ଭୁବନେଶ୍ବର: ଦେଶରେ ସାଧାରଣ ନିର୍ବାଚନ-୨୦୨୪ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇସାରିଛି। ଆହୁରି ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ। ଏପର୍ଯ୍ୟନ୍ତ ହୋଇସାରିଥିବା ୩୮୧ଟି ଲୋକସଭା ଆସନରୁ ଏନ୍ଡିଏ ୨୭୦ଟିରୁ ଊର୍ଦ୍ଧ ଆସନରେ ବିଜୟ ହାସଲ କରିବ ବୋଲି ଆଶା ରଖିଛି। ସେହିପରି ଅବଶିଷ୍ଟ ୧୬୩ ଆସନରେ ମଧ୍ୟ ଭଲ ପ୍ରଦର୍ଶନ କରି ବିଜେପି ନେତୃତ୍ବ ଏନ୍ଡିଏ ୪୦୦ରୁ ଊର୍ଦ୍ଧ୍ବ ଆସନରେ ବିଜୟୀ ହୋଇ ଲକ୍ଷ୍ୟ ପୂରା କରିବାକୁ ରଣନୀତି ପ୍ରସ୍ତୁତି କରିଛି। ଏହି କ୍ରମରେ ଓଡ଼ିଶାର ୨୧ ଲୋକସଭା ଆସନରୁ ୧୫ଟିରେ ବିଜୟୀ ହୋଇ ରେକର୍ଡ ସୃଷ୍ଟିକରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି। କେବଳ ଲୋକସଭା ନୁହେଁ। ବରଂ ଓଡ଼ିଶା ବିଧାନସଭା ନିର୍ବାଚନରେ ୭୫ରୁ ଅଧିକ ଆସନରେ ବିଜୟୀ ହୋଇ ବିଜେପି ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଛି ଏବଂ ଏହି ମିସନ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଜେପିର ବରିଷ୍ଠ ନେତା ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତି।
ଚଳିତ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ଦୁଇ ଥର ଗସ୍ତ କରିସାରିଛନ୍ତି। ଏହି ଗସ୍ତକାଳ ମଧ୍ୟରେ ବ୍ରହ୍ମପୁର, ନବରଂଗପୁର, ଫୁଲବାଣୀ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାକୁ ସମ୍ବୋଧିତ କରିସାରିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶଗୁଡ଼ିକରେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ମତଦାତାଙ୍କୁ ଭୋଟ୍ ମାଗିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗାମୀ ଓଡ଼ିଶା ଗସ୍ତ ମେ’ ୧୯ ତାରିଖ ଠାରୁ ପୁଣି ଦୁଇ ଦିନ ପାଇଁ ହେବ। ଏହି ଗସ୍ତରେ ପୁରୀରେ ରୋଡ୍ ସୋ’ କରିବେ। ପରେ ସେ ଅନୁଗୁଳ ଓ କଟକରେ ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେବେ।
ଓଡ଼ିଶାରେ ମୋଦୀଙ୍କ ରୋଡ୍ ସୋ’
ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୨୦ ତାରିଖ ପୂର୍ବାହ୍ଣରେ ପୁରୀରେ ପହଞ୍ଚିଲା ପ୍ରଥମେ କାଳିଆ ଠାକୁରଙ୍କ ଦର୍ଶନ କରିବେ। ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଆଶୀର୍ବାଦ ନେବେ। ଏହା ପରେ ସେ ପବିତ୍ର ବଡ଼ଦାଣ୍ଡରେ ମରିଚିକୋଟ ଛକ ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରୋଡ’ ସୋରେ ବାହାରିବେ। ମୋଦୀଙ୍କ ଏହି ଶୋଭାଯାତ୍ରା ନେଇ ପୁରୀ ଜିଲ୍ଲା ବିଜେପି ନେତା, କର୍ମୀ ଓ ସମର୍ଥକମାନେ ବହୁତ ଉତ୍ସାହିତ ଅଛନ୍ତି। ପବିତ୍ର ଶ୍ରୀକ୍ଷେତ୍ର ମାଟିରେ ପ୍ରଥମ ଥର ପାଇଁ ମୋଦୀ ରୋଡ୍ ସୋ’ କରୁଥିବାରୁ ସେ ନିଜେ ମଧ୍ୟ ଉତ୍ସାହିତ ଥିବେ। କାରଣ ମୋଦୀ ପ୍ରାଚୀନ ଆଧ୍ୟାତ୍ମିକ ସ୍ଥଳକୁ ବହୁତ ଭଲ ପାଆନ୍ତି। ଚଳିତ ନିର୍ବାଚନରେ ସେ ଏହାରି ମଧ୍ୟରେ ଅଯୋଧ୍ୟା ଓ ବାରାଣସୀରେ ରୋଡ ସୋ’ କରିସାରିଛନ୍ତି। ଭଗବାନ ରାମ ଓ ଶିବଙ୍କ ମାଟିରେ ରୋଡ ସୋ’ ପରେ ସେ ବିଷ୍ଣୁଙ୍କ ଅବତାର ଜଗନ୍ନାଥଙ୍କ ମାଟିରେ ରୋଡ ସୋ’ କରିବେ। ମୋଦୀଙ୍କ ରୋଡ ସୋ’ରେ ସମର୍ଥକଙ୍କ ପ୍ରବଳ ଭିଡ଼ ହୋଇପାରେ। ଗତ ୧୦ ତାରିଖ ରାତିରେ ଭୁବନେଶ୍ବର ଜନପଥରେ ମୋଦୀ ଯେତେବେଳେ ରୋଡ ସୋ’ରେ ଯାଉଥିଲେ, ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥିଲା। ଦେଶର ଅନ୍ୟତମ ଆକର୍ଷଣୀୟ ଆଧ୍ୟାତ୍ମିକ ସ୍ଥାନ ପୁରୀ ହୋଇଥିବାରୁ ପ୍ରତିଦିନ ଏଠାକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ତେଣୁ ମୋଦୀଙ୍କ ରୋଡ ସୋ’ରେ ଲକ୍ଷାଧିକ ଲୋକଙ୍କର ସମାଗମ ହେବାର ସମ୍ଭାବନା ଅଛି।
ବିଜେପି ନିଶାନାରେ ବିଜେପି
ଓଡ଼ିଶାରେ ବିଜେପି ସରକାର ଆଣିବା ପାଇଁ ପୂରା କେନ୍ଦ୍ରୀୟ ନେତୃତ୍ବ ଲାଗିପଡ଼ିଛନ୍ତି। ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତି। ସେହପିର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଓଡିଶା ଆସି ନିର୍ବାଚନ ପ୍ରଚାର କରିଛନ୍ତି। କେବଳ ଏତିକି ନୁହେଁ ମଥୁରା ସାଂସଦ ହେମା ମାଳିନୀ ମଧ୍ୟ ଭୁବନେଶ୍ବରରେ ଜନସଭାରେ ଯୋଗଦେବା ସହିତ କଟକ ଜିଲ୍ଲା କିଶନନଗର ଓ ପୁରୀ ଜିଲ୍ଲା ପିପିଲିରେ ରୋଡ ସୋ’ କରିଛନ୍ତି। ବିଜେପିର ତମାମ କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶା ଉପରେ ନଜର ରଖିଛି। କେନ୍ଦ୍ରୀୟ ନେତୃତ୍ବ ଯେତେବେଳେ ଜନସଭାକୁ ସମ୍ବୋଧନ କରୁଛନ୍ତି ଅଥବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଛନ୍ତି ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନ୍ଙ୍କୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର (୨୦୨୪ ମେ’ ୧୭)