ଭୁବନେଶ୍ବର: ରାଜ୍ୟରେ ଚୋରି, ଡକାୟତି, ରାହାଜାନୀ ଭଳି ହିଂସାତ୍ମକ ଗତିବିଧି ବଢ଼ିବାରେ ଲାଗିଛି। ଏସବୁ କାମରେ ଲିପ୍ତ ଥିବା ଅସାମାଜିକ ବ୍ୟକ୍ତିବିଶେଷଙ୍କୁ ସାବାଡ଼ କରିବା ପାଇଁ ପୁଲିସ ବ୍ୟବସ୍ଥା ଥିବା ବେଳେ ସରକାରୀବାବୁମାନେ ନିଜର ଦାୟିତ୍ବ ତୁଲାଇବାରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ବୁଦ୍ଧିଜୀବୀମାନେ କହିବା ଆରମ୍ଭ କଲେଣି ଯେ, ପୁଲିସବାବୁମାନେ ମାତିଲେଣି। ବର୍ଦ୍ଦିଧାରୀ ବାବୁମାନେ ଭାରି ଉତ୍ପାତ ହେଉଛନ୍ତି। ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଗୋଟିଏ ସରକାର ନିରବଚ୍ଛିନ୍ନ ଭାବେ ରହିବା ଦ୍ବାରା ସରକାରୀବାବୁମାନଙ୍କର ଭାଉ ବଢ଼ିଯାଇଛି। ମାତ୍ର ୩ ମାସ ପୂର୍ବରୁ ସରକାର ବଦଳିଛି। କିନ୍ତୁ ନୂଆ ସରକାରଙ୍କୁ ମଧ୍ୟ ପୁଲିସବାବୁମାନଙ୍କର ଖାତିର ନଥିବା ଏକପ୍ରକାରର ସ୍ପଷ୍ଟ ହେଉଛି। କାରଣ ୪ ମାସ ପୂର୍ବରୁ ପୁଲିସ କର୍ମୀମାନଙ୍କର ବ୍ୟବହାର ଯେମିତି ଥିଲା, ଏବେ ମଧ୍ୟ ସମାନ ପ୍ରକାରର।
ହିଂସା ନିୟନ୍ତ୍ରଣ, ମହିଳାଙ୍କୁ ସହଯୋଗ ଓ ନିଶା ମୁକ୍ତରେ ପୁଲିସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ମାତ୍ର ଆଧୁନିକ ପୁଲିସ ବ୍ୟବସ୍ଥାରେ ହିଂସା ଓ ନିଶାକୁ ପ୍ରେତ୍ସାହନ ଦିଆଯାଉଛି କହିଲେ କିଛି ଭୁଲ ହେବ ନାହିଁ। ମହିଳାମାନଙ୍କୁ ଥାନାରୁ ଉପଯୁକ୍ତ ନ୍ୟାୟ ମିଳିପାରୁ ନାହିଁ। ବରଂ ନିର୍ଯାତନାର ଶିକାର ହେବାକୁ ପଡୁଛି। ମହିଳାମାନଙ୍କୁ ପୁଲିସ କର୍ମଚାରୀମାନେ ମା’ ଓ ଭଉଣୀ ଭଳି ବ୍ୟବହାର କରୁନାହାନ୍ତି। ବରଂ ସୁଯୋଗ ମିଳିଲେ ଖରାପ କାମ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଗତ ୧୫ ତାରିଖ ରାତିରେ ଭୁବନେଶ୍ବର କମିସନରେଟ ପୁଲିସ ଅଧୀନ ଭରତପୁର ଥାନା ପରିସରରେ ସେନାବାହିନୀର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ନର୍ଯାତନା ଘଟଣା ଏବେ ଜାତୀୟ ଖବର ପାଲଟିଛି। ପୁଲିସକର୍ମୀମାନେ ଅନୈତିକ କାମରେ ଲିପ୍ତ ରହିବା ନୁଆ ଘଟଣା ହୋଇ ରହିନାହିଁ।
ନର୍ସଙ୍କୁ ପ୍ରେମ ନିବଦେନ
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କ ଦବଙ୍ଗଗିରି ରାତି ଅଧରେ ଦେଖିବାକୁ ମିଳିଛି। ସେ ଜଣେ ମହିଳା ନର୍ସଙ୍କ ଭଡା ଘରେ ପଶି ପ୍ରେମ ନିବେଦନ କରିଛନ୍ତି। କିନ୍ତୁ ନର୍ସ ତାଙ୍କ କଥା ନମାନିବାରୁ ନିସ୍ତୁକ ମାଡ଼ ମାରିଛନ୍ତି। ଅଭିଯୁକ୍ତ କନେଷ୍ଟବଳ ଶୁଶୁଆ ପଞ୍ଚାୟତ ଗରଢ଼ିଅ ଗ୍ରାମରେ ହୋଇଥିବା ବେଳେ ଏକ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫ ନର୍ସ ଙ୍କୁ ଦୀର୍ଘ ଏକ ବର୍ଷ ହେଲା ଏକତରଫା ପ୍ରେମ ନିବେଦନ କରିବା ସହ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଆସୁଥିଲେ। କନେଷ୍ଟବଳଙ୍କ କଥାରେ ଅରାଜି ହେବାରୁ ରବିବାର ରାତିରେ ନର୍ସଙ୍କ ଘରେ ପଶି ପ୍ରେମ ନିବେଦନ କରିଥିଲେ। ଏଥିରେ ରାଜି ନହେବାରୁ ନର୍ସଙ୍କୁ ଅସଦାଚରଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ।
ଲାଞ୍ଚ ନେଇ ଧରାପଡ଼ିଲେ ୨ ପୁଲିସ
ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଦୁଇ ପୁଲିସ ଅଧିକାରୀ ଭିଜିଲାନ୍ସ ହାତରେ ଗତ ଶନିବାର ଦିନ ଧରାପଡ଼ିଥିଲେ। ଉଭୟ ଜାମୁଗୁଡାର ଏକ କୁକୁଡ଼ା ଗାଲିରୁ ଜବତ ବାଇକ ମୁକୁଳାଇବା ବାବଦରେ ବରଦେଇ ଗାଁର ଲକ୍ଷ୍ମଣ ହରିଜନଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଦୁଇ ପୁଲିସ ଅଧିକାରୀ ସବଇନ୍ସପେକ୍ଟର ରଘୁନାଥ ହଂସଦା ଓ ପୁଲିସ ଏଏସଆଇ ଶିବ ପ୍ରସାଦ ଦଳେଇ ପ୍ରବେଶନାରୀ ପିରିୟଡ଼ରେ ଥିଲେ। ପୁଲିସ ବିଭାଗରେ ଲାଞ୍ଚ ନେବା ଘଟଣା ନୁଆ ନୁହେଁ। ସେମାନେ ଦରମା ଯେତିକି ପାଆନ୍ତି, ତାଠାରୁ ଅନେକ ଗୁଣରେ ଉପରିଆ ରୋଜଗାର କରିଥାନ୍ତି। ଘରୁ ଖାଲି ହାତରେ ଯାଆନ୍ତି ସତ, ଫେରିବା ବେଳକୁ ବହୁତ କିଛି ଘରକୁ ନେଇ ଫେରନ୍ତି।
ଚର୍ଚ୍ଚାରେ ଭରତପୁର ଘଟଣା
ଭରତପୁର ଥାନାରେ ସେନାର ମେଜର ଓ ତାଙ୍କର ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ଘଟଣା ଜାତୀୟ ଗଣମାଧ୍ୟମ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି। ଏଘଟଣା ସଂପର୍କରେ ଓଡ଼ିଶା ହାଇକୋର୍ଟ ଅବଗତ ଅଛନ୍ତି। କିନ୍ତୁ ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହୋଇସାରିଛି। ଏଥି ସହିତ କ୍ରାଇମବ୍ରାଞ୍ଚ୍ ମଧ୍ୟ ଏହାର ତଦନ୍ତ କରୁଛି। ମାତ୍ର ଏହା ପୂର୍ବରୁ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ସବୁ ଥାନାରେ ସିସିଟିଭି ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଥାନାରେ ସିସିଟିଭି ପ୍ରସଙ୍ଗରେ ରିପୋର୍ଟ ତଲବ କରିଛନ୍ତି। ଭରତପୁର ଥାନାରେ ସିସିଟିଭି ନ ଥିବା ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟର ୬୫୦ରୁ ୫୭ ଥାନାରେ ସିସିଟିଭି ନାହିଁ। ସିସିଟିଭି ବ୍ୟବସ୍ଥା ନେଇ ପୁଲିସ ଆଧୁନକୀକରଣ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।