମ୍ବଳ ଅଛି ଯେ ବୀଣାପାଣିଙ୍କ ନିକଟକୁ ଯାଇ ମୁଁ ବାଛିବି। ମୁଁ ବରଂ ପ୍ରେମରେ ପଡ଼ିଯାଇଛି। କବିତା ମୋର ପ୍ରେମିକା। ମୁଁ ତା’ର ଦରଦୀ ରସିକ। ମୋ’ ଝରକା ପାଖରେ ସେ ଯେତେବେଳେ ଯାଏ ମୁ ତାକୁ ସୁସୁରୀ ମାରିବାକୁ ଛାଡ଼େନା। କେତେବେଳେ ଆସେ ମୁଁ ତାକୁ ଜଗି ବସିଥାଏ। ଆସିଲା ପରେ ମୁଁ ତାକୁ କାବୁକରେ, ପ୍ରେମକରେ, ପାଗଳ ହୁଏ, ପ୍ରଣିପାତ କରେ। ଅଶ୍ରୁଳ ହୁଏ। ଆକର୍ଷିତ ମଧ୍ୟ ହୁଏ। ତାଙ୍କୁ ଆକଣ୍ଠ ପାନ କରେ। ଆନନ୍ଦମୟ ହୁଏ। ଅମୃତମୟ ହୁଏ। ଅନନ୍ୟ ବୋଧ ହୁଏ। ମୋକ୍ଷପ୍ରାପ୍ତି ହୁଏ। କବିତାକୁ ଛାଡ଼ି ଦେଲେ ମୁଁ ମଣିଷ ପଣିଆ ହରାଏ।

କେଉଁ କଥା ଚାହିଁଲେ ବି ଆପଣ କବିତାରେ କହିପାରନ୍ତି ନାହିଁ ?

ପ୍ରତିହିଂସା, ପ୍ରତିଶୋଧ, କୃତଘ୍ନତା, ପରଶ୍ରୀକାତରତା। ଏକ ସାଧାରଣ ମଣିଷ ହିସାବରେ ସମାଜର ଅନେକ ବିରୋଧାଭାସ ଜିନିଷଗୁଡ଼ିକର ସାମ୍ନା କରି ବେଳେବେଳେ ନକାରାତ୍ମକ ଭାବନା ଜାତ ହେଉଥିଲେ ମଧ୍ୟ ଏ ସବୁକୁ କବିତାରେ ଲେଖିପାରେ ନାହିଁ। ଏ ସବୁର କୁପ୍ରଭାବ କେଉଁଠି ନା କେଉଁଠି ଭୟଙ୍କର ହେବ ବୋଲି ମୁଁ ଭୟାତୁର ହେଉଥାଏ। କାବ୍ୟମୟ ହୃଦୟ, ପ୍ରେମମୟ ଜୀବନକୁ ନେଇ ମୁଁ ସବୁବେଳେ ଶୁଦ୍ଧ ଜୀବନ ବଂଚିବାକୁ ଭଲ ପାଏ।

ଏମିତି କିଛି ଅଭିନବ କଥା ଆପଣଙ୍କ କବିତାରେ ଲେଖିଛନ୍ତି କି ଯାହା ଅନ୍ୟମାନଙ୍କ କବିତାରେ ଆପଣ ପଢ଼ିନାହାନ୍ତି କି ଶୁଣି ନାହାନ୍ତି?

ଅଭିନବ କିଛି ନାହିଁ। କବିତାରେ ସବୁ କଥା ଯେ ଆଗରୁ ଲେଖା ସରିଛି ଏ କଥା ଗବେଷକମାନଙ୍କଠାରୁ ମୁଁ ଶୁଣିଛି। ମୁଁ ବା କି ଅଭିନବ କଥା କହିପାରେ। ଏ କଥା ମତେ ଜଣାନାହିଁ। ପାଠେକ କହିବେ। ମୁଁ କିନ୍ତୁ ଅନୁଭବ କଥା କହିବି। ଯାହା ମୁଁ ଅଙ୍ଗେ ନିଭେଇଛି। ଯେଉଁ ଆଖିର ୁଲୁହ ଶୁଖି ନାହିଁ, ପେଟରୁ ଭୋକ ମରି ନାହିଁ, ମୋହରୁ ମହରଗ ଦାଗ ଲିଭି ନାହିଁ, ମାଟିରୁ ମମତା ଯାଇ ନାହିଁ, ସେମିତି କଂଚା ସତକୁ ମୁଁ ଅତି ନିକଟରୁ ଦେଖିଛି। ଯାହା ମୋ କବିତାରେ ଲେଖିଛି। ସମାଜର କଂଚା ସତକୁ ନେଇ କବିତା ଲେଖିଛି। ଅକୁହା କଥାକୁ ବଖାଣିବାରେ ବ୍ୟଗ୍ର ହୋଇଛି। ଅସ୍ପୃଶ୍ୟ, ଅଭାବ, ଅମାନବୀୟ ବ୍ୟବସ୍ଥାମାନଙ୍କୁ ବଖାଣିଛି ଏବଂ ବର୍ବରତାର ବାଧକ ସାଜିଛି। କାହାକୁ ଅନୁକରଣ କରିବା ପ୍ରତିଯୋଗିତା କରି ମୁଁ କବିତା ଲେଖିବାର ପ୍ରୟାସ କରି ନାହିଁ। ଅନ୍ୟମାନଙ୍କୁ ପଢ଼ିଛି। ମୋ ଅନ୍ତଃସ୍ୱର ଶୁଣିଛି। ଅନ୍ୟସହ ନିଜକୁ ତୁଳନା କରି ନାହିଁ।

ପ୍ରଥମ ବହି ପ୍ରକାଶନର କେଉଁ ଅନୁଭୂତିକୁ ଆପଣ ଭୁଲି ପାରିବେ ନାହିଁ ?

ବହିଟେ ପ୍ରକାଶିତ ହେଲେ ବିସ୍ତୀର୍ଣ୍ଣ ଚାରଣ ଭୂମିକୁ ଶସ୍ୟଶ୍ୟାମଳା କରିପାରିଥିବାର ଆନନ୍ଦ ମିଳେ। ନିଜ ଉଦ୍ୟମର ଫୁଲଗଛଗୁଡ଼ିକରେ ଫୁଲ ଫୁଟିଲେ ଆନନ୍ଦ ଲାଗେ। ମୋର ପ୍ରଥମ ବହି ପ୍ରକାଶିତ କରିଥିବା ‘ପଶ୍ଚିମା ପବ୍ଲିକେଶନ’ ଭୁବନେଶ୍ୱରର ଅଶୋକ ମହାନ୍ତି ମତେ ଫୋନ କରି କହନ୍ତି- ଆପଣଙ୍କବହି ‘ଝଡ଼ର ଆକାଶ’ ଉନ୍ମୋଚନ ହେବ। ମୁଁ ଆନନ୍ଦରେ ଗଦ୍‌ଗଦ୍ ହୋଇଯାଇଥିଲି। ସପରିବାର ଉପସ୍ଥିତ ମଧ୍ୟ ହୋଇଥିଲି କର୍ମସ୍ଥଳୀ ସିନାପାଲିରୁ। ଏହା ହେଉଛି ମୋ ପାଇଁ ଅଭୁଲା।

କବି ହୃଷୀକେଶ ମେହେରଙ୍କୁ ଆପଣ କେଉଁ ପ୍ରଶ୍ନ ପଚାରିବେ ଏବଂ ତା’ର ଉତ୍ତରରେ କ’ଣ କହିବେ?

ତମେ କବିତା ପ୍ରେମରେ କାହିଁକି ପଡ଼ିଛ, ଯଦି କବିତା ଧରାଦିଏ ନାହିଁ କେତେକାଳ ତା’ ପଛରେ ଧାଇଁବ? ପାଣିର ସନ୍ଧାନ କେବେ ପାଇବ ଏ ମରୁଭୂମିରେ?

ତା’ର ଉତ୍ତରରେ କହିବି ଜୀବନର ଉତ୍କଟ ମରୁଭୂମିରେ କବିତା ଏ କଳା ଘୁମର ମେଘ। ଆକର୍ଷଣୀୟ ମୟୂରନୃତ୍ୟ। ମହୁଲ ବୁରେଇର ମତୁଆଲ ସ୍ୱର। କୁକୁରା ଡକାର ଅଳସ ନିଦ। ଯଉବନର ମଧୁର ସଂଗୀତ। ନିଶାଖୋର ମଣିଷର ଚୋରାମଦ। ଥରେ ନିଶାଗ୍ରସ୍ତ ହୋଇଗଲେ ଆଉ ଛାଡ଼େ ନାହିଁ। ପ୍ରେମ ମାନେ ପାଗଳାମୀ।

ଜଣେ କବିର କି ସାମାଜିିକ ଦାୟିତ୍ୱ ଅଛି ବୋଲି ଆପଣ ବିଶ୍ୱାସ କରନ୍ତି?

କବି ସମାଜରେ ବଂଚୁଥିବା ଜଣେ ଚାଷୀ ଭଳି ଦାୟିତ୍ୱବାନ ବ୍ୟକ୍ତି । ସେ ଅଙ୍କାବଙ୍କା ରାସ୍ତା ତିଆରି କରିପାରେ। କିନ୍ତୁ ଭଙ୍ଗା ସମାଜର ଚିତ୍ର ଆଙ୍କି ପାରେନା। ହତାଶାର ଚିତ୍ରଣ ତିଆରି କରିପାରେ, କିନ୍ତୁ ହତ୍ୟାର ତରବାରୀ ତିଆରି କରି ପାରେନା। ଯେଉଁ କବିତା ମନ୍ତ୍ରପ୍ରାପ୍ତ ହୋଇ ସିଦ୍ଧି ହୋଇଛି ସେ କବିତା ସବୁବେଳେ ମଣିଷକୁ ବ୍ୟାଧିମୁକ୍ତ କରିଛି। ସମାଜକୁ ଶୃଙ୍ଖଳିତ କରିଛି, ସମୃଦ୍ଧ କରିଛି। ତେଣୁ କବିର ସାମାଜିକ ଦାୟିତ୍ୱ ହେଉଛି ଏକ ସୁସ୍ଥ, ସୁନ୍ଦର, ସମାଜ ଗଠନ କରିବାର ପ୍ରୟାସ। ଏହା ମୋର ଆଶା ଓ ବିଶ୍ୱାସ।

Share the article

LEAVE A REPLY