ଭୁବନେଶ୍ବର: ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ିରେ ସୋମବାର ପୂର୍ବାହ୍ଣରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ହୋଇଛି। ଏଠାରେ ଏକ ମାଲଗାଡ଼ି ସିୟାଲଦା ଅଭିମୁଖେ ଯାଉଥିବା କାଞ୍ଚନଜଂଗା ଏକ୍ସପ୍ରେସ୍କୁ ପଛପଟରୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଅତି ଭୟଙ୍କର ଥିଲା। କାରଣ ଅନେକଗୁଡ଼ିଏ ବଗି ରେଳଧାରଣାରୁ ଖସିପଡ଼ିଛି। ତେବେ ବିଗତ ଏକ ବର୍ଷ ମଧ୍ୟରେ ଦେଶରେ ଅନେକଗୁଡ଼ିଏ ଏଭଳି ଦୁର୍ଘଟଣା ଘଟିଛି, ଯାହାକି ଟ୍ରେନ୍ରେ ଯାତ୍ରା କରିବା ମନରେ ଭୟ ଜାତ ହେଉଛି। ବିଗତ ବର୍ଷେ ଭିତରେ ଓଡ଼ିଶା ସମେତ ଏହାର ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ମଧ୍ୟ ଟ୍ରେନ୍ ଦୁର୍ଘଟଣା ଘଟିଛି। ସେହିପରି ବିହାର ଓ ପଂଜାବରେ ମଧ୍ୟ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଗତବର୍ଷ ଜୁନ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ଦୁଇଟି ଯାତ୍ରୀବାହୀ ଟ୍ରେନ୍ (କରମଣ୍ଡଳ ଏକ୍ସପ୍ରେସ୍ ଓ ଏସ୍ଏମ୍ଭିଟି ବେଙ୍ଗାଲୁରୁ ଏକ୍ସପ୍ରେସ୍) ସହିତ ଏକ ମାଲଗାଡ଼ି ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପୂରା ଭାରତକୁ ସ୍ତବ୍ଧ କରିଦେଇଥିଲା। ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଦୁର୍ଘଟଣା ପରେ ରେଳବାଇ ସୁରକ୍ଷା ଆୟୁକ୍ତର ତଦନ୍ତ ପରେ ରିପୋର୍ଟ ଆସିଥିଲା ଏବଂ କୁହାଯାଇଥିଲା ଯେ, ଦୁର୍ଘଟଣା ମାନବ କୃତ।
କ୍ରିକେଟ୍ ଦେଖୁଥିଲେ ଲୋକପାଇଲଟ୍
ଆନ୍ଧ୍ରପ୍ରଦେଶରେ ୨୦୨୩ ଅକ୍ଟୋବର ୨୯ ତାରିଖ ଦିନି ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ବିଜୟନଗରମ ଜିଲ୍ଲା କଣ୍ଟାକାପଲ୍ଲୀରେ ହାଓଡ଼ା-ଚେନ୍ନାଇ ଲାଇନ୍ରେ ରାୟଗଡ଼ା ପାସେଞ୍ଜର ଟ୍ରେନ୍ ବିଶାଖାପାଟନମ୍-ପଲାସା ଟ୍ରେନ୍କୁ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁର୍ଘଟଣାର କାରଣ ସଂପର୍କରେ କହିଥିଲେ ଯେ, ଟ୍ରେନ୍ର ଲେକପାଇଲଟ ଓ ସହାୟକ ଲୋକପାଇଲଟ ଫୋନ୍ରେ କ୍ରିକେଟ୍ ଦେଖୁଥିଲେ।
ସେହିପରି ଝାଡ଼ଖଣ୍ଡର ଜାମତରାର ଓ ବିଦ୍ୟାସାଗର ଷ୍ଟେସନ ମଧ୍ୟରେ ଗତ ଫେବ୍ରୁଆରି ୨୮ ତାରିଖ ଦିନ ଟ୍ରେନ୍ ଦୁର୍ଘଟଣା ହୋଇଥିଲା, ଯେଉଁଥିରେ ୨ ଜଣ ଲୋକ ଜୀବନ ହାରିଥିଲେ। ଡାଉନ୍ ଲାଇନ୍ରେ ବେଙ୍ଗାଲୁରୁ-ଯଶବନ୍ତପୁର ଏକ୍ସପ୍ରେସ୍ ଯାଉଥିଲା। ଏହାରି ମଧ୍ୟରେ ରେଳଲାଇନ୍ ପାର୍ଶ୍ବରେ ଥିବା ଗେଟିର ଧୂଳି ଉଡୁଥିଲା। ଧୂଳି ଉଡୁଥିବା ନେଇ ଚାଳକଙ୍କୁ ଆଦେଶ ହୋଇଥିଲା ଯେ, ଟ୍ରେନ୍ରେ ନିଆଁ ଲାଗିଛି ଓ ଧୂଆଁ ବାହାରୁଛି। ଡ୍ରାଇଭର ଟ୍ରେନ୍କୁ ଅଟକାଇ ଦେଇଥିଲେ। ଅନେକ ଯାତ୍ରୀ ଅଟକି ଯାଇଥିଲେ। ଏହାରି ମଧ୍ୟରେ ଅପ୍ ଲାଇନ୍ରେ ଯାଉଥିବା ଇଏମ୍ୟୁ ଟ୍ରେନ୍ ଧକ୍କାରେ ୨ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।
ବିହାରରେ ଟ୍ରେନ୍ ଦୁର୍ଘଟଣା
ନୂଆଦିଲ୍ଲୀରୁ କାମାକ୍ଷା ଯାଉଥିବା ନର୍ଥ ଏକ୍ସପ୍ରେସ୍ ୨୦୨୩ ଅକ୍ଟୋବର ୧୧ରେ ବିହାରର ବକ୍ସାର ଜଙ୍କସନ ରେଳ ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍ର ୨୪ଟି ଡବା ରେଳଧାରଣାରୁ ଖସିପଡ଼ିଥିଲା। ବକ୍ସର ଜିଲ୍ଲା ପ୍ରଶାସନ କହିଥିଲା ଦୁର୍ଘଟଣାରେ ୬୦ରୁ ୭୦ ଜଣ ଲୋକ ଆହତ ହୋଇଥିଲେ। ସେହିପରି ଦିଲ୍ଲୀରେ ଜଖିରା ଫ୍ଲାଏଓଭର ନିକଟରେ ଗତ ୧୭ ତାରିଖ ଦିନ ଏକ ମାଲଗାଡ଼ି ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିଲା। ଫଳରେ ୧୦ଟି ଡବା ଲାଇନ୍ଚ୍ୟୁତ ହୋଇଥିଲା।
ଉତ୍କଳ ଏକ୍ସପ୍ରେସ୍ ଦେଲା ଧକ୍କା
ସେହିପରି ଗତ ଜାନୁଆରି ୧୮ ତାରିଖରେ ଝାଡ଼ଖଣ୍ଡର ଗମ୍ଭାରିଆ ରେଳ ଷ୍ଟେସନରେ ଉତ୍କଳ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଷ୍ଟେସନରେ ୪ ଜଣ ଲୋକ ରେଳଧାରଣା ଅତିକ୍ରମ କରିବା ସମୟରେ ନୂଆଦିଲ୍ଲୀ-ପୁରୀ ଉତ୍କଳ ଏକ୍ସପ୍ରେସ୍ ଟାଟାନଗର ଟ୍ରେନ୍ ଧକ୍କା ଦେଇଥିଲା। ଅନ୍ୟଏକ ଦୁର୍ଘଟଣା ପଂଜାବର ଫତେଗଡ଼ ସାହିବରେ ଗତ ୨ ତାରିଖ ଦିନ ଘଟିଥିଲା। ଏଠାରେ ୨ଟି ମାଲଗାଡ଼ି ଧକ୍କା ହୋଇଥିଲା। ଫଳରେ ଉଭୟ ଟ୍ରେନ୍ର ଲୋକପାଇଲଟ ଆହତ ହୋଇଥିଲେ।