ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କ ଦ୍ୱାରା ଇ-ପାସ୍‌ ମଡ୍ୟୁଲ ଉଦ୍‌ଘାଟିତ

0
522
Spread the love

ନୂଆଦିଲ୍ଲୀ: ରେଳବାଇ ବୋର୍ଡର ଅଧ୍ୟକ୍ଷ, ମାନବ ସମ୍ବଳ ପରିଚାଳନା ବା ଏଚ୍‌ଆରଏମ୍‌ଏସ୍‌ ପ୍ରକଳ୍ପ ଅଧୀନରେ ବିକଶିତ ଇ-ପାସ୍‌ ମଡ୍ୟୁଲକୁ ଆଜି ଉଦ୍‌ଘାଟନ କରିଛନ୍ତି। ଏହି ମଡ୍ୟୁଲକୁ ସିଆରଆଇ ଦ୍ୱାରା ବିକଶିତ କରାଯାଇଛି। ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଫ୍‌ସି/ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ସିଏମ୍‌ଡି/ ଆଇଆରସିଟିସି/ ଏମ୍‌ଡି/ ସିଆରଆଇଏସ/ ସମସ୍ତ ଜେନେରାଲ ମ୍ୟାନେଜର, ପିସିପିଓଏସ୍‌, ପିସିସିଏମ୍‌ଏସ୍‌, ପିଏଫ୍‌ଏ ଓ ଡିଭିଜନାଲ ମ୍ୟାନେଜରମାନେ ଉପସ୍ଥିତ ଥିଲେ। ଇ-ପାସ୍‌ ମଡ୍ୟୁଲର ବିଭିନ୍ନ ଦିଗ ସଂପର୍କରେ ଏଥିରେ ଡିଜି/ଏଚ୍‌ଆର ସୂଚନା ଦେଇଥିଲେ ଓ ଏହାର କାର୍ଯ୍ୟକାରିତା ବିଷୟରେ ବୁଝାଇଥିଲେ।

ଭାରତୀୟ ରେଳବାଇରେ ଏଥିପୂର୍ବରୁ ମୁଖ୍ୟତଃ ପାସ୍‌ ପ୍ରଦାନ ବ୍ୟବସ୍ଥା ମାନବିକ ପ୍ରକ୍ରିୟାରେ ହେଉଥିଲା। ସେହିଭଳି ରେଳ କର୍ମଚାରୀଙ୍କ ପାସ୍‌ ଉପରେ ଅନ୍‌ଲାଇନ ଟିକେଟ ବୁକିଂ ବ୍ୟବସ୍ଥାର ସୁବିଧା ନ ଥିଲା।

ଏହି ଇ-ପାସ୍‌ ମଡ୍ୟୁଲ ଏଚ୍‌ଆରଏମ୍‌ଏସ୍‌ ବା ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ପ୍ରକଳ୍ପରେ ବିକଶିତ। ପର୍ଯ୍ୟାୟକ୍ରମେ ଏହା ଭାରତୀୟ ରେଳବାଇରେ କାର୍ଯ୍ୟକାରୀ ହେବ। ଏହି ସୁବିଧା ଫଳରେ ରେଳ କର୍ମଚାରୀଙ୍କୁ ଆଉ ପାସ୍‌ ପାଇବା ପାଇଁ ଆବେଦନ କରିବାକୁ ଅଫିସକୁ ଯିବାକୁ ପଡ଼ିବ ନାହିଁ ବା ପାସ୍‌ ପାଇବା ପାଇଁ ଅପେକ୍ଷା କରିବାକୁ ହେବ ନାହିଁ। ସେମାନେ ଏବେ ଅନ୍‌ଲାଇନରେ ଯେକୌଣସି ସ୍ଥାନରୁ ଏଥିପାଇଁ ଆବେଦନ କରିପାରିବେ। ଏହାଛଡ଼ା ସେମାନେ ଯେକୌଣସି ସ୍ଥାନରେ ଇ-ପାସ୍‌ ଜେନେରେଟ କରିବାର ସୁବିଧା ପାଇବେ। ଆବେଦନ ଓ ଇ-ପାସ୍‌ ପାଇବାର ପୂର୍ଣ୍ଣାଙ୍ଗ ପ୍ରକ୍ରିୟା ମୋବାଇଲ ଅନୁକୂଳ। ସେହିଭଳି ପାସ୍‌ ଉପରେ ଟିକେଟ ବୁକିଂ ବ୍ୟବସ୍ଥା ମଧ୍ୟ ଅନ୍‌ଲାଇନ କରାଯାଇଛି। ରେଳ କର୍ମଚାରୀମାନେ ଏହି ବ୍ୟବସ୍ଥାରେ ଆଇଆରସିଟିସି ସାଇଟ୍‌ରୁ ଅନ୍‌ଲାଇନ ଟିକେଟ ବୁକିଂ କରିପାରିବେ। ତେବେ ଏବେ ପ୍ରଚଳିତ ପିଆରଏସ୍‌/ୟୁଟିଏସ୍‌ କାଉଣ୍ଟର ବୁକିଂ ବ୍ୟବସ୍ଥା ମଧ୍ୟ ଅବ୍ୟାହତ ରହିବ।

ନୂଆ ବ୍ୟବସ୍ଥା ଫଳରେ ରେଳ କର୍ମଚାରୀମାନେ ସେମାନଙ୍କ ପାସ୍‌ ବ୍ୟବହାର କରିବାରେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ସବୁ କର୍ମଚାରୀଙ୍କୁ ସହଜରେ ପାସ୍‌ ଯୋଗାଇ ଦିଆଯାଇପାରିବ। ଭାରତୀୟ ରେଳବାଇର ସମସ୍ତ କାର୍ଯ୍ୟକୁ ଡିଜିଟାଇଜ କରିବା ପାଇଁ ଏଚ୍‌ଆରଏମ୍‌ଏସ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିରେ ୨୧ଟି ମଡ୍ୟୁଲ ବିକଶିତ କରିବାର ଯୋଜନା ରହିଛି। କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୯୭ ଶତାଂଶଙ୍କର ମୌଳିକ ତଥ୍ୟାବଳୀର ଡିଜିଟାଇଜ କାର୍ଯ୍ୟ ଶେଷ ହୋଇଛି। ଏଗୁଡିକୁ ଏମ୍ପ୍ଲୟି ମାଷ୍ଟର ଏବଂ ଇ-ସର୍ଭିସ ରେକର୍ଡ ମଡ୍ୟୁଲରେ ଗତବର୍ଷ ସାମିଲ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି। ଖୁବ୍‌ଶୀଘ୍ର ସିଆରଆଇଏସ୍‌ ରେଳବାଇର ଅଫିସ ଅର୍ଡର ମଡ୍ୟୁଲ ଏବଂ ସେଟଲମେଣ୍ଟ ମଡ୍ୟୁଲ କାର୍ଯ୍ୟକ୍ଷମ କରିବ।

LEAVE A REPLY