ଭୁବନେଶ୍ୱରରେ ୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

0
429
Spread the love

କୋଭିଡ୍‌ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ଓ ସେବା ପ୍ରଶଂସନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରସ୍ଥ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୯ଟା ବେଳେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କୋଭିଡ୍‌-୧୯ ମହାମାରୀ ଦୃଷ୍ଟିରୁ ମାତ୍ର ୩ ପ୍ଲାଟୁନ୍‌ ପୋଲିସ୍‌, ଓଡ୍ରାଫ୍‌, ଓଏସ୍‌ଏପି ସପ୍ତମ ବାଟାଲିଅନ ଓ ଏଏସ୍‌ପି ବାଟାଲିଅନ ସହ ରାଜ୍ୟ ବ୍ରାସ୍‌ ବ୍ୟାଣ୍ଡ ସ୍ୱାଧୀନତା ଦିବସ ସମାରୋହରେ ସାମିଲ୍‌ ହୋଇଥିଲେ। ୩୧ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ ମାତ୍ର ୧୦୦ ଜଣ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରାଯାଇ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ, ଦେଶର ଏକତା ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯବାନ ଓ କରୋନା ଲଢ଼େଇରେ ଶହୀଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉଦ୍‌ବୋଧନରେ କହିଲେ ଯେ, କରୋନା ଆଜି ସାରା ବିଶ୍ୱ ତଥା ମାନବ ଜାତି ପାଇଁ ଏକ ବହୁତ ବଡ଼ ସଂକଟ ଭାବେ ଦେଖା ଦେଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ତଥା ସମାଜ ଉପରେ ଏହା ଗଭୀର ପ୍ରଭାବ ପକେଇଛି। ସାରା ବିଶ୍ୱରେ କୋଟି କୋଟି ଲୋକ ଜୀବିକା ହରାଉଛନ୍ତି। ଟୀକା ଆସିବା ପରେ କରୋନା ନିୟନ୍ତ୍ରଣ ହେବ। କିନ୍ତୁ ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ କ୍ଷତି କରିଛି ତାକୁ ଭରଣା କରିବା ପାଇଁ ସାହସର ସହ କାମ କରିବାକୁ ହେବ। କରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ କରିଛନ୍ତି। ୫ଟିପ୍ଲାଜ୍‌ମା ବ୍ୟାଙ୍କ ସହ ପ୍ଲାଜ୍‌ମା ଥେରାପି ସେବା ରୋଗୀଙ୍କୁ ମିଳୁଛି। ପଇସା ପାଇଁ ଓଡ଼ିଶାରେ କେହି ଜଣେବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ଓଡ଼ିଶା ସରକାର କୋଭିଡ ରୋଗୀଙ୍କୁ ସବୁ ପ୍ରକାର ସୁବିଧା ମାଗଣାରେ ଯୋଗାଉଛନ୍ତି। ସେହିପରି କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ କର୍ମ ନିୟୋଜନ କାମ ଜାରି ରହିଛି। ଗରିବ ଲୋକ ଓ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ଦିଆଯାଉଛି। ଏହି ସମୟ ମଧ୍ୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଂଜି ଲଗାଣ ମଧ୍ୟ ଆସିଛି। ଦେଶରେ ଏହି ସମୟରେ ହୋଇଥିବା ପୁଂଜିଲଗାଣରୁ ୧୮ ପ୍ରତିଶତ ଓଡ଼ିଶାକୁ ହିଁ ଆସିଛି। ୨୦୧୯-୨୦ରେ ଦେଶରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୨.୮୦ ପ୍ରତିଶତ ଥିବା ବେଳେ ଆମ ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୭.୬୧ ପ୍ରତିଶତ ରହିଛି।

କରୋନା ବିରୋଧରେ ଆମର ଲଢ଼େଇରେ କୋଭିଡ ଯୋଦ୍ଧାମାନେ ଯେଭଳି କାମ କରୁଛନ୍ତି ତାହାର ତୁଳନା ନାହିଁ। ସେମାନଙ୍କ ସେବା ଓ ତ୍ୟାଗ ପାଇଁ ସାରା ଭାରତରେ ଆମ ରାଜ୍ୟରେ ଆରୋଗ୍ୟ ହାର ଭଲ ରହିଛି। ସାରା ଭାରତରେ ଓଡ଼ିଶାରେ ମୃତ୍ୟୁ ହାର କମ୍‌ ରହିଛି। କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ ଓ ସେବା ପାଇଁ ଓଡ଼ିଆ ଜାତି ସେମାନଙ୍କ ନିକଟରେ ଋଣୀ। ସେମାନଙ୍କ ତ୍ୟାଗ, ନିଷ୍ଠା ଓ ସେବା ସହିତ ଆମ ସମସ୍ତଙ୍କ ସହଯୋଗ ହିଁ ଓଡ଼ିଶା ପାଇଁ, ଭାରତ ପାଇଁ ତଥା, ମାନବ ଜାତି ପାଇଁ ଆମ ସମସ୍ତଙ୍କ ପାଇଁ ବିଜୟ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ।

କ୍ୱାମିନାରା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସମାପ୍ତ ହୋଇଥିଲା।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଗୃହ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫‘ଟି’) ଭି. କେ. ପାଣ୍ଡିୟାନ୍‌, ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ତଥା କମିଶନର ସଂଜୟ କୁମାର ସିଂ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY