ଭୁବନେଶ୍ବର: ଐତିହାସିକ ପାତାଳି ଶ୍ରୀକ୍ଷେତ୍ର ବାରମ୍ବାର ଅବହେଳାର ହେଉଛି। ରାଜ୍ୟ ସରକାରଙ୍କ ବୈମାତୃକ ଭାବ, ପ୍ରଶାସନିକ ଅବ୍ୟବସ୍ଥା, ପୁଲିସର ଅବହେଳା କାରଣରୁ ଏଠାରେ ଯେମିତି ବିକାଶ ହେବା କଥା, ତାହା ହୋଇପାରି ନାହିଁ। କିଛି ବର୍ଷ ହେଲା ଯେଉଁ ଆଖି ଦୃଶିଆ ବିକାଶମୂଳକ କାମ ହୋଇଥିଲା, ତାହା କେତେ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହା କହିବାର କାରଣ ହେଲା ଯେ, ପାତାଳି ଶ୍ରୀକ୍ଷେତ୍ର ଉପରେ ଦୁର୍ବୃତ୍ତମାନଙ୍କର ନଜର ରହୁଛି। ଚୋରମାନେ ବାରମ୍ବାର ମହାପ୍ରଭୁଙ୍କ ସଂପତ୍ତି ଲୁଟ୍ କରୁଛନ୍ତି। ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଉ ନଥିବାରୁ ଏଭଳି ଘଟଣା ବାରମ୍ବାର ଦେଖାଯାଉଛି।
ପାତାଳି ଶ୍ରୀକ୍ଷେତ୍ରକୁ ଦୁର୍ବୃତ୍ତମାନେ ବୁଧବାର ରାତିରେ ପୁଣି ଟାର୍ଗେଟ କରିଛନ୍ତି। ଏଠାରେ କବାଟ କାଟି ମହାପ୍ରଭୁଙ୍କ ହୁଣ୍ଡିରୁ ଟଙ୍କା ଲୁଟିବାନେଇଛନ୍ତି। ପୂଜକ ଗୁଣାକାର ପଣ୍ଡା ଗୁରୁବାର ସକାଳୁ ଅନ୍ୟ ଦିନ ପରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପାଇଁ ଯାଇ ଚୋରି ହୋଇଥିବା ପରବର୍ତ୍ତୀ ଦୃଶ୍ୟ ଦେଖିଥିଲେ। ଜିନିଷ ପତ୍ର ଅସଜଡ଼ା ହୋଇ ପଡ଼ିଛି। ପରେ ସେ ଜାଣିବାକୁ ପାଇଲେ ଯେ, ମହାପ୍ରଭୁଙ୍କ ପାଟଶାଢ଼ି ଓ ଭକ୍ତଙ୍କ ଦ୍ବାରା ଅର୍ପଣ କରାଯାଇଥିବା ଟଙ୍କା ସହିତ ଅନ୍ୟ ସାମଗ୍ରୀ ଚୋରି ହୋଇଛି। ଘଟଣା ସଂପର୍କରେ ସେ ପ୍ରଥମେ ମନ୍ଦିର କମିଟିକୁ ସୂଚନା ଦେଇଥିଲେ। ପରେ ଏହି ଘଟଣା ନେଇ ବୀରମହାରାଜପୁର ଥାନାରେ ଏତଲା ଦେଇଛନ୍ତି।
ରୋପ୍ ୱେ ନିର୍ମାଣ କେବେ?
ପାତାଳି ଶ୍ରୀକ୍ଷେତ୍ରର ସବୁଠାରୁ ଦିବ୍ୟ ସ୍ଥାନ ହେଉଛି ଛଳିଆ ପାହାଡ଼ ଶୀର୍ଷରେ ଥିବା ଗୁମ୍ପା। ଏଠାରେ ମହାପ୍ରଭୁ ବହୁ ବର୍ଷ ଧରି ଗୋପନୀୟ ଅବସ୍ଥାରେ ଥିଲେ। ଆଜି ମଧ୍ୟ ଏହି ଗୁମ୍ପାରେ ତିନିମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରାଯାଉଛି। କ୍ଷୋଭର ବିଷୟ ଯେ, ଗୁମ୍ଫା ଭିତରକୁ ଯିବା ପାଇଁ ଅଧ ପାହାଡ଼ରୁ ଉପରକୁ ରାସ୍ତା ନାହିଁ। ଭକ୍ତ ଓ ପର୍ଯ୍ୟଟକମାନେ ଅସୁରକ୍ଷିତ ଭାବେ ଯାତ୍ରା କରୁଛନ୍ତି। ପୂର୍ବ ସରକାର ପାହାଡ଼ ତଳୁ ଗୁମ୍ଫା ପର୍ଯ୍ୟନ୍ତ ଭକ୍ତଙ୍କୁ ପହଞ୍ଚାଇବା ପାଇଁ ରୋପ୍ୱେ ନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥି ପାଇଁ ଅର୍ଥ ମଂଜୁରୀ ହୋଇଥିଲା ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ପରେ ପୁଣି କୁହାଗଲା ଯେ, ଟଙ୍କା ଫେରି ଯାଇଥିଲା। ତେବେ କେଉଁ କାରଣରୁ ଏଠାରୁ ଟଙ୍କା ଫେରି ଯାଇଥିଲା, ତାହାର ପ୍ରକୃତ କାରଣ ଜଣପଡ଼ି ନାହିଁ।
ଭବ୍ୟ ମନ୍ଦିର ନିର୍ମାଣ ନୋହିଲା
ପାତାଳି ଶ୍ରୀକ୍ଷେତ୍ର ନୂଆ ରୂପ ପାଇବ ବୋଲି ପଶ୍ଚିମ ଓଡ଼ିଶାବାସୀ ବଡ଼ ଆଶା କରିଥିଲେ। ଏଠାରେ ମହାପ୍ରଭୁଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେବ। ପାହାଡ଼ ଉପରେ ଥିବା ଗୁମ୍ପାଗୁଡ଼ିକର ମରାମତି କାମ କରାଯିବ। କିଛି ବର୍ଷ ହେଲା ଏମିତି ଅନେକ ଆଶା କରାଯାଉଥିଲା। ୨୦୨୦ ନଭେମ୍ବର ୧୩ ତାରିଖରେ ତତ୍କାଳୀନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ବୀରମହାରାଜପୁରର ବିଧାୟକ ପଦ୍ମନାଭ ବେହେରା ଭୁବନେଶ୍ୱରରେ ଭିଡିଓ କନଫରେନ୍ସରେ ଥାଇ ପାତାଳି ଶ୍ରୀକ୍ଷେତ୍ର ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ତତ୍କାଳୀନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ଉପସ୍ଥିତିରେ ପାତାଳି ଶ୍ରୀକ୍ଷେତ୍ରରୁ ବହୁମୁଖୀ ବିକାଶ ନେଇ ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଲା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଅନେକ ଆଶାବାଦୀ ହୋଇଥିଲେ। ମାତ୍ର କ୍ଷୋଭର ବିଷୟ ଯେ, ବିଧାୟକଙ୍କ ପ୍ରତିଶ୍ରୁତି ଏଯାଏଁ ପୂରଣ ହୋଇପାରିଲା ନାହିଁ।
ସଂକ୍ଷେପରେ ପାତାଳି ଶ୍ରୀକ୍ଷେତ୍ର
ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଓଡ଼ିଶାର ଅନେକଗୁଡ଼ିଏ ସ୍ଥାନ ଜଡ଼ିତ ରହିଛି। ଏଥିରୁ କିଛି ସ୍ଥାନର ଐତିହାସିକ ଗୁରୁତ୍ବ ରହିଛି। ପୁରୀ ଶ୍ରୀଜଗନ୍ନାଥଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ରର ସଂପର୍କ ଅତି ନିବିଡ଼। ମୋଗଲ ଶାସନ କାଳରେ ମହାପ୍ରଭୁଙ୍କ ପାଇଁ ଯେତେବେଳେ ବିପଦ ମାଡ଼ି ଆସୁଥିଲା, ସେହି ସମୟରେ ପାତାଳିକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ କରାଯାଇଥିଲା। ତେଣୁ ପାତାଳୀ ଶ୍ରୀକ୍ଷେତ୍ରକୁ ଓଡ଼ିଶାର ଏକ ପ୍ରସିଦ୍ଧ ଐତିହାସିକ ମହତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ ଭାବେ ଗଣତି କରାଯାଇଥାଏ। ବିଶ୍ୱାସ କରାଯାଏ ଯେ, ଏଠାରେ ଥିବା ଗୁମ୍ଫାରେ ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର ୧୪୪ ବର୍ଷ ପାତାଳି ହୋଇ ରହିଥିଲେ।
ଉଲୁଣ୍ଡା ବ୍ଲକ ଅଧୀନ କୋଟସମଲାଇ ଗ୍ରାମ ନିକଟ ତ୍ରିକୂଟ ପାହାଡ଼ରେ ଅବସ୍ଥିତ। ଏହା ବୀରମହାରାଜପୁର ସବଡିଭିଜନ ଅନ୍ତର୍ଗତ। ଚାରିଆଡ଼େ ପାହାଡ଼ ଘେରି ହୋଇ ରହିଥିବାରୁ ଏହା ଏକ ଉପତ୍ୟକା ଭଳି ମନେ ହୁଏ। ଏହି ସ୍ଥାନକୁ ଯିବାକୁ ହେଲେ ଅତିକ୍ରମ କରିବାକୁ ପଡ଼େ ଅନେକ ପ୍ରାକୃତିକ ପ୍ରତିବନ୍ଧକ। ତତ୍କାଳୀନ ସୋନପୁର ରାଜାଙ୍କ ରାଣୀ ଏହି ସ୍ଥାନକୁ ଅତ୍ୟନ୍ତ ନିରାପଦ ମଣି ସେଇ ପାହାଡ଼ ଦେହରେ ଗୁମ୍ଫାମାନ ନିର୍ମାଣ କରିଥିଲେ ଓ ଯବନ ଶତ୍ରୁମାନଙ୍କ ଭୟରୁ ରକ୍ଷା ପାଇବା ପାଇଁ ବିପଦ ସମୟରେ ପରିବାରର ଲୋକେ ଏଠାରେ ଆଶ୍ରୟ ନେଉଥିଲେ। ଅନେକେ ବିଶ୍ୱାସ କରନ୍ତି ଏହି ଗୁମ୍ଫାମାନଙ୍କରେ ଅନେକ ଧନରତ୍ନ ଲୁକ୍କାୟିତ ଅବସ୍ଥାରେ ଅଛି। ସେଇ ଗୁମ୍ଫାଗୁଡ଼ିକରେ ମୁନିଋଷିମାନେ ରହି ପୂଜା କରିଆସୁଛନ୍ତି। ସେଇ ପାହାଡ଼କୁ ଲାଗି ରହିଛି ଧୋଇଆ ବନ୍ଧ ପାହାଡ଼। ସେଇ ପାହାଡ଼ରେ ମଧ୍ୟ ଅନେକ ଗୁମ୍ଫା ଦେଖାଯାଏ।