Monday, September 9, 2024
Homeଖବରବିଜେଡିର ନିଶାନାରେ କେନ୍ଦ୍ର

ବିଜେଡିର ନିଶାନାରେ କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି। ନେତାଙ୍କର ଚିନ୍ତା ସେତିକି ବଢୁଛି। ଶାସନ ବିଜୁ ଜନତା ଦଳ ବିକାଶର ହିସାବ ଦେଇ ରାଜ୍ୟରେ ଷଷ୍ଠ ଥର ସରକାର ଗଢ଼ିବା ପାଇଁ ରଣନୀତି କରୁଥିବା ବେଳେ ୨୪ ବର୍ଷର ଅପରାଗ ସରକାର ଦର୍ଶାଇ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପାଇଁ ବଳ କଷୁଛି। ବିଜେଡି ସହ ବିଜେପିର ମେଣ୍ଟ ଚର୍ଚ୍ଚା ପରେ ଉଭୟ ଦଳ ଓଡ଼ିଶାରେ ଏକାକୀ ନିର୍ବାଚନ ଲଢୁଛନ୍ତି। ବିଜେଡି ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀଙ୍କ ଚେହେରାକୁ ନେଇ ବିଜେପି ପ୍ରଚାର କରୁଛି। ତେବେ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ବିରୋଧୀଙ୍କୁ ଟାର୍ଗେଟ କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଛାଡ଼ି ନଥିଲେ। ଶ୍ରୀ ଶାହ ସୋନପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ନବୀନ ପଟ୍ଟନାୟକଙ୍କୁ ଟା‌‌ର୍ଗେଟ କରିଥିଲେ। ଏପ୍ରିଲ ୨୮ ତାରିଖରେ କେରଳରୁ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଉଭୟ ବିଜେପି ଓ ବିଜେଡିଙ୍କୁ ନେଇ କ’ଣ କହୁଛନ୍ତି ଦେଖିବାକୁ ରହିଲା।

ନବୀନଙ୍କ ପରେ ବବିଙ୍କ କେନ୍ଦ୍ରକୁ ନିଶାନା
ଗଂଜାମ ଜିଲ୍ଲା ହିଞ୍ଜିଳି ଓ ଶେରଗଡ଼ରେ ଆୟୋଜିତ ବିଜେଡିର ସଭାରେ ନବୀନ କହିଥିଲେ, ବିରୋଧୀମାନେ ରାଜ୍ୟ ସରକାରଙ୍କ ଅପପ୍ରଚାର କରୁଛନ୍ତି। ବିକାଶ ସହିପାରୁ ନାହାନ୍ତି। ନବୀନଙ୍କ ଭଳି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ କେନ୍ଦ୍ର ସରକାରଙ୍କୁ ଶୁକ୍ରବାର ନିଶାନା କରିଥିଲେ। ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଜମନକିରାରେ ଆୟୋଜିତ ଜନସମ୍ପର୍କ କାର୍ଯ୍ୟକ୍ରମରେ କହିଥିଲେ, ‘କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି କେନ୍ଦ୍ର ସରକାର ଅନ୍ୟାୟ କରୁଛନ୍ତି। ବାରମ୍ବାର ନିବେଦନ ସତ୍ତ୍ବେ ୧୮% ଜିଏସ୍‌ଟି ପ୍ରତ୍ୟାହାର କରାଯାଉନାହିଁ। ଆପଣମାନେ ଯେଉଁ ସାଂସଦଙ୍କୁ ଭୋଟ୍‌ଦେଇ ଦିଲ୍ଲୀ ପଠାଇଥିଲେ, ସେମାନେ ଏ ସମ୍ପର୍କରେ ମୁହଁ ଖୋଲିନାହାନ୍ତି। ଏଥି ସହିତ ସେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ବିଷୟରେ କହିଥିଲେ।
ସମସ୍ୟା ଘେରରେ କେନ୍ଦୁପତ୍ର କର୍ମଚାରୀ
କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିଛନ୍ତି। ଏହା କେବଳ ଓଡ଼ିଶାର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ନୁହେଁ। ବରଂ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଉଦ୍ଦିଷ୍ଟ। କାରଣ ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ କେନ୍ଦୁପତ୍ର ତୋଳାଳି ଅଛନ୍ତି। ଜିଏସ୍‌ଟି ବ୍ୟତୀତ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଆହୁରି ସୁବିଧା ମଧ୍ୟ ଦେଇପାରନ୍ତେ। କେନ୍ଦୁ ପତ୍ର ତୋଳାଳି ଓ ଏହି ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଆଉ କେତେ ଅସୁବିଧାରେ ‌ଅଛନ୍ତି, ତାହା ଉପରେ ମଧ୍ୟ ଜାଣିବା ଦରକାର। କେନ୍ଦୁପତ୍ର ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଉତ୍ପାଦନ ହୋଇଥାଏ। ଉପକୂଳ ଅଞ୍ଚ‌ଳର ନେତାଙ୍କର କେନ୍ଦୁପତ୍ର ଉପରେ ସେତେ ଜ୍ଞାନ ନଥାଏ। ତେଣୁ କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବା ନେଇ କହିବା ପୂର୍ବରୁ ଏହି ପ୍ରସଙ୍ଗରେ ଭଲଭାବରେ ଜାଣିବାର ଆବଶ୍ୟକତା ଅଛି।  
ପାଣ୍ଡିଆନ୍‌ଙ୍କ ଟାର୍ଗେଟ୍‌ରେ କେନ୍ଦ୍ରମନ୍ତ୍ରୀ
ନବରଙ୍ଗପୁର ଜିଲ୍ଲା ଉମ‌ରକୋଟ ଓ ଝରିଗାଁରେ ନିର୍ବାଚନୀ ପ୍ରଚାର ସମୟରେ ଶୁକ୍ରବାର ଭିକେ ପାଣ୍ଡିଆନ ବିକାଶ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ। ସେ  କହିଥିଲେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ), ମିସନ ଶକ୍ତି କାର୍ଯ୍ୟକ୍ରମ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷଡ଼୍‌ଯନ୍ତ୍ର କରୁଛନ୍ତି। ମା’ମାନଙ୍କ ଦୁବାଇ ଗସ୍ତ ମଧ୍ୟ ବନ୍ଦ କରିଦେଲେ। ୫ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରହିବା ପରେ ମଧ୍ୟ ନିଜ ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଲେ ନାହିଁ। ସେ ଚାହିଁଥିଲେ ନବରଙ୍ଗପୁରରେ ୩ରୁ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ। ଓଡ଼ିଶା ସରକାର ୫-ଟି ଅଧୀନରେ ୮ ହଜାରରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି। ତେଣୁ ବିକାଶ ହେଉଛି। ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ବହୁତ ଭଲ ପାଆନ୍ତି ଓ ସମ୍ମାନ କରନ୍ତି। ଜନଜାତି ଭାଷା ସଂସ୍କୃତି ଓ ଧର୍ମସ୍ଥଳୀର ଉନ୍ନତି ପାଇଁ କେଉଁ ରାଜ୍ୟ ବି ଚିନ୍ତା କରିନି। ଜନଜାତିଙ୍କ କଳା, ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇ ଭାଷା, କଳା, ସଂସ୍କୃତି, ଧର୍ମସ୍ଥଳୀର ବିକାଶ କରାଯାଉଛି।
ରାଜ୍ୟରେ ବହୁତ ସମସ୍ୟା
କିନ୍ତୁ ନବୀନଙ୍କ ବିକାଶରେ ରାଜ୍ୟବାସୀ ସନ୍ତୁଷ୍ଟ ନାହିଁ। ରାଜ୍ୟ ସରକାର ଯଦି ବିଏସ୍‌କେୱାଇ ଭଳି ଏକ ବୃହତ୍‌ ଯୋଜନା କରିଛନ୍ତି, ତାହେଲେ ରୋଗୀଙ୍କୁ ବୋହିବା ପାଇଁ କାହିଁକି ଆମ୍ବୁଲାନ୍ସ ଗାଁକୁ ଯାଇପାରୁ ନାହିଁ, ଯାହଦ୍ବାରା ଖଟିଆରେ ବୁହାଯାଉଛି। ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟ କର୍ମଚାରୀ ଆବଶ୍ୟକ ପରିମାଣରେ ନାହାନ୍ତି ୫ଟି ସ୍କୁଲର ନିର୍ମାଣ ଶୈଳୀ ଏତେ ଦୁର୍ବଳ ଯେ, ଅନେକ ସ୍ଥାନରେ ଛାତରୁ ପ୍ଲାଷ୍ଟର ଖସୁଛି। ଗୋଟିଏ କୋଠରିରେ ୪ଟି ଶ୍ରେଣୀର ପିଲା ପାଠ ପଢ଼ୁଛନ୍ତି। ଶିକ୍ଷକଙ୍କ ଘୋର ଅଭାବ। ୩୦ ଲକ୍ଷ ଦାଦନ ଶ୍ରମିକ ବାହାର ରାଜ୍ୟରେ ଗୋତି ଖଟୁଛନ୍ତି। ଏଥିରେ ଲକ୍ଷାଧି ଆଦିବାସୀ ସଂପ୍ରଦାୟ ଲୋକ ଅଛନ୍ତି। ତା’ହେଲେ ଏତେ ସମସ୍ୟା ଭିତରେ ଓଡ଼ିଶା କେମିତି ବିକାଶ ହେଉଛି।  
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments