ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ବାହାରିବା ତାରିଖକୁ ୪୦ ଦିନ ଅତିକ୍ରମ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିଛି। ଓଡ଼ିଶାରେ ୨୪ ବର୍ଷର ଶାସନରେ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପରିଚାଳିତ ବିଜେଡି ଏଥର ବିରୋଧୀ ଆସନରେ ବସିଛି। ଦଳ ଗଠନ ହେବା ପର ଠାରୁ ସବୁବେଳେ କ୍ଷମତାରେ ବସି ଆସିଥିବା ବିଜେଡି ବିରୋଧୀ ଆସନରେ ଯେତେବେଳେ ବସୁଛି, ନିଶ୍ଚିତ ଭାବେ ମନ ଭିତରେ କଷ୍ଟ ଲାଗୁଥାଇ ପାରେ। କାରଣ ବିରୋଧୀ ଦଳ ଆସନରେ ବସିବାର ଅଭିଜ୍ଞତା ପ୍ରଥମ ଥର ହାସଲ କରିବ।
ନବୀନ ପଟ୍ଟନାୟକ ହେଉଛନ୍ତି ଦଳର ସୁପ୍ରିମୋ। ତାଙ୍କ ବ୍ୟତୀତ ଦଳ ବିଷୟରେ କିଛି କହିବାକୁ କେହି ମୁହଁ ଖୋଲିପାରନ୍ତି ନାହିଁ। ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ଦଳର ନେତାମନ୍ତ୍ରୀମାନେ ତାଙ୍କୁ ଯେତିକି ଡରୁ ନଥିଲେ, ଆଇଏଏସ୍ ଅଫିସର ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିବା ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଧିକ ଭୟ କରୁଥିଲେ। ଗତ ଜୁନ୍ ୪ ତାରିଖରେ ଯେତେବେଳେ ସାଧାରଣ ନିର୍ବାଚନର ଫଳାଫଳ ଆସିଲା ଏବଂ ବିଜେଡିର ପରାଜିତ ହେଲା ତଥାପି କେହି ମୁହଁ ଖୋଲିବାକୁ ସାହସ କରିପାରି ନଥିଲେ। ପ୍ରାୟ ଏକ ସପ୍ତାହ ପରେ ନବୀନ ନିବାସରେ ବରିଷ୍ଠ ନେତାମାନଙ୍କର ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ପାଣ୍ଡିଆନ ଦେଖାଯାଇ ନଥିଲେ। ମାତ୍ର ନିର୍ବାଚନ ପରାଜୟକୁ ଶ୍ରୀ ପାଣ୍ଡିଆନ ସ୍ବୀକାର କରିଥିଲେ। ଦୀର୍ଘ ବର୍ଷ ଧରି କ୍ଷମତାର ଉପଭୋଗ କରିଥିବା ବିଜେଡି ନେତାମାନେ ନିର୍ବାଚନ ପରାଜିତ ହେବାକୁ ପ୍ରାୟ ଦେଢ଼ ମାସ ବିତି ସାରିଥିବା ବେଳେ ଏବେବି ସେମାନେ ପରାଜୟକୁ ଭୁଲିପାରୁ ନାହାନ୍ତି।
ବିରଜେଡିରେ ଆତ୍ମବଡିମା ରହିଲା
ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡି କାହିଁକି ଶୋଚନୀୟ ଭାବରେ ହାରିଲା ଏନେଇ ଜଣଙ୍କ ପରେ ଜଣେ ନେତା ପରାଜୟର କାରଣ ନେଇ ମୁହଁ ଖୋଲୁଛନ୍ତି। ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦଳ ଭିତରେ ଆତ୍ମବଡିମା ରହିଲା। ଏକକାଳୀନ ଦୀର୍ଘ ସମୟ ସରକାରରେ ରହିଲେ ସମସ୍ତେ ଢିଲା ଓ ଅଳସୁଆ ହୋଇଯାଆନ୍ତି। ଯାହାର ପ୍ରତିଫଳନ ହେଲା ବୋଲି ସେ କହିଛନ୍ତି। ପର୍ଜଙ୍ଗର ପୂର୍ବତନ ବିଧାୟକ ନୃସିଂହ ଚରଣ ସାହୁ କହିଛନ୍ତି, ଅନେକ କ୍ଷେତ୍ରରେ ବିଜେଡ଼ି ଲୋକ ବିଜେଡ଼ିକୁ ହିଁ ହରାଇବାକୁ ଲାଗିଥିଲେ । ଭୋଟ ପଛରେ ନ ଲାଗି ସେମାନେ ପ୍ରାର୍ଥୀଙ୍କୁ ହରାଇବାକୁ ଲାଗିଲେ। କିନ୍ତୁ ବିଜେପି କର୍ମୀ ତାଙ୍କ ପ୍ରାର୍ଥୀ ପଛରେ ରହିଲେ। ଏହା ଗୋଟେ ଫ୍ୟାକ୍ଟର।
ମୂଷା କଢ଼ା ହେବ: ସମ୍ବିତ
ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ନେଇ ବିଜେଡିରୁ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ମୁହଁ ଖୋଲିଥିଲେ। ନିର୍ବାଚନର ମାସକ ପରେ ବିସ୍ଫୋରଣ ଦେଇଥିଲେ। ସେ କହିଥିଲେ ଗତ ନିର୍ବାଚନରେ ନବୀନ ପଟ୍ଟନାୟକ ହାରି ନାହାନ୍ତି ତାଙ୍କୁ ହରାଯାଇଛି। ସୁଚିନ୍ତିତ ଭାବେ ନବୀନ ପଟ୍ଟନାୟକଙ୍କୁ ହରାଇ ଦିଆଯାଇଛି। ‘ଢୋଲ ଭିତରେ ମୂଷା ରହିଲେ। ମୂଷା କିଏ ଆପଣ ଜାଣିଥିବେ। ଆଜି ନ ହେଲେ କାଲି ସେ ମୂଷା କଢ଼ା ହେବେ। ବରିଷ୍ଠ ନେତା ମାନେ ଆଲୋଚନା କରୁଛନ୍ତି । ମୂଷା ରହିଲେ ଆପଣଙ୍କ ଧନ, ସମ୍ପତ୍ତି ଲୁଟ୍ ହେବାର ଆଶଙ୍କା ରହିଛି। ସରକାର ଆଉ ପ୍ରଶାସନ ବହୁତ କାମ କରିଛନ୍ତି । ଏମିତିକି ପଞ୍ଚାୟତ ପିଛା ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କା ଦେଲେ । ପୁରା ଭଣ୍ଡାର ଖୋଲିଦେଲେ। ତଥାପି ଲୋକ ଆମକୁ ହରାଇଲେ। ପରାଜୟର ଅନେକ କାରଣ ଅଛି।
କ’ଣ କହିଥିଲେ ପ୍ରଭାତ ବିଶ୍ବାଳ?
ତେବେ କିଛି ଦିନ ପୂର୍ବରୁ ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ମଧ୍ୟ ପରାଜୟକୁ ନେଇ ମୁହଁ ଖୋଲିଥିଲେ। ସେ କହିଥିଲେ ଯେ, ବୁଝାମଣା ଅଭାବରୁ ଚଳିତ ନିର୍ବାଚନରେ ହାରିଲା ବିଜେଡି। ଏମିତି ଅବସ୍ଥା ଭୋଗିଲା। ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କେଉଁଠି ନା କେଉଁଠି ଆଣ୍ଟି ଇନକମ୍ବେନ୍ସୀ ବା ଦଳ ବିରୋଧୀ ହାୱା ଗୋଟିଏ ବଡ଼ ଫ୍ୟାକ୍ଟର ଭାବରେ କାମ କରିଛି। ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସବୁ ସତ କଥା କହିଥିଲି। କଟକ ମହାନଦୀବିହାର ସେଲିବ୍ରେସନ୍ ମଣ୍ଡପରେ ଆୟୋଜିତ ବିଜେଡି କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ ସମାରୋହରେ ଉଦବୋଧନ ବେଳେ ପ୍ରଭାତ ବିଶ୍ବାଳ ଏହା କହିଥିଲେ।
ବିଜେଡିର ଶୋଚନୀୟ ପରାଜୟ
ସୂଚନା ଅନୁସାରେ ଗତ ୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ନିର୍ବାଚନରେ ବିଜେଡିର ଦୁର୍ଗ ପତନ ହେବା ପରେ ବିଦ୍ରୋହର ଧ୍ୱନି ସିଧା ଶଙ୍ଖ ଭବନରେ ଶୁଭିଥିଲା। ପାଣ୍ଡିଆନ୍ ବିରୋଧୀ ନାରା ଶୁଭିଥିଲା। ଅସନ୍ତୋଷ ଏତେ ଚରମ ସୀମାରେ ପହଞ୍ଚିଥିଲା ଯେ, ବିଜେଡି ମୁଖ୍ୟାଳୟରେ ଦଳର ଯୁବ-ଛାତ୍ର କର୍ମୀମାନେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପାଣ୍ଡିଆନ୍ ମୁର୍ଦ୍ଦାବାଦର ସ୍ଲୋଗାନ୍ ଦେଇଥିଲେ। ଖାଲି ସେତିକି ନୁହେଁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ବିରୋଧରେ ବି କରିଥିଲେ ଜୋରଦାର ନାରାବାଜି ।