Monday, May 19, 2025
Homeଜ୍ଞାନର ଭଣ୍ଡାର ପୁସ୍ତକଆମକୁଏକାଠିକରେ: ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ ୨୦୨୫
Array

ଜ୍ଞାନର ଭଣ୍ଡାର ପୁସ୍ତକଆମକୁଏକାଠିକରେ: ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ ୨୦୨୫

ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର, ତେଣୁ ପ୍ରତିଦିନ ଏକ ନୂଆ ପୁସ୍ତକ ପଢ଼ିବା ମାନେ ଭବିଷ୍ୟ ପାଇଁ ରାସ୍ତା ଗଢ଼ିବା । ପୁସ୍ତକ ପଢିଲେ ବୃହତ ଚିନ୍ତନ ଓ ସୃଜନାଶୀଳତା ବୃଦ୍ଧି ପାଉଛି । ଛୋଟ ଥିବାବେଳ ଠାରୁ ପଢିବା ଅଭ୍ୟାସ ଗଢିବା ଜରୁରୀ । ପୁସ୍ତକର ଶକ୍ତି ଏମିତି ଯାହା ଲୋକଙ୍କୁ ସଂଯୋଗ କରିଥାଏ, ସହାନୁଭୂତି ବଜାୟ ରଖିଥାଏ ଏବଂ ସଂସ୍କୃତି ଏବଂ ସମ୍ପ୍ରଦାୟ ମଧ୍ୟରେ ବୁଝାମଣାକୁ ପ୍ରୋତ୍ସାହିତ କରିଥାଏ। “ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ” ବିଶ୍ୱବ୍ୟାପୀ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପାଳନ କରାଯାଏ ; ଯେଉଁଥିରେ ପୁସ୍ତକ ମେଳା, ପଠନ  କାର୍ଯ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ  I ପୁସ୍ତକ ହେଉଛି ନୂତନ ଦୁନିଆ ପାଇଁ ଏକ ସେତୁ ସଦୃଶ । ଆମେ ନିଶ୍ଚିତ କରିବା ଯେ ଏହି ସେତୁଗୁଡ଼ିକ ଆଗାମୀ ପିଢ଼ି ପାଇଁ ଯେମିତି ଦୃଢ଼ ହୋଇ ରହିବ। ଏହି ଦିନରେ, ଆମେ ପଠନ, ଲେଖା ଏବଂ ବୌଦ୍ଧିକ ସମ୍ପତ୍ତିକୁ ସମ୍ମାନ ଦେବା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରିବା ଏବଂ ଏପରି ଏକ ସମାଜ ଗଠନ କରିବା ଯାହା ପୁସ୍ତକକୁ ଏହାର ଜ୍ଞାନ, ସୃଜନଶୀଳତା ଏବଂ ମାନବତାର ସାମୂହିକ ଜ୍ଞାନକୁ ମୂଲ୍ୟ ପ୍ରଦାନ କରିବ । ବର୍ତମାନ ‘ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ’ ଏକ ବାର୍ଷିକ କାର୍ଯ୍ୟକ୍ରମ ହୋଇଗଲାଣି, ଯାହା ବିଶ୍ୱବ୍ୟାପୀ ୧୦୦ ରୁ ଅଧିକ ଦେଶରେ ପାଳିତ ହୋଇଆସୁଛି। ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ ପାଳନ କରିବା ପାଇଁ ସାରା ବିଶ୍ୱରେ ପୁସ୍ତକ ମେଳା ଏବଂ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୁଏ, ଯେଉଁଠାରେ ପୁସ୍ତକ, ପାଠ୍ୟ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ଲେଖକ, ପ୍ରକାଶକ ଏବଂ ପାଠକଙ୍କୁ ଏକତ୍ର  ହୋଇଥାନ୍ତି । ଏହି କାର୍ଯ୍ୟକ୍ରମରେ ପଠନ କାର୍ଯ୍ୟକ୍ରମ, ସାହିତ୍ୟିକ ପ୍ରତିଯୋଗିତା, କର୍ମଶାଳା, ସେମିନାର, ଆଲୋଚନା ଚକ୍ର, ପୁସ୍ତକ ଦାନ ଅଭିଯାନ ଏବଂ ସାମାଜିକ ଗଣମାଧ୍ୟମ ଅଭିଯାନ ଅନ୍ତର୍ଭୁକ୍ତ । ବିଶେଷକରି ଅନୁନ୍ନତ ସମ୍ପ୍ରଦାୟଗୁଡ଼ିକରେ ପୁସ୍ତକ ପ୍ରତି ସଚେତନତା ବୃଦ୍ଧି ଏବଂ ପୁସ୍ତକର ପଠନ କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ପୁସ୍ତକ ଓ  ପଠନର ପ୍ରଚାର ପାଇଁ କରିଥିବା ପ୍ରୟାସକୁ ସ୍ୱୀକୃତି ଦେଇ, ଏହିବର୍ଷ  ବ୍ରାଜିଲ ର ‘ରିଓ ଡି ଜେନେରୋ’ କୁ ୨୦୨୫ ପାଇଁ ବିଶ୍ୱ ପୁସ୍ତକ ରାଜଧାନୀ ଭାବରେ ନାମିତ କରିଛି ୟୁନେସ୍କୋ।

‘ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ’ ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହା ମନ୍ୟୁଷ ଜୀବନରେ ପୁସ୍ତକ, ଲେଖକ ଏବଂ ବୌଦ୍ଧିକ ସମ୍ପତ୍ତିର ପରିବର୍ତ୍ତନକାରୀ ଶକ୍ତିକୁ ଉଜ୍ଜ୍ୱଳ କରିଥାଏ। ଏହା ପ୍ରତିବର୍ଷ ୨୩ ଏପ୍ରିଲରେ ପାଳିତ କରାଯାଇ, ବିଭିନ୍ନ ପିଢ଼ି ଏବଂ ସଂସ୍କୃତି ମଧ୍ୟରେ ଏକ ସେତୁ ଭାବରେ ପୁସ୍ତକର ଗୁରୁତ୍ୱକୁ ସ୍ୱୀକୃତି ଦେଇ ଆସୁଛି । ଏହି ତାରିଖ ବିଶ୍ୱ ସାହିତ୍ୟରେ ପ୍ରତୀକାତ୍ମକ, କାରଣ ଏହା ୱିଲିୟମ୍ ଶେକ୍ସପିୟର, ମିଗୁଏଲ୍ ଡି ସର୍ଭାଣ୍ଟେସ୍ ଏବଂ ଇନ୍କା ଗାର୍ସିଲାସୋ ଡେ ଲା ଭେଗା ଭଳି ପ୍ରମୁଖ ଲେଖକଙ୍କୁ ସେମାନଙ୍କ ଶ୍ରଦ୍ଧ ବାର୍ଷିକରେ ସମ୍ମାନିତ କରିଥାଏ। ଏହି ଦିନ ୧୯୯୫ ମସିହାରେ ପ୍ୟାରିସରେ ଅନୁଷ୍ଠିତ ୟୁନେସ୍କୋ (ଜାତିସଂଘର ଶିକ୍ଷାଗତ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ) ର ସାଧାରଣ ସମ୍ମିଳନୀ ରେ ପୁସ୍ତକ ଏବଂ ଲେଖକମାନଙ୍କୁ ବିଶ୍ୱବ୍ୟାପୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ସମସ୍ତଙ୍କୁ ପୁସ୍ତକ ପଢିବା ପାଇଁ  ଉତ୍ସାହିତ କରିଥିଲା। ଗୋଟିଏ ବର୍ଷ ପରେ, ୧୯୯୬ ମସିହାରୁ ପଠନ, ପ୍ରକାଶନ ଏବଂ କପିରାଇଟ୍ କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨୩ ତାରିଖରେ ବିଶ୍ୱବ୍ୟାପୀ “ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ” ପାଳନ କରିବାକୁ ୟୁନେସ୍କୋ ଘୋଷଣା କରିଥିଲା । ବିଦ୍ୟାଳୟ, ପାଠାଗାର ଏବଂ ସଂଗଠନଗୁଡ଼ିକ ସଂସ୍କୃତି ଉପରେ ଏହାର ବିଶ୍ୱବ୍ୟାପୀ ପ୍ରଭାବକୁ ସ୍ୱୀକାର କରି ପଠନ ଏବଂ ସାହିତ୍ୟକୁ, ବିଶେଷକରି ଯୁବ ପାଠକଙ୍କ ମଧ୍ୟରେ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ୟୁନେସ୍କୋ ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ପ୍ରତିବର୍ଷ ବିଶ୍ୱ ପୁସ୍ତକ ରାଜଧାନୀ ଚୟନ କରନ୍ତି। ପୁସ୍ତକ ପ୍ରତି ଚିନ୍ତାଧାରାର ପ୍ରସାର, ସାଂସ୍କୃତିକ ଆଦାନପ୍ରଦାନ ଏବଂ ସାକ୍ଷରତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି “ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ”। ଡିଜିଟାଲ୍ ମିଡିଆ ପ୍ରାଧାନ୍ୟ ବିସ୍ତାର କରୁଥିବା ଯୁଗରେ, ଏବେ ବି ଶିକ୍ଷା ଏବଂ ବୌଦ୍ଧିକ ଅଭିବୃଦ୍ଧିରେ ପୁସ୍ତକ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ହୋଇ ରହିଛି।

କପିରାଇଟ୍ ଆଇନ ନିଶ୍ଚିତ କରେ ଯେ ପୁସ୍ତର ଲେଖକ ବା ସ୍ରଷ୍ଟାମାନେ ସେମାନଙ୍କ କାର୍ଯ୍ୟ ପାଇଁ ସ୍ୱୀକୃତି ଏବଂ ଆର୍ଥିକ ପୁରସ୍କାର କିପରି ପାଇବେ l ଏକ ଦୀର୍ଘ ସ୍ଥାୟୀ ସାହିତ୍ୟିକ ପରିସ୍ଥିତି ପାଇଁ ପ୍ରୋତ୍ସାହିତ କରିଥାଏ କପିରାଇଟ୍ ଆଇନ। ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା କେବଳ ଏକ ଅର୍ଥନୈତିକ ବିଷୟବସ୍ତୁ ନୁହେଁ; ଏହା ଲେଖକଙ୍କ ଶ୍ରମ ଏବଂ ସୃଜନଶୀଳତାକୁ ସମ୍ମାନ କରିବା ର ବିଷୟ । କାରଣ ଲେଖକମାନେ ଶିକ୍ଷା, ମନୋରଞ୍ଜନ ଏବଂ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ କାର୍ଯ୍ୟ ତିଆରି କରନ୍ତି। ତଥାପି, ଡିଜିଟାଲ୍ ଯୁଗ ରେ ଗୋପନୀୟତା ଏବଂ ଅନଧିକୃତ ବଣ୍ଟନ ଭଳି ନୂତନ ଅସୁବିଧାମାନ ଲାଗିରହିଛି, ଯାହା କପିରାଇଟ୍ ସୁରକ୍ଷାର ଅଖଣ୍ଡତାକୁ ବିପଦରେ ପକାଇପାରେ । ପାଠକ, ଶିକ୍ଷକ ଏବଂ ନୀତି ନିର୍ମାତା ଭାବରେ, ଆମକୁ ଉଚିତ ବ୍ୟବହାର ଓ ନୀତି ପାଇଁ ସମର୍ଥନ କରିବାକୁ ପଡିବ ଯାହା ଲେଖକଙ୍କ ଅଧିକାର ପ୍ରତି ସମ୍ମାନ ସହିତ ପୁସ୍ତକର ପଠନ  ଓ ବଣ୍ଟନକୁ ସନ୍ତୁଳିତ ରଖିବ।

ପଠନ ଏକ ମୌଳିକ ଦକ୍ଷତା, ଯାହା ବିଭିନ୍ନ ସୁଯୋଗକୁ ଉନ୍ମୁକ୍ତ କରିପାରେ ଏବଂ ମହତ୍ଵପୁର୍ଣ ଚିନ୍ତାଧାରାକୁ ବୃଦ୍ଧି କରିଥାଏ । ବିଶେଷକରି ଯୁବ ପିଢ଼ି ମଧ୍ୟରେ ପଠନ ସଂସ୍କୃତିକୁ ବୃଦ୍ଧି କରିବା ପାଇଁ,  ସରକାର, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ଏକତ୍ର କାମ କରିବାକୁ ପଡିବ। ଏହି ମିଶନରେ ଭୌତିକ ପାଠାଗାର ସହ ଡିଜିଟାଲ ଲାଇବ୍ରେରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ପୁସ୍ତକ ମେଳା, ସାହିତ୍ୟ ମହୋତ୍ସବ ଏବଂ ଅନଲାଇନ୍ ପାଠ୍ୟ ସମ୍ପ୍ରଦାୟ ଭଳି ପଦକ୍ଷେପ ସାହିତ୍ୟକୁ ଅଧିକ ସୁଗମ ଏବଂ ଆକର୍ଷଣୀୟ କରିବାରେ ସାହାଯ୍ୟ କରିବ । ଏକ ଉନ୍ନତଶୀଳ ବିଶ୍ୱରେ ପୁସ୍ତକକୁ ସର୍ବଦା ପ୍ରାସଙ୍ଗିକ ରଖିବା ପାଇଁ ଉଭୟ ମୁଦ୍ରିତ ଏବଂ ଡିଜିଟାଲ ମାଧ୍ୟମର ମିଶ୍ରଣ କରାଯିବା ଉଚିତ। ‘ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ’  ଅବସରରେ ପଠନ ସଂସ୍କୃତିକୁ ପ୍ରୋତ୍ସାହିତ କରାଯାଇଥାଏ, କାରଣ ପୁସ୍ତକ ପଠନ ଲେଖକମାନଙ୍କ ସମର୍ପଣ ଏବଂ କଠିନ ପରିଶ୍ରମ ପ୍ରତି ଆମର ସମ୍ମାନକୁ ପ୍ରତିଫଳିତ କରେ। ଏହି ବର୍ଷ ଓଡ଼ିଶା ସରକାର ‘ଓଡ଼ିଆ ପକ୍ଷ’ ପ୍ରଚଳନ କରିଛନ୍ତି: ୧ ଏପ୍ରିଲରୁ ୧୪ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଦୁଇ ସପ୍ତାହ ଧରି ଓଡ଼ିଆ ସଂସ୍କୃତିର ଉତ୍ସବ, ଯେଉଁଠାରେ କିଛି ପୁସ୍ତକ ସମ୍ବନ୍ଧୀୟ ଉତ୍ସବ ସ୍ଥିର କରାଯାଇଥିଲା ଯଥା ଶିକ୍ଷଣ ସାମଗ୍ରୀ ବଣ୍ଟନ (୭ ଏପ୍ରିଲ), ଏକ ଓଡ଼ିଆ ପୁସ୍ତକ କିଣନ୍ତୁ (୯ ଏପ୍ରିଲ), ଯୁବ ଲେଖକ ଦିବସ (୧୧ ଏପ୍ରିଲ)। ଯଦି ଏହି କାର୍ଯ୍ୟକ୍ରମ ଜାରି ରଖାଯାଏ, ତେବେ ଆଶା କରାଯାଉଛି ଯେ ଏହା ପ୍ରତିବର୍ଷ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ ପାଳନ ପୂର୍ବରୁ ପୁସ୍ତକ ଏବଂ ପାଠ୍ୟ ସଂସ୍କୃତିର ପ୍ରଚାରକୁ ସମର୍ଥନ କରିବ। ଗୋଟିଏ ପୁସ୍ତକ କୁ ଲେଖକ ଲେଖିଲେ କିମ୍ବା ପ୍ରକାଶ ପ୍ରକାଶନ କଲେ କିଛି  ଲାଭ ହେବନି, ଯେପର୍ଯ୍ୟନ୍ତ  ସେ ବହିକୁ କେହି ପଢିବେ ନାହିଁ  ! ଏହି ବିଶ୍ୱାସ ରହିବ ଦରକାର ଯେ, “ଯେତିକି  ଓଡ଼ିଆ ପଢିବ, ସେତିକି ଓଡିଶା ବଢିବ” l ଆସ ସଭିଏଁ ପଢିବା ପାଇଁ ଦିନଟିଏ ଦେବା ଓ ନିଜର ଦୈନଦିନ ଜୀବନରେ ପଠନ ଅଭ୍ୟାସକୁ ଜାରି ରଖିବା  l ଆଜି ଠାରୁ ଆମେ ସଂକଳ୍ପ ନେବା-ପ୍ରତିଦିନ ଏକ ପୁସ୍ତକ ବା ବହି ପଢ଼ିବା ! ପଢିବା ପାଇଁ ବି ଏକ ଭଲ  ପରିବେଶ ଦରକାର ଯାହା ପାଠାଗାର ବା ଲାଇବ୍ରେରୀ ବ୍ୟତୀତ ଆଉ କଣ ହୋଇପାରେ ! ଆସନ୍ତୁ “ନିକଟସ୍ଥ ପାଠାଗାର କୁ ଯିବା ଓ ସେଠି ବହିଟିଏ ପଢିବା” l

ଏଠାରେ “ପୁସ୍ତକ ଆମକୁ ଏକାଠି ଆଣେ” ବିଷୟବସ୍ତୁ ଟି  ପୁସ୍ତକର ଏକୀକରଣ ଶକ୍ତି ଉପରେ ଗୁରୁତ୍ୱାରୋପ କରୁଛି । ଏହା ଦ୍ୱାରା ସୃଷ୍ଟି ହେଉଥିବା ସମ୍ପର୍କକୁ ଉଜ୍ଜ୍ୱଳ କରିଥାଏ, ପୁସ୍ତକ କ୍ଲବ ମାଧ୍ୟମରେ ସମ୍ପ୍ରଦାୟକୁ ପ୍ରୋତ୍ସାହିତ କରିଥାଏ ଏବଂ ନିଜ ନିଜ ବିତରେ ଅଭିଜ୍ଞତା ବାଣ୍ଟିଥାଏ। ପୁସ୍ତକ ଦ୍ୱାରା  ମଧ୍ୟ ସହାନୁଭୂତି ପ୍ରୋତ୍ସାହିତ ହୋଇଥାଏ, ପାଠକମାନଙ୍କୁ ଅନ୍ୟମାନଙ୍କୁ ଭଲ ଭାବରେ ବୁଝିବାକୁ  ଶିକ୍ଷା ଦେଇଥାଏ। ପୁସ୍ତକ ଆଲୋଚନାର ଆରମ୍ଭ ମଧ୍ୟ କରିଥାଏ, ଗଭୀର ସମ୍ପର୍କ ଏବଂ ପାରସ୍ପରିକ ସମ୍ମାନକୁ ପ୍ରୋତ୍ସାହିତ କରିଥାଏ। ଏହି ବିଷୟବସ୍ତୁ ଟି ସାହିତ୍ୟର ବିବିଧତାକୁ ମଧ୍ୟ ପାଳନ କରିଥାଏ, ପାଠକମାନଙ୍କୁ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଥାଏ ।

ନିରଞ୍ଜନ ମହାପାତ୍ର

ଭୁବନେଶ୍ୱର, ଓଡ଼ିଶା

ଦୂରଭାଷ : ୯୦୧୫୮୧୨୩୪୪

ଇ-ମେଲ : [email protected]

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments