Tuesday, February 18, 2025
Homeଖବରଶିବଭକ୍ତିରେ ଲୀନ ଶ୍ରଦ୍ଧାଳୁ

ଶିବଭକ୍ତିରେ ଲୀନ ଶ୍ରଦ୍ଧାଳୁ

ଚଳିତ ବର୍ଷର ଅମରନାଥ ଯାତ୍ରା ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ଶନିବାର ଦିନ ହଜାର ହଜାର ଶ୍ରଦ୍ଧାଳୁ ବରଫ ଶିବଲିଙ୍ଗ ଦର୍ଶନ କରିଛନ୍ତି। ଜମ୍ମୁ କଶ୍ମୀରର ଦୁର୍ଗମ ପାହାଡ଼ରେ ଥିବା ଗୁପ୍ତ ଗୁମ୍ଫାରେ ହର-ହର-ମହାଦେବ, ବମ-ବମ-ଭୋଲେ ଧ୍ବନୀ ଶୁଭିଛି। ମାନସିକଧାରୀମାନେ ଶାରୀରିକ ଓ ମାନସିକ ଭାବେ ଯନ୍ତ୍ରଣା ପାଇଥିଲେ ମଧ୍ୟ ବାବା ବରଫ ଲିଙ୍ଗ ଦର୍ଶନ କରିଛନ୍ତି। ଚଳିତ ବର୍ଷ ବାବା ଅମରନାଥଙ୍କୁ ପ୍ରାୟ ୪ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିପାରନ୍ତି। ଏଥିରେ ମହିଳା, ଶିଶୁ ଓ ସାଧୁସନ୍ଥମାନେ ମଧ୍ୟ ସାମିଲ ଅଛନ୍ତି। ଶିବଭକ୍ତମାନଙ୍କ ପାଇଁ ଏହି ପବିତ୍ର ଯାତ୍ରା ଆଗାମୀ ରକ୍ଷାବନ୍ଧନ (୨୦୨୪ ଅଗଷ୍ଟ ୧୯) ପର୍ଯ୍ୟନ୍ତ ଜାରି ରହିବ।

ପାଖାପାଖି ୨ ମାସ ଯାଏଁ ଜାରି ରହିବାକୁ ଥିବା ଏହି ଯାତ୍ରା ମହାଦେବଙ୍କ ଭକ୍ତମାନଙ୍କ ପାଇଁ ସ୍ବତନ୍ତ୍ର ଅନୁଭୂତି ଆଣିଦେଇଥାଏ। ଏହି ଯାତ୍ରା ଶ୍ରୀନଗରରୁ ୧୫ କିଲୋମିଟର ଦୂର ପାଖାପାଖି ୧୩୦୦୦ ଫୁଟ ଉଚ୍ଚରେ ଥିବା ଅମରନାଥଙ୍କ ଗୁମ୍ଫାରେ ଶେଷ ହୋଇଥାଏ। ଧାର୍ମିକ ଦୃଷ୍ଟିକୋଣରୁ ଅମରନାଥ ଯାତ୍ରା କରିବା ଦ୍ବାରା ଭକ୍ତମାନଙ୍କର ସୁଖ ଓ ସମୃଦ୍ଧି ବଢ଼ିବା ସହିତ ଆଶର୍ବାଦ ମିଳିଥାଏ। ଏଥି ସହିତ ଅଟକି ଥିବା କାମ ଶୀଘ୍ର ସଫଳ ହୋଇଥାଏ। ଏହି କାରଣରୁ ଶିବଭକ୍ତମାନେ ଶ୍ରଦ୍ଧାର ସହିତ ଅମରନାଥ ଗୁମ୍ଫା ଯାତ୍ରା କରିବା ସହ ବରଫ ଲିଙ୍ଗ ଦର୍ଶନ କରିଥାନ୍ତି।  

ଅମରନାଥ ଗୁମ୍ଫାରେ ରହସ୍ୟଜନକ କଥା

ହିନ୍ଦୁଧର୍ମରେ ଅମରନାଥ ଯାତ୍ରାକୁ ଗୁରୁତ୍ବ ଦିଆଯାଇଛି। ଏହାର ମହତ୍ବ ଓ ନିୟମ ସଂପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ସ୍ଥାନରେ ମା’ ପାର୍ବତୀଙ୍କୁ ଭଗବାନ ଶିବ ଅନେକ ଗୁପ୍ତ କଥା କହିଥିଲେ। କୁହାଯାଇଥାଏ ଯେ, ଏକଦା ଭଗବାନ ଶିବଙ୍କୁ ମା’ ପାର୍ବତୀ କହିଥିଲେ, ଆପଣ ଅମର। ମୋତେ ପ୍ରତ୍ୟେକ ଜନ୍ମରେ ଆପଣଙ୍କୁ ପାଇବା ପାଇଁ ନୂଆ ସ୍ବରୂପରେ କଠୋର ତପସ୍ୟା କରିବାକୁ ପଡୁଛି। ଆପଣଙ୍କର ଅମର ହେବାର ରହସ୍ୟ କ’ଣ? ମା’ ପାର୍ବତୀଙ୍କର ଏହି କଥା ଶୁଣି ଭଗବାନ ଶିବ କହିଥିଲେ, ଏହାର ଉତ୍ତର ନିର୍ଜନ ଓ ଏକାନ୍ତ ସ୍ଥାନରେ ମିଳିବ। କାରଣ ଏହି ରହସ୍ୟ ଯିଏ ଶୁଣିବ, ସିଏ ମଧ୍ୟ ଅମର ପାଲଟିବ। କୁହାଯାଇଥାଏ ଯେ, ଅମରନାଥ ଗୁମ୍ଫାରେ ଭଗବାନ ଶିବ ଓ ମା’ ପାର୍ବତୀ ରହସ୍ୟଜନକ କଥା ହୋଇଥିଲେ। ଏହି କଥପୋକଥନ ବ୍ରହ୍ମାଣ୍ଡର ବଡ଼ ରହସ୍ୟ କଥା ଥିଲା ବୋଲି ମଧ୍ୟ କୁହାଯାଇଥାଏ। ଏହି କଥା ଶୁଣିବା ବେଳେ ମା’ ପାର୍ବତୀଙ୍କୁ ନିଦ ହୋଇଯାଇଥିଲା। କିନ୍ତୁ ମହାଦେବ କହି ଚାଲିଥିଲେ।  

ଅମରନାଥ ଗୁମ୍ଫାରେ କପୋତ ସାକ୍ଷୀ

ଅନ୍ୟ ଏକ କାହାଣୀ ଅଛି। ଭଗବାନ ଶିବ ଯେତେବେଳେ ମା’ ପାର୍ବତୀଙ୍କୁ କାହାଣୀ ଶୁଣାଉଥିଲେ, ସେହି ସମୟରେ ଗୁମ୍ଫାରେ କପୋତ ଯୋଡ଼ି ଥିଲେ। ଭଗବାନ ଶିବ ଦେଖିଲେ ଯେ, କପୋତ ଯୋଡ଼ି କଥା ଶୁଣୁଛନ୍ତି। ତେଣୁ ଏମାନଙ୍କୁ ବଧ କରିବାକୁ ଚାହିଁଥିଲେ। କିନ୍ତୁ କପୋତ ଯୋଡ଼ି ଭଗବାନ ଶିବଙ୍କୁ କହିଥିଲେ, ଆପଣ ଆମକୁ ହତ୍ୟା କଲେ, ଆପଣଙ୍କର କାହାଣୀର କୌଣସି ମୂଲ୍ୟ ରହିବ ନାହିଁ। ଆପଣଙ୍କର କଥା ଅସତ୍ୟ ସିଦ୍ଧ ହୋଇଯିବ। କପୋତଙ୍କ କଥା ଶୁଣି ମହାଦେବ ଶାନ୍ତ ପଡ଼ିଯାଇଥିଲେ। ମହାଦେବ କହିଲେ, ତୁମେ ସବୁବେଳେ ଏଠାରେ ଶିବ-ପାର୍ବତୀଙ୍କ ପ୍ରତୀକ ଭାବେ ରହିବ। ସେହିଦିନ ଠାରୁ କପୋତ ଯୋଡ଼ି ଏଠାରେ ରହୁଛନ୍ତି। କିଛି ଶ୍ରଦ୍ଧାଳୁ ଏହି କପୋତ ଯୋଡ଼ିଙ୍କୁ ଦେଖିଥିବା ମଧ୍ୟ ଦାବି କରିଥାନ୍ତି। ତେଣୁ କପୋତ ଯୋଡ଼ିଙ୍କୁ ଅନେକ ସାକ୍ଷୀ ବୋଲି କହିଥାନ୍ତି।

ଶିବ ଉପାସନା

ଭଗବାନ ଶିଙ୍କ ପାଇଁ ଅମରନାଥ ଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ଗୁମ୍ଫାକୁ ପହଞ୍ଚି ପୂଜାର୍ଚ୍ଚନା କରୁଛନ୍ତି। କିନ୍ତୁ ଯେଉଁ ଶିବଭକ୍ତମାନେ ପବିତ୍ର ଗୁମ୍ଫାକୁ ପହଞ୍ଚିପାରୁ ନାହାନ୍ତି, ସେମାନେ ଭିନ୍ନ ପ୍ରକାରରେ ଶିବ ଉପାସନା କରନ୍ତି। ଆଶାଢ଼ ପରେ ଶ୍ରାବଣ ମାସ ଆରମ୍ଭ ହେବ। ଏହି ସମୟରେ ଶିବାଳୟଗୁଡ଼ିକରେ କାଉଡ଼ିଆମାନଙ୍କର ଭିଡ଼ ରହିବ। ରାସ୍ତାଘାଟ ଗେରୁଆମୟ ହେବ। ବୋଲବମ୍ ଭକ୍ତ ଓ ଅମରନାଥ ଯାତ୍ରାଙ୍କ ମଧ୍ୟରେ ସଂପର୍କ ରହୁଛି। କାରଣ ଅମରନାଥଙ୍କ ଦ୍ବାର ଯେଉଁଦିନ ବନ୍ଦ ହେବ, ସେହିଦିନ ଅର୍ଥାତ ରକ୍ଷାବନ୍ଧନ (ଶ୍ରାବଣ ପୂର୍ଣ୍ଣିମା) ଦିନ ବୋଲବମ ଭକ୍ତଙ୍କର ଉପାସନା ଶେଷ ହେବ। ଶିବ ଭକ୍ତମାନେ ପ୍ରତି ସୋମବାର, ସଂକ୍ରାନ୍ତି, ଶିବବିବାହ, ଶିବଚତୁର୍ଦ୍ଦଶୀ ଓ ଶିବରାତ୍ରୀରେ ମଧ୍ୟ ଉପାସନା ଏବଂ ପୂଜାର୍ଚ୍ଚନା କରନ୍ତି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments