ମହିଳା ଓ ନାବାଳିକାଙ୍କୁ ଅତ୍ୟାଧୁନିକ ବ୍ୟବସ୍ଥା ସୁରକ୍ଷା ପ୍ରଦାନ କରିପାରୁ ନାହିଁ। ମହିଳା ଓ ନାବାଳିକାମାନେ ଘରୁ ବାହାରିଲେ ସୁରକ୍ଷା ପ୍ରତି ଚିନ୍ତା କରୁଛନ୍ତି। ଏହାର କାରଣ ମନୁଷ୍ୟ ଶିକାରୀମାନେ ଚାରି ଆଡ଼େ ବୁଲୁଛନ୍ତି। ଆମ ସମାଜରେ ପଶୁରୂପୀ ମାନବମାନେ ସୁଯୋଗ ପାଇଲେ କିଛି ବି କରିପାରନ୍ତି। ସରକାର, ପ୍ରଶାସନ ଓ ପୁଲିସର ବ୍ୟବସ୍ଥାକୁ ମନୁଷ୍ୟ ଶିକାରୀମାନେ ଖାତିର କରୁ ନାହାନ୍ତି। ଭଲ ପାଇବା ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଘଟଣା ନିତିଦିନିଆ ହୋଇଛି। ସେହିପରି ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିଦିନ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି। ସମାଜରେ ପ୍ରତିଦିନ ଏଭଳି ଘଟଣାଗୁଡ଼ିକ ଘଟୁଛି, ଯାହା କଳ୍ପନା ବାହାରେ।
କିଶୋରୀଙ୍କୁ ୩ଟି ସ୍ଥାନରେ ବିକ୍ରି
ସମାଜରେ କିଛି ଅସାମାଜିକ ଲୋକ ମନୁଷ୍ୟକୁ ପନିପରିବା ଅଥବା ଅନ୍ୟ ଜିନିଷ ମନେ କରୁଛନ୍ତି। ଅନେକ ଲୋକ ମାନବ ଚାଲାଣ କରୁଛନ୍ତି। ଏଥିରୁ ସମୋନେ ଭଲ ରୋଜଗାର ମଧ୍ୟ କରୁଛନ୍ତି। ଉତ୍ତର ପ୍ରଦେଶର ଆଗ୍ରା ଅଞ୍ଚଳରେ ଜଣେ ୧୬ ବର୍ଷୀୟ କିଶୋରୀଙ୍କୁ ୩ ଥର ବିକ୍ରି କରାଯାଇଛି। ଯେଉଁ ଅସାମାଜିକ ବ୍ୟକ୍ତିମାନେ କିଶୋରୀଙ୍କୁ କିଣୁ ଥିଲେ, ସେମାନେ ସପ୍ତାହ ଧରି ଦୁଷ୍କର୍ମ କରିବା ପରେ ଅନ୍ୟକୁ ବିକ୍ରି କରିଦେଉଥିଲେ। ନୀରିହ କିଶୋରୀ ପ୍ରତିବାଦ କରି ନପାରି ନୂଆନୂଆ ଅସାମାଜିକ ବ୍ୟକ୍ତିଙ୍କ ଦ୍ବାରା କ୍ଷତାକ୍ତ ହେଉଥିଲେ। ଧୌଳପୁର ଓ ମୋରେନାରେ କ୍ରେତାଙ୍କ କବଳରେ ଫସିଥିବା ନାବାଳିକା ଗତ ଜୁଲାଇ ମାସରେ ପୁଲିସ ଦ୍ବାରା ଉଦ୍ଧାର ହୋଇଥିଲେ। ତେବେ ଅଭିଯୁକ୍ତର ଧମକ ଯୋଗୁଁ ପୀଡିତା ଚୁପ ଥିଲେ। ମୁଖ୍ୟ ଅଭିଯୁକ୍ତ ଗଡ଼ୀ ଦରିୟାବର ଭୋଲା ଓରଫ ମନୋଜ, ପ୍ରେମିକା ଗୀତା ଓ ତାଙ୍କ ଝିଅ ମନୀଷାଙ୍କ ସହାୟତାରେ ନାବାଳିକାଙ୍କୁ ଅପହରଣ କରିଥିବା ପୁଲିସ ଜାଣିବାକୁ ପାଇଛି। ଝିଅ ମନୀଷା ନାବାଳିକାକୁ ନିଶାଯୁକ୍ତ ଥଣ୍ଡା ପାନୀୟ ଦେଇଥିଲା। ତାଙ୍କୁ ଏକ ଅଟୋରେ ଅଚେତ ଅବସ୍ଥାରେ ରଖି ମୋରେନା ନିଆଯାଇଥିଲା। ସେଠାରେ ଧୌଳପୁରର ରବିଙ୍କ ସହ ୫୦ ହଜାର ଟଙ୍କାରେ ଚୁକ୍ତି ହୋଇଥିଲା। ରବି ନାବାଳିକାକୁ ପ୍ରାୟ ଦୁଇ ସପ୍ତାହ ଧରି ନିଜ ପାଖରେ ରଖି ଶାରୀରିକ ଶୋଷଣ କରିବା ପରେ ମୋରେନାର ପଞ୍ଜାବ ସିଂହଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା। ପଞ୍ଜାବ ସିଂହ ତାଙ୍କୁ ଦୁଇ ସପ୍ତାହ ଧରି ରଖିଥିଲା। ଏହି ସମୟରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା।
ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ
କୋଲକାତାର ଆଜି କର ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ଥିବା ବେଳେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଜୟନଗର ଥାନା ଅଞ୍ଚଳରେ ପୁଣି ଏଗ ଅଭାବୀନୟ ଘଟଣା ଘଯିଛି। ଏଠାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିବା ସହ ଶନିବାର ସକାଳୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପୁଲିସର ନିଷ୍କ୍ରିୟତା ଅଭିଯୋଗ କରି ଥାନାରେ ଭଙ୍ଗାରୁଜା କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକେ ପୁଲିସ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ସେମାନେ ଅଞ୍ଚଳର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହିଳାମାନେ ଲାଠି ଧରି ବାରୁଇପୁର ଏସ୍ଡିପିଓଙ୍କ ପାଖରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଜନତାଙ୍କୁ ହଟାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏହାକୁ ନେଇ ସମଗ୍ର ଅଞ୍ଚଳରେ ବ୍ୟାପକ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଛି।
ଦୁଇ ବର୍ଷଧରି ନାବାଳିକାଙ୍କୁ ଦୁଷ୍କର୍ମ
ଇସ୍ପାତ ନଗରୀ ରାଉରକେଲାରେ ନିୟମିତ ବ୍ୟବଧାନରେ ଗଣଦୁଷ୍କର୍ମ ଘଟଣା ଘଟୁଛି। ଗତ ଦୁଇ ସପ୍ତାହ ଭିତରେ ୨ଟି ଗଣଦୁଷ୍କର୍ମ, ନାବାଳିକାଙ୍କୁ ଦୁଷ୍କର୍ମ, ନାବାଳିକାଙ୍କୁ ଅସଦାଚରଣ ଓ ଅପହରଣ ଆଦି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏବେ ପୁଣି ଜଣେ ନାବାଳିକା(୧୭) ଦୁଷ୍କର୍ମର ଶିକାର ହୋଇଛନ୍ତି। ନାବାଳିକାଙ୍କ ବାପାଙ୍କ ଜଣେ ବନ୍ଧୁ ଗତ ଦୁଇବର୍ଷ ହେଲା ଦୁଷ୍କର୍ମ କରୁଥିବା ରଘୁନାଥପାଲି ଥାନାରେ ଏତଲା ହୋଇଛି। ଅଭିଯୁକ୍ତ ସିଭିଲ୍ ଟାଉନସିପ୍ ଅଞ୍ଚଳର ରାଜନ ଶ୍ରୀବାସ୍ତବ(୪୮)ଙ୍କ ନାଁରେ ପୁଲିସ ମାମଲା ରୁଜକରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ରାଜନ ରାଉରକେଲା ସହ ଦିଲ୍ଲୀରେ ମଧ୍ୟ ବ୍ୟବସାୟ କରନ୍ତି। ତେଣୁ ନିୟମିତ ଦିଲ୍ଲୀରୁ ରାଉରକେଲା ଯିବାଆସିବା କରନ୍ତି। ଏହାରି ମଧ୍ୟରେ ସେ ଗତ ୨ ବର୍ଷ ହେଲା ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ନାବାଳିକାଙ୍କ ସହ ଦୁଷ୍କର୍ମ ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ତେଣୁ ପୀଡ଼ିତା ଭୟଭୀତ ହୋଇ ପରିବାରବର୍ଗଙ୍କୁ କିଛି କହିନଥିଲେ।