Wednesday, December 4, 2024
Homeଖବରନିର୍ବାଚନ ସମୟରେ ଗଂଜାମରେ ରକ୍ତଛିଟା

ନିର୍ବାଚନ ସମୟରେ ଗଂଜାମରେ ରକ୍ତଛିଟା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟରେ ମତଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ଆରମ୍ଭୁର ହିଂସା ଦେଖିବାକୁ ମିଳିଛି। ବିଜେଡି ନେତା ଭୈରବ କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବଚ୍ଛ କହୁଛନ୍ତି। କିନ୍ତୁ ନବୀନ ପଟ୍ଟନାୟକଙ୍କ ଜିଲ୍ଲାରେ ଲଗାତାର ହିଂସା ଦେଖିବାକୁ ମିଳୁଛି। ରାଜ୍ୟରେ ମତଦାନ ଆରମ୍ଭ ହେବା ଦିନଠାରୁ ଗଂଜାମ ଜିଲ୍ଲାରେ ଛୋଟ-ବଡ଼ ୪ଟି ହିଂସାକାଣ୍ଡ ଦେଖିବାକୁ ମିଳିସାରିଛି। ପ୍ରତ୍ୟେକ ହିଂସା କାଣ୍ଡରେ ଭାରତୀୟ ଜନତା ଦଳର କର୍ମୀ ଆକ୍ରମଣର ଶିକାର ହୋଇଛନ୍ତି।

ଗତ ୧୩ ତାରିଖ ଦିନ ଗଂଜାମର ବିଭିନ୍ନ ସ୍ଥାନରେ ହିଂସା ଦେଖାଯାଇଥିଲା। ବିଜେପି ସମର୍ଥକଙ୍କୁ ଘର ଭିତରୁ ବାହାରକୁ ନଛାଡ଼ିବା ମଧ୍ୟ ଅଭିଯୋଗ ଆସିଥିଲା। ସେହିଦିନ ସନ୍ଧ୍ୟା ସମୟରେ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋଷାଣୀ ନୂଆଗାଁ ଥାନା ଅଧୀନ ଉତ୍କଳମଣି  ପ୍ରାଥମିକ ବିଦ୍ୟାଳୟ ବୁଥ ସାମ୍ନାରେ ଆକ୍ରମଣ କରାଯାଇଥିଲା। ପ୍ରଦୀପଙ୍କୁ ଆକ୍ରମଣ କରାଯିବାର ୪୮ ଘଣ୍ଟା ନପୂରୁଣୁ ଖଲିଲ୍କୋଟରେ ବିଜେଡି କର୍ମୀ ଓ ସମର୍ଥକମାନେ ବିଜେପି ସମର୍ଥକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ ଗୁରୁବାର ପୂର୍ବାହ୍ଣରେ ମଧ୍ୟ ପୋଲସରା ଥାନା ଅଞ୍ଚଳରେ ଗୁଳି ଫୁଟିଥିଲା। ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୭ଜଣ ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି।

ବିଜେଡି ଆକ୍ରମଣ କରିବାର କାରଣ!

ଚଳିତ ନିର୍ବାଚନରେ ବିଜେଡିର ସ୍ଥିତି ଖରାପ ଦେଖାଯାଇଛି। ଅର୍ଥାତ ବିଭିନ୍ନ କାରଣକୁ ନେଇ ୨୦୦୯, ୨୦୧୪ ଓ ୨୦୧୯ ଭଳି ମୁଖ୍ୟମନ୍ତ୍ରୀ ଓ ବିଜେଡିର ସ୍ଥିତି ପୂର୍ବ ଭଳି ନାହିଁ। ନିର୍ବାଚନ ତାରିଖ ଘୋଷଣା ହେଲା ପରେ ପ୍ରାୟ ୨୦ ଜଣ ବିଜେଡି ବିଧାୟକ ଦଳ ଡେଇଁଲେ। ବିଜେଡିରେ ପ୍ରାର୍ଥୀ ନଥିବାରୁ କଂଗ୍ରେସ ଓ ବିଜେପିରୁ ଆସିଥିବା ନେତାଙ୍କୁ ସାଂସଦ ଟିକେଟ୍ ମିଳିଥିଲା। ନିକଟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ରେଢ଼ାଖୋଲରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଲୋକଙ୍କର ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି।  

ପୁଲିସର କାର୍ଯ୍ୟାନୁଷ୍ଠାନ

ଖଲ୍ଲିକୋଟରେ ହିଂସାକାଣ୍ଡ ନେଇ ପୁଲିସ ଗାଡି ଉପରକୁ ଉତ୍ତେଜିତ ଜନତା ବୋତଲ ଓ ଢେଲା ମାଡ଼ କରିଛନ୍ତି। ଏଥିରେ ପୁଲିସ ଭ୍ୟାନର କାଚ ଭାଙ୍ଗି ଯାଇଛି । ପରବର୍ତ୍ତି ମୁହୁର୍ତ୍ତରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ଚାର୍ଜ କରିଛି। ପ୍ରାୟ ୧୦ ଜଣ ସାମ୍ବାଦିକମାନଙ୍କର ଗାଡ଼ି ଭାଙ୍ଗିଛି। ୮ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି।

୨୪ ଘଣ୍ଟା ଭିତରେ ଦ୍ବିତୀୟ ହିଂସା

ଖଲ୍ଲିକୋଟ୍ ଭଳି ଗଂଜାମ ଜିଲ୍ଲା ପୋଲସରରା ବି ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପୋଲସରାରେ ଗୁଳି ଫୁଟିଛି।  ତୋଟାସାହିର ଜଣଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ ହୋଇଛି। ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖଲ୍ଲିକୋଟ୍ ହିଂସାକାଣ୍ଡର କେଇ ଘଣ୍ଟା ପରେ ଏହି ଘଟଣା ଘଟିଥିବାରୁ ସାଧାରଣ ଜନତା ଭୟଭୀତ ହୋଇଯାଇଛନ୍ତି।

ଉଦ୍‌ବେଗ ପ୍ରକାଶ, ନିନ୍ଦା

ଖଲ୍ଲିକୋଟରେ ଘଟିଥିବା ଘଟଣା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ। ମୁଁ ଏନେଇ ଗଭୀର ବିବ୍ରତ ଓ ଦୁଃଖିତ। ଏଭଳି ହିଂସା ଘଟଣାର ଆମ ଗଣତନ୍ତ୍ର ଏବଂ ନାଗରିକ ସମାଜରେ କୌଣସି ସ୍ଥାନ ନାହିଁ। ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ନିଜ ପ୍ରିୟଜନଙ୍କୁ ହରାଇଥିବା ପୀଡ଼ିତ ପରିବାରଙ୍କୁ ମୋର ଗଭୀର ସମବେଦନା ଜଣାଉଛି। ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି। ମୁଁ ନିଶ୍ଚିତ ଯେ ଏହି ଜଘନ୍ୟ ଅପରାଧର ଅପରାଧୀଙ୍କ ବିରୋଧରେ ପୋଲିସ ଦୃଢ଼ ତଥା ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିପରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ନିର୍ବାଚନ ସମୟରେ ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଗଞ୍ଜାମରେ ନିର୍ବାଚନୀ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛି।

ଶାସକ ଦଳକୁ ହାରିବା ଭୟ: ଧର୍ମେନ୍ଦ୍ର

ଖଲ୍ଲିକୋଟରେ ବିଜେପି କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିଜେଡି କର୍ମୀଙ୍କ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ପ୍ରାକ୍ ନିର୍ବାଚନୀ ହିଂସାରେ ଦଳର କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହେବା ଘଟଣାରେ ମୁଁ ଦୁଃଖିତ ଓ ମର୍ମାହତ। ଗଣତନ୍ତ୍ରରେ ହିଂସା ଓ ଅନ୍ୟାୟର କୌଣସି ସ୍ଥାନ ନାହିଁ। ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ମୁଁ କଠୋରରୁ କଠୋର ଶବ୍ଦରେ ନିନ୍ଦା କରୁଛି । ଶାସକ ଦଳ ହାରିବା ଭୟରେ ହିଂସାକୁ ଅବଲମ୍ବନ କରିଛନ୍ତି। କାର୍ଯ୍ୟକର୍ତ୍ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଏହାର ଉଚିତ ଜବାବ ଲୋକମାନେ ବାଲଟ୍ ମାଧ୍ୟମରେ ଦେବେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments