Sunday, February 9, 2025
Homeଖବରପରିବର୍ତ୍ତିତ ଜଳବାୟୁ: ପ୍ରାକୃତିକ ବିପର୍ଯ୍ୟୟ

ପରିବର୍ତ୍ତିତ ଜଳବାୟୁ: ପ୍ରାକୃତିକ ବିପର୍ଯ୍ୟୟ

ଭୁବନେଶ୍ବର: ପରିବର୍ତ୍ତିତ ଜଳବାୟୁ ଚାରିଆ‌େଡ଼େ ଚିନ୍ତାର କାରଣ ପାଲଟିଛି। ‌ଏହା କେବଳ ଓଡ଼ିଶା କି ଭାରତ ନୁହେଁ। ବରଂ ସମଗ୍ର ବିଶ୍ବର ଜନତା ଜଳବାୟୂ ପରିବର୍ତ୍ତନ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ମିଳିତ ଜାତିସଂଘ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ମଧ୍ୟ ପରିବେଶ ସୁରକ୍ଷା ପାଇଁ କାମ କରୁଛନ୍ତି। କିନ୍ତୁ ପରିବେଶ ସୁରକ୍ଷା ପାଇଁ କେବଳ ସରକାର, ଅନ୍ତର୍ଜାତୀୟ ସଂସ୍ଥା ଓ ଘରୋଇ ଉଦ୍ୟମକୁ ଦାୟୀ କଲେ ଜଳିବ ନାହିଁ। ବରଂ ଏଥି ପାଇଁ ସମସ୍ତଙ୍କୁ ଆନ୍ତରିକତାର ସହିତ ହାତ ମିଳାଇବାକୁ ପଡ଼ିବ। ଏହା ଦ୍ବାରା ପରିବେଶ ସୁରକ୍ଷିତ ରହିବା ସହ ଜୀବଜଗତ ବଞ୍ଚି ରହିବ।

ଜୀବଜଗତରେ ସମସ୍ତେ ବସବାସ ଓ ଜୀବନ ଧାରଣ କରିବାର ଅଛି। କିନ୍ତୁ ପୃଥିବୀର ସୁରକ୍ଷା ମନୁଷ୍ୟ ହାତରେ ରହିଛି। ଅନ୍ୟ ଜୀବଜନ୍ତୁମାନେ ପରିବେଶକୁ ସନ୍ତୁଳନ କରିବାରେ ସହାୟକ ହେବେ। କିନ୍ତୁ ମନୁଷ୍ୟ ଭଳି କାମ କରିପାରିବେ ନାହିଁ। ପୁରା ଜୀବଜଗତକୁ ପରିଚାଳନ କରିବା ପାଇଁ ମାନବ ସମ୍ବଳ ହାତରେ ଚାବି-କାଠି ରହିଛି। ତେଣୁ ମନୁଷ୍ୟକୁ ପଶୁ-ପକ୍ଷୀ, ଗଛଲତାଙ୍କ  କଥା ବି ଭାବିବାକୁ ପଡ଼ିବ। କାରଣ ପୃଥିବୀରେ ଯଦି କେବଳ ମଣିଷ ଏକା ରହେ, ତେବେ ସବୁ ଶୂନ୍ୟ ଲାଗିବ। ଏଥିପାଇଁ ଆମକୁ ସମସ୍ତଙ୍କ ଜୀବନକୁ ରକ୍ଷା କରି ବଞ୍ଚିବାକୁ ହେବ। ଆମେ ପୃଥିବୀରୁ ସବୁ ଭଲ ଜିନିଷ ନେଇ ଖରାପ ଜିନିଷ ଦେଉଛେ।

ଜଳବାୟୁ ପରିବର୍ତ୍ତନର ଫଳସ୍ବରୂପ ନାନା ରୋଗ ହେଉଛି। ଅନେକ ଲୋକଙ୍କର ଜୀବନ ଚାଳିଯାଉଛି। ଅଚାନକ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି। ବର୍ଷା ଯାଇ ଶରତ ଋତୁ ଆସିଛି। କିନ୍ତୁ ସ୍ଥଳଭାଗରେ ଶିଶିର ନାହିଁ। ଗ୍ରୀଷ୍ମଋତୁ ଭଳି ଜଳବାୟୁ ପରିଲକ୍ଷିତ ହେଉଛି। ଯେଉଁ ସମୟରେ ଶୀତ ଆରମ୍ଭ ହୋଇଯିବା କଥା, ସେହିଭଳି ଏକ ସମୟରେ ଗୁଳୁଗୁଳି ଅନୁଭୂତ ହେଉଛି। ଗୁଳୁଗୁଳି ଯୋଗୁଁ ଜନତା ଛଟପଟ ହେଉଛନ୍ତି। ନିକଟରେ କେନ୍ଦ୍ରପଡ଼ାର ଆଳିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଗୁଳୁଗୁଳି ଯୋଗୁଁ ୯ ଜଣ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିଲେ। ଜଳବାୟୁର ପ୍ରଭାବ ଏତେ ଖରାପ ସ୍ତରକୁ ଚାଲି ଯାଇଛି ଯେ, ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ମଧ୍ୟ ପୂର୍ବ ଭଳି ଶୀତ ଅନୁଭବ ହେଉନାହିଁ। ସୁସ୍ଥ ଜଳବାୟୁ ପାଇଁ ପ୍ରସିଦ୍ଧ କୋରାପୁଟ ନିଜର ଅସ୍ଥିତ୍ବ ହରାଇବାରେ ଲାଗିଛି।

ଦିଲ୍ଲୀରେ ପାରା ୩୭.୨ ଡିଗ୍ରି

ଦିଲ୍ଲୀର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ବୁଧବାର ଦିନ ସାରା ସ୍ୱଚ୍ଛ ଆକାଶ ଏବଂ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ଯୋଗୁଁ ୩ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ୩୭.୨ ଡିଗ୍ରି ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ୨୬.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଆର୍ଦ୍ରତାର ମାତ୍ରା ୯୨ରୁ ୪୧ ପ୍ରତିଶତ ମଧ୍ୟରେ ରହିଥିଲା। ଅନ୍ୟପକ୍ଷରେ ଦିଲ୍ଲୀର ବାୟୁରେ ପ୍ରଦୂଷକ କଣିକାର ମାତ୍ରା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ବୁଧବାର ଦିନ ଦିଲ୍ଲୀର ଏକ୍ୟୁଆଇ ୧୭୨ ଥିଲା। ମଙ୍ଗଳବାର ଏହା ୧୫୧, ସୋମବାର ୧୨୭ ଓ ରବିବାର ୭୬ ଥିଲା। ଅର୍ଥାତ୍ ୩ ଦିନ ମଧ୍ୟରେ ଏହା ୯୬ ପଏଣ୍ଟ ବୃଦ୍ଧି ପାଇଛି।

କ’ଣ କୁହନ୍ତି ପରିବେଶ ମନ୍ତ୍ରୀ

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଭୁବନେଶ୍ବରରେ ଆୟୋଜିତ ଏକ ପରିବେଶଭିତ୍ତିକ କାର୍ଯ୍ୟକ୍ରମରେ ବୁଧବାର କହିଛନ୍ତି, ପୃଥିବୀ ପାଇଁ ଏବେ ୩ଟି ବିପଦ ସୃଷ୍ଟି ହୋଇଛି। ପ୍ରଥମଟି ହେଲା- ବିକାଶ ଯୋଗୁ ପୃଥିବୀର ତାପମାତ୍ରା ଉପରେ ପ୍ରଭାବ ପଡ଼ୁଛି। ଦ୍ବିତୀୟରେ ଆଧୁନିକ ପଦ୍ଧତି ଓ ଜ୍ଞାନକୌଶଳ ବ୍ୟବହାର ଯୋଗୁ ଜମି ମରୁଭୂମିମୁହାଁ ହେଲାଣି। ତୃତୀୟଟି ହେଉଛି, ଲଗାତାର ଜୈବ ବିବିଧତା କ୍ଷୟ ଜନଜୀବନକୁ ପ୍ରଭାବିତ କରୁଛି। ଏହା ଭବିଷ୍ୟତ ପିଢ଼ି ପାଇଁ ବିପଦଜନକ। ଏମିତିରେ ବି ଆମେ ପୃଥିବୀରୁ ଶୁଦ୍ଧ ପବନ ନେଉଛୁ କିନ୍ତୁ ଦୂଷିତ ବାୟୁ ଦେଉଛୁ। ବିଶୁଦ୍ଧ ପାଣି ବ୍ୟବହାର କରୁଛୁ କିନ୍ତୁ ଦୂଷିତ ପାଣି ଦେଉଛୁ। ସାର ଓ କୀଟନାଶକ ବ୍ୟବହାର କରି ଭଲ ମାଟିକୁ ଖରାପ କରୁଛୁ। ଆମକୁ ଏହି ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments