ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସହ ଭାରତୀୟ ଜନତା ପାର୍ଟି(ବିଜେପି)ର ମେଣ୍ଟ ନେଇ ଚର୍ଚ୍ଚା ଫିକା ପଡ଼ିଲା ପରେ ଚଳିତ ସାଧାରଣ ନିର୍ବାଚନ ରାଜ୍ୟରେ ଶାସକ ଦଳ ପାଇଁ ଭିନ୍ନ ଏକ ପ୍ରକାରର ପରିସ୍ଥିତି ଆଣିଛି। ବିଜେପିର କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାକୁ ଘନଘନ ଗସ୍ତ କରୁଛନ୍ତି। ବିଜେପି ସପକ୍ଷରେ ମତଦାନ ପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କରୁଛନ୍ତି। ଏହାରି ମଧ୍ୟରେ ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର, ବ୍ରହ୍ମପୁର, ନବରଂଗପୁର, କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଗସ୍ତ କରି ପ୍ରଚାର କରିଛନ୍ତି।
ମୋଦୀ ଆଗାମୀ ଦିନରେ ପୁରୀ, କଟକ, ଅନୁଗୁଳ ସହିତ ମୟୂରଭଂଜ, ବାଲେଶ୍ବର ଓ ଭଦ୍ରକ ଲୋକସଭା ପାଇଁ ପ୍ରଚାର କରିବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋନପୁର, ସୋରଡ଼ା ଓ କଟକରେ ପ୍ରଚାର କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପ୍ରଚାର ବ୍ରହ୍ମପୁରରେ ହୋଇ ସାରିଛି ଓ ଭୁବନେଶ୍ବରରେ ହେବ। ସେହିପରି ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଖୁବ୍ ଟାର୍ଗେଟ କରୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଯେ, ବୁଧବାର ଦିନ ଅମିତ ଶାହ, ଓମ୍ ବିର୍ଲା ଓ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ୪ଦିଗରୁ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରଛନ୍ତି।
ସୋରଡ଼ା, କଟକରୁ ଶାହଙ୍କ ଟାର୍ଗେଟ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପୂର୍ବ ଓଡ଼ିଶାର କଟକ ସହରରେ ରୋଡ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିଲେ। ବିଜେପି ପ୍ରାର୍ଥୀଙ୍କ ପାଇଁ ଆୟୋଜନ ହୋଇଥିବା ସେ ରୋଡ ସୋ’ ସମୟରେ ଖୋଲା ଗାଡ଼ିରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଓଡ଼ିଶା ସରକାରକୁ ଟାର୍ଗେଟ କରିଥିଲେ। ବିଜେପି ସରକାର ଗଢ଼ଲେ ଓଡ଼ିଶାରେ ବିକାଶର ଗ୍ୟାରେଣ୍ଟି ପୂରା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୂର୍ବରୁ ସୋରଡ଼ାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଶ୍ରୀ ଶାହ ରାଜ୍ୟ ସରକାର, ନବୀନ ପଟ୍ଟନାୟ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟ ରାଜନୀତି ଓ ପ୍ରଶାସନିକ ବ୍ୟବସ୍ଥାରେ ଅଣଓଡ଼ିଆଙ୍କ ପ୍ରାଦୂର୍ଭାବ, ବେରୋଜଗାରୀ ସମସ୍ୟା, କୃଷି ଓ କୃଷକ, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବାକୁ ପ୍ରସଙ୍ଗ କରିଥିଲେ। ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବ ଦେଉଛନ୍ତି। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ସମ୍ମାନ କରିଛନ୍ତି। ଜି-୨୦ ସମ୍ମିଳନୀରେ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିରର ଚିତ୍ର ରଖି ବିଶ୍ବବାସୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି କହିଥିଲେ।
ପଶ୍ଚିମ ଓଡ଼ିଶାରୁ କ’ଣ କହିଲେ ଧର୍ମେନ୍ଦ୍ର
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀର କେଶାଇବାହାଲ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗ୍ୟାରେଣ୍ଟିର ଗ୍ୟାରେଣ୍ଟି ହେଉଛି ମୋଦୀ ଗ୍ୟାରେଣ୍ଟି। ଓଡ଼ିଶାରେ ଏଥର ପିଇବା ପାଣି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ରୋଜଗାର ଓ ମହିଳା ସୁରକ୍ଷା ପାଇଁ ପରିବର୍ତ୍ତନ ହେବ। ୨୪ ବର୍ଷର ବିଜେଡି ସରକାରରେ କୁଚିଣ୍ଡା ଅବହେଳିତ। କୃଷିଭିତ୍ତିକ ଅଞ୍ଚଳରେ ଜମିକୁ ଜଳସେଚନ ହୋଇପାରୁନଥିବାରୁ ଚାଷୀମାନେ ଅସୁବିଧା ଭୋଗୁଛନ୍ତି। ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ରାଜ୍ୟ ସରକାର ଦେଉନାହାନ୍ତି। ପେସା ଆକ୍ଟ କାର୍ଯ୍ୟକାରୀ ହେଉନଥିବା ବେଳେ ଆଦିବାସୀଙ୍କୁ ସ୍ଥାୟୀ ପଟ୍ଟା ମିଳୁନାହିଁ। ଆଦିବାସୀଙ୍କ ଜମି ବିକିବା ପାଇଁ କିଏ କ୍ୟାବିନେଟ୍ ନିଷ୍ପତ୍ତି କରିଥିଲା ? ଏହା ବିରୋଧରେ ଲୋକେ ମେଳି ବାନ୍ଧିଛନ୍ତି ବୋଲି କହିଛନ୍ତି।
ଓଡ଼ିଶାର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି: ବିର୍ଲା
ଉତ୍ତର ଓଡ଼ିଶାର କେନ୍ଦ୍ରସ୍ଥଳୀ ବାଲେଶ୍ୱରଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମାବେଶକୁ ସମ୍ବୋଧନ କରି ଲୋକସଭା ବାଚସ୍ପତି ତଥା ବରିଷ୍ଠ ବିଜେପି ନେତା ଓମ୍ ବିର୍ଲା କହିଥିଲେ, ଓଡ଼ିଶାରେ ଏବେ ଲୋକେ ବିରାଟ ପରିବର୍ତ୍ତନ ଚାହୁଁଛନ୍ତି। ବିକାଶ ପାଇଁ ବିଜେପି ସରକାର ଆସୁ ବୋଲି ଚିନ୍ତା କରୁଛନ୍ତି। ପୂର୍ବର ଭାରତ ଓ ବର୍ତ୍ତମାନର ଭାରତ ଭିତରେ ଅନେକ ପରିବର୍ତ୍ତନ ଆସିଛି। ପୂର୍ବରୁ ଭାରତ ବିଭିନ୍ନ ପ୍ରକାର ସାମଗ୍ରୀ ପାଇଁ ବିଦେଶ ଉପରେ ନିର୍ଭର କରୁଥିବାବେଳେ ଏବେ ମେଡ୍ ଇନ୍ ଓଡ଼ିଶା ଅଭିଯାନରେ ଆତ୍ମନିର୍ଭରଶୀଳ ହୋଇଛି। ଖେଳନା ଠାରୁ ଆରମ୍ଭ କରି ମୋବାଇଲ ସବୁଥିରେ ଭାରତ ଅନ୍ୟ ଦେଶମାନଙ୍କ ଠାରୁ ଆମଦାନୀ କରୁଥିଲା।