ଭୁବନେଶ୍ବର: ୟୁପିଏ ସରକାର ହାତରୁ ୨୦୧୪ ମସିହାରେ କ୍ଷମତା ଚାଲଗଲା ପରେ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନ୍ଡିଏ ସରକାର ପରିଚାଳିତ ହେଉଛନ୍ତି। ମୋଦୀ ସରକାର ପ୍ରଥମ କାର୍ଯ୍ୟକାଳରେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ଲୋକେ ଖୋଲାରେ ଶୌଚ ନକରିବେ ବୋଲି ଏହି ଯୋଜନା ଆରମ୍ଭ କରିଥିଲେ। ଗରିବ ପରିବାରକୁ ଶୌଚାଳୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହାରି ମଧ୍ୟରେ ଦେଶର ଜନତା ଖୋଲା ପଡ଼ିଆରେ ଶୌଚ ହେବା ହ୍ରାସ ପାଇଛି। ଲୋକେ ସରକାରୀ ସହାୟତା ବିନା ନିଜସ୍ବ ଖର୍ଚ୍ଚରେ ଶୌଚାଳୟ ନିର୍ମାଣ କରୁଛନ୍ତି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ବିଗତ ଦିନମାନଙ୍କରେ ଶୌଚାଳନ ନିର୍ମାଣ ବେଳେ ଅନେକ ଅଘଟଣ ଘଟିଛି। ନିର୍ମାଣାଧୀନ ଶୌଚାଳୟରେ ଅନେକଙ୍କ ବହୁ ମୂଲ୍ୟ ଜୀବନ ଯାଇଛି।
ସପ୍ତାହେ ମଧ୍ୟରେ ଦ୍ବିତୀୟ ଘଟଣା
ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୁଆହତା ଶକ୍ତି ନଗର କଲୋନୀରେ ସେପ୍ଟେମ୍ବର ୧୩ ତାରିଖରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତ ୨ ବ୍ୟକ୍ତି ହେଲେ ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ରେଢ଼ମ ଗାଁର ରଘୁ ହାଁସଦା ଓ ମେଡ଼ ନାଗ। ଏମାନେ ଅନ୍ୟମାନଙ୍କ ସହିତ ଦେବଗଡ଼ ଜିଲ୍ଲା ଶକ୍ତି ନଗର କଲୋନୀରେ ଜଣେ ଲୋକଙ୍କ ଘର ନିର୍ମାଣରେ ନିୟୋଜିତ ଥିଲେ। ସେଠାରେ ପାଇଖାନା ମଧ୍ୟ ନିର୍ମାଣ ଚାଲିଛି। ତେବେ କାମ ଚାଲିଥିବା ବେଳେ ସେମାନେ ପ୍ରାୟ ଦୁଇ ଘଣ୍ଟା ଧରି ସେଠାରୁ ବାହାରି ନଥିଲେ କି ସେଠାରୁ କୌଣସି ଶବ୍ଦ ଶୁଣିବାକୁ ମିଳି ନଥିଲା। ସନ୍ଦେହ ହେବାରୁ ଘର ମାଲିକ ଓ ଅନ୍ୟ ଶ୍ରମିକମାନେ ପାଇଖାନା ଟାଙ୍କି ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ ଏବଂ ଉଭୟ ଅଚେତ ଅବସ୍ଥାରେ ପଡ଼ିଥିବା ସେମାନେ ଦେଖିଥିଲେ। ଏନେଇ ଘର ମାଲିକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଜେସିବି ସାହାଯ୍ୟରେ ପାଇଖାନା ଟାଙ୍କିକୁ ଭାଙ୍ଗି ସେଥିରୁ ଦୁଇ ଅଚେତ ଶ୍ରମିକଙ୍କୁ ବାହାରି କରିଥିଲେ। ସେତେବେଳେକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା।
କଟକରେ ଘଟିଥିଲା ଅଘଟଣ
ଗତ ୬ ତାରିଖ ଦିନ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳର ନରଣପୁର ସ୍ଥିତଡିଅନ ଆପାଟମେଣ୍ଟର ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ସେଣ୍ଟରିଂ ପଟା ଖୋଲିବା ବେଳେ ଘଟିଥିଲା ବଡ଼ ଅଘଟଣ। ପାଇଖାନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସକାଳୁ ଟାଙ୍କି କାମରେ ଲାଗିଥିବା ସେଣ୍ଟରିଂ ପଟା ଖୋଲିବା ପାଇଁ ପ୍ରଥମେ ୨ଜଣ ଶ୍ରମିକ ଭିତରକୁ ଆସିଥିଲେ। ସେମାନେ ଭିତରେ ଅଚେତ ହୋଇ ରହିଯାଇଥଲେ। ତୃତୀୟ ଶ୍ରମିକ ଜଣକ ଡାକିବାରୁ ଉତ୍ତର ଦେଇ ନଥିଲେ। ସେମାନକୁ ଉଦ୍ଧାର କରିବା ପାଇଁ ତୃତୀୟ ଶ୍ରମିକ ଭିତରକୁ ପଶିଥିଲେ। ସେ ମଧ୍ୟ ସେଠାରେ ଅଚେତ ହୋଇ ରହିଯାଇଥିଲେ। ବାହାରେ କାମ କରିଥିବା ଅନ୍ୟ ଶ୍ରମିକମାନଙ୍କ କିଛି ସ୍ବର ଶବ୍ଦ ଶୁଣା ଯାଉନଥିବାରୁ ପାଖକୁ ଯାଇ ଦେଖିବା ପରେ ସବୁ ଜଣାପଡ଼ିଥିଲା। ବାରଙ୍ଗ ଥାନାକୁ ଖବର ଦିଆଯାଇ ଥିଲା। ପୁଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍କି ଭିତରୁ ଜଣ ଜଣ କରି ଅଚେତେ ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ।
ମାସେ ଆଗରୁ ୩ ଜଣଙ୍କ ମୃତ୍ୟୁ
ସେହିପରି ଗତମାସ ୨୪ ତାରିଖରେ ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକ୍ ଫାଶିମାଲ ପଞ୍ଚାୟତ ପୁକୁଡ଼ା ଗ୍ରାମରେ ବସନ୍ତ ଦେହୁରୀଙ୍କର ୮ଫୁଟ୍ ଗଭୀର ବିଶିଷ୍ଟ ଏକ ପାଇଖାନା ଟାଙ୍କି ନିର୍ମାଣ ପରେ ବନ୍ଦ ହୋଇ ରହିଥିଲା। ଚାଷ କାର୍ଯ୍ୟ ସରିବା ପରେ ସେ ଆଜି ୩ ଜଣ ଶ୍ରମିକଙ୍କୁ ସେଣ୍ଟ୍ରିଂ ଖୋଲିବାକୁ ଡାକିଥିଲେ। ଟାଙ୍କି ଭିତରକୁ ପ୍ରଥମେ ପଶିଥିବା ବ୍ୟକ୍ତି ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସେ ବାହାରକୁ ନ ଆସିବାରୁ ସନ୍ଦେହ ପ୍ରକାଶ କରି ଜଣକ ପରେ ଜଣେ ଟାଙ୍କି ଭିତରକୁ ପଶିଥିଲେ। ତେବେ ଶେଷରେ ପଶିଥିବା ସିଦ୍ଧାନ୍ତଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକେ ଧାଇଁ ଆସିଥିଲେ। ଗ୍ରାମବାସୀଙ୍କ ସହାୟତାରେ ରଶି ଲଗାଇ ଜଣକ ପରେ ଜଣକୁ ବାହାରକୁ ଅଣାଯାଇଥିଲା। ଉଦ୍ଧାର ପରେ ୪ ଶ୍ରମିକଙ୍କୁ ସ୍ଥାନୀୟ ଫାଶିମାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।