ଭୁବନେଶ୍ବର: କଶ୍ମୀରରେ ଶାନ୍ତି ଫେରାଇ ଆଣିବା ଓ ଏଠାରେ ଶାସନକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ୨୦୧୯ରେ କଶ୍ମୀର ଘାଟିରୁ ଧାରା ୩୭୦ ଉଚ୍ଛେଦ କରିବା ଠାରୁ ଏହି ବିକାଶର ପର୍ବ ଆରମ୍ଭ ହୋଇଛି। ସେହିପରି କଶ୍ମୀର ପଣ୍ଡିତମାନେ ପୁଣି ସ୍ବାଭାବିକ ଭାବେ ଜୀବନଧାରଣ କରିବା ହେଉଛି ଅନ୍ୟ ଏକ ବଳିଷ୍ଠ ପଦକ୍ଷେପ। ଜମ୍ମୁ କଶ୍ମୀରକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରି କେନ୍ଦ୍ର ସରକାର ଲୋକଙ୍କୁ ବିକଶିତ କରିବା ପାଇଁ ଅଭିନବ ଚିନ୍ତା କରିଥିବା ବେଳେ ଏବେ ସେଠାରେ ରାଜନୈତିକ ସ୍ଥିରତା ସ୍ବାଭାବିକ ନଥିବାରୁ ଉପରାଜ୍ୟପାଳଙ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି।
କେନ୍ଦ୍ର ସରକାର ଟ୍ରାଞ୍ଜେକଶନ ଅଫ୍ ବିଜନେସ ରୁଲ୍ସରେ ସଂଶୋଧନ କରିଛନ୍ତି। ଉପରାଜ୍ୟପାଳକୁ ଏବେ ଅଖିଳ ଭାରତୀୟ ସେବା, ସର୍ବସାଧାରଣ ବ୍ୟବସ୍ଥା, ପୁଲିସ ବ୍ୟବସ୍ଥା ଆଦି କ୍ଷେତ୍ରରେ ଅଧିକ ଅଧିକାର ମିଳିବ। ଆଡଭୋକେଟ ଜେନେରାଲ ଓ ଅନ୍ୟ ଆଇନ ଅଧିକାରୀଙ୍କ ନିଯୁକ୍ତିକୁ ମଧ୍ୟ ମଂଜୁରୀ ପାଇଁ ମୁଖ୍ୟ ଶାସନ ସଚିବ ଦ୍ବାରା ଉପରାଜ୍ୟପାଳଙ୍କ ସମକ୍ଷରେ ରଖାଯିବ। ସହଜରେ କହିବାକୁ ଗଲେ ଜମ୍ମୁ କଶ୍ମୀରକୁ ମୁଖ୍ୟମନ୍ତ୍ରୀ ମିଳିବା ପରେ ମଧ୍ୟ ଉପରାଜ୍ୟପାଳ ଅଧକ କ୍ଷମତାଶାଳୀ ରହିବେ। ଅନ୍ୟପଟରେ ଜାମ୍ମୁକାଶ୍ମୀର ଉପରାଜ୍ୟପାଳଙ୍କୁ ଏହି ଶକ୍ତି ମିଳିବା ପରେ, ଏଠାକାର ସ୍ଥିତି ଦିଲ୍ଲୀ ଭଳି ହେବ ବୋଲି ଅନୁମାନ କରାଯାଉଛି। ଦିଲ୍ଲୀରେ ଅଧିକାଂଶ ସମୟରେ ଅଫିସରମାନଙ୍କ ନିଯୁକ୍ତି ଏବଂ ବଦଳି ନେଇ ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳଙ୍କ ଭିତରେ ତୁତୁ ମେଁମେଁ ଲାଗି ରହିଥାଏ। ଆଉ ଜାମ୍ମୁକାଶ୍ମୀରରେ ସେହିଭଳି ନିୟମ ଲାଗୁ ହେବାକୁ ଯାଉଥିବାରୁ, ସେଠାରେ ମଧ୍ୟ ସେହି ସ୍ଥିତି ଉପୁଜିପାରେ ବୋଲି ରାଜନୈତିକ ପଣ୍ଡିତମାନେ ଅନୁମାନ କରୁଛନ୍ତି ।
ଉପରାଜ୍ୟପାଳଙ୍କ କ୍ଷମତା ହେବ ମଜବୁତ
କେନ୍ଦ୍ର ଗୃହ ମନ୍ତ୍ରାଳୟ ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଅଧିନିୟମକୁ ସଂଶୋଧିତ କରିଛନ୍ତି। ଏହା ଦ୍ବାରା ଜମ୍ମୁ କଶ୍ମୀରର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିଛି। ଏସଂକ୍ରାନ୍ତରେ ଅଧିସୂଚନାକୁ ମଧ୍ୟ କେନ୍ଦ୍ର ସରକାର ତରଫରୁ ଜାରି କରିଦିଆଯାଇଛି। ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯ ଧାରା ୧୫୫ ବଳରେ ସଂଶୋଧିତ ନିୟମକୁ ଅଧିସୂଚିତ କରାଯାଇଛି, ଯେଉଁଥିରେ ଉପରାଜ୍ୟପାଳଙ୍କୁ ଅଧିକ ଶକ୍ତି ଦିଆଯାଇଥିବା ଧାରା ସାମିଲ କରାଯାଇଛି। ଜମ୍ମୁ କଶ୍ମୀର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତାଶାଳୀ କରିବା ପାଇଁ ଗୃହ ମନ୍ତ୍ରାଳୟ ୨୦୧୯ରେ ବିଜ୍ଞପ୍ତି ପ୍ରକାଶ କରିଥିଲା।
ବିରୋଧୀଙ୍କ ସମାଲୋଚନା
ବିଜେପି ନେତା ମନୋଜ ସିହ୍ନା ୨୦୨୦ ଅଗଷ୍ଟରୁ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଅଛନ୍ତି। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫେରେନ୍ସର ନେତା ଉମର ଅବଦୁଲ୍ଲା ସରକାରଙ୍କ ଏହି ପଦକ୍ଷେପକୁ ନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏଠାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଜମ୍ମୁ କଶ୍ମୀରର ଲୋକଙ୍କୁ ରବର ଷ୍ଟାମ୍ପ ଭଳି ମୁଖ୍ୟମନ୍ତ୍ରୀ ଦରକାର ନାହିଁ। ଏହା ଏକ ସଂକେତ ଯେ, ଜମ୍ମୁ କଶ୍ମୀରରେ ଖୁବ ଶୀଘ୍ର ନିର୍ବାଚନ ହେବାର ଅଛି। କେନ୍ଦ୍ର ସରକାର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦେବାକୁ ଚାହୁଁଛନ୍ତି। ଉପରାଜ୍ୟପାଳକଙ୍କୁ ଅଧିକ ଶକ୍ତିଶାଳୀ କରିବା ନେଇ କଂଗ୍ରେସ ମଧ୍ୟ ସମାଲୋଚନା କରିଛି।
ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ
ଭାରତର ମୁଣ୍ଡ କୁହାଯାଉଥିବା ଜମ୍ମୁ କଶ୍ମୀର ସବୁବେଳେ ଅଶାନ୍ତିରେ ଦିନ କାଟୁଛି। ସୁରକ୍ଷା ବାହିନୀ ଯେତେ ମଜବୁତ ହେଲେ ବି ଆତଙ୍କବାଦୀମାନେ ମୁଣ୍ଡ ଟେକିଛନ୍ତି। ବିଗତ ୬ ବର୍ଷ ହେଲା ଏଠାରେ କୌଣସି ରାଜନୈତିକ ଦଳ କ୍ଷମତାରେ ନାହାନ୍ତି। ତେଣୁ ଉପରାଜ୍ୟପାଳଙ୍କ ହାତରେ କ୍ଷମତା ରହିଛି। ଜମ୍ମୁ କଶ୍ମୀରରେ ସୁଶାସନ ଦେବା ଓ ଆତଙ୍କବାଦୀଙ୍କୁ ମୁକାବଲା କରିବା ଏକ ଚ୍ୟାଲେଞ୍ଜ କାମ। ଜମ୍ମୁ କଶ୍ମୀରରେ ଶେଷ ଥର ପାଇଁ ୨୦୧୪ରେ ନିର୍ବାଚନ ହୋଇଥିଲା। ଜୁନ ୨୦୧୮ରେ ତତ୍କାଳନୀ ବିଜେପି-ପିଡିପି ମେଣ୍ଟ ସରକାର ଭାଙ୍ଗି ଯିବା ପରେ ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଆରମ୍ଭ ହୋଇଥିଯାଇଥିଲା। ୨୦୧୯ ଅକ୍ଟୋବର ୩୧ରୁ ୨ଟି କେନ୍ଦ୍ର ଶାସିତ ରାଜ୍ୟ ପୁନର୍ଗିଠିତ ହେଲା ପରେ ଉପରାଜ୍ୟପାଳ ଶାସନ ଲାଗୁ ହୋଇଛି। ଜମ୍ମୁ କଶ୍ମୀରେ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେନା ଉପରେ ଆକ୍ରମଣ
ଏକ ମାସ ମଧ୍ୟରେ ଜମ୍ମୁ କଶ୍ମୀର ଅଶାନ୍ତ ଦେଖାଯାଇଛି। ଏକାଧିକ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି। ସାଧାରଣ ଜନଜୀବନକୁ କ୍ଷତି ପହଞ୍ଚୁଛି। ରିଆସିରେ ଗତମାସ ଏକ ତୀର୍ଥଯାତ୍ରୀଙ୍କ ବସ୍କୁ ଆକ୍ରମଣ ହୋଇଥିଲା। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ୮ ତାରିଖ ଦିନ କାଠୁଆ ଜିଲ୍ଲାର ସୁଦୂର ମାଛେଦୀ ଅଞ୍ଚଳରେ ସୋମବାର ଦିନ ସେନାର ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଏଥିରେ ସେନାର ୫ ଜଣ ଯବାନ ସହିଦ ହୋଇଥିଲେ। ଅନ୍ୟ ୫ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେନା ଉପରେ ଆତଙ୍କବାଦୀମାନେ ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ଆତଙ୍କବାଦୀଙ୍କୁ ମୁକାବିଲା କରିବା ପାଇଁ ସେନା କଠୁଆରେ ହେଲିକପ୍ଟର ଜରିଆରେ ପାରା କମାଣ୍ଡୋ ଓହ୍ଲାଇଥିଲା। ଫେରାର ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିଲା।