Tuesday, September 10, 2024
Homeଖବର‘ହିଂସା’ର ନିଆଁରେ ଜଳୁଛି ବାଂଲାଦେଶ

‘ହିଂସା’ର ନିଆଁରେ ଜଳୁଛି ବାଂଲାଦେଶ

ଆମ ପଡୋଶୀ ଦେଶ ‘ବାଂଲାଦେଶ’ରେ ପ୍ରାୟ ଏକ ମାସ ହେଲା ହିଂସା ଆରମ୍ଭ ହୋଇଛି। ଏହି ହିଂସା ଏବେ ଅଗ୍ନିକାଣ୍ଡ, ଭଙ୍ଗାରୁଜା, ହତ୍ୟାରେ ପରିଣତ ହୋଇଛି। ବାଂଲାଦେଶ ହିଂସାରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଦେଶର ପରିସ୍ଥିତି ଏଭଳି ସ୍ତରରେ ପହଞ୍ଚି, ଯେଉଁଥି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବା ସହିତ ବିଦେଶ ପଳାୟନ କରିବାକୁ ପଡ଼ିଛି। ଇସ୍ତଫା ଦେଇ ଶେଖ୍ ହସିନା ପଳାୟନ କରିବା ପରେ ଏବେ ବାଂଲାଦେଶ ମୁରବୀ ବୀହିନ ହୋଇପଡ଼ିଛି। ଶାନ୍ତି ଫେରାଇ ଆଣିବା ପାଇଁ ସେନା ଉଦ୍ୟମ କରୁଥିବା ବେଳେ ପୂରା ବିଶ୍ବର ଜନତା ବାଂଲାଦେଶ ଉପରେ ନଜର ରଖିଛନ୍ତି। ପଡୋଶୀ ରାଷ୍ଟ୍ର ହୋଇଥିବା କାରଣରୁ ଭାରତ ସରକାର ସ୍ଥିତି ଉପରେ ଅଧିକ ନଜର ରଖିଛନ୍ତି।

ଚାକିରି କ୍ଷେତ୍ରରେ ସଂରକ୍ଷଣ ନିୟମକୁ ବିରୋଧ କରି ଏହି ଆନ୍ଦୋଳନ ଗତ ଜୁଲାଇ ମାସରେ ଆରମ୍ଭ ହୋଇଥିଲା। ଆନ୍ଦୋଳନର ପ୍ରଥମ ଦଫାରେ ପ୍ରାୟ ୨୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଗତ ରବିବାର ଓ ସୋମବାର ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ପ୍ରଦର୍ଶନକାରୀମାନେ କାହାରିକୁ ଛାଡୁନାହାନ୍ତି। ବାଂଲାଦେଶର ମୁଖ୍ୟ ବିଚାରପତି, ପୂର୍ବତନ କ୍ରିକେଟର ମୁଶାରଫ ବିନ୍ ମୁର୍ତାଜାଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ବାଂଲାଦେଶର ଏକ ଜେଲରେ ୫୦୦ କଏଦୀଙ୍କୁ ମୁକ୍ତ କରିଦେଇଥିବା ବେଳେ ଏକ ତାରକା ହୋଟେଲରେ ୮ ଜଣଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ହେଟେଲ ଅଗ୍ନିକାଣ୍ଡରେ ୭୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ବାଂଲାଦେଶରେ ହିଂସା ଯୋଗୁଁ ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟବସାୟ, ଆଇନକାନୁନ, ସୁରକ୍ଷା ବ୍ୟବସ୍ଥା ବିବର୍ଯ୍ୟସ୍ତ ହୋଇପଡ଼ିଛି।  

ପୂର୍ବରୁ ଦେଖାଯାଇଥିଲା ଅସ୍ଥିରତା

ବାଂଲାଦେଶରେ ଏବେ ଆଉ ସରକାର ନାହାଁନ୍ତି। ସେଠାକାର ସେନା ଏବେ ଦେଶକୁ ଶାସନ କରିବାକୁ ଯାଉଛି। ତେବେ ଦେଶରେ ଏହା ପ୍ରଥମ ଥର ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ବାଂଲାଦେଶ ଏଭଳି ପରିସ୍ଥିତିର ସାମ୍ନା କରିଛି।  ବାଂଲାଦେଶରେ ତିନି ଥର ସରକାର ଭାଙ୍ଗିଛି ଏବଂ ସେନା ଶାସନଭାକର ସମ୍ଭାଳିଛି। ୧୯୭୫, ଅଗଷ୍ଟ ୧୫ରେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ ମୁଜିବୁର ରେହମାନଙ୍କ ହତ୍ୟା ଏବଂ ତାଙ୍କ ସରକାରକୁ ହଟାଇବା ପରେ ସେନା ଅଧିକାରୀ କ୍ଷମତାକୁ ଆସିଥିଲେ। ୧୯୮୧ ମସିହାରେ ଜିଆଉର ରେହମାନଙ୍କୁ ହତ୍ୟା କରାଯାଇଥିଲା, ଏହା ପରେ କିଛି ସେନା ଅଧିକାରୀ କ୍ଷମତା ହାସଲ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏହି ପ୍ରୟାସ ସଫଳ ହୋଇପାରିଲା ନାହିଁ ଏବଂ ଗଣତନ୍ତ୍ର ନିର୍ବାଚନ ମାଧ୍ୟମରେ ବାଂଲାଦେଶକୁ ସରକାର ଫେରିଥିଲା । ୧୯୯୦ରେ ବାଂଲାଦେଶରେ ଏକ ବୃହତ ନାଗରିକ ଆନ୍ଦୋଳନ ତତ୍କାଳୀନ ସାମରିକ ଶାସନକୁ ସମାପ୍ତ କରି ଗଣତାନ୍ତ୍ରିକ ସରକାରର ପ୍ରତ୍ୟାବର୍ତ୍ତନ କରିଥିଲା।

ଶରଣ ଦେଲା ଭାରତ

ଭାରତ ସବୁବେଳେ ପଡୋଶୀ ଓ ଅତିଥିଙ୍କୁ ଗୁରୁତ୍ବ ଦେଇ ଆସିଛି। ଶେଖ ହସିନା ଭାରତର ଜଣେ ଭଲ ପ୍ରଶଂସକ ରହିଆସିଛନ୍ତି। ଗତ ସାଧାରଣ ନିର୍ବାଚନ ପରେ ନରେନ୍ଦ୍ର ମୋଦୀ ଯେତେବେଳେ ପ୍ରଧାନମନ୍ତ୍ରୀ ପଦବିର ଦାୟିତ୍ବ ଗ୍ରହଣ କଲେ, ସେହି ସମୟରେ ମଧ୍ୟ ଶେଖ ହସିନା ସମାରୋହରେ ଯୋଗ ଦେଇଥିଲେ। ଏବେ ସେ ଯେତେବେଳେ ସଂକଟରେ ପଡ଼ିଛନ୍ତି, ତାଙ୍କୁ ସହଯୋଗ କରିବା ନିହାତି ବଡ଼ କାମ। ଏହି ହେତୁ ଭାରତ ଶେଖ୍ ହସିନାଙ୍କୁ ଆଶ୍ରୟ ଦେଇଛି। ବାଂଲାଦେଶ ଛାଡ଼ିବା ପରେ ଶେଖ୍ ହସିନା ଭାରତରେ ଅଛନ୍ତି। ସେ ଲଣ୍ଡନ ଯିବା ପାଇଁ ଯୋଜନା ରଖିଛନ୍ତି। ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ମଙ୍ଗଳବାର ସଂସଦରେ କହିଛନ୍ତି, ଗତ ଜାନୁଆରୀ ମାସରୁ ବାଂଲାଦେଶରେ ଉତ୍ତେଜନା ଲାଗି ରହିଛି।  ଆମେ ସେଠାକାର ରାଜନୈତିକ ଦଳମାନଙ୍କ ସହ ଯୋଗାଯୋଗରେ ଥିଲୁ। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ବାଂଲାଦେଶର ସ୍ଥିତି ବଦଳିଗଲା ଏବଂ ପରିସ୍ଥିତି ଏପରି ବଦଳିଗଲା। ସବୁଠାରୁ ବଡ଼ କଥା ହେଉଛି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଚିନ୍ତାର ବିଷୟ। ଆମେ ଭାରତୀୟ ସମ୍ପ୍ରଦାୟ ସହ ଯୋଗାଯୋଗରେ ଅଛୁ। ଅନେକ ଛାତ୍ରଛାତ୍ରୀ ଫେରିଛନ୍ତି। ଆମ ଦୂତାବାସ ସକ୍ରିୟ ରହିଛି। ଆମେ ଆଶା କରୁଛୁ ଯେ ସେଠାକାର ସରକାର ଆମ ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବେ।  

‘ଆଇଏସ୍ଆଇ’ର ହାତ ସନ୍ଦେହ

ବାଂଲାଦେଶରେ ହିଂସା ପଛରେ ଷଡ଼ଯନ୍ତ୍ର ଥିବା ଅନୁମାନ କରାଯାଉଛି। ପାକିସ୍ତାନର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଦେଶରେ ହିଂସା, ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ, ବ୍ୟାପକ କ୍ଷୟକ୍ଷତି ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସରକାର ଭୁଶୁଡ଼ିବା ପଛରେ ଜମାତ-ଇ-ଇସଲାମୀ ବାଂଲାଦେଶର ଛାତ୍ର ସଂଗଠନ ଇସଲାମୀ ଛାତ୍ର ଶିବିରର ହାତ ଥିବା ସୂତ୍ରରୁ ପ୍ରକାଶ ପାଇଛି। ଏହି ଛାତ୍ର ସଂଗଠନ ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସ୍ଆଇ କାମ କରୁଥିବା ବିଶ୍ୱାସ କରାଯାଉଛି। ଜମାତ-ଇ-ଇସଲାମୀ ହେଉଛି ପାକିସ୍ତାନ ସ୍ଥିତ ଏକ ରାଜନୈତିକ ଦଳ, ଯାହା ୧୯୪୧ରେ ଗଠନ ହୋଇଥିଲା। ଏହି ରାଜନୈତିକ ଦଳର ଛାତ୍ର ସଂଗଠନ ଇସଲାମୀ ଛାତ୍ର ଶିବିର ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣକୁ ମୁଦ୍ଦା କରି ବ୍ୟାପକ ହିଂସା ଘଟାଇଛି।  ଗତ ଦୁଇ ବର୍ଷ ମଧ୍ୟରେ ବାଂଲାଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅନେକ ଇସଲାମୀ ଛାତ୍ର ଶିବିର ସଦସ୍ୟ ସାମିଲ ହୋଇଥିଲେ। ଏହିଠାରୁ ହିଁ ଛାତ୍ରମାନଙ୍କୁ ହିଂସା ପ୍ରତି ପ୍ରବର୍ତ୍ତା ଯାଇଛି। କେବଳ ଏତିକି ନୁହେଁ, ଏହି ସଂଗଠନ ବିଶ୍ୱବିଦ୍ୟାଳୟ ନିର୍ବାଚନରେ ମଧ୍ୟ ପ୍ରମୁଖ ଭୂମିକା ନିଭାଇଥିଲା।  

ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା

ଆନ୍ଦୋଳନ, ପ୍ରଦର୍ଶନ ଓ ହିଂସା ପଛର କାରଣ ହେଉଛି ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା। ବାଂଲାଦେଶ ସରକାରଙ୍କ ବ୍ୟବସ୍ଥା ଅନୁସାରେ ବିଭିନ୍ନ ବର୍ଗରୁ ଆସୁଥିବା ପ୍ରାର୍ଥୀଙ୍କ ପାଇଁ ୫୬ପ୍ରତିଶତ ସଂରକ୍ଷଣ ଦିଆଯାଉଛି। ଏଥିରେ ୩୦ ପ୍ରତିଶତ କେବଳ ୧୯୭୧ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳୁଛି। ଏହି ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ ଆଣିବା ପାଇଁ ଛାତ୍ର ସଂଗଠନ ଆନ୍ଦୋଳନ କରିଥିଲା। ଆନ୍ଦୋଳନ ଯୋଗୁଁ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ୧ ହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଗଲାଣି। ହସିନା ସରକାର ଜମାତ-ଏ-ଇସଲାମି ସଂଗଠନକୁ ବ୍ୟାନ କରିଦେବା ପରେ ପରିସ୍ଥିତି ଅଣାୟତ ହୋଇପଡିଛି। ଏବେ ସୀମାନେ ଯବାନ ନାହାନ୍ତି। ବାଂଲାଦେଶର ସଡ଼କକୁ ସେନା ଜଗିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments