Wednesday, January 15, 2025
Homeଖବରକର୍ଣ୍ଣାଟକ ସରକାରଙ୍କୁ ଯବଗୋଷ୍ଠୀଙ୍କ ଚିନ୍ତା

କର୍ଣ୍ଣାଟକ ସରକାରଙ୍କୁ ଯବଗୋଷ୍ଠୀଙ୍କ ଚିନ୍ତା

ଚଳିତ ଜୁଲାଇ ମାସରେ କର୍ଣ୍ଣାଟକରେ ପରିଚାଳିତ କଂଗ୍ରେସ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସିଦ୍ଧରମୈୟାଙ୍କ ନେତୃତ୍ବରେ ପରିଚାଳିତ ସରକାର ଯବଗୋଷ୍ଠୀଙ୍କୁ ଫୋକସ କରିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ଓ ଆଗାମୀ ସମୟରେ ଶାସନ ଜାରି ରଖିବାକୁ ପ୍ରୟାସ କରିଛି। ରାଜ୍ୟ ସରକାର ଚଳିତ ଜୁଲାଇ ମାସରେ ୨ଟି ବଡ଼ ନିଷ୍ପତ୍ତି ନେଇଥିଲେ। ପ୍ରଥମଟି ହେଲା ରାଜ୍ୟରେ ପରିଚାଳିତ ଘରୋଇ ପ୍ରତିଷ୍ଠାନରେ କର୍ଣ୍ଣାଟକର ମୂଳ ନିବାସୀଙ୍କୁ ସଂରକ୍ଷଣ ସବିଧା ଦେବା ଓ ନିଟ୍-ୟୁଜି ପ୍ରସଙ୍ଗରେ ସ୍ବତନ୍ତ୍ର ଭାବେ ପରୀକ୍ଷା ନେଇ ବିଲ୍ ପାସ୍ କରିବା।

ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ଏହି ଶୁଣାଣିରେ କହିଛନ୍ତି, ଦ୍ବିତୀୟ ଥର ଏହି ପରୀକ୍ଷା କରାଯିବ ନାହିଁ। ପ୍ରଶ୍ନପତ୍ର ବିଭ୍ରାଟ ନେଇ ବଳିଷ୍ଠ ପ୍ରମାଣ ନାହିଁ। ସାନି ପରୀକ୍ଷା ଫଳ ପୁଣି ପ୍ରକାଶ ପାଇବ। ଏହା ଦ୍ବାରା ଛାତ୍ରଛାତ୍ରୀ ଉପକୃତ ହେବେ। ତେବେ ନିଟ୍ ପରୀକ୍ଷା ଫଳ ନେଇ ଯେତବେଳେ ସମ୍ଭାବିତ ପରୀକ୍ଷାର ଆୟୋଜନ ଦୃଷ୍ଟିଗୋଚର ହେଉଥିଲା କର୍ଣ୍ଣାଟକ ସରକାର ରାଜ୍ୟ କ୍ୟାବିନେଟ୍ରେ ଗତ ସୋମବାର ଦିନ ନୂଆ ବିଲ୍ ପାସ୍ କରିଥିଲେ। କର୍ଣ୍ଣାଟକର ସରକାର ନିଟ୍କୁ ବାତିଲ କରିବା ଭଳି ପ୍ରସ୍ତାବ ସଂପର୍କିତ ବିଲ୍ରେ ନିଜର ସହମତି ଜଣାଇଥିଲେ।

ନିଟ୍ ବିପକ୍ଷରେ ନୂଆ ପରୀକ୍ଷା

କର୍ଣ୍ଣାଟକରେ ଅଣାଯାଇଥିବା ବିଲ୍ ନିଟ୍ ପରୀକ୍ଷା ବିରୋଧରେ ଥିଲା। ଏଥିରେ ନିଟ୍ର ସ୍ଥାନରେ ଅନ୍ୟ ମେଡିକାଲ ପରୀକ୍ଷା କରାଇବା ଅଥବା ପୁଣି ନିଟକୁ କର୍ଣ୍ଣାଟକରେ କମନ ଏଣ୍ଟ୍ରାନ୍ସ ଟେଷ୍ଟ (ସିଇଟି) ସହିତ ଯୋଡ଼ିବା ନେଇ ପ୍ରସ୍ତାବ ଆସିଥିଲା। ବିଲ୍କୁ କର୍ଣ୍ଣାଟକ ବିଧାନ ସୌଧରେ ଉପସ୍ଥାପନ କରାଯିବାର ଥିଲା। ଏଥିରେ ସରକାର ଚହିଁଛନ୍ତି ଯେ ରାଜ୍ୟକୁ ଦ୍ବାଦଶ ଶ୍ରେଣୀର ନମ୍ବର ଆଧାରରେ ମେଡିକାଲ କୋର୍ସରେ ନାମଲେଖା ପାଇଁ ଅନୁମତି ଦିଆଯାଉ। ନିଟ୍ ଲାଗୁ ହେବା ପୂର୍ବରୁ ଏହି ଭଳି ଭାବେ ମେଡିକାଲ ନାମଲେଖା ଯାଉଥିଲା। ଯଦି ଏହି ବିଲ୍ ରାଜ୍ୟ ବିଧାନସଭାରୁ ପାସ୍ ହୋଇଯିବ, କର୍ଣ୍ଣାଟକର ମେଡିକାଲ କଲେଜରେ ଅଣ୍ଟର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗୀ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।  

କନ୍ନଡ଼ବାସୀଙ୍କ ପାଇଁ ସଂରକ୍ଷଣ

କିଛି ଦିନ ପୂର୍ବରୁ ଘରୋଇ କଂପାନିରେ ଗ୍ରୁପ-ସି ଓ ଗ୍ରୁପ-ଡି ପଦବିରେ ଚାକିରି ନେଇ ସରକାର ବଡ଼ ଘୋଷଣା କରିଥିଲେ। କନ୍ନଡ ଲୋକଙ୍କ ପାଇଁ ୧୦୦ ପ୍ରତିଶତ ସଂରକ୍ଷଣ ବାଧ୍ୟତାମୂଳକ କରିବା ନେଇ ବିଧେୟକକୁ ମଂଜୁରୀ ଦେଇଥିଲେ ମନ୍ତ୍ରିମଣ୍ଡଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଥିଲେ। ସେ ଲେଖିଥିଲେ, ମନ୍ତ୍ରିମଣ୍ଡଳର ବୈଠକରେ ରାଜ୍ୟର ସମସ୍ତ ଘରୋଇ କଂପାନିରେ ଗ୍ରେଡ-ସି ଓ ଗ୍ରେଡ-ଡି ପଦବିରେ ୧୦୦ ପ୍ରତିଶତ କନ୍ନଡ ଲୋକଙ୍କୁ ଚାକିରି ବାଧ୍ୟତାମୂଳକ ଦେବା ପାଇଁ ବିଲ୍କୁ ମଂଜୁରୀ ଦିଆଯାଇଛି।   କନ୍ନଡବାସୀଙ୍କ ସମର୍ଥନରେ ଆମେ ସରକାର ଗଢ଼ିଛୁ। ଆମର ପ୍ରାଥମିକତା ହେଉଛି କନ୍ନଡ ଲୋକଙ୍କ କଲ୍ୟାଣ ପାଇଁ।  

ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ସ୍ଥାନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଆସିଥିବା ବିଲ୍ରେ କୁହାଯାଇଛି ଯେ, କୌଣସି ଶିଳ୍ପ, କାରଖାନା ଓ ଅନ୍ୟ ପ୍ରତିଷ୍ଠାନକୁ ପରିଚାଳନା ଶ୍ରେଣୀରେ ୫୦ ପ୍ରତିଶତ ସ୍ଥାନୀୟ ପ୍ରାର୍ଥୀ ଓ ଅଣପରିଚାଳନା ଶ୍ରେଣୀରେ ୧୭ ପ୍ରତିଶତ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ। ଏଥିରେ କୁହାଯାଇଛି ଯେ, କନ୍ନଡ ଭାଷା ସହିତ ମାଧ୍ୟମିକ ବିଦ୍ୟାଳୟର ପ୍ରମାଣପତ୍ର ନଥିଲେ, ନୋଡାଲ ଏଜେନ୍ସି ଦ୍ବାରା କନ୍ନଡ ଭାଷାରେ ପରୀକ୍ଷା ପାସ୍ କରିବାକୁ ପଡ଼ିବ। ନିୟମ ଉଲ୍ଲଂଘନ କଲେ କଂପାନି ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।

ସଂସ୍କୃତିକୁ ଗୁରୁତ୍ବ

କେବଳ ଏତିକି ନୁହେଁ। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଏକ ଶପିଂ ମଲରେ ନିକଟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଧୋତି-କୁର୍ତ୍ତା ପରିଧାନ କରିଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଶପିଂ ମଲରେ ପ୍ରବେଶ ଦିଆଯାଇ ନଥିଲା। ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହୋଇଥିଲା। ତେଣୁ ଲୋକେ ଅମଙ୍ଗ ଦେଖାଯାଇଥିଲେ। ସଂପୃକ୍ତ ଶପିଂ ମଲ ବିରୋଧରେ ବୟାନ ଦେବା ଆରମ୍ଭ କରିଦେଇଥିଲେ। ଏଘଟଣା ସଂପର୍କରେ ସରକାର ଅବଗତ ହେଲା ପରେ ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ବିରଥୀ ସୁରେଶ  ଏହି ପ୍ରସଙ୍ଗରେ ମୁଁ ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) କମିଶନରଙ୍କ ସହିତ କଥା ହୋଇଥିବା ନେଇ ଗଣମାଧ୍ୟମକୁ କହିଥିଲେ। ମଲରେ ୭ ଦିନ ତାଲା ଝୁଲାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments