ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ନିଜର ୭୪ ଜନ୍ମଦିନରେ ସେ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତକାଳରେ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭର ପ୍ରଥମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟରେ ଟଙ୍କା ଦେଇଛନ୍ତି। ଏଥି ପାଇଁ ସରକାର ୧୨୫୦ କୋଟି ୫୫ ହଜାର ଟଙ୍କା ପଠାଇଛନ୍ତି।
ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରଚାର ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ମୋହନ ଚରଣ ମାଝୀଙ୍କ ସରକାର ୧ କୋଟି ୮ ଲକ୍ଷ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି। ଗତ ୪ ତାରିଖ ଠାରୁ ସୁଭଦ୍ରା ଯୋଜନାର ପଂଜୀକରଣ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୭୫ ଲକ୍ଷ ହିତାଧିକାରୀ ନାମ ପଂଜୀକରଣ କରିସାରିଛନ୍ତି। ‘ସୁଭଦ୍ରା’ଯୋଜନା ପାଇଁ ହିତାଧିକାରୀଙ୍କ ଆବେଦନ ଓ ପଞ୍ଜୀକରଣ ପ୍ରକ୍ରିୟା ୨୦୨୫ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ପ୍ରଥମ କିସ୍ତିର ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ପୂର୍ବରୁ ସ୍ପଷ୍ଟ କରିଛନ୍ତି।
ଜନ୍ମଦିନରେ ନିଆରା କାର୍ଯ୍ୟକ୍ରମ
ବିଗତ କିଛି ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଜନ୍ମଦିନରେ ନିଆରା କାର୍ଯ୍ୟକ୍ରମ କରୁଛନ୍ତି। ୭୪ତମ ଜନ୍ମଦିନରେ ଓଡ଼ିଶାର ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ବର୍ଷକୁ ୨ଟି କିସ୍ତିରେ ହିତାଧିକାରୀମାନଙ୍କୁ ୧୦୦୦୦ ଟଙ୍କା ମିଳିବ। ଆଗାମୀ ୫ ବର୍ଷ ପାଇଁ ଏହା ଜାରି ରହିବ। ପରବର୍ତ୍ତୀ ସମୟରେ କ’ଣ ହେବ ସରକାର ନିଷ୍ପତ୍ତି ନେବେ। ୨୦୨୩ରେ ଦେଶର କଳାକାର ଏବଂ କାରିଗରମାନଙ୍କ ପାଇଁ ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବା ସମୟରେ ସେମାନଙ୍କୁ ଦକ୍ଷତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ୨୦୨୨ମସିହାରେ ଭାରତରୁ ବିଲୁପ୍ତ ହୋଇଯାଇଥିବା ଚିତାକୁ ନାମିବିଆରୁ ଏୟାରଲିଫ୍ଟ କରି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଥିଲା। ୨୦୨୧ରେ ଗୋଟିଏ ଦିନରେ ୨.୨୬ କୋଟି କୋଭିଡ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ୨୦୨୦ମସିହାରେ ପୂର୍ବ ବିଶ୍ୱ କରୋନା ସଂକ୍ରମଣ ସହ ଲଢ଼ୁଥିବାରୁ କୌଣସି ଜନ୍ମଦିନ ପାଳନ ହୋଇନଥିଲା। ତେବେ ସେବା ସପ୍ତାହରେ ଦଳ ପକ୍ଷରୁ ରାସନ ବଣ୍ଟନ, ରକ୍ତଦାନ ଆଦିର ଆୟୋଜନ କରାଯାଇଥିଲା। ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର କେଭାଡିଆରେ ‘ନମାମି ନର୍ମଦା’ ଉତ୍ସବରେ ଯୋଗ ଦେଇଥିଲେ।
ଓଡ଼ିଶା ପାଇଁ ମୋଦୀଙ୍କ ସ୍ବପ୍ନ
ପ୍ରଧାନମନ୍ତ୍ରୀ ହେଲା ପରେ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ସ୍ବତନ୍ତ୍ର ନଜର ରହିଛି। ବିଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶର ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଭଲ ଅନୁଦାନ ଦେଇଛନ୍ତି। ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିବୁ। ମହିଳାଙ୍କ ଉନ୍ନତି ହିଁ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବାର ସୌଭାଗ୍ୟ ମିଳିଲା। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ। ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭର ସୁଯୋଗ ମିଳିଲା। ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି। ପ୍ରଚାର ବେଳେ ଡବଲ ଇଂଜିନ ସରକାର ହେଲେ ବିକାଶ ହେବ ବୋଲି କହିଥିଲି। ଯେଉଁ ସବୁ ସ୍ୱପ୍ନ ମହିଳା, ଆଦିବାସୀ, କୃଷକ, ଯୁବବର୍ଗ ଆଦି ଦେଖିଛନ୍ତି ସେ ସବୁ ସ୍ୱପ୍ନ ପୂରଣ ହେବ।
ପ୍ରତିଶ୍ରୁତି ପୂରଣ କରୁଛୁ: ମୋଦୀ
ଆମେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲୁ, ତାହା ଖୁବ୍ ଶୀଘ୍ର ପୂରଣ କରିବାକୁ ପ୍ରାଣପଣେ ଉଦ୍ୟମ କରୁଛୁ। ଆଜି ସମଗ୍ର ଦେଶରେ ୩୦ ଲକ୍ଷରୁ ଅଧିକ ପରିବାରକୁ ପକ୍କା ଘର ଦିଆଗଲା। ୨୬ ଲକ୍ଷ ଘର ଗାଁ ଓ ୪ ଲକ୍ଷ ଘର ସହରରେ ଦିଆଯାଇଛି। ଓଡ଼ିଶାର ବିକାଶ ପାଇଁ ହଜାର କୋଟିର ପ୍ରକଳ୍ପ ଓ ଶିଳାନ୍ୟାସ ହୋଇଛି। ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ପୁରୀ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲା ହେବ ଓ ରତ୍ନ ଭଣ୍ଡାର ଖୋଲାହେବ ବୋଲି କହିଥିଲୁ। ତେଣୁ ଓଡ଼ିଶାରେ ସରକାର ଗଠନ ହେଉ ହେଉ ଆମେ ପ୍ରତିଶ୍ରୁତି ପୂରଣ କରିବାକୁ ଲାଗିପଡ଼ିଛୁ। ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲା ହୋଇଥିବା ବେଳେ ରତ୍ନ ଭଣ୍ଡାର ବି ଖୋଲା ଯାଇଛି। ଆମେ ସବୁବେଳେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଉଛୁ।
ଓଡ଼ିଶାରେ ୫ମାସରେ ୬ ଥର ମୋଦୀ
ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଉପରେ ନଜର ରଖିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସେ ଓଡ଼ିଶାକୁ ୪ ଥର ଗସ୍ତ କରିଥିଲେ। ଏହି ପ୍ରଚାର ସମୟରେ ସେ ଭୁବନେଶ୍ବର, କଟକ, ପୁରୀ, ଅନୁଗୁଳ, ବ୍ରହ୍ମପୁର, ନବରଂଗପୁର, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ବାଲେଶ୍ବର, କେନ୍ଦ୍ରାପଡ଼ା ଗସ୍ତ କରିଥିଲେ। ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେଲା ପରେ ଗତ ଜୁନ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜନତା ମଇଦାନରେ ଆୟୋଜନ ହୋଇଥିଲା। ମୋଦୀ ସୁଭଦ୍ର ଯୋଜନାର ଶୁଭାରମ୍ଭ ମଧ୍ୟ ସେହି ଜନତା ମଇଦାନରୁ କରିଛନ୍ତି। ଏଥି ସହିତ ସେ ୩ ମାସ ୫ ଦିନରେ ଗୋଟିଏ ପଡ଼ିଆକୁ ୨ ଥର ଗସ୍ତ କରି ମଧ୍ୟ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି।